Unknown

 

 

 

 

 

 

 

 

 

 

 

ଗୋଟିଏ ଆଲୁଅ କେତୋଟି ଛାଇ

ନୀଳମାଧବ ମିଶ୍ର

 

‘ମେଘ’,

 

ଆମ ଦୁହିଁଙ୍କ ଯୌଗିକ ଉପସ୍ଥିତିର ଆଭାରେ ଦୁନିଆ ଅମ୍ଳାନ ନ ହୋଇ ହସିଥିଲା–ବିଦ୍ରୂପ କରିଥିଲା । ନାରୀ ତୁମେ–ବିଦ୍ରୂପର ହାସ୍ୟାସ୍ପଦ ବାୟୁମଣ୍ଡଳରେ ବଞ୍ଚିରହି ପାରିଲନି । ଏହାର ବିଷଧୂଆଁରେ ଅକେତାହୋଇ ମୂର୍ଚ୍ଛାଗଲ ଆଉ ଗୋଟିଏ ଛାଇରେ । କୈଶୋରର ଆବର୍ତ୍ତନ ମଧ୍ୟରେ ଢେଉ ଭାଙ୍ଗୁଥିବା ଏ ସାର୍ଥବୟସ୍କ ପ୍ରଣୟାନିଭିଜ୍ଞ ତରୁଣ ତୁମ ଧୂପ-ଅର୍ଚ୍ଚନାର ମଧ୍ୟ କିଛି ମୂଲ୍ୟ ବୁଝିପାରିଲେନି । ଘୂର୍ଣ୍ଣି-ବାୟୁର ପରିଧି ଭିତରେ ପଡ଼ି ତୁମେ ହଠାତ୍‌ ଦିନେ ନିଜକୁ ମୋ ଦୁଆରେ ଦ୍ୱିତୀୟ ଥର ପାଇଁ ଆବିଷ୍କାର କଲ । ଅଭିମାନରେ, ଅପମାନରେ ନା ରାଗରେ କେଉଁଥିରେ ତୁମେ ଫୁଲି ଉଠି ମୋ ଦୁଆରୁ ଫେରିଯାଉଥିଲ ଜାଣେନା । ମୁଁ ଅଟକାଇଲି ଜୀବନର ସମସ୍ତ ସ୍ୱର ଝଂକୃତ କରି । ତୁମେ ଯେଉଁ ଛାଇ ଭିତରେ ନିଜକୁ ଉପଲବ୍‌ଧି କର ପଛେ, ମୁହିଁ ତମ ଗତିପଥର ଗୋଟିଏ ଆଲୋକ । ସମାଜ ହସିବ । ହସୁ । ତମେ ମୂର୍ଚ୍ଛା ଯାଇଥିଲ ମୋରି ଛାତି ଉପରେ, କେବଳ ଏତିକି ଶୁଣି କାନ୍ଦି କାନ୍ଦି କ୍ଷମା ମାଗିଥିଲ ।

 

ମୁଁ ସେଇଠି ତୁମକୁ କ୍ଷମା ଦେଇଥିଲି । ଗ୍ରହଣ କଲନି । କହିଥିଲ ଆମ ଜୀବନର ଲୋକ ଅଜଣା ଇତିହାସଗୁଡ଼ାକୁ ସଜାଡ଼ି ନୂଆ ରୂପରେ ଫୁଟାଇ ଯଦି ମୋତେ ଅର୍ପଣ କରିବ ସେହିହିଁ ହେବ ତମ କ୍ଷମାଦେବାର ପ୍ରମାଣ ।

 

ତମ ଜୀବନର ଆଲୁଅରୁ ଆମେ ଯେତେ କେତୋଟି ଛାଇ ଜନ୍ମଗ୍ରହଣ କରିଥିଲୁ ତାହାର ଆଧୁନିକ ସମାବେଶରେ ଏ ‘‘ଗୋଟିଏ, ଆଲୁଅ କେତୋଟି ଛାଇ’ ତମ ହାତରେ ଦେଲି । କ୍ଷମା କରିଛି ବୋଲି ନିଶ୍ଚୟ ଜାଣିବ । କିନ୍ତୁ ଏଇ ଜାଣିବା ପାଇଁ କ’ଣ ଏତେ ବଡ଼ ସାଧନା ? ଯୁ’ଥି ପାଇଁ ତାହା କ’ଣ କେବେ ସମ୍ଭବ ?

 

। ଇତି ।

‘‘ଦେବଭାଇ’’

Image

 

କୁଳୁଆଁ ।

 

ମୋ ଦେହଟା ଚାଉଁକିନା ହୋଇଗଲା । ବୋଉକୁ ଜର । ବାପା ନାହାଁନ୍ତି ଏବଂ ମୁଁ ହାଣ୍ଡିବାହାର । କୁଳୁଆଁ ଚରଚା ହେବେ କିପରି ? ମଫସଲ ଗାଁ । ମୁଢ଼ି ଓ ଉଖୁଡ଼ା ଛଡ଼ା ତୃତୀୟ ଜିନିଷ ମିଳିବାର ସମ୍ଭାବନା ନାହିଁ । ଦିନକର ଭାତ–ଯୁଗକର କଥା । ମୁଁ କିଛି ଭାବିପାରିଲି ନାହିଁ । ମୁଣ୍ଡପାକ ଆଖି ହୋଇଗଲା । ତାସ୍‌ ବିଡ଼ାଟା ସେହିପରି ହାତରେ ଥାଏ । ଖେଳୁଛି କିଏ ?

 

ଆପେ ଆପେ ପଡ଼ି ଯାଉଥିବା ବାଡ଼ି ଦୁଆରକୁ ହାତରେ ଠେଲି ନୂଆବୋଉ ବାରଣ୍ଡାରେ ପହଞ୍ଚିଲେ । ଟିକିଏ ଚାପା ଗଳାରେ କହିଲେ–ମେଘ ! ତମେ କେତେ ବେହଲମ ? ଘରେ ପରା କୁଳୁଆଁ । ବୋଉ ଏକୁଟିଆ । ତାଙ୍କୁ ପୁଣି ଜ୍ୱର । ସେ ଯଦି ତୁମକୁ ଖୋଜନ୍ତି, ବୋଉ କ’ଣ ଜବାବ ଦେବେ କହିଲ ? ଗୁଣମନ୍ତ ଝିଅ ଜରୁଆ ମାଆଙ୍କ ପାଖ ଛାଡ଼ି ସାରାଦିନ ଖେଳରେ ମାତିଛନ୍ତି ଯେ, ସନ୍ଧ୍ୟା ଯାଇ ରାତି ହେଲାଣି ।

 

ଭାଉଜଙ୍କର ଭାଷା ଯେତେ କଟୁ ହେଲେ ମଧ୍ୟ ସହିବାକୁ ବାଧ୍ୟ ହେଲି । ଭୁଲ ଯେତେବେଳେ କରିଛି, ମୁଁ ସହିବିନି ତ ଆଉ ସହିବ କିଏ ?

 

ମନ ଭୟରେ ଦବି ଯାଇଥାଏ । ପାଦ କେଉଁଠାରେ ପଡ଼ୁଛି ଆଦୌ ଜଣାପଡ଼ୁନଥାଏ । ଆଖି ପିଛୁଳାକେ ଆମ ବାଡ଼ି ଦୁଆରେ ପହଞ୍ଚିଲି । ସନ୍ଧ୍ୟା କେତେବେଳୁ ହୋଇଗଲାଣି । ଅଗଣା ମଝିରେ ଥିବା ଡାଳିମ୍ୱ ଗଛର ପତର ଛୁଇଁ ଅସ୍ତ ଯାଉଥିବା ସୂର୍ଯ୍ୟଙ୍କର ଲୋହିତ କିରଣଗୁଡ଼ା ମୋ ମୁହଁ ଉପରେ ପଡ଼ୁଥାଏ । ପିଣ୍ଡାତଳୁ ଚାଳକୁ ଉଠିଥିବା ଶିମ୍ୱଲଟିର କେତୋଟି ଡଙ୍କ ସାପପରି ଧୀର ପବନରେ ଦୋଳି ଖେଳୁ ଥାଏ । ଦେଖିଲି ବାଡ଼ିଦୁଆର ଭାରି ଅସନା ଦିଶୁଛି । ପାଦ ଚିପି ଚିପି ଘରେ ପଶିଲି ଦୁଆର ଓଳେଇ ଦେବା ଉଦ୍ଦେଶ୍ୟରେ; କିନ୍ତୁ ଝାଡ଼ୁଟା ଯେ ବୋଉ ଶୋଇଲା ଘରେ । ବୋଉ ଶୋଇଲା ଘର ଭିତରକୁ ଲାଜ ଲାଜ ହୋଇ ପଶିଗଲା ବେଳେ କାନରେ ବାଜିଲା–

 

କଅଣ କହିବି ଦେବ, ସେ କ’ଣ ଆଉ ମୋ ଅକ୍ତିଆରରେ ଅଛି । ଟିକିଏ କଥାରେ ଯୁକ୍ତିପରା । ସଦାବେଳେ କହେ ବୋଉ, ଆମର କୋଉଟା ଭୁଲ କେଉଁଟା ଠିକ୍‌ ଚିହ୍ନି ଶିଖିବାର ବୟସ କ’ଣ ଆସିନି ? ଆଚ୍ଛା ଦେଖିଲ, ଦିନ ଦି’ପହରୁ ତାସ୍‌ବିଡ଼ା ଧରି ଯାଇଛି ଯେ ରାତି ଆସି ହେଲାଣି, ଝିଅଙ୍କର ଦେଖା ନାହିଁ । ପଡ଼ିଶା ଘର ବୋହୂ ହାତରେ ଖବର ପଠାଇଲି କ’ଣ ଶୁଣିଲା । ତା’ ବୟସରେ ପରା ଆମକୁ ଚନ୍ଦ୍ର ସୂର୍ଯ୍ୟ ଦେଖି ପାରୁନଥିଲେ । ଝିଅ କଅଣ ପିଲା ହୋଇଛି ? ଷୋହଳ ପରା ଏଇ ମାଘ ପୂର୍ଣ୍ଣମୀରୁ ଚାଲିଲା । ତମେ ଜାଣ ! ଏ ଦୋଷ ଯୁଗର ନୁହେଁ ତା’ ବାପାଙ୍କର । ଯୁ ଦି’ଦିନ ଛୁଟିରେ ଆସିଲେ ‘ମେଘମାଳା’ ଏବଂ ‘ମେଘ’ ଡାକରେ ଘର ଫାଟିଲା । କଥା କଥାକେ ‘ମୋ ମାଆଟା ପରା, ମୋ ଧନଟା ପରା’ ସେ କ’ଣ ଚାରିବର୍ଷର ଛୁଆ ହୋଇଛି ? ବାହା କରିଥିଲେ ତିନିବରଷ ଘର କରି ସାରନ୍ତାଣି ପରା ।

 

କୁଳୁଆଁ କହିଲେ, ବୋଧେ ବୁଝିଲ ମାଉସୀ, ତୁମେ ଯାହା କହିଲ ଠିକ୍‌, ମଉସା ଯାହା କରୁଛନ୍ତି ତା’ବି ଠିକ୍‌, ମେଘ ଯାହା କରୁଛି ସେଥିରେ ତା’ର ଦୋଷ ନାହିଁ । ତେବେ ଭୁଲ ରହିଲା କେଉଁଠି ଜାଣ ? ଆମ ବୁଝିବାରେ ଛଅ ଜଣ ଅନ୍ଧ ହାତୀର ଛଅଟା ସ୍ଥାନରେ ହାତମାରି ଯେପରି କହିଲେ ହାତୀ ଦେଖିବାକୁ ସାପପରି, ଖୁମ୍ୱପରି ଇତ୍ୟାଦି; ସେପରି ଆମେ ପରିସ୍ଥିତିକୁ ଭୁଲ ବୁଝି ପରସ୍ପର ଉପରେ ରାଗୁ । ଦେଖୁନା, ଈଶ୍ୱର ଏକ ଥିବା ସ୍ଥଳେ ହିନ୍ଦୁମାନେ ରାମକୁ ଏବଂ ମୁସଲମାନମାନେ ଆଲ୍ଲାକୁ ପୂଜା କରନ୍ତି ଏବଂ ଉଭୟେ ପରସ୍ପରଧର୍ମ ବିଦ୍ରୋହୀ ।

 

ବୋଉ କହିଲା–କିପରି ?

 

ଶୁଣ ତେବେ ମୁଁ ବୁଝାଇ ଦେଉଛି । ମଉସାତ ସହରରେ ସଦାବେଳେ ରହିଲେ । ଆଖି ଆଗରେ ଦେଖିଲେ ବାପାମାନେ କେତେ ରକମରେ ତାଙ୍କ ଝିଅମାନଙ୍କୁ ସ୍ନେହ କରନ୍ତି । ପ୍ରତିଦିନ ନୂଆ ନୂଆ ବହି, ଖେଳନା, ଶାଢ଼ି ପ୍ରଭୃତି ବୟସ ଅନୁପାତରେ ଝିଅମାନଙ୍କୁ ଅଫିସରୁ ଫେରିଲାବେଳେ ଦିଅନ୍ତି । କେତେ ଆଦର କରି ସ୍କୁଲରେ ଆଜି କି ପାଠ ପଢ଼ାହେଲା ବୋଲି ପଚାରି ବସନ୍ତି । ସେତେବେଳେ ମଉସାଙ୍କ ପିତା ହୃଦୟରେ ଯେଉଁ ବହ୍ନି ଉଠେ ତା’ କ’ଣ ତୁମେ କେବେ ଅନୁମାନ କରିଛ । ସେ ଚାହାଁନ୍ତି ତାଙ୍କ କନ୍ୟାକୁ ସେଇଭଳି ଗଢ଼ିବାକୁ । ପରିସ୍ଥିତି କିନ୍ତୁ ତା’ କରାଇ ଦିଏନି । ଆଗରେ ଠିଆହୁଏ ତୁମର ଗାଁ ଭିତରେ ମୁଣ୍ଡଟେକି ଥିବା ସମାଜ । ସେ କନ୍ୟାର ସ୍ନେହକୁ ପୋଡ଼ି ଜାଳି ଦେବାପାଇଁ ଘୃଣା କରନ୍ତି । ତେଣୁ ସେ ମେଘକୁ ସବୁପ୍ରକାର ସୁବିଧା ଦେବାକୁ ଚାହିଁଲାବେଳେ ତମେ ମନାକର ।

 

କିନ୍ତୁ ତମ ପ୍ରତିବାଦ ଯେ ମୂଲ୍ୟହୀନ ତା’ ନୁହେଁ । ବୟସ ପଛରେ ଖଣ୍ଡିଉଡ଼ା ଦେଉଥିବା ଚଢ଼େଇମାନଙ୍କ ଭଳି ଏମାନଙ୍କର ଜୀବନ । ଶୃଙ୍ଖଳାମୁକ୍ତ ହେଲେ ଏମାନେ ସିନା ଉଡ଼ିଯିବେ, କିନ୍ତୁ ବେଶୀ ବାଟ ଉଡ଼ିପାରିବେନି । ଡେଣାରେ ବଳ ନାହିଁ କି ମନରେ ଅଭିଜ୍ଞତା ନାହିଁ । ଏ ଦୁଇଟିକୁ ଆୟତ୍ତ କରିବା ପାଇଁ ଏମାନଙ୍କୁ ଶୃଙ୍ଖଳିତ କରିବା ନିହାତି ବିଧେୟ ।

 

ଆଉ ମେଘ କଥା । ତା’ର ଅନଭିଜ୍ଞ ପ୍ରାଣରେ ଯେଉଁ ଉତ୍ତଳା ଜୁଆର ଆସେ ତାକୁ ନିର୍ମମ ଭାବରେ ହତ୍ୟା କରିବା ବିବେକୋଚିତ ନୁହେଁ । ମଣିଷକୁ ମଣିଷପରି ବଞ୍ଚି ରହିବାକୁ ପଡ଼ିବ-। ସେ କେବେହେଲେ ପଶୁ ନୁହେଁ । ପ୍ରେମରେ ସେ ସ୍ୱର୍ଗ ଗଢ଼ିବ । ସତ କହିଲ ମାଉସୀ, ତମେ ସିନା ତା’ ବୟସବେଳେ ପର୍ଦ୍ଦା ତଳେ ଆବଦ୍ଧ ଥିଲ କିନ୍ତୁ ତମର କ’ଣ ଏସବୁ କରିବାକୁ ମନହେଉନଥିଲା ? ମେଘ ତ ପଡ଼ିଶା ଘରକୁ ଖାଲି ତାସ୍‌ ଖେଳିବାକୁ ଯାଇଛି ମାତ୍ର, ସେ ଯଦି ଆଉ କାହା ସହିତ ବୁଲି ଯାଇଥାନ୍ତା ନା, ତମେ ମୋଟେ ଥୟ ଧରନ୍ତ ନାହିଁ ।

 

–ହଁ ସତ କଥା ନୁହେଁ କ’ଣ ଦେବ ! ମତେ ତ ଟିକିଏ ପାଣି କି ପଣା ଦେଇପାରିବନି । ଏକୁଟିଆ କେତେ ବସିବ । ପଡ଼ିଶା ଘର ବୋହୂ ଟିକିଏ ଗୋଡ଼ରେ ହାତ ମାରି ଦେଇଥିଲା । ମୁଣ୍ଡଟା ବୁଲାଇ ହେବାକୁ ଆରମ୍ଭ କରିଦେଲାଣି । ମେଘ କ’ଣ ମତେ ଛୁଇଁବ ?

 

‘କାହିଁକି’ ? ଦେବଭାଇଙ୍କ କଣ୍ଠରେ ବିସ୍ମୟ ।

 

ସେ ପରା ହାଣ୍ଡି ଛୁଉଁନି । ପଡ଼ିଶା ଘର ବୋହୂ ସକାଳଓଳି ରାନ୍ଧି ଦେଇଥିଲା ଯେ ଅଧା ଦ୍ୱିପହରରେ କ’ଣ ଗଣ୍ଡେ ଖାଇଦେଇ ତାସ୍‌ ବାଡ଼ିଆ ଚାଲିଛି । ମନେ ମନେ ଭାବିଛି କ’ଣ ନା ରାତିରେ ନ ଖାଇଲେ ଚଳିଯିବନି କି–

 

ମୁଁ ଆଉ ଶୁଣିପାରିଲି ନାହିଁ । ବୋଉ ଉପରେ ବହେ ରାଗିଲି । କୁଳୁଆଁ ଘରକୁ ଘଣ୍ଟେ ହେଲା ନ ଆସୁଣୁ ଘରର ସମସ୍ତ ଗୋଇ ଜାଣି ସାରିଲେଣି ।

 

କୁଳୁଆଁକୁ ଦେଖିବାକୁ ମନ ବଳିଲା । ମାତ୍ର ଜଣେ ଅଜଣା ଅଶୁଣା ପୁରୁଷ ଆଗକୁ ଯିବି କିପରି ? ଲୁଚି ଲୁଚି ଝରକା ଭିତରକୁ ଉଙ୍କିମାରି ବହୁତ ଚାହିଁଲି । ମାତ୍ର କିଛି ଦେଖିପାରିଲି ନାହିଁ ।

 

ବୋଉ ମୁହଁରୁ ଶୁଣିଲି ତାଙ୍କ ନା ଦେବ । ମନଟା କାହିଁକି ସେତିକିବେଳୁ ଗୋଳେଇ ଘାଣ୍ଟି ହେଲା । ଦେବ କିଏ ? ତାଙ୍କ ଘର ସହିତ ଆମର କି ରୂପ ବନ୍ଧୁତା ? ମୋ ମନ ଭିତରେ ଏଭଳି ଅସଂଖ୍ୟ ପ୍ରଶ୍ନ ଉଙ୍କିମାରିଲା । ଗୋଟିଏହେଲେ ସେଥିରୁ ସମାଧାନ ହୋଇପାରିଲେ ନାହିଁ । ତାଙ୍କୁ ଦେବଭାଇ ଡାକିବା ଛଡ଼ା ମୁଁ ଅନ୍ୟ କିଛି ଡାକିବା ପାଇଁ ଜାଣିପାରିଲି ନାହିଁ; ଯେହେତୁ ସେ ବୋଉକୁ ମାଉସୀ ଡାକୁଛନ୍ତି । ତେଣୁ ମୋର ନିଶ୍ଚୟ ଭାଇ ।

 

ସେତେବେଳକୁ ବେଳ ଘନେଇ ଆସୁଥାଏ । ଦିଗ୍‌ବଳୟର ସୀମାରେଖାରେ ଅସ୍ତରବିର ଶେଷ କିରଣ ଛଟା ଲିଭି ଯିବାକୁ ବସିଲାଣି । ମୁଁ ଜଡ଼ପରି ଖାଲି ଦେବଭାଇଙ୍କ କଥାଗୁଡ଼ା ଭାବିଯାଉଥାଏ । କି ସୁନ୍ଦର ଯୁକ୍ତି । ସତେ ଯେପରି ସେ ଜଣେ ଉପଯୁକ୍ତ ପିତା-ହୃଦୟର ସମସ୍ତ ଗଭୀର ବେଦନା ଜାଣିସାରିବା ସଙ୍ଗେ ସଙ୍ଗେ ଗୋଟିଏ ଅବିବାହିତା କୁମାରୀର ମନୋଭାବ ବୁଝିପାରିଛନ୍ତି । ମୁଁ ଅଙ୍ଗେ ଲିଭାଇଥିବା ଅସୁବିଧାଗୁଡ଼ା ପ୍ରଥମେ ତା’ର କଣ୍ଠରୁ ଶୁଣିପାରି ଦେବଭାଇଙ୍କୁ ଶତ ଧନ୍ୟବାଦ ଦେବାକୁ ଲାଗିଲି । ତା’ ସହିତ ଆମ ସମାଜର କୁସଂସ୍କାର ଲାଗି ମନରେ ଭୀଷଣ କ୍ଷୋଭ ଜାତ ହେଲା । ସମସ୍ତେ ଯଦି ଦେବଭାଇଙ୍କ ପରି ନାରୀର ମନକୁ ବୁଝିପାରନ୍ତେ, ତେବେ ପରଦା ପ୍ରଥାର ଆବଶ୍ୟକ ନଥାନ୍ତା । ଘର କଣରେ ଅସଂଖ୍ୟ ଯୌବନ ମାଳତୀପରି ଝରିପଡ଼ନ୍ତାନି ।

 

ମୁଁ ଝାଡ଼ୁଟା ଆଣିବା ପାଇଁ ବାଡ଼ି ପିଣ୍ଡାରୁ ଲଣ୍ଠନ ଧରି ବଉଳ ପାଖକୁ ଚାଲିଲି । କିନ୍ତୁ ବଉଳର ଦେଖା ନାହିଁ । ତାଙ୍କ ଢିଙ୍କି ଚାଳିଆ ଭଙ୍ଗା କାନ୍ଥରେ ନଇଁପଡ଼ି ବଉଳ ଏବଂ ନୂଆବୋଉ କ’ଣ ଦେଖିବାରେ ଦୃଷ୍ଟି ନିବଦ୍ଧି କରିଛନ୍ତି । ମୁଁ ବି ଯାଇ ସେଥିରେ ଯୋଗ ଦେଲି ।

 

ବଉଳ କହିଲା, ସେ କିଏ କିଲୋ ? ଭାରି ସୁନ୍ଦରିଆଟିଏତ । କି କଥା କହୁଛନ୍ତି ଯେ ନୂଆବୋଉ ବାୟାଣୀ ହୋଇଗଲେଣି ।

 

ସେତିକିବେଳୁ ମାଉସୀଙ୍କ ପାଖରେ ବସିଛନ୍ତି । ଖାଇବାକୁ କ’ଣ ଦେବୁନି ?

 

ଖାଇବା କଥା ଶୁଣି ମୋ ଦେହରୁ ଗୋଟେ ଝାଳ ବୋହିଗଲା । ଭାବିଲି, ଯାହାକୁ ଅଦେଖାରେ ଏତେ ସ୍ନେହ କରେ, ତାକୁ ରାନ୍ଧି ଗଣ୍ଡେ ଖାଇବାକୁ ଦେବା ସୌଭାଗ୍ୟ ତା’ର ଆଜି ନାହିଁ । ମନଟା ମୋର ମୋଡ଼ି ହୋଇଗଲା ଠିକ୍‌ ଶିମ୍ୱଲଟି ପୁଷ୍ପ କାହାଳରେ ଜଉ ଲାଗି ନଷ୍ଟ ହୋଇଗଲା ପରି ।

 

ତରତରରେ ଲଣ୍ଠଣଟା ଲଗାଇ ଝାଡ଼ୁଧରି ମୁଁ ଫେରିବାକୁ ବସିଛି । କଥା ଲହସରେ କହିଲି, ବଉଳ ତୁ ଟିକିଏ ଯାଇ ରାନ୍ଧିଦିଅନ୍ତୁନି ।

 

ମଲା, ପଣସ ଖାଇବ କିଏ, ଅଠା ଛଡ଼େଇବି ମୁଁ । ନାଁ ତୋ ବରକୁ ରାନ୍ଧି ଦେବାକୁ ମୁଁ କାହିଁକି, ଯେକୌଣସି ଝିଅ ହିଂସା କରିବେ ।

 

ବଉଳ କଥାରେ ଛାତି ମୋର ଦାଉଁକିନା ହୋଇଗଲା । ମୋ ବର...ଦେବଭାଇ । ରାଗିକରି ମୁଁ ଖଣ୍ଡେ ନିଆଁ ହୋଇଗଲି । କିନ୍ତୁ ଦେଖିଲି ବଉଳ ଖାଲି ହସୁଛି । ନୂଆବୋଉଙ୍କ ମୁହଁରେ ପାଣି ନାହିଁ । ଦିହେଁ ମତେ ଶୂନ୍ୟେ ଶୂନ୍ୟେ ଟେକି ଦେଇ ସେହି ଭଙ୍ଗା କାନ୍ଥ ପାଖରେ ହାଜର କରାଇଦେଲେ ।

 

ମୁଁ ଦେବଭାଇଙ୍କୁ ଭଲକରି ଦେଖି ପାରିଲି ନାହିଁ । ରାତି ସେତେବେଳକୁ ହୋଇସାରିଥାଏ । ନୂଆବୋଉ କହିଲେ–ସତେ ମେଘ, ଏ ଟୋକା କୁଳୁଆଁ କିଏମ ? ଭାରି ସୁନ୍ଦର ନୁହେଁ ? ଗୋରା, ପାତଳା, ଡେଙ୍ଗା, ନାକ ତଳକୁ ଦି’ପଟା କଳା ନିଶ । ତମ ବ୍ରାହ୍ମଣଘରେ ପରା ନିଶ ରଖନ୍ତି ନାହିଁ ? ସେ କଅଣ ତମ ଜାତିର ନୁହେଁ କି ? ଅନ୍ୟ ଜାତିରେ କ’ଣ ଏପରି ସୁନ୍ଦର ଥାଆନ୍ତି ।

 

ମୋ ମୁହଁଟା ହସରେ ଫାଟି ପଡ଼ୁଥାଏ । ଦେବଭାଇ ସୁନ୍ଦର ତାହାହେଲେ । ମନରେ ଭାରି କଷ୍ଟ ହେଲା । ଅନ୍ୟମାନେ ଦେଖି ସାରିଥିଲେ ମଧ୍ୟ ମୁଁ ଦେଖିପାରିଲି ନାହିଁ । ମନରେ ମୋର ଯଥେଷ୍ଟ ସାହସ ହଠାତ୍‌ ସଞ୍ଚୟ ହୋଇଗଲା । ସବୁ ଶକ୍ତି ଠୁଳ କରି ଦେବଭାଇଙ୍କ ଘର ଭିତରକୁ ଲଣ୍ଠଣ ଜଳାଇ ଯିବାପାଇଁ ବାହାରିଲି । ଏତେ ଜୋରରେ ଗୋଡ଼ ପଡ଼ୁଥାଏ ଯେ କହିହେବନି । ମାତ୍ର ନୂଆବୋଉ କ’ଣ ଝଅଟ ଲଣ୍ଠଣଟା ଲଗାଇ ଦେଉଛନ୍ତି ? ତାଙ୍କ ପ୍ରଶ୍ନର ଉତ୍ତରଦେଇ କହିଲି, ମଲା ଯୁ’ ସୁନ୍ଦର କ’ଣ କହିବି ! ଆମ ଭାଇଙ୍କଠାରୁ କ’ଣ ସୁନ୍ଦର ?

 

ଆହା ତମ ଭାଇ ! କହନି ଆଉ । ଜହ୍ନିମଞ୍ଜି ପରି ଗୋରା ତାଳଗଛ ପରି ଗେଡ଼ା । ଦି’ଗାଲରେ ଦି’ଗଉଣୀ ଚାଉଳ ଧରିବ । ବେକ ତଳକୁ ନଟବୋଲ୍‌ଟ ଆଣ୍ଟିଦେଲାଭଳି ଦି’ଟା ହାଡ଼ !

 

ମୁଁ ହଠାତ୍‌ ନୂଆବୋଉଙ୍କ କୋଳରୁ ଟୁକୁନାକୁ ଓହ୍ଲାଇଆଣି କହିଲି, ଭାଇ ଯଦି ଅସୁନ୍ଦର ଏଇଟିକୁ କୁଆଡ଼ୁ ଆଣିଲକି ?

 

ନୂଆବୋଉଙ୍କ ଗାଲ ଲାଜରେ ଲାଲ ପଡ଼ିଗଲା । ସେ ହସି ହସି କହିଲେ–ଲୁଚିଛି ନା ଗୋଡ଼ ଦୁ’ଟି ଦିଶୁଛି । ମୁଁ ସିନା ଜାଣିଥିଲି ଭାରି ଭଲ ପିଲା । ଏ ବିଷୟରେ କିଛି ଜାଣନା । ଦେଖୁଛି....ମୋ ମୁହଁଟା ଟିକିଏ ଗମ୍ଭୀର ହେବାର ଦେଖି ନୂଆବୋଉ କଥାର ସୁଅ ବଦଳାଇ କହିଲେ, ହେଇଟି ଲଣ୍ଠଣ ଜାଳି ରାତିଯାକ ଯାଇ ଘରେ ଦେଖ, ବଳେ ବୁଝିପାରିବ । ତମ ଭାଇ ବେଶୀ ସୁନ୍ଦର ନା ତମ ବ.... ।

 

ମୁଁ ନୂଆବୋଉଙ୍କ ପାଟିରେ ହାତ ଦେଲି । ନ ବୁଝି ନ ଜାଣି ପର ପୁରୁଷକୁ ଏପରି ଦୃଷ୍ଟିରେ ଦେଖିବା ପାପ । ସେ ଯେ ହୁଅନ୍ତୁ ନା କାହିଁକି । ମୋର ମାଉସୀ ପୁଅ ଭାଇ ।

 

ବଉଳ ଏବଂ ନୂଆବୋଉ ମତେ ଶୂନ୍ୟେ ଶୂନ୍ୟେ ଟେକିନେଇ ଭଙ୍ଗାକାନ୍ଥ ପାଖରେ ହାଜର କରାଇଦେଲେ । କହିଲେ, ଏଥର ମନପୂରେଇ ଦେଖ । ବଳେ ବୁଝିପାରିବ ଯେ....

 

ଭଙ୍ଗା କାନ୍ଥି ଉପରେ ଉଙ୍କିମାରି ଚାହିଁଲି । ଦେଖିଲି ନିବିଡ଼ ଅନ୍ଧାର । ତା’ରି ଭିତରେ କଥୋପକଥନର ସ୍ପଷ୍ଟ ଆଭାଷ ।

 

ଦେବଭାଇ କହୁଛନ୍ତି–ମାଉସୀ, ତୁମ ଦିହ ଭାରି ଖରାପ ନା ? ମେଘ ଯେତେବେଳେ ଆସୁଛି ଆସୁ । ମୋ ପାଖରେ ଡିଆସିଲି ଅଛି । ଏ ଘରେ ଡିବି ନାହିଁ ?

 

ବୋଉ କଅଣ କହିଲା ଶୁଭିଲା ନାହିଁ । କେତେ ସମୟ ପରେ ଘରେ ଡିବି ଜଳିଲା । ମୁଁ ଦେଖିଲି ଦେବଭାଇ କମଳା ଛଡ଼ାଇ ବୋଉକୁ ଦେଉଛନ୍ତି । ପଛପଟୁ ବଉଳ ଅଣ୍ଟାଟାକୁ ଚିପିଦେଇ କହିଲା, ମନ ପାଉଛିଟି ? ନ ହେଲେ ସେତିକିବେଳୁ ଠିଆହୋଇ ଉଣ୍ଡୁଥାନ୍ତୁ କିଆଁ । ଘରେ ବୋଧେ ମୁହଁକୁ ମୁହଁ ଯୋଡ଼ି ଚାହିଁ ହେବନି । ଲାଜ ଲାଗିବ ? ଓଢ଼ଣାଟା ଅଡ଼ୁଆ କରିବ ? ନୁହେଁ ?

 

ନୂଆବୋଉ ଓ ବଉଳ ହସା ହସି ହୋଇ ଗାଧୋଇ ବାହାରିଲେ । ମଫସଲରେ ରାତିର ପ୍ରଥମ ପ୍ରହରରେ ସବୁ ଝିଅ ବୋଉ ଗାଧୋଇ ଯାଆନ୍ତି । ବଉଳ କହିଲା, ଆଜି ମୋର ଆଦୌ ଗାଧୋଇ ଯିବାକୁ ଇଚ୍ଛା ନଥିଲା । ଖାଲି ସେହି ଭଙ୍ଗାକାନ୍ଥି ପାଖରେ ଠିଆ ହୋଇ ହୋଇ ପରା ସାରାରାତି କଟାଇ ଥା’ନ୍ତି । ପୋଡ଼ାମୁହିଁ ବଉଳଟାକୁ ଏକ ଲହସରେ ଛୁଇଁଦେଲି ଯେ ।

 

ନୂଆବୋଉ କହିଲେ–ମୋର ମଧ୍ୟ ସେହି ଦଶା ହେ ‘ପର’ ।

 

ମୋର ତା’ଙ୍କ ଆଡ଼କୁ ଲୟ ନଥିଲା । ବଉଳ ଓ ନୂଆବୋଉ ଗାଧୋଇ ଯିବା ଦଣ୍ଡ କଥା ଭାବି ହେଁ କିନା ହସିଦେଲି । ହଠାତ୍‌ ଦେବଭାଇଙ୍କ ଆଖି ଦି’ଟା ମୋ ଆଖି ସହିତ ମିଳିଗଲା । ମୁଁ ଲାଜରେ ଦୌଡ଼ି ଦୌଡ଼ି ଘରକୁ ଫେରିଲି ।

 

ଗୋଡ଼ ଚିପି ଚିପି ଘରେ ପଶିଲି । ମନଟା ଅଜଣା ଭୟରେ ବାରମ୍ୱାର ଥରି ଉଠୁଥାଏ । ବୋଉ ଲଣ୍ଠଣ ଆଲୁଅ ଦେଖି ଟିକିଏ ରାଗିଲା କଣ୍ଠରେ ପଚାରିଲା, କିଲୋ ହୁଣ୍ଡି ସାରଖେଳ ସାରି ଘରକୁ ଫେରିବାକୁ କ’ଣ ବେଳ ହୋଇନି ? ସନ୍ଧ୍ୟା ଗଡ଼ିଗଲାଣି । ଝିଅ ରାତିପହରେ ବେଳକୁ ଆସୁଛି ।

 

ଦେବଭାଇ ନଇଁପଡ଼ି କ’ଣ କହିବାକୁ ବାହାରି ଥିଲେ, ମାତ୍ର ମୋ ଆଖିରେ ଅଶ୍ରୁ ଦେଖି ସେ ମୁହଁଟାକୁ ବୁଲାଇ ନେଲେ । ବୋଉ ପୁଣି ଟିକିଏ ଜୋରରେ କହିଲା, ଆଲୋ ଓଲି ମୁଁ କ’ଣ ଦେବଭାଇଙ୍କୁ ଓଳିକି ହେବାପାଇଁ ବତେଇ ଦେବି । ଦେଖୁଛ ଦେବ, ଆଦୌ ଚଲାକ ନୁହେଁ । ପିଲାଙ୍କୁ ଆଙ୍ଗୁଠି ଦେଖାଇଲେ ବାହା ଗିଳିଦେବେ ଆଉ ଏତେ ବଡ଼ ଝିଅଙ୍କ ପଛରୁ ସଦାବେଳେ କିଏ ପଦେ ପଦେ କହୁଥିବ କହିଲ ?

 

ଦେବଭାଇ ଉତ୍ତର ଦେଲେ, ମାଉସୀ, ତୁମେ ମଧ୍ୟ ଜାଣିବା ଶୁଣିବା ଲୋକ ହୋଇ ଭୁଲ କରୁଛ । ମେଘ ମତେ ଜାଣିଲା କିପରି ? ମଉସା’ତ ଚିହ୍ନିପାରିଲେ ନାହିଁ । ସତରଆଡ଼ୁ ଚିହ୍ନା ଦେବାକୁ ପଡ଼ିଲା । ହଁ ମୁଁ ଯଦି ଥରକୁ ଦି’ଥର ଏଣେ ଆସିଥାନ୍ତି, ତେବେ କଥା ଦୋସରା । ପହିଲୁ ତମେ ଖାଲି ଦେବଭାଇ କହିଦେଲେ ସେ କ’ଣ ଚିହ୍ନି ଯିବ । ତାକୁ ଚିହ୍ନାଇ ଦେଉନ ।

 

ମଲା, ସେ କଅଣ ତା’ର ବସନ୍ତ ମାଉସୀକୁ ଚିହ୍ନେ ନାହିଁକି ? ମୁଁ କଅଣ ଚିହ୍ନାଇ ଦେବି ମ !

 

ମୁଁ କଥାଟା ହଠାତ୍‌ ଧରିନେଲି । ବସନ୍ତ ମାଉସୀଙ୍କର ପୁଅ ରବିଭାଇ ଗତ ବର୍ଷ ଟାଇଫୟଡ୍‌ ଜ୍ୱରରେ ମରିଗଲେ । ତେବେ ବସନ୍ତ ମାଉସୀ ଦେବଭାଇଙ୍କୁ ପୁଅ କରିଛନ୍ତି । ଦେବଭାଇ କୁଆଡ଼େ ରବିଭାଇଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ । ମାଉସୀ ଦେବଭାଇଙ୍କୁ ପୁଅ କରିଛନ୍ତି ।

 

ମନର ପାପ ଭାବଟା ହଠାତ୍‌ ଜନ୍ମଗ୍ରହଣ କରୁ କରୁ ଅଚାନକ ବତାସରେ ପ୍ରାଣତ୍ୟାଗ କଲା । ଦେବଭାଇ ମୋର ରବିଭାଇଙ୍କ ପରି । ମନେ ମନେ ଖୁବ୍‌ ଦୁଃଖ ପାଇଲି । ନୂଆବୋଉ ଏବଂ ବଉଳ ଉପରେ ବହେ ଚିଡ଼ିଲି । ସେହିମାନେ ତାକୁ ଅଜଣା ଭାବରେ ଏପରି ପାପ ଚିନ୍ତାର ସୂଚନା ଦେଇଛନ୍ତି । ମାତ୍ର ହୃଦୟର କୌଣସି ସ୍ଥାନରେ ତାଙ୍କ ପ୍ରତି ପୂର୍ବ ସ୍ନେହ ଭାବଟା ମୁଁ ଯେତେ ଚେଷ୍ଟା କଲି ତଡ଼ି ନ ହୋଇ ରହିଗଲା । ମନହେଲା ଟିକିଏ କଥାବାର୍ତ୍ତା କରିବାକୁ । ବୋଉ କଅଣ ଭାବିବ ?

 

ବାବୁ...ବାବୁ... ! ଆଜ୍ଞା ଚାଲନ୍ତୁ ଏଥର ଫେରିଯିବା । ପହଞ୍ଚୁ ପହଞ୍ଚୁ ଗୁଡ଼ାଏ ରାତି ହେବ-

 

ଦେବଭାଇ କହିଲେ–ମାଉସୀ, ମୁଁ ଆସୁଛି । ବାହାରେ ଡ୍ରାଇଭରଟା ଡାକ ଛାଡ଼ିଲାଣି । ଏ ଟ୍ରକ୍‌ଟା ଏଇ ଗାଁକୁ ଆସୁଥିଲା, ମଉସା ସୁବିଧା କରିଦେଲେ । ସେ ଆସିଥାନ୍ତେ, କିନ୍ତୁ ତାଙ୍କୁ ଅଫିସର ଛାଡ଼ିଲେ ନାହିଁ । ସେ ମୋ ହାତରେ କମଳା ଏବଂ ସେଓ ପଠାଇ ଦେଲେ । ଆଜି ରାତିରେ ଟ୍ରକ୍‍ ଫେରିବ ବୋଲି ଜାଣିବାରୁ ମୁଁ ଆସିଲି । ନଚେତ୍‌ ଆସିପାରିନଥାନ୍ତି । ମତେ କ୍ଷମା କରିବ ମାଉସୀ ! ସୁବିଧା ଦେଖି ମୁଁ କେବେ ଆସିବି । ମେଘକୁ କହିଦେବ ଆଜି ସିନା ରାନ୍ଧି ଖାଇବାକୁ ଦେଇ ପାରିଲା ନାହିଁ, ଅନ୍ୟବେଳେ ଆସିଲେ ଯେପରି ମନା ନକରି ଦିଏ ।

 

ମୁଁ ଓଢ଼ଣା ଭିତରେ ହସୁଥାଏ । ଦେବଭାଇ ବୋଉକୁ ଏବଂ ମତେ ଗୋଟିଏ ନମସ୍କାର କରି ଚାଲିଗଲା ବେଳେ କହିଲେ, ମେଘ ! ତମେ ମତେ ଚିହ୍ନନା, ମୁଁ କିନ୍ତୁ ତମକୁ ଚିହ୍ନେ । ତେଣୁ ମୋର ନମସ୍କାର ଗ୍ରହଣ କରିବ ବୋଲି ଆଶା । ଏଥିରେ ମତେ ନିହାତି ଲାଜ ଲାଗିଲା । ମୋ ମୁଣ୍ଡଟା ଅଜାଣତରେ ତଳେ ଲାଗିଗଲା ।

 

ଦେବଭାଇ ଚାଲିଗଲେ । ତାଙ୍କ ଯିବାପରେ ମୁଁ ଅନୁଭବ କଲି ସତେ ଯେପରି ମୋ ମନଟା ତାଙ୍କ ସହିତ ଚାଲି ଯାଇଛି । କିଛି କାମ ଦାମ କରିବାକୁ ଇଚ୍ଛା ହେଲା ନାହିଁ । ଆଖି ଆଗରେ ଭାସି ବୁଲିଲା ଗୋଟାଏ ହସିଲା ମୁହଁ । ଦେବଭାଇ !

 

ତହିଁ ଆରଦିନ ଠିକ୍‌ ସନ୍ଧ୍ୟାକୁ ବାପା ଘରକୁ ଫେରିଲେ ସାଙ୍ଗରେ ମିଶିରି, କମଳା, ଔଷଧ ଧରି । ସେ ଘରେ ଗୋଡ଼ ଦଉ ନଦଉଣୁ ଖାଲି ଦେବଭାଇଙ୍କ ପ୍ରଶଂସା ଗାଇବାରେ ଲାଗିଲେ । ମୁଁ ବାପାଙ୍କ କଥା ଶୁଣି ଆନନ୍ଦରେ ଖାଲି କୁରୁଳି ଉଠୁଥାଏ । ପର ମୁହୂର୍ତ୍ତରେ ଅଭିମାନରେ ଛାତି ଖାଲି ଫାଟି ପଡ଼ୁଥାଏ । ଭଲ ନା ! ଯଦି ଭଲ ତେବେ ଏତେ କାଳ ଯାଏ ଥିଲେ କେଉଁଠି ? କାହିଁ ଥରେ ହେଲେତ ଆମ ଘରକୁ ଆସି ନାହାଁନ୍ତି ।

 

ବାପାଙ୍କ ପ୍ରଶଂସା ଉପରେ ବୋଉ ପ୍ରତିବାଦ କରି କହିଲା, ଦେବ ଏତେ ପାଠ ପଢ଼ିଲାଣି ହେଲେ ଟିକିଏ ବୁଦ୍ଧି ନାହିଁ । ଦେଖୁଛି ମୁଁ ଏତେ ଅବସ୍ଥାରେ ପଡ଼ିଛି, ଖାଇବାରେ ଖାଲି ଅସୁବିଧା ହେବ ବୋଲି ରାତା ରାତି ଚଲ୍‌ ।

 

ବାପା କହିଲେ, ଦେବ ତ ସେଇଆ କହୁଥିଲା ଯେ ମାଉସୀ ମୋ ଉପରେ ବେଜାଏ ମନଦୁଃଖ କରିଥିବେ । କିନ୍ତୁ ସତରେ ତାକୁ ରହିବାକୁ ସମୟ କାହିଁ ! ଆଜି ପରା ତା’ର ପ୍ରାକ୍‌ଟିକାଲ ପରୀକ୍ଷା ଥିଲା । ସେ କିପରି ରହନ୍ତା କହିଲ ?

 

ତଥାପି ମୁଁ ଛାଡ଼ିଲି ନାହିଁ ! ବାପାଙ୍କୁ ସଫା ସଫା ପଚାରିଲି–ପରୀକ୍ଷା ସରିଲା ପରେ ଏଠାକୁ ଆସିବାକୁ ଦେବଭାଇଙ୍କୁ କହିଲନି ?

 

ମୁଁ କ’ଣ ତା’ ଭୁଲିଯାଇଛି ବୋଲି ତୁ ଭାବୁଛୁ ମେଘ । ଦେଖ ଠିକ୍‌ ଆଉ ୪ ଦିନ ପରେ ଦେବ ଆସିବକି ନାହିଁ ।

 

ମୁଁ ଏଣେ ଆନନ୍ଦରେ ଫାଟି ପଡ଼ିଲିଣି । ହାତ ଆଙ୍ଗୁଠିରେ କେତେଥର ଗଣି ସାରିଲିଣି ତା’ର କଳନା ନାହିଁ । ଗୁରୁ, ଶୁକ୍ର, ଶନି, ରବି । ରବିବାର ଦିନ ଦେବଭାଇ ଆସିବେ ? କେତେବେଳେ । କିଏ କହିବ ? ମୁଁ ବା କାହାକୁ ପଚାରିବି ?

 

ଚାରି ଗୋଟି ଦିନ ମତେ ଚାରୋଟି ଯୁଗପରି ଲାଗିଲା । ବେଳ ରତ ରତ ହେଉଛି । ଦେବଭାଇ ଆସି ପହଞ୍ଚିଲେ । ମୁହଁରେ ହସର ଉତ୍ତଳା ଜୁଆର ଲହଡ଼ି ଭାଙ୍ଗୁଥାଏ । ଅନୁସନ୍ଧିତ୍ସୁ ଆଖି ଦି’ଟା ଖାଲି ତାଙ୍କର ଏପଟ ସେପଟ ଖୋଜି ବୁଲୁ ଥାଏ । ମୁଁ ଆଗେଇ ଆସି ତାଙ୍କ ପାଦତଳେ ମୁଣ୍ଡ ଲଗାଇଲି । ସେ କିନ୍ତୁ ତାହା ମତେ କରେଇ ଦେଲେନି । ହାତ ଦୁଇଟି ଧରି ଉପରକୁ ଉଠାଇଦେଲେ । ତାଙ୍କ ପରଶରେ ମୁଁ ଅସ୍ୱାଭାବିକ ଭାବରେ ଚମକି ଉଠିଲି । ସେ ମୁଣ୍ଡରୁ ଓଢ଼ଣାଟା ଟାଣିଦେଇ କହିଲେ, ମେଘ, ମତେ କ’ଣ ଲାଜ କରୁଛ ?

 

ମୁଁ ତାଙ୍କ ଆଡ଼େ ଚାହିଁଲି । ତାଙ୍କ ଆଖି ସହିତ ମୋର ଆଖି ଦି’ଟା ମିଳିଗଲା ନିମିଷକ ପାଇଁ । ସେ ଫିକ୍‌ କିନା ହସି ଦେଲେ । ଲାଜରେ ମୋର ଆଖି ଦି’ଟା ବୁଜି ହୋଇଗଲା । ଆଖି ଖୋଲିଲାବେଳକୁ ଦେଖିଲି ତାଙ୍କର ଚଞ୍ଚଳ ଚାହାଁଣିଟି ମୋର ଛାତି ଉପରେ ସ୍ଥିରଭାବରେ ଲାଖି ରହିଛି । ଲାଜ ଲାଗିଲା । ହାତ ଦି’ଟା ଛଡ଼ାଇ ଦେଇ ଲୁଗାପଟାଗୁରା ସାତ ପରସ୍ତ କରି ଦେହରେ ଲଦିଦେଇ ଦୌଡ଼ି ଦୌଡ଼ି ଚାଲିଆସିଲି ।

 

ଘରେ ନପଶୁଣୁ ଚାଳ ବାଜିବାପରି ଦେବଭାଇ ମୋର ଆକସ୍ମିକ ବ୍ୟବହାରରେ ମର୍ମାହତ ହୋଇପଡ଼ିଲେ । ତାଙ୍କ ସହ ଦେଖା ହୁଏ–ଦେଖା ନ ହେଲାପରି ମୁଁ ଅଭିନୟ କରେ । ଉଭୟେ ଉଭୟଙ୍କୁ ବାଟ କାଟି କେହି କାହାକୁ ନଦେଖିଲାଭଳି ଚାଲିଯାଉ । ବୋଉ ଏହା ଦେଖି ସହି ପାରେନି । ମତେ ସେଦିନ ତିଆରି କହିଲା, କିଲୋ ଝିଅ ! ମୋ ସାଥିରେ’ତ ଯୁକ୍ତି କଲା ବେଳକୁ ପାଟି ଶାଣ ଦେଲାପରି କଥା କହୁ ଆଉ ଥରେ ପାଟି ଫିଟିଲେ ବନ୍ଦହେବା ମିଛ । ପୁରାଣରୁ ଆରମ୍ଭ କରି କେଶବ କୋଇଲି ଯାଏ ସବୁଥିରୁ ଉଦାହରଣ ବାଢ଼ିବସୁ । ଏବେ କ’ଣ କିଏ ତତେ ଓସୁଅ କରିଛି କିଲୋ ? ଦେବଟାକୁ ଏତେ ଲାଜ କ’ଣ ମ ? ସେପରା ଠିକ୍‌ ତୋର ରବିଭାଇପରି ମାଉସୀ ପୁଅ ଭାଇ ।

 

ବୋଉ ପୁଣି ଦେବଭାଇଙ୍କୁ ନ ଶୁଭିଲାଭଳି ମୋ କାନରେ ଚୁପି ଚୁପି କରି କହିଲା, ‘‘କହିଲୁ ଝିଅ, ପୁଅଟିଏ ଅଇଲା ଯେ, ସେ କ’ଣ ଖାଲି ଆମ ଘରେ ପାଟି ସିଲେଇ କରି ବସି ବସି ଯିବ । ମଁ ଏକୁଟିଆ କେତେ ଗପ ସପ କରିବି । ଘର କାମ ପୁଣି କରିବି ତ ? ତୋର ଯଦି ଗୋଟିଏ ଭାଇ ଥାନ୍ତା ତାହାହେଲେ କ’ଣ ଏତେ ଚିନ୍ତା ପଡ଼ିଥାନ୍ତା, ଘରକୁ ବାହାରକୁ ଚାରିଆଡ଼କୁ ହୁଅନ୍ତା । ପର ପୁଅ । ବସନ୍ତ ଅପା କ’ଣ ଭାବିବ କହିଲୁ । କହିବ ମାଉସୀ ଘରକୁ ନୂଆ ହୋଇ ପୁଅଟା ଯାଇଥିଲା ଯେ ତା’ ବ୍ୟବହାରରେ ଦିନ ପନ୍ଦରଟା ରହିପାରିଲା ନାହିଁ । ତୁ ତା’ ସହିତ ଟିକିଏ ମିଳାମିଶା ନ କଲେ ସେ ଏକୁଟିଆ କେତେ ଘରେ ବସିବ କହିଲୁ ?

 

ବୋଉର ପୂର୍ବ କଥା ଶୁଣି ଦେବଭାଇ ଖେଁ କିନା ହସିଦେଲେ । କହିଲେ–ମାଉସୀ ତୁମର ଯୁ ଝିଅନା ସେ ପୁରାଣ ପଢ଼େ କେତେବେଳେ ଯେ ତମ ସହିତ ଯୁକ୍ତି କରେ ? ମୁଁ ଚାରିଦିନ ହେଲା ଆସିଲିଣି ଯେ କାହିଁ କେବେ ତା’ର ପାଟି ଖଣ୍ଡି ଦି’ଖଣ୍ଡି ହେବାର ତ ଶୁଣିନି ।

 

ବୋଉ କହିଲା, ଯେତେହେଲେ ମାଇକିନା ଝୁଅ, ଆଉ ଦିନ ଚାରିଟା ଗଲେ ବଳେ କଥା କହିବନି ।

 

ବୋଉଠାରୁ ବହପ ପାଇ ତହିଁ ଆରଦିନ ଖାଇ ସାରିବା ପରେ ମୁଁ ଦେବଭାଇଙ୍କ ଘର ଭିତରକୁ ପଶିଲି । ସେ ଗୋଟିଏ ଗୋଲାପୀ ରଙ୍ଗର ଦାମିକା ସିଲ୍‌କି ଲୁଙ୍ଗି ପିନ୍ଧିଥାନ୍ତି । ଦେହରେ ବଗ ପକ୍ଷୀ ବର୍ଣ୍ଣର ଗୋଟାଏ ଧଳା ଫୁଲ ସାର୍ଟ । ହାତ ଅଧାଯାଏ ଭଙ୍ଗା ହୋଇଛି । ସେ ଗୋଟିଏ ଚିହ୍ନା ବହି ପଢ଼ିଲାପରି ଦିଶିଲା ।

 

କବାଟ ଦୁଆରରେ ନିଜର ତନୁଲତାଟିକୁ ବିକ୍ଷିପ୍ତ ଭାବରେ ଅଜାଡ଼ିଦେଇ ତଳକୁ ମୁହଁକରି ଭୂଇଁରେ ନଖର ଗାର ପକାଉ ପକାଉ କହିଲି, ଆମ ଘରେ ତମେ ପଢ଼ିଲାଭଳି କି ବହି ପାଇଲ ଯେ–

 

ମୋ କଥା ପାଟିରେ ଅଛି, ସେ କହିଲେ, ନାଁ ମେଘ, ବହି ସମସ୍ତଙ୍କ ପଢ଼ିବା ପାଇଁ ହୋଇଛି । ପାଠ ବହିଛଡ଼ା ଆମ୍ଭମାନଙ୍କ ବହି କ’ଣ ଅଲଗା ? ଦେଖିଲୁ ମୁଁ ଓଡ଼ିଆ ସାହିତ୍ୟର ଗୋଟିଏ ଶ୍ରେଷ୍ଠ କାବ୍ୟ ପଢ଼ୁଛି ।

 

ବହିଟି ଆଣି ଦେଖିଲି ସେଇଟି ‘‘କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ’’ । ଲାଜରେ ମନ ମୋର ମଉଳି ଗଲା । ଭାବୁଥିଲି ଭଞ୍ଜଙ୍କର ଏହି କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ ଯଦି ମୁଁ ହୋଇଥାନ୍ତି ତେବେ କେତେ ଆଦରରେ ଦେବଭାଇଙ୍କ ହାତର ପରଶ ପାଇଥାନ୍ତି । କବି ସମ୍ରାଟଙ୍କର ଓଡ଼ିଆ ସାହିତ୍ୟକୁ ଏହା ଗୋଟିଏ ଅନବଦ୍ୟ ଦାନ । ସେ କହିଲେ, ମେଘ, ଏ ଖଟରେ ତମକୁ ବସିବା ପାଇଁ ମୁଁ ଅନୁରୋଧ କରିପାରିବି କି ? ଯଦି ମୋର ପଚାରିବାରେ କିଛି ଶ୍ଳୀଳତା ତମେ ପାଇନଥାଅ, ତେବେ ମତେ କ୍ଷମାକରିବ ବୋଲି ବିଶ୍ୱାସ ।

 

ଦେବଭାଇ ମତେ ଭାରି ଅଡ଼ୁଆରେ ପକାଇଲେ । ଖଟର ଗୋଟାଏ କଡ଼କୁ ସଙ୍କୋଚରେ ବସିଲି । ସେ କ’ଣ କିପରି ଭାବରେ ପଚାରିବେ ବୋଲି ଖାଲି ନିଜକୁ ପ୍ରସ୍ତୁତ କରୁଥା’ନ୍ତି । ମୁଁ ଖଟରେ ବସିଥାଏ ସିନା କିନ୍ତୁ ମୁହଁଟା ସମ୍ପୂର୍ଣ୍ଣ ତଳକୁ ନଇଁ ପଡ଼ିଥାଏ ।

 

ସେ କହିଲେ, ମତେ ଦେଖିବାକୁ ତୁମର ଇଚ୍ଛା ହେଉନାହିଁ ? ଆସିଲାବେଳୁ ମୁହଁଟିକୁ ତଳକୁ କରିଛ । ବେଶ୍‌ ମୁଁ ଚାଦରଟା ମୁହଁରେ ଘୋଡ଼ାଇ ଦେଉଛି ତୁମେ ବେକ ସିଧାକର । ଭାରି କଷ୍ଟ ହେଉଥିବ ।

 

ତାଙ୍କ କଥାରେ ମୁଁ ଖେଁ କିନା ହସିଦେଲି । ସେ ଜୋର କରି ମୁଣ୍ଡରୁ ଓଢ଼ଣାକୁ ଖସାଇ ଦେଇ କହିଲେ, ମତେ ଦେଖୁ ଦେଖୁ ତମେ ନିଜକୁ ବଧୂରୂପେ ସାଜିବାର ମତଲବ୍‌ ?

 

ମୁଁ ସରମରେ ଝାଉଁଳି ଯାଇ ଦି’ଟା ହାତରେ ମୁହଁକୁ ଚାପି ତଳକୁ ମୁଣ୍ଡ କଲି । ତା’ପରେ ଅନୁଭବ କଲି ମୋର ଖୋସା ଉପରେ ବନ୍ଧାଥିବା ମହାଦେବଙ୍କର ଚମ୍ପା ମାଳଟା ଦେବଭାଇ କାଢ଼ିନେଇ ମୋ ବେକରେ ଗଳାଇ ଦେଉଛନ୍ତି । ମୁଁ ନିଜର ସମସ୍ତ ଶକ୍ତି ଖଟେଇ ହାତରେ ଫୁଲମାଳାଟିକୁ ଧରି ଫୋପାଡ଼ି ଦେଲି । କିନ୍ତୁ ଦୁଃଖର ବିଷୟ ସେଇଟି ହାତରୁ ଖସିଯାଇଁ ଦେବଭାଇଙ୍କ ବେକରେ ଗଳିଗଲା । ତା’ପରେ ସେ ମୋ ମଥାରେ ଓଢ଼ଣାଟିକୁ ପୂର୍ବପରି ଢାଙ୍କିଦେଇ କହିଲେ, ଏଥର ତୁମେ ବଧୂ ହୋଇପାର ମେଘ !

 

ମୁଁ ଲାଜରେ ଲାଲ ପଡ଼ିଗଲି । ରାଗ ମଧ୍ୟ ମନରେ କମ୍‍ ହେଲାନି । ଯୁ ଆଖିରୁ ଝରିପଡ଼ୁଥିଲା ସ୍ୱର୍ଗୀୟ ସୁଷମା, ତାହା ଆରକ୍ତ ହୋଇଉଠିଲା । ଦେବଭାଇ ମୋର ଏ ରୂପ ଦେଖି ଡରିଗଲେ ହୁଏତ । ସେ ନରମ କଣ୍ଠରେ କ’ଣ କହିବାକୁ ଆରମ୍ଭ କରୁଥିଲେ । ଏହି ସମୟ ଭିତରେ ବୋଉ କାମ ଦାମ ସାରି ଘର ଭିତରକୁ ପଶିଆସିଲା । ମୁଁ ଓ ସେ ଏକାଥରକେ ଖଟରୁ ଉଠିପଡ଼ିଲୁ-

 

ବୋଉ କ’ଣ ଭାବୁଥିବାପରି ମତେ ଦିଶିଲା । କିଛିସମୟ ପରେ ସେ କୋହ ସମ୍ଭାଳି ପାରିଲାନି । ଥପ୍‌ ଥପ୍‌ ହୋଇ ଆଖିରୁ ତା’ର ଲୁହ ଝରିପଡ଼ିଲା । ସେ ଅଶ୍ରୁ ହୃଦୟ ବିଗଳିତ ନୁହେଁ ବରଂ ଆନନ୍ଦାଶ୍ରୁ । ଦେବଭାଇ ପଚାରିଲେ, ମାଉସୀ ତୁମେ କାନ୍ଦୁଛ ?

 

ବୋଉ ଲୁହ ପୋଛୁ ପୋଛୁ କହିଲା, ପୁଅ ଏଇ କ’ଣ କାନ୍ଦୁଛି, କାନ୍ଦିବା ବେଳ ପାଖେଇ ଆସିଲା । ଯମ ଅଇଁଠା ଗୋଟିଏ ବୋଲି ଝିଅ ପାଇଥିଲି ଯେ, ସେ ଆଉ କେତେ ଦିନ ମୋ ପାଖରେ ରହିପାରିବ ? ପନ୍ଦର ପୂରି ଷୋଅଳ ପଶିଲା । ଆଜି ବର ମିଳିଲେ କାଲି ପାଖରୁ ଚାଲିଯିବ... ।

 

ବୋଉର ଆଉ କହିବା ପାଇଁ ଗୁଡ଼ାଏ କଥା ଥିବା ସତ୍ତ୍ୱେ କହିପାରିଲା ନାହିଁ । ସେ କହିବାକୁ ନିଶ୍ଚୟ ଚାହିଁ ଥାଆନ୍ତା, କ’ଣ କହିବି ଦେବ, ମୁଁ ଚାହୁଁଥିଲି ତୋରିପରି ଗୋଟିଏ ପିଲା । ଘରେ ଯେ ଜ୍ୱାଇଁର ସମ୍ମାନ ଦାବି ନକରି ପୁଅ ହୋଇଯାଆନ୍ତା । ମୁଁ ଝିଅଟିଏ ଦେଇ ପୁଅଟିଏ ଅଧିକା ପାଆନ୍ତି । ମଉସା ସିନା ଆଜି ଅଛନ୍ତି । କ’ଣ ସବୁ ଦିନେ ଏପରି ଗୋଡ଼ ହାତ ଚଳୁଥିବ ? ବୁଢ଼ା ବୁଢ଼ୀ ଦି’ଟା । ପାଖକୁ କ’ଣ ଆଉ କିଏ ଅଛି । କିନ୍ତୁ କହିପାରିଲା ନାହିଁ ।

 

ମୁଁ ନୀରବରେ ତଳକୁ ମୁହଁପୋତି ଖଟର ଗୋଟିଏ ମଶାରୀ ବାଡ଼କୁ ଧରି ଭୂଇଁରେ ନଖ ସାହାଯ୍ୟରେ ଗାର ଟାଣୁଥାଏ । ଦେବଭାଇ ଭାବପ୍ରବଣ ହୋଇ କହିଲେ ଏଡ଼େ ସହଜ କ’ଣ ବାହାଘର ? ଯାଉ ଯାଉ ଆଉ ଚାରି ପାଞ୍ଚ ବର୍ଷ । ଝିଅ ତ ବୁଢ଼ୀ ହୋଇଯାଉନି । ସହରରେ ଯେଉଁ ଝିଅମାନେ କଲେଜରେ ପଢ଼ନ୍ତି ଅଧିକାଂଶ ୨୬।୨୭ରେ ବାହା ହେଉଛନ୍ତି । ପିଲାମାନଙ୍କର ଏଡ଼େ ଶୀଘ୍ର ବାହାଘର କରିଦେଇ ତାଙ୍କର ଭବିଷ୍ୟତ ନଷ୍ଟ କରିବା ଉଚିତ ନୁହେଁ ।

 

ବୋଉ କହିଲା, ତୁ କ’ଣ ଗାଉଁଲି କଥା ଜାଣୁ ବାପ । ହଜାର ଲୋକ ହଜାରେ କଥା କହିବେ । ଏବେ ତ ନେଇ ଆଣି ଥୋଇ ହେଉନି ଆଉ ଚାରିବର୍ଷ !

 

ବୋଉ କାନିରେ ଲୁହପୋଛିଲା । ଚାବି ଲେନ୍ଥାକ ଅଣ୍ଟାରେ ଓହଳାଇ କହିଲା–ମେଘ, ତୁ ଥା, ମୁଁ ଟିକିଏ ଆର ସାହିକୁ ଯାଉଛି । ପଧାନ ବୁଢ଼ାଟା ମରିବାର ତିନିଦିନ ହେଲାଣି, ତା’ ଘରେ ଟିକିଏ ପରୁଚା ନକଲେ ପଧାନିଆଣୀ କ’ଣ ଭାବିବ ? ଗାଁରେ ପରା ଘର କରି ରହିଛୁ ? ମୁଁ କିଛି କହିଲି ନାହିଁ । ବୋଉ ଚାଲିଗଲା ।

 

ଦେବଭାଇ କେତେକ ସମୟ ପରେ ମୋର ମୁଣ୍ଡଟାକୁ ନଇଁବା ଅବସ୍ଥାରୁ ଉଠାଇ ସିଧା କଲେ । କହିଲେ, ମେଘ, ତୁମେ ଆଉ ଚାରିବର୍ଷ ଅପେକ୍ଷା କରି ରହିପାରିବନି ।

 

ତାଙ୍କର ଏ ପ୍ରକାର ପ୍ରଶ୍ନର ଅର୍ଥ ମୁଁ କିଛି ବୁଝିପାରିଲି ନାହିଁ । ମତେ ନୀରବ ରହିବାର ଦେଖି ସେ ପୁନରାୟ କହିଲେ–ମୁଁ ଇଞ୍ଜିନିୟରିଂ ପଢ଼ି ଫେରି ସାରିଲେ.... ।

 

ତାଙ୍କ କଥା ଶୁଣି ମୁଁ ଗୋଟିପଣେ ଥରୁଥାଏ । ସେଠାରୁ ଛାଟି ପିଟି ହୋଇ ଯେତିକି ଜୋରରେ ଧାଇଁ ଆସିବାକୁ ଚେଷ୍ଟା କଲି ସେ ସେତିକି ଜୋରରେ ମତେ ଭିଡ଼ିଧରିଲେ । ମୋ ବାଁ ହାତଟାର କଚଟି ଏକଦମ୍‌ ନାଲି ପଡ଼ିଗଲା । ମୁଁ ବାଧ୍ୟହୋଇ ଖଟ ଉପରେ ବସିଲି । କିନ୍ତୁ ମୁହଁଟା ତାଙ୍କ ମୁହଁର ବିପରୀତ ପଟକୁ ବୁଲାଇ ଦେଇଥାଏ । ମଥା ଉନ୍ମୁକ୍ତ । ବେଣୀକୁ ଘେର ବୁଲାଇ ଗୋଟାଏ ଗୋଲ ଖୋସା । ବିମ୍ୱ କଣ୍ଟାରେ ମଲ୍ଲୀ ଫୁଲ ଖୋସା ଦେହରେ ଗୁନ୍ଥା ହୋଇଥାଏ । ମଝିରେ ତା’ର ରୂପାର ପାନିଆ । ହଳଦୀଲଗା ବେକଟା ଏକାବାରେ ଫୁଙ୍ଗୁଳା । ବେଣୀ ସହିତ ବାନ୍ଧି ହୋଇପାରିନଥିବା ଛୋଟ ଛୋଟ ବାଳଗୁଡ଼ିକ ଧୀର ପବନରେ ଖେଳିବୁଲି ଦେହରେ ଅସାଧାରଣ ଚମକ ସୃଷ୍ଟି କରୁଥାଏ ।

 

ମୁହଁରେ କୃତ୍ରିମ ବିରକ୍ତିଭାବ ଫୁଟାଇ କହିଲି, ମୋ ହାତଟା ଛାଡ଼ନା ଦେବଭାଇ !

 

ସେ ହାତ ଛାଡ଼ି ଦେବେ କ’ଣ ବରଂ ମୋ ମୁହଁ ପାଖକୁ ଝୁଙ୍କିପଡ଼ି କହିଲେ ମେଘ ! ତମେ ମତେ ଭଲପାଅନି ? କଣ୍ଠରେ ତାଙ୍କର ଅୟୁତ ବେଦନାର ଦରଦ । ମୁଁ କିଛି କହିପାରିଲି ନାହିଁ । ଆର ହାତରେ ଖୋଲା ମଥା ଉପରକୁ ଓଢ଼ଣାଟି ଟାଣି ଦେଲି ।

 

ତୁମେ ଭାବ ମେଘ । ବିବାହଟା ବାଲ୍ୟାବସ୍ଥାର ଧୂଳିଖେଳ ନୁହେଁ, ଜୀବନର ଗୋଟାଏ ମୀମାଂସା । କ୍ଷଣିକ ଉତ୍ତେଜନାର ପ୍ରଲୁବ୍‌ଧ ଆକର୍ଷଣ ନୁହେଁ, ସାରା ଜୀବନ ପାଇଁ ବାନ୍ଧିହୋଇ ଯିବାର ମୋହ । ମୁଁ ଭାବିଛି ଇଞ୍ଜିନିୟରିଂ ପାସ୍‍ କରିସାରିଲେ–ବର୍ଷ ଚାରିଟା ଅପେକ୍ଷା କରିପାରିବନି ?

 

ତାଙ୍କର କଥାଗୁଡ଼ାକ ମୋର ଏ କାନରେ ପଶି ସେ କାନରେ ବାହାରି ଯାଉଥାଏ । ଦେବଭାଇଙ୍କ ପ୍ରତି ମୋର ପୂର୍ବ ସ୍ନେହ ଯାହା ଥିଲା ତାଙ୍କର ଏ ବଳାତ୍କାର ସ୍ୱଭାବ ଏବଂ ଖୋଲାଖୋଲି କଥା ଶୁଣି ବହୁତ କମିଗଲା । ମୋ’ପ୍ରତି ତାଙ୍କର ଏ ଅନଧିକାର ଚର୍ଚ୍ଚା କାହିଁକି ? ମୁଁ ମୁହେଁ ମୁହେଁ ଜବାବ ଦେଲି–

 

ତୁମକୁ ଏଗୁଡ଼ା କହିବା ପାଇଁ ଲାଜ ଲାଗୁନାହିଁ ? ଶାଣଦିଆ ଛୁରି କାମ କଲାଭଳି ସଂସାରର ସବୁଠାରୁ ଲାଜ କଥାଗୁଡ଼ାକ ଯାହା ଭାବିଲେ ଦିହ ସଙ୍କୁଚିତ ହୋଇଯାଏ, ତମେ ତାହା ନିଃସଙ୍କୋଚରେ ନିରୋଳାରେ ଗୋଟିଏ ଅଳ୍ପ ପରିଚିତା ଯୁବତୀ ନିକଟରେ କିପରି ପ୍ରକାଶ କରିପାରୁଛ ? ଆଇ.ଏସ୍‌.ସି. ପରୀକ୍ଷା ଦେଇଛ । ନିଶ୍ଚୟ ବୟସ ଅଠର ଟପି ନ ଥିବ । ସେଥିରେ ପୁଣି ବାହାହେବା ପାଇଁ ଏଭଳି ନିର୍ଲଜ ପ୍ରସ୍ତାବ । ଆଶ୍ଚର୍ଯ୍ୟ ଲାଗେ ତମେ କିପରି ଏ ଧରଣର ପ୍ରସ୍ତାବ ବାଢ଼ିବା ପାଇଁ ସଂକୋଚବୋଧ କଲ ନାହିଁ ? ମନେକର ମୁଁ ତମ ପ୍ରସ୍ତାବରେ ରାଜିହୋଇ କହିଲି–ମୁଁ ବର୍ତ୍ତମାନ ବିବାହ କରିବାକୁ ଚାହେଁ–ତମେ ନିରୂପାୟହୋଇ ଏଥିରେ ସମ୍ମତ ହେବ । ବାହାଘର ବାସି ପ୍ରଣୟର ସମ୍ମୋହନ ନିଶା ଦୈନ୍ୟର ବିଭୀଷିକାରେ ପରିଣତ ହେବ । କାରଣ ଇଞ୍ଜିନିଅରିଂ ପଢ଼ା ବ୍ୟତୀତ ତମେ ଆଉ କୌଣସି ପାଠ ପଢ଼ିପାରିବ ନାହିଁ । ଶୀଘ୍ର ଚାକିରି ପାଇବାକୁ ଇଚ୍ଛାକରିବ । କିରାଣିଗିରି କରି ଖୁବ୍‌ ହେଲେ ପାଇବ ଅଶିଟି ଟଙ୍କା । ଗୋଟିଏ ସଂସାର ପାଇଁ ଏତେକ ଯଥେଷ୍ଟତ ? ପୁଣି କେତୋଟି ବର୍ଷ ପରେ ଦେଖିବ ଅସଂଖ୍ୟ ଋଣ ଜାଲରେ ନିଜେ ଆବଦ୍ଧ ହୋଇପଡ଼ିଚ । ପୁଣି ଆମ ପରିଣୟର ଫଳ ଭାରାରେ ସଂସାରବୃକ୍ଷ ଯେତେବେଳେ ଭାଜି ପଡ଼ିବାର ଉପକ୍ରମ କରିବ, ତା’ ଖୁବ୍‌ ହୃଦୟଗ୍ରାହୀ ଆଉ ଚିତ୍ତାକର୍ଷକ ହୋଇଉଠିବ, ନୁହେଁ– ?

 

ମୁଁ ଏସବୁ କହି ସାରିବା ପୂର୍ବରୁ ଦେଖିଲି ଦେବଭାଇଙ୍କ ହାତମୁଠା ଶିଥିଳ ହୋଇଯାଇଛି-। ସେ ପଲଙ୍କର ତକିଆ ଉପରେ ମୁହଁମାଡ଼ି କଇଁ କଇଁ କାନ୍ଦିବାକୁ ଲାଗିଲେ । ମୁଁ ସିନା ଗୋଟିଏ ଉତ୍ତେଜନାରେ ଏସବୁ କହିଦେଲି; କିନ୍ତୁ ଦେବଭାଇଙ୍କ ଅବସ୍ଥାରେ ହଠାତ୍‌ ପ୍ରକୃତିସ୍ଥ ହୋଇ ନିଜପ୍ରତି ବୀତସ୍ପୃହ ହୋଇଉଠିଲି । ମନେ ମନେ ବହୁତ ନିଜକୁ ଧିକ୍‌କାରିଲି । ଭାବିଲି ପର ପୁଅ ଉପରେ ମୋର କ’ଣ ଅଧିକାର ? ସେ ଆମ ଘରକୁ ବନ୍ଧୁ ହିସାବରେ ଆସିଛନ୍ତି । କି ଅନୁଭୂତି ନେଇ ଏଠାରୁ ଫେରିବେ ସେ ?

 

ତାଙ୍କୁ କ୍ଷମା ମାଗିବା ପାଇଁ ଲାଜ ଲାଗିଲା । ନାରୀ ଏଭଳି କ୍ଷେତ୍ରରେ କ୍ଷମା ମାଗିପାରେନା । ସେ ଚାହେଁ ଏଭଳି ପ୍ରତ୍ୟେକ ଘଟଣାଗୁଡ଼ିକରେ ପୁରୁଷକୁ ଅଧିନସ୍ଥ କରିବାକୁ । ମାତ୍ର ମୁଁ ସେଠାରୁ ଆସିପାରିଲି ନାହିଁ । ଯାହାକୁ ଏତେ ଆଦର କରେ, ଯାହାପାଇଁ ଚାରିଦିନ ମତେ ଚାରିଯୁଗପରି ଲାଗିଥିଲା । ତାଙ୍କୁ ମୁଁ ଯେ କାହିଁକି ଏଭଳି ନିର୍ମମ ଭାବରେ ଦଳି ଦେବାକୁ ଚାହିଁଲି । ମୋ ଆଖିରେ ଅଶ୍ରୁ ଦେଖାଦେଲା । କୋହ ସମ୍ଭାଳି ନ ପାରି ମୁଁ ମଧ୍ୟ କାନ୍ଦି ଉଠିଲି । ନାରୀମାନେ ଠିକ୍‌ ଏପରି କାନ୍ଦନ୍ତି କାହିଁକି ? ପୁଅର ଭୁଲରେ ମାଆ ପୁଅକୁ ମାରେ । ପୁଅ କାନ୍ଦିଲେ ମାଆ କାନ୍ଦେ । ନାରୀ ପରର ଦୁଃଖ ସହିପାରେନା । ଦେବଭାଇଙ୍କ ପ୍ରାଣରେ ମୁଁ ଯେଉଁ କ୍ଷତ ସୃଷ୍ଟି କରିଥିଲି ତାହା ନିଶ୍ଚୟ ଅବିସ୍ମରଣୀୟ । ମୁଁ ଖଟରୁ ଉଠି ଘରର ଗୋଟାଏ କଣରେ ବସି କଇଁ କଇଁ ହୋଇ କାନ୍ଦିଲି । ଛାତିରୁ ଖାଲି ତୁହାଇ ତୁହାଇ କୋହ ଉଠୁଥାଏ ।

 

ଦେବଭାଇ କେତେକ ସମୟ ପରେ କାନ୍ଦୁରା କଣ୍ଠରେ କହିଲେ; ତୁମେ କାନ୍ଦୁଛ ମେଘ-? କାହିଁକି ? ନିଶ୍ଚୟ ଅନୁଶୋଚନା କରୁଚ, କିନ୍ତୁ ଏ ଘଟଣାରେ ଅନୁଶୋଚନା କରିବା ବୃଥା-। ଦୋଷ ମୁଁ କରିଛି । ଦଣ୍ଡ ସହିବାକୁ ବାଧ୍ୟ । ଜଣେ ଅକିଞ୍ଚନ ଅତିଥି ହିସାବରେ ମୁଁ ଆସି ତମ ଉପରେ ଯେଉଁ ଯଥେଚ୍ଛା ଅନଧିକାର ଚର୍ଚ୍ଚା ଆରମ୍ଭ କରିଥିଲି ତାହା ସାମାଜିକ ନିୟମ ବିରୁଦ୍ଧ-। ମୁଁ ସେଥିପାଇଁ କ୍ଷମା ମାଗୁଚି । ତମେ ମତେ କ୍ଷମା କରିବନି ? କାନ୍ଦ ବନ୍ଦ କଲେ ଜାଣିବି ଯେ ତୁମେ ମୋତେ କ୍ଷମା କରିଛ ।

 

ମୁଁ ବାଧ୍ୟହୋଇ କାନ୍ଦ ବନ୍ଦ କଲି । ଖଟ ଉପରକୁ ଉଠିଆସି ଦେବଭାଇଙ୍କ ପାଦରେ ମୋ ମଥା ଲଗାଇ ଆଶୀର୍ବାଦ ଚାହିଁଲି । ସେ ଛାତି ଉପରକୁ ଲାଜ ଲାଜ ହୋଇ ମତେ ଉଠାଇ ନେଲାବେଳେ ମୁଁ ଭାବୁଥିଲି ଗୋଟାଏ ଦେବତାକୁ କିପରି ଚିହ୍ନିପାରିଲି ନାହିଁ । ସାମାଜିକ ଶୃଙ୍ଖଳା ଥାଇ ମଣିଷ ଯଦି ଅମଣିଷ ହୁଏ, ଜୀବନ ଦୈନ୍ୟ ଭିତରେ ଦୁଇଟି ପ୍ରାଣ ଆଜୀବନ ବାନ୍ଧି ହୋଇଥିବା ଜୀବନଠାରୁ ତାହା ଆହୁରି କଷ୍ଟଦାୟକ ।

 

ସେ ମୋର ବାଳଗୁଡ଼ିକରେ ହାତ ଖେଳାଉ ଖେଳାଉ ପବନରେ ଥରି ଉଠୁଥିବା ଚୂର୍ଣ୍ଣ କୁନ୍ତଳଗୁଡ଼ା ସଜାଡ଼ି ଦେଉଥିଲେ । ନିଜ ଲୁଙ୍ଗିର ଗୋଟାଏ ଅଂଶରେ ମୋ ଆଖିରୁ କଜଳମିଶା ଲୁହଗୁଡ଼ାକ ପୋଛି ଦେଲେ । ମୁଁ ଅସମ୍ଭାଳ ହୋଇ ତାଙ୍କ କୋଳରେ ମୁଣ୍ଡ ଗୁଞ୍ଜି କହିଲି, ମତେ କ୍ଷମା କରିଛ ତ ଦେବଭାଇ, ତମ ଭବିଷ୍ୟତ ନେଇ ସମାଲୋଚନା କରିବାର ମୋର ଅଧିକାର ନାହିଁ । ମୁଁ ଚାହେଁ ତୁମେ ଖୁବ୍‌ ବଡ଼ ହୁଅ ।

 

ସେ ମୋତେ ଛାତିରେ ପୂର୍ବାପେକ୍ଷା ଆହୁରି ଜୋରରେ ଜଡ଼ାଇ ଧରିଲେ । ମୁହଁଟିକୁ ଉପରକୁ ଟେକି ଧରି ଗଣ୍ଡ ଦେଶରେ ଆଙ୍କି ଦେଲେ ଦୁଇଟି ପ୍ରାଣର ଯୌଗିକ ମହକଭରା ଏକ ଆରକ୍ତ ଚୁମ୍ୱନ ।

 

ଦାଣ୍ଡ ଦୁଆର ଫିଟିବାର ଶବ୍ଦ ହେଲା । ବୋଉ ବୋଧେ ଫେରି ଆସୁଛି । ମୁଁ ଲାଜରେ ଛାଟି ପିଟି ହୋଇ ପଳାଇ ଆସିବା ବାଟରେ ଲୁଗାଟାକୁ ଟିକିଏ ସଜାଡ଼ି ପିନ୍ଧିଦେଲି । କାନିରେ ମୁହଁଟାକୁ ବାରମ୍ୱାର ପୋଛି ସଫା କରୁଥିଲି ମଧ୍ୟ ।

 

ଦ୍ୱିପ୍ରହର କଟାଇବା ପାଇଁ ବଉଳ, ମୁଁ, ନୂଆବୋଉ ଏବଂ ଦେବଭାଇ ତାସ୍‌ ଖେଳି ବସୁ-। ମୁଁ ଲକ୍ଷ୍ୟ କରେ ଦେବଭାଇ ମୋ ସହିତ ଯେଉଁ ଦିନ ଖେଳି ବସନ୍ତି ସେ ଦିନ ସେ ଦ୍ୱିଗୁଣ ଉତ୍ସାହରେ ଖେଳନ୍ତି । ହାରିଲେ ଆଦୌ ମନଦୁଃଖ କରିବାର ଦେଖାଯାଏ ନାହିଁ । ମାତ୍ର ବଉଳ ଯୁ’ଦିନ ତାଙ୍କ ସହିତ ବସିଥାଏ ସେ ଦ୍ୱିଗୁଣ ଉତ୍ସାହରେ ଖେଳେ । ଦିନେ ବଉଳ ଏବଂ ଦେବଭାଇ ବାରମ୍ୱାର ହାରିଲେ । ଦେବଭାଇଙ୍କ ମନ ମରିଯାଇଥାଏ । ସେ ସିନା ବଉଳ କ’ଣ ଭାବିବ ବୋଲି କିଛି କହିପାରୁନଥାନ୍ତି, ମାତ୍ର ବଉଳ ଏଣେ ଖୁସି । ଦେବଭାଇଙ୍କୁ ଖେଳର ସାଥୀରୂପେ ପାଇବା ପାଇଁ ବଉଳ କାହିଁକି ଆଗ୍ରହୀ ? ମୋ ମନ ସନ୍ଦେହରେ ଦୋଳି ଖେଳିଲା ।

 

ସେହି ଦିନ ଓପରଓଳି । ବେଳ ରତ ରତ । ସୁରୁଜ ଦେବତା ପୂରାପୂରି ଅସ୍ତ ଯାଇନଥାନ୍ତି । ବୋଉ ବଳଦମାନଙ୍କୁ ଖାଇବାକୁ ଦେବାପାଇଁ ଗୁହାଳକୁ ଯାଇଥାଏ । ଦେବଭାଇ ବାହାରକୁ କୁଆଡ଼େ ବୁଲି ଯାଇଥାନ୍ତି । ବଉଳ ଆମ ଘର ଭିତରକୁ ପଶି ଆସି ମତେ ପଚାରିଲା, ଦେବଭାଇ ନାହାଁନ୍ତି କି ?

 

ନାଁ, ଏକ୍ଷଣି ବାହାରକୁ ଗଲେ । କ’ଣ ଜରୁରି କାମ ଅଛି ବୋଧେ । ଅବେଳରେ କି କାମ କିଲୋ ! ଦ୍ୱିପହରେ ଖେଳି ବସିଲାବେଳେ କହିଲୁ ନାହିଁ ?

 

ବଉଳ ଦୋ ଦୋ ପାଞ୍ଚ ହୋଇ କହିବ କି ନାହିଁ କହିବ କି ନାହିଁ ଭାବି ଶେଷରେ ମତେ ପାଖକୁ ଡାକି କହିଲା, ବଉଳ ଗୋଟାଏ କଥା ପଚାରିବାକୁ ଆସିଥିଲି । ସତ କହିବୁ ?

 

–କ’ଣ ?

 

–ତୁ ଦେବଭାଇଙ୍କୁ ଭଲପାଉ ?

 

–ମାନେ ?

 

–ଭାଇ ହିସାବରେ ନା ପ୍ରେମିକ ହିସାବରେ ?

 

–ଭାଇ ହିସାବରେ ।

 

ବଉଳ ଖୁସିହେବାର ଦେଖାଗଲା । ମୁଁ ସିନା ନିଜକୁ ଧରା ନ ପକାଇବା ପାଇଁ ଏତେ ବଡ଼ ମିଛଟାଏ କହି ଦେଲି, ଅନ୍ତର ଭିତର କିନ୍ତୁ ଏହାର ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲା । ମୁଁ ବଉଳ ଉପରେ ଭୀଷଣ ଚିଡ଼ିଉଠିଲି । ତା’ର କି ଅଧିକାର ଅଛି ଏଭଳି ପ୍ରଶ୍ନ ପଚାରିବାକୁ ।

 

ପରେପରେ ବଉଳ କହିଲା–ବଉଳ, ତୁ ଟିକିଏ ଦେବଭାଇଙ୍କୁ ପଚାରନ୍ତୁ ନାହିଁ ସେ ମତେ ବିବାହ କରିବାକୁ ଇଚ୍ଛୁକ କି ନାହିଁ ?

 

ବଉଳର ଏ କଥା ପଦକରେ ମୋ ଆଖିରୁ ଜଳକା ଖସିଗଲା–ମୋରି ଧନ ମୋରି ହାତରୁ ଛଡ଼ାଇ ଦେବାକୁ ବଉଳ ସାହସ କରିଛି–ସାଙ୍ଗ ହୋଇ ସାଙ୍ଗ ଦାନାରେ ଧୂଳି ନେବାକୁ ସେ ପଛାଇ ନାହିଁ ତା’ପରେ ଭାବିଲି ବଉଳର ବା ଦୋଷ କ’ଣ ? ସେ ପ୍ରାରମ୍ଭରୁ ଜାଣିଛି ଯେ, ଦେବଭାଇ ମୋର ମାଉସୀ ପୁଅ ଭାଇ । ତେଣୁ ସେ ନିଜର ମନଭାବଟା ଖୋଲି କହିବା ପାଇଁ ପ୍ରଥମେ ସାହସ କରିଛି ।

 

କରତ ଦୁଇ ପାଖରୁ କାଟେ । ହଁ କରି ହେଉନି କି ନାହିଁ କରି ହେଉନି । ହଁ ବା କରିବି କେମିତି ? ନିଜ ଅଣ୍ଟାର କରାଟରୁ ଜାଣି ଜାଣି କିଏ ଫିଟେଇ ରୂପା ଟଙ୍କାଟି ଫୋପାଡ଼ି ଦିଏ ? ନାହିଁ ବି କେଉଁ କାରଣରୁ କରିବି ।

 

ହଠାତ୍‌ ମୁଣ୍ଡକୁ ଯୁଟିଲା । କହିଲି, ବଉଳ ତୁ ବିବାହିତା ଏବଂ ଆମ ଜାତିର ନୋହୁଁ । ଏଭଳି ପ୍ରଶ୍ନ ମୁଁ କେମିତି ତାଙ୍କୁ ପଚାରିବି ?

 

ବଉଳ କହିଲା–ହଁ ବିବାହ କରିଛି ମତେ ଯେତେବେଳେ ଆଠ ବର୍ଷ । ମୋ ପୁଅର ବୟସ ମୋ’ଠାରୁ ତିନି ବର୍ଷ ବେଶୀ । ମୁଁ ଶାଶୁଘର ନ ଯାଉଣୁ ମୋର ବୋହୂ ଆସିଲାଣି । ସେ ମୋଠୁ ବର୍ଷେ ବଡ଼ । ସ୍ୱାମୀଙ୍କର ବୟସ ଏଥିରୁ ଅନୁମାନେ କରିପାରୁଥିବୁ । ସମୁଦ୍ର ଭିତରକୁ ଯାତ୍ରା ଆରମ୍ଭ କରିବାକୁ ହେଲେ ଭଲ ଜାହାଜ ଏବଂ ପ୍ରଚୁର ଖାଦ୍ୟ ପଦାର୍ଥ ନେବାକୁ ହୁଏ । ଯଦିଓ ଝଡ଼ରେ ଜାହାଜ ଭାଙ୍ଗିଯିବାର ଏବଂ ଲୁଣି ହାୱା ବାଜି ଖାଦ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ଅଛି ତଥାପି ସମସ୍ତେ ଯାତ୍ରା କରନ୍ତି । କାରଣ ସେମାନେ ବାଧ୍ୟ, କିଏ ଦମ୍ଭ ଡଙ୍ଗା ଏବଂ ପ୍ରଚୁର ଖାଦ୍ୟ ନେଇ ଯାତ୍ରା ଆରମ୍ଭ କରେତ, ଅନ୍ୟ କେଉଁମାନେ କାଗଜ ତିଆରି ସୁନ୍ଦର ଡଙ୍ଗା ଖୋଜନ୍ତି । ଯାହା ବତାସରେ ଭାଙ୍ଗେନା । ମାତ୍ର ମୁଁ ଯେଉଁ ଯାତ୍ରା କରିବି ସେଥିପାଇଁ ଗୋଟିଏ ନିହାତି ପୁଣୁଣା ଡଙ୍ଗା ଏବଂ ଅପର୍ଯାପ୍ତ ଖାଦ୍ୟ ପଦାର୍ଥ । ସମୁଦ୍ରର ଟିକିଏ ଗଭୀରତା ଭିତରେ ପ୍ରବେଶ ନକରୁଣୁ କେତେବେଳେ ତିମି ମାଛମାନେ ଦଳବାନ୍ଧି ହୋଇ ଖାଦ୍ୟ ଲୋଭରେ ଡଙ୍ଗାଟିକୁ ଭାଙ୍ଗି ଚୁରମାର କରିଦେବେ ତା’ର ଠିକଣା ନାହିଁ ।

 

ବାପା ଧନ ଲୋଭରେ ତାଙ୍କଠାରୁ ୫ବର୍ଷ ବଡ଼ର ଗୋଟିଏ ବୃଦ୍ଧକୁ ମୋ ଜୀବନ ସହିତ ଛନ୍ଦି ଦେଇଛନ୍ତି । ନିଶାରେ ସବୁ ଟଙ୍କା ଯାଇଛି । ବାପା ମଧ୍ୟ ଯାଇଛନ୍ତି । ଭାଇଙ୍କର ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ । ଇଚ୍ଛାଥିଲେ ମଧ୍ୟ ଅନ୍ୟ ଜାଗାରେ ମତେ ବାହାଦେବାକୁ ତାଙ୍କର ସମ୍ୱଳ ନାହିଁ ।

 

ତୁ ଟିକିଏ ଦେବଭାଇଙ୍କୁ ମୋର ଦୁଃଖ କହ । ସେ ଏତେ ପାଠ ପଢ଼ିଛନ୍ତି । ଆମ ଗାଉଁଲି ଜାଗାରେ ସିନା ଜାତି, ଗୋତ୍ର ଖୋଜା ଯାଉଛି । ଗୋଟାଏ ଝିଅର ଜୀବନ ପାଇଁ କ’ଣ ସେ ଏତିକି ସ୍ଵାର୍ଥ ତ୍ୟାଗ କରିପାରିବେନି ?

 

ବଉଳର ଦୁଃଖ ଶୁଣି ମୁଁ ବିଶେଷ ମର୍ମାହତ ହେଲି । ଭାବିଲି ପ୍ରକୃତରେ ସ୍ତ୍ରୀର ଜନମ କ’ଣ–ବାଇଗଣ ପରିବାଠାରୁ ତ ନିହାତି । ଯୁବତୀକୁ ଯୁବକ ଯେଉଁପରି ଚାହେଁ, ବୃଦ୍ଧ ବା ତା’ଠାରୁ ବୟସରେ କମ୍‍ ଟୋକାମାନେ ମଧ୍ୟ ତାକୁ ସେହିପରି ଚାହାଁନ୍ତି । ତା’ର ନିଜର ବୋଲି କିଛି ମତ ନାହିଁ–ବିବାହରେ ତା’ର ରୁଚି ନାହିଁ–ବିବାହ ଗୋଟାଏ କର୍ତ୍ତବ୍ୟ ମାତ୍ର, ବିଧବା ହେଲେ ତା’ପାଇଁ ଦ୍ୱିତୀୟ ସ୍ୱାମୀର ସଂସ୍ଥା ନାହିଁ ।

 

ବଉଳକୁ ମୁଁ କିଛି କହିପାରିଲି ନାହିଁ । ସେ ମୋର ହାତ ଦି’ଟା ଧରି କାନ୍ଦୁଥାଏ ।

 

ତହିଁ ଆର ଦିନ । ଅଦିନିଆ ବର୍ଷାର ବୃଥା ଅଭିସାର । ସୂରୁଯ ଦେବତା ମୁଣ୍ଡ ଉପରକୁ ଉଠି ଯାଇଥିଲେ ବି ବେଳ ଏତେପରି ଲାଗୁ ନ ଥାଏ । ଥଣ୍ଡା ପବନ ସିରି ସିରି ହୋଇ ଘର ଭିତରକୁ ପଶି ଆସୁଥାଏ । ମୁଣ୍ଡର ଛିଣ୍ଡା ଛିଣ୍ଡା ବାଳଗୁଡ଼ିକ ତେଲ ବନ୍ଧନ ଚ୍ଛିନ୍ନ କରି ପବନ ସହିତ ନାଚି ଉଠୁଥାନ୍ତି । ମୁହଁଟା ପୋଛି ଟିକିଏ ସ୍ନୋ ମାରି ହେବା ପାଇଁ ଘର ଭିତରକୁ ଗଲି । ଦେବଭାଇ ଶେଯଟା ଉପରେ ଶୋଇଥିଲେ । ମୁଁ ହେଜ୍‌ଲିନ୍‌ ସ୍ନୋରୁ ଆଙ୍ଗୁଠି ଅଗରେ ମେଞ୍ଚାଏ ଆଣି ମୁହଁରେ ଟିପା ଦେଲି । ମୁହଁ ଆଗରେ ଦର୍ପଣ ରଖି ସ୍ନୋ ମିଶାଇବାକୁ ଚେଷ୍ଟା କରୁଥିବା ସମୟରେ ଦର୍ପଣ ଉପରେ ନିଜର ପ୍ରତିବିମ୍ୱ ଦେଖି ମୁଗ୍‌ଧ ହେଲି । ସ୍ପ୍ରିଙ୍ଗର ଘେରପରି ଲମ୍ୱ ବାଳଗୁଡ଼ିକ ଗୋଲେଇ ଗୋଲେଇ ହୋଇ ମୁହଁ ଉପରକୁ ଝୁଙ୍କି ପଡ଼ିଥାଏ । ଆଖିପତା ଉପରେ କଜଳ ଦି’ଗାର ମୁହଁର ସୌନ୍ଦର୍ଯ୍ୟ ଯଥେଷ୍ଟ ବଢ଼ାଇ ଦେଇଥାଏ । ମୁଁ ମୋ ନିଜ ରୂପରେ ମୁଗ୍‌ଧ ହେଲି । ସମୟେ ସମୟେ ମଣିଷ ନିଜକୁ ଏପରି ଭଲପାଏ । ଟିକଏ ଭାବପ୍ରବଣ ହୋଇ ଦରପଣ ଉପରେ ମୋର ତୃଷିତ ଓଠଟି ଚାପି ଧରିଲି । ଦର୍ପଣର ଶୀତଳ ପରଶରେ ଶିହରି ଉଠିଲି ମୁଁ ।

 

ତନ୍ଦ୍ରା ଭାଙ୍ଗିଲା ବେଳକୁ ଦେଖିଲି ଦର୍ପଣ ଦେହରେ ଦେବଭାଇଙ୍କ ଛାଇ ପ୍ରତିଫଳିତ ହୋଇଛି । ମନଟି ତାଙ୍କର ମଉଳି ଯାଇଛି ଗଙ୍ଗଶିଉଳି ଫୁଲପରି । ନିରୀହ ନିର୍ଦ୍ଦୋଷ ଆଖି ଦି’ଟାରୁ ସ୍ପଷ୍ଟ ହେଉଥାଏ ସତେ ଯେପରି ମନଭିତରେ ମହାଭାରତ ଯୁଦ୍ଧର ‘କର୍ଣ୍ଣପର୍ବ’ । କେହି ହାରିଯିବାକୁ ତିଆର ନୁହେଁ । ମନ ବିରୁଦ୍ଧରେ ବିବେକର ଅସି ଉତ୍ତୋଳନ । ଦାରୁଣ ବ୍ୟଥାଭରା ମଉଳା ମୁହଁଟି ପ୍ରତି ଦୟା ଆସିଲା । ଦେବଭାଇଙ୍କର ଆହୁରି ଆଗକୁ ଯିବାର ସାହସ ନାହିଁ । ଏ ସାହସକୁ ମୁଁ ସେଦିନ ଅତି ନିଷ୍ଠୁରଭାବେ ହତ୍ୟା କରିଥିଲି । ମୁଁ କିନ୍ତୁ ପରିସ୍ଥିତିକୁ ସମ୍ଭାଳି ପାରିଲିନି । ପ୍ରତିଫଳିତ ମୁହଁଟା ଉପରେ ଅଜାଡ଼ିଦେଲି ଅଗଣନ ଚୁମ୍ୱନର ସମ୍ଭାର–ହୃଦୟ ଗହନର ବିପୁଳ ସ୍ନେହ ଦେଇ । ନୀରବ ନିଦୁଆ ମୁହଁଟା ମୋର ସବୁ ଅତ୍ୟାଚାର ସହିଗଲା । ବାଧା ଦେଲାନି–ପ୍ରତିବାଦ କଲା–ପ୍ରତ୍ୟାଶା କଲାନି ।

 

କେତେଦିନ ତଳର ଘଟଣା ମନେପଡ଼ିଗଲା । ଏଇ ଘର–ଏଇ ଖଟ–କିନ୍ତୁ ଏମିତି ପାଗ ନୁହେଁ । ଦେବଭାଇଙ୍କୁ ମୁଁ ନ କହିଲି କ’ଣ ! ନିଜକୁ ନିଜେ ଆହୁରି ଲଜ୍ଜିତ ହେଲି । ସେହି ଗୋଟାଏ କଥା–ଟିକିଏ ଭୁଲ–ଯେତେବେଳେ ମନେପଡ଼େ ମନ ଦୁଃଖରେ ଲହକି ଯାଏ । ମୁଁ ଦୌଡ଼ିଯାଇ ଦେବଭାଇଙ୍କ ଗୋଡ଼ତଳେ ମୁଣ୍ଡ ରଖିଲି । ଅମାନିଆ ଲୁହଗୁଡ଼ାକ ଆଖି କଣରୁ ଜକେଇ କ୍ଷୁଦ୍ର କ୍ଷୁଦ୍ର ଝରଣାର ସ୍ରୋତ ତିଆରି କରୁଥିଲା ।

 

ଦେବଭାଇ ହସି ହସି କହିଲେ, ତୁମେ ଏଡ଼େ ଅଭିମାନିନୀ ମେଘ ? ସେଦିନ କଥା ମନେପକାଇ ପୁଣି କାନ୍ଦୁଛ ?

 

ମୁଁ ଆଶ୍ଚର୍ଯ୍ୟ ହେଲି । ଦେବଭାଇ ତା’ହେଲେ ଶୋଇ ନାହାନ୍ତି । ସେସବୁ ଦେଖିଛନ୍ତି । ତାଙ୍କ ଚଦରରେ ମୁହଁ ଘୋଡ଼ାଇ କହିଲି ଦୁଷ୍ଟ । ଏଇ ଟିକିଏ ଦୁର୍ବଳତାକୁ ସେ ଯେମିତି ଅନେଇ ବସିଥିଲେ । ସାଙ୍ଗେ ସାଙ୍ଗେ ମତେ କୋଳକୁ ଭିଡ଼ିନେଇ କହିଲେ, ତମକୁ ମୁଁ ବୁଝିପାରୁନି ମେଘ ! ଶ୍ରାବଣ ଆକାଶର ବାଦଲପରି ତମେ ସ୍ୱମନା । ନିଜ ଇଚ୍ଛାରେ ବର୍ଷାକର । ଆଜିର ଏ ମେଘଗୁମ୍ଫିତ ଆର୍ଦ୍ର ସମୟଟାରେ ପ୍ରାଣ ଯାହା ଚାହେଁ ତା’ଠୁ ଅଧିକା ପାଇ ମଧ୍ୟ ମୁଁ କ୍ଷୁଦାର୍ତ୍ତ । ମହୋଦଧି ଭିତରେ ବାସକରି ସୁଦ୍ଧା ମୁଁ ତୃଷାର୍ତ୍ତ ।

 

କିନ୍ତୁ ଆଖି ଆଗରେ ଖାଦ୍ୟ ପାତ୍ର ଦେଖି ଭୋଖିଲା ରହିବା ଅର୍ଥ ବୋକାମି ନୁହେଁ କି ? ଜଳରେ ସନ୍ତରଣ କରୁ କରୁ ତୃଷାର୍ତ୍ତ ରହିବା ଅର୍ଥ ନିର୍ବୋଧତା...

 

–ତମେ କିନ୍ତୁ ସେ ସାହସ ଦେଇନା ମେଘ !

 

ସାହସ କାହାକୁ ଦାନ କରାଯାଏନା । ଏହା ଅଭ୍ୟାସ ବା ସାହସ ବଳରେ ଅର୍ଜନ କରାଯାଏ । ହଠାତ୍‌ ସେ ମତେ ଛାତିରେ ଭିଡ଼ିଧରି ମୁହଁଟାକୁ ଖୋଜୁଥିଲେ । ଶେଷରେ ଓଠ ଦି’ଟାରେ କାନଟିକୁ ଚାପିଧରିଲେ । ମୁଁ ଯାହାବା ପ୍ରତିବାଦ କଲି ତାହା ଯେ ଆନ୍ତରିକ ନୁହେଁ ସେ ବେଶ୍‌ ବୁଝିପାରିଲେ । ଏଇ ସାମାନ୍ୟ ପ୍ରତିରୋଧ ପାଇବାର ଅଭିଳାସକୁ ଖୁବ୍‌ ବଢ଼ାଇ ଦିଏ ।

 

ଦେବଭାଇ ସନ୍ଦେହରେ ପଚାରିଲେ, ମଉସା ?

 

ବାପା ଜମିଆଡ଼େ ଯାଇଛନ୍ତି । ଆସିବାକୁ ନିଶ୍ଚୟ ଉଛୁର ହେବ । ବୋଉ ରୋଷେଇରେ ବ୍ୟସ୍ତ ଅଛି । ମତେ ଦରକାର ହେଲେ ବଳେ ଡାକିବନି କି ! ବର୍ଷାରେ ପୁଣି ଓଦାହୋଇ ଅବା ଏଆଡ଼େ ଆସିବ କାହିଁକି ?

 

ମୋ କଥାରେ ଦେବଭାଇ ଅତିଶୟ ଆନନ୍ଦିତ ହେଲେ । ସେ ଏତେଗୁଡ଼ାଏ ଉତ୍ତର ଗୋଟିଏ ପ୍ରଶ୍ନରୁ ଆଶା କରିନଥିଲେ । ମୁଁ କାହିଁକି ତାକୁ ଏତେ କଥାର ଉତ୍ତର ଦେଲି । ତାକୁ ନିର୍ଭୟ କରିବା ପାଇଁ ମୋର କାହିଁକି ଏ ଲୁପ୍ତ ମନୋଭାବ ?

 

ମୁଁ ଉନ୍ମତ୍ତ ହୋଇ ଉଠିଲି । ସ୍ନାୟୁଗୁଡ଼ିକ ମତେ ମାନିବାକୁ ଆଉ ରାଜି ହେଲେନି । ଏଭଳି ଦୁର୍ବଳ ମୁହୂର୍ତ୍ତକୁ ଉପେକ୍ଷା କରିହୁଏନି । ପ୍ରାଣ ଧାଇଁଯାଏ ଯଥେଷ୍ଟ ବେଶୀ ତୃପ୍ତି ପାଇଁ । ଆଖି ପରଦାରୁ ସମାଜ ଦୂରେଇ ଯାଏ । ଭବିଷ୍ୟତ ଚକ୍ରବାଳ ତଳେ ଲୁଚି ଯାଏ । ଅତୀତ ଉଦ୍ବୋଧନ ଦିଏ । ବର୍ତ୍ତମାନକୁ ସର୍ବସ୍ୱ କରି ଦି’ଟି ପ୍ରାଣ ମିଶି ଯାଆନ୍ତି । ମୁଁ ଖାଲି ଶିହରି ଉଠି ସେହି ସମୟକୁ ମନେ ମନେ ସ୍ୱାଗତ ଜଣାଇବାକୁ ପ୍ରସ୍ତୁତ ହେଉଥାଏ ।

 

ଦେବଭାଇଙ୍କ ତୃଷିତ ଅଧର କାନଟିକୁ ଛାଡ଼ି ମୋ ମୁହଁସାରା ଘୂରିବୁଲିଲା । ତାଙ୍କ ଲୌହ ଆବେଷ୍ଟନୀ ଭିତରେ ମୋର ପଞ୍ଜରାଗୁଡ଼ା ଚୂନା ହୋଇଗଲାପରି ଲାଗୁଥାଏ । ଅତ୍ୟଧିକ ଆନନ୍ଦ ଏବଂ ନୂତନ ଅନୁଭୂତିର ମିଶ୍ରଣରେ ମୋର ଜ୍ଞାନଶକ୍ତି କ୍ରମେ ଲୋପ ପାଇବାକୁ ଲାଗିଲା । ଦେବଭାଇଙ୍କ ନାତିଶୀତୋଷ୍ଣ ପାପୁଲି ଦୁଇଟି ମୋର ଦେହ ସାରା ଖେଳି ବୁଲୁ ଥାଏ । ମେସମେରଜିମରେ ଆସ୍ତେ ଆସ୍ତେ ଜ୍ଞାନ ହରାଇଲାପରି ମୁଁ ଭାରି ଦୁର୍ବଳ ହୋଇପଡ଼ିଲି । ଶକ୍ତି, ସାହସ, ଗର୍ବ ଯାହାସବୁ ମୋ ପାଖରେ ଥିଲା, ସମସ୍ତେ ମତେ ଏକାକିନୀ କରି ଚାଲିଗଲେ । ଠିକ୍‌ ଏହି ସମୟରେ ଦମକାଏ ପବନ ହେବାରୁ ଘରର ଝରକାଟି ବନ୍ଦ ହୋଇଗଲା । ମୁଁ ଖୁବ୍‌ ଡରିଯାଇ ଦେବଭାଇଙ୍କ ଦେହ ସହ ମୋ ଦିହଟା ମିଶାଇ ଦେଲି । ତାଙ୍କର ଏଣ୍ଡି ଚଦରଟି ଉଭୟଙ୍କୁ ଏ ‘ହଁ’ ଓ ‘ନାହିଁ’ ଅବସ୍ଥିତି ଭିତରେ ଆବୃତ୍ତ କରିପାରିଲାନି । ଉଭୟେ ଚାଦରର ସ୍ୱଳ୍ପ ଆବେଷ୍ଟନୀ ଭିତରେ ବନ୍ଦୀହୋଇ ଯିବାକୁ ବୃଥା ପ୍ରୟାସ କରୁଥିଲୁ ଯାହା ।

 

ପୁଣି ଝଲକାଏ ପବନରେ ଝରକାଟି ଫିଟିଗଲା କେତେଗୁଡ଼ିଏ ଜଳକଣା ଆମ ମୁହଁରେ ବିଛାଡ଼ି ଦେଇ । ତାଙ୍କ ଛାତି ଉପରେ ଲାଖି ରହିଥିବା ମୋର ମୁହଁଟିକୁ ଆସ୍ତେ ଉଠାଇ ଦେବଭାଇ କହିଲେ, ବର୍ତ୍ତମାନ ଚେଷ୍ଟାକର ମେଘ, ଆମ୍ଭେମାନେ ଗର୍ତ୍ତର ଗଭୀରତମ ପ୍ରଦେଶରେ ପହଞ୍ଚି ପାରିବୁ । ଏବେବି ଉଠିପାରିବା ପାଇଁ ସମୟ ଅଛି । ଧୈର୍ଯ୍ୟ ଦରକାର । ତମେ ସିନା ମତେ ଧୈର୍ଯ୍ୟ ଦିଅନ୍ତ । ଏ କ୍ଷଣିକ ଉତ୍ତେଜନାର ପରିଣାମ ବଂଶପରମ୍ପରା ରୋଗପରି ଚିରଦିନ ଲାଗିରହିବ । ଆତ୍ମୀୟମାନେ ବୁଝିବାକୁ ଚେଷ୍ଟା କରିବେନି–ଦୁନିଆ ଆମକୁ ବିଦ୍ରୂପ କରିବ– । ଆମର ଆଦର୍ଶ ନାହିଁ–ପ୍ରତିଷ୍ଠା ନାହିଁ । ଆମ ପ୍ରେମକୁ କେହି ସ୍ୱୀକାର କରିବେନି ।

 

ଦେବଭାଇଙ୍କ କଥା ମୋର ପ୍ରତ୍ୟେକ ରକ୍ତ କଣିକାରେ ବିଦ୍ରୋହର ବୀଜ ବପନ କଲା । ମୁଁ କେବଳ ଚାହେଁ ? ସେ ପୁଣି ଦୁର୍ବଳ ନୁହଁନ୍ତି ? ମୁଁ ହଠାତ୍‌ ଉଠିଆସିବାକୁ ଚେଷ୍ଟା କଲି । ମାତ୍ର ଦେବଭାଇଙ୍କ ବାହୁ ପାଶ ପୂର୍ବାପେକ୍ଷା କଠିନତର ହୋଇଉଠିଲା । ସେ ବାଁ ହାତରେ ଝରକାର କିଳିଣିଟା ଦେଉ ଦେଉ କହିଲେ, ମୁଁ କ’ଣ ଚାଲିଯିବାକୁ କହିଲି ମେଘ ? ଉତ୍ତେଜନାର ସୀମା ଡେଇଁ ବିପଦକୁ ବରଣ କରିବାକୁ ମୁଁ ସିନା ମନା କଲି । ବିପଦ ନ ଆସିବା ପରିସୀମା ଭିତରେ ବୁଡ଼ି ରହି ଉଭୟେ ପରସ୍ପରର ସାନ୍ନିଧ୍ୟ ଉପଭୋଗ କରିବା ଆମର କାମ୍ୟ ।

 

ଦେବଭାଇଙ୍କ ଗାଲଟା ଉପରେ ମୁହଁଟି ଢାଳିଦେଇ କହିଲି, ତୁମେ କ’ଣ ଆଦୌ ଦୁର୍ବଳତା ଅନୁଭବ କରିପାରୁନ ? ବାହାରେ ମେଘ ମେଦୁର ଆକାଶ–ଶିରି ଶିରି ପବନର ଛାତିଥରା କମ୍ପନ–କ୍ଷୀଣ ଅନ୍ଧକାର ଭିତରେ ନିକଟତମା ଜଣେ ଅତି ପରିଚିତା ଉତ୍ସୃଙ୍ଖଳ ଯୁବତୀ । ତୁମେ ଠିକ୍‌ ଅଛ ଦେବଭାଇ ? ମୋଟେ ବିଶ୍ୱାସ ହେବନି ?

 

ଏଭଳି ଗୋଟାଏ ଅସ୍ୱାଭାବିକ ଦୁର୍ବଳ ମୁହୂର୍ତ୍ତର ସମ୍ମୁଖୀନ ହୋଇ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କରିପାରୁଛ–ଆଶ୍ଚର୍ଯ୍ୟ–ଅସମ୍ଭବ !

 

ମୋର ଘର୍ମାକ୍ତ କପୋଳ ଉପରେ ଓଠ ସଞ୍ଚାରଣ କରୁ କରୁ ଦେବଭାଇ କହିଲେ, ମୁଁ ତୋ’ଠାରୁ ଆହୁରି ଦୁର୍ବଳ ମେଘ ! ପ୍ରିୟାର ଟିକିଏ ଇଶାରାରେ ଯେଉଁ ବୟସରେ ସାଗର ଲଙ୍ଘି ଯିବାକୁ ଭୟ ନଲାଗେ, ସେ ବୟସର ନିର୍ଲଜ କମ୍ପନ ମୋର ସମସ୍ତ ସ୍ନାୟୁଗୁଡ଼ିକୁ ଉତ୍ତେଜିତ କରିଦେଇଛି । ମୁଁ ପୁରୁଷ, ପୁଣି ଯୁବକ । ଯେ ଚଷମା ଫାଙ୍କ ବାଟେ ଘଣ୍ଟା ଘଣ୍ଟା ଧରି ସ୍ନାନରତା, କର୍ମମୁଖରା, ଆନମନା ଯୁବତୀମାନଙ୍କୁ ଦେଖିବାକୁ ସୁଯୋଗ ଖୋଜି ବୁଲେ–ପଦିଏ ଉତ୍ତର ପାଇଁ ଯେକୌଣସି ଦାନ ଦେବାକୁ ଯିଏ ପ୍ରସ୍ତୁତ, ସେହି ଉପାଦାନରେତ ମୋର ଶରୀର ଗଢ଼ା । ତଥାପି ମୁଁ ନିଚେଷ୍ଟ, କାରଣ ପରିସ୍ଥିତି ଆଡ଼କୁ ଦୃଷ୍ଟିନିକ୍ଷେପ କଲେ ଦେଖିବ ଗୋଟିଏ ମୁହୂର୍ତ୍ତର ବିଷଫଳ ଆମ ଜୀବନର ସବୁକିଛି ନଷ୍ଟ କରି ଦେଇଯିବ ।

 

ନିଶାକ୍ରାନ୍ତ ଲୋକେ କିଛି ବୁଝି ନପାରିଲାଭଳି ଦେବଭାଇଙ୍କ କଥା ମୁଁ ପ୍ରାୟ ବୁଝିପାରିଲିନି । ଥରି ଥରି କହିଲି–ଏଇ ଦେଖ ଦେବଭାଇ, ମୋ ହାତର ଆଙ୍ଗୁଠିଗୁଡ଼ା କି ସୁନ୍ଦର–କଷି ଭେଣ୍ଡିପରି କଅଁଳ । ତମ ମୁହଁ ପାଖରେ ଘୂରିବୁଲୁଛି କିନ୍ତୁ ତା’ର ତୁମେ ସଦ୍‌ବ୍ୟବହାର କରିପାରୁନ । ସେ ଓଠଟା ବଢ଼ାଉ ଥିଲେ । ଖଞ୍ଜା ଘରୁ ବୋଉ ଡାକ ଛାଡ଼ିଲା–ଖାଇବାକୁ ସବୁ ପ୍ରସ୍ତୁତ । ବାପା ଆସିବାକୁ ଡେରି ହେବ । ଆମେ ଦୁହେଁ ଆଗ ଖାଇ ଦେବୁ । ଦେବଭାଇଙ୍କ କାନ୍ଧରେ ଭରାଦେଇ ମୁଁ ଘରର ଦୁଆର ବନ୍ଧ ଯାଏ ଚାଲିଲି ।

 

ବର୍ଷା ଛାଡ଼ି ଯାଇଛି । ବୋଉ କହିବାନୁଯାୟୀ ମୁଁ ଓ ଦେବଭାଇ ଏକାଠି ଖାଇ ବସିଲୁ । ମାଂସ ଝୋଳ, ଖେଚୁଡ଼ି ଭାତ, ନଡ଼ିଆ ପାଚେଡ଼ି ଏବଂ ଆଳୁ ପୋଟଳ ଭଜା । ବୋଉର ଅନୁପସ୍ଥିତିରେ ଦେବଭାଇ ଖଣ୍ଡେ ଚର୍ବିଲଗା ମାଂସ ମୋ ପାଟିରେ ଖୁନ୍ଦି ଦେଇ ଚୁପି ଚୁପି କହିଲେ, ଖାଇ ନିଅ । ତମେ ପରା ଆଜି ଭାରି ଦୁର୍ବଳତା ଉପଲବ୍‌ଧି କରୁଥିଲ ? ତା’ପରେ ମୁଁ ମଧ୍ୟ ତାଙ୍କ ପାଟିରେ ଖଣ୍ଡେ ବଡ଼ ମାଂସ ମୁଣ୍ଡା ଖୁନ୍ଦି ଦେଇ କହିଲି, ତମେତ ମୋଠୁ ଆହୁରି ଦୁର୍ବଳ ହୋଇଯାଇଛ । ମାଂସ ଖଣ୍ଡିକ ଖାଇ ନିଅ । ଉଭୟେ ଖେଁ....ଖେଁ....କରି ହସିଉଠିଲୁ । ବୋଉ ଆମ ହସ ଦେଖି କିଛି ବୁଝି ନପାରି ହସିଦେଲା । ଦେବଭାଇ ମୋତେ ଖୁଆଇବାର ଛଳନା କରି ମୋର ଖୋଲା ପିଠିଟାକୁ ବାଁ ହାତରେ ଜାବୁଡ଼ି ଧରି ମୁଣ୍ଡଟାକୁ ଭାତର ଗୁଣ୍ଡା ଆଡ଼କୁ ନୁଆଁଇ ଆଣୁଥାନ୍ତି । ତାଙ୍କର ସେ ତତଲା ହାତର ପରଶ ମତେ ବେଶ୍‌ ଭଲଲାଗୁଥାଏ । ସେ ଖୁଆଇଲାବେଳେ ମୋର ଗାଲଯାକ ମାଂସ ଝୋଳ, ଖେଚୁଡ଼ି ପ୍ରଭୃତି ବୋଳି ଦିଅନ୍ତି । ବୋଉ ଦେଖି କହେ ହୁଣ୍ଡିଟା ଖାଇ ଜାଣିନି । ବୋଉ ଆଉ କ’ଣ ପାଇଁ ରୋଷାଇ ଘରକୁ ଗଲେ । ଦେବଭାଇ କାନରେ କ’ଣ କହିବା ପାଇଁ ଡାକିନେଇ ମୋ ଗାଲ ଦି’ଟା ଚାଟି ଦିଅନ୍ତି । ମୁଁ ଲାଜରେ ସଢ଼ି ଯାଏ । କିନ୍ତୁ ପାଟି ଖଣ୍ଡି ଦି’ଖଣ୍ଡି କରିପାରେନା । ବୋଉ କାଳେ ଜାଣିନେବ ବୋଲି ।

 

ବଉଳ କେତେବେଳୁ ଆସି ଆମର ଏ ହସ ଖୁସି ଦେଖୁଛି ଏକଥା ଆମେ ଜାଣିପାରିନଥିଲୁ । ସେ ଯେତେବେଳେ କହିଲା, ଆଜି କ’ଣ ଆଉ ଖିଆପିଆ ସରିବନି କି ? ସେତେବେଳେ ମୋ ଛାତିରେ ଛନକା ପଶିଲା । କୋଉ ଟାଣରେ ମୁଁ ଆଉ ବଉଳ ଆଗରେ କହିବି ଯେ ଦେବଭାଇ ମୋର ମାଉସୀ ପୁଅ ଭାଇ । ମୁଁ ତାଙ୍କୁ ଭାଇପରି ସ୍ନେହ କରେ । ବଉଳ ନିଶ୍ଚୟ ମତେ ସନ୍ଦେହ କରିଥିବ । ମନଟି ମୋର ସେହି ଲାଗେ ମରିଗଲା । ଖାଇ ସାରି ଆମେ ଦୁହେଁ ଉଠିପଡ଼ିଲୁ । ବୋଉ କହିଲା, ଏତେ ସହଳ କ’ଣ ଉଠିପଡ଼ିଲ ମ ?

 

ବଉଳ, ଦେବଭାଇ, ମୁଁ ଶୋଇବାଘରେ ପହଞ୍ଚିଲୁ । ନୂଆବୋଉ ନାହାନ୍ତି । ଖେଳ ହେବ କିପରି ? ଠିକ୍‌ ଏତିକିବେଳେ ବୋଉ କହିଲା–ମେଘ, ବାସନ ଦି’ଟା ମାଜି ଦଉନୁ । ମତେ କ’ଣ ବେଳ ହେବ । ନିଜର ଦାୟିତ୍ୱ ମୁଁ ବୁଝିପାରିଲି । ବଉଳ ଆବୁଡ଼ାପଡ଼ି କହିଲା, ହଁ ଯା....ଯା... । ନୂଆବୋଉ ଆସିଲେ ସିନା ଖେଳିବା । ବାଧ୍ୟହୋଇ ଦେବଭାଇଙ୍କୁ ବଉଳ ପାଖରେ ଛାଡ଼ିଆସିଲି । ମନଟା କାହିଁକି ପାପ ଛୁଇଁଲା । ବଉଳ ଉନ୍ମାଦ ହୋଇଛି । ନିଜର ବାହାଘରରେ ସେ ସନ୍ତୁଷ୍ଟ ନୁହେଁ-। ଦେବଭାଇଙ୍କ ପ୍ରତି ତା’ର ଯଥେଷ୍ଟ ଦୁର୍ବଳତା ଥାଏ । ଆସିଲା ବେଳେ ସେ ପଚାରିଲା, ବଉଳ, ଦେବଭାଇଙ୍କୁ ମୋ ବିଷୟ ପଚାରିଥିଲୁ ? ମୁଁ ନାହିଁ କରିବାକୁ ବାଧ୍ୟ ହେଲି । କହିଲି, ଭଉଣୀହୋଇ ଏଡ଼େ ବଡ଼ ଲାଜ କଥା ମୁଁ କହିପାରିଲି ନାହିଁ । ମୁଁ ମିଛ କହିଲି । ବଉଳ ମନଦୁଃଖରେ କହିଲା, ତେବେ ତୁ ଟିକିଏ ଉଛୁର କରି କାମ ତୁଟାଇ ଆସିବୁ । ମୁଁ ଏଇ ନିରୋଳାରେ ପଚାରିବି-

 

ମୋ ଦେହ ଚାଉଁକିନା ହୋଇଗଲା । ମୋ ପେଡ଼ି ସାଇତା ଲୁଗାଟିକୁ ବଉଳ ଚୋରାଇ ନେଲା ଭଳି ମୋତେ କଷ୍ଟ ବୋଧ ହେଲା; କିନ୍ତୁ କିଛି କହିପାରିଲି ନାହିଁ ।

 

ବାସନ ଦି’ଖଣ୍ଡ ସହଳ ମାଜି ସାରି ମୁଁ ଆସ୍ତେ ମସ୍ତେ କବାଟ ଫାଙ୍କ ବାଟେ ଚାହିଁଲି । ବଉଳ ନଇଁପଡ଼ି ଘର ଚଟାଣ ଉପରେ ନିଜର କାନଫୁଲ ଖୋଜୁଛି । ଗାଈ ପେଟଭଳି ବେକ ଓ କାନ୍ଧ ସନ୍ଧିରେ ଏବଂ ଅଣ୍ଟାରେ ଲୁଗା କାନିଟା ଓହଳି ପଡ଼ିଛି । କଡ଼ ପଟରୁ ଛାତିର ଗୋଟାଏ ପାଖ ମତେ ସ୍ପଷ୍ଟ ଦିଶୁଥାଏ । ଅପର ପାଖଟା ଯେ ନିଶ୍ଚୟ ଦେବଭାଇଙ୍କୁ ଦିଶୁଛି ଏଥିରେ ସନ୍ଦେହ ନାହିଁ । ଝଲକାଏ ପବନ ଝରକାଦେଇ ଘର ଭିତରର ସବୁ ଜିନିଷକୁ ଥରାଇ ଦେଲା । ବଉଳର ଓହଳା କାନିଟା ଆହୁରି ଓହଳି ଗଲା । ବଉଳର କିନ୍ତୁ ସେଥିପ୍ରତି ନଜର ନାହିଁ । ସେ ନ ଜାଣିଲାପରି ତଳକୁ ନଇଁ ଖୋଜି ଚାଲି ଥାଏ ।

 

ଦେବଭାଇ ଏଣେ ଖଟ ଉପରେ ନିର୍ଜୀବ ହୋଇ ଯାଇ ଥାଆନ୍ତି । ତାଙ୍କ ପାଟିରୁ କଥା ବାହାରିବ ବାହାରିବ ହୋଇ ବାହାରୁ ନଥାଏ । ସେ ବହୁ କଷ୍ଟରେ କହିଲେ–ଆଚ୍ଛା ପର, ତମକୁ ଶୀତ ଲାଗୁନି ? ଖାଲି ଦେହରେ ଆସିଛ ! ଆଜି ପୁଣି ବର୍ଷା ପାଗ ।

 

ବଉଳ ଅଳ୍ପ ହସି ଠିଆ ହୋଇଗଲା । ବାଁ କାନ୍ଧରେ ପଣତକୁ ଦେଉ ଦେଉ କହିଲା, ଗରିବମାନେ କ’ଣ ସବୁବେଳେ ପିନ୍ଧିବାକୁ ପାଆନ୍ତି ? ତା’ପରେ ଖୋଲା ଦେହରେ ରହିବା ଆମର ପ୍ରାୟ ଅଭ୍ୟାସ କହିଲେ ଚଳେ ।

 

ଦେବଭାଇ କିନ୍ତୁ ବଉଳର ଏ ଅବସ୍ଥା ଆଉ ଦେଖିପାରିଲେ ନାହିଁ । ବଉଳ ଠିଆ ହୋଇଯିବା ପରେ ଓହଳି ଯାଇଥିବା ଲୁଗାତକ ଯାକିଯୁକି ହୋଇ ତା’ର ଛାତିରେ ଲାଗି ରହିଥାଏ । ଛାତିର ଦୁଇ ପାଖ ଫୁଙ୍ଗୁଳା ।

 

ଦେବଭାଇ କହିଲେ, କିନ୍ତୁ ଯୁ’ଖଣ୍ଡକ ପିନ୍ଧନ୍ତି ତାକୁତ ଭଲଭାବରେ ପିନ୍ଧିବା ଦରକାର, ଯେପରିକି ନିଜର ଦେହ ଲୁଚିପାରିବ ।

 

ଏ ଘରେ କେହି ନାହାନ୍ତି । ଯେ ଅଛି ତାକୁ ଲୁଚାଇବାର ଆବଶ୍ୟକତା ନାହିଁ ।

 

ମାନେ ?

 

ତମେ ନିଶ୍ଚୟ ବଉଳଠାରୁ ଶୁଣିଥିବ ଯେ ମୁଁ ତମକୁ ଭଲପାଏ । ଏପରିକି ବିବାହ କରିବାକୁ ବି ରାଜି । ଖାଲି ତମ ମତ ଏବଂ ରୁଚି ଉପରେ ସବୁ ନିର୍ଭର କରେ ।

 

ତା’ପରେ ବଉଳ ତା’ର ସମସ୍ତ ଇତିହାସ ଦରଦମିଶା କଣ୍ଠରେ ଗାଇ ଚାଲିଲା । ଦେବଭାଇ ଅସମ୍ଭାଳ ହୋଇ ନିଜର ଟର୍କି ତଉଲିଆଟାକୁ ତା’ ଉପରକୁ ଫୋପାଡ଼ି ଦେଲେ । ଅଳ୍ପ ହସି ବଉଳ ଲୁଗା ପିନ୍ଧିବାରେ ଲାଗିପଡ଼ିଲା । ଟିକିଏ ଲାଜ କଲାନି । ଦେବଭାଇ କିଛି ନ କହିପାରି ବିପରୀତ ଦିଗକୁ ମୁହଁଟା ବୁଲାଇ ନେଲେ ।

 

ବଉଳ ଲୁଗା ପିନ୍ଧିସାରି ଦେବଭାଇଙ୍କ ପାଦତଳେ ମୁଣ୍ଡ ରଖିଲା । ଆଖିରୁ ତା’ର ଧାର ଧାର ଲୁହ ବୋହି ଯାଉଥାଏ । ସେ ଦେବଭାଇଙ୍କ ପାଦ ଦି’ଟା ଛାତିରେ ଜାକି ଧରି କହୁଥାଏ–ଦେବତା, କ’ଣ ଠିକ୍‌ କଲ ? ଗୋଟିଏ ଝିଅର ଭବିଷ୍ୟତକୁ ପାଦରେ ଦଳି ତମେ ନିଜର ସ୍ୱାର୍ଥ ପାଇଁ କ’ଣ ଆଗେଇ ଚାଲିବ ?

 

ଦେବଭାଇ ଏ ଯାଏଁ ନୀରବରେ ସବୁ ସହି ଯାଉଥିଲେ । ବଉଳର ବିକଳ କାନ୍ଦଣାରେ ତରଳିଯାଇ ଛାତି ଉପରକୁ ଓଟାରି ନେଉ ନେଉ କହିଲେ, ତୁମେ ବିଶ୍ୱାସ କରିବନି ମୁଁ ତମକୁ ପାଇ କିପରି ଧନ୍ୟ ହୁଅନ୍ତି । ମାତ୍ର ମୋ ଅବସ୍ଥାରେ ଥାଇ କୌଣସି ଯୁବକ ବିବାହ କରିବାକୁ ରାଜି ହେବନି । ମତେ ଆହୁରି ଚାରିବର୍ଷ ପାଠ ପଢ଼ିବାକୁ ହେବ ।

 

ଦେବଭାଇଙ୍କ ଏ ବ୍ୟବହାର ମୋ ଦେହରେ ଶତ ବୃଶ୍ଚିକ ଦଂଶନର ଜ୍ୱାଳା ଆଣିଦେଲା-। ମତେ ଲାଗିଲା ସତେ ଯେପରି ମୋ କଲିଜାଟାକୁ କିଏ କ୍ଷୁରଧାରରେ କାଟି ଚାଲିଛି-। ମୁଁ ଅସମ୍ଭାଳ ହୋଇ ଘର ଭିତରକୁ ପଶିଗଲି । ସମସ୍ତେ ଚୁପ୍‌ଚାପ୍‌ । ବଉଳ ଖାଲି ରାଗରେ ରକ୍ତଚାଉଳ ଚୋବାଇଲାପରି ହେଲା । ସେଦିନ ଆଉ ଖେଳ ହୋଇପାରିଲା ନାହିଁ କି ଦେବଭାଇଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଲାନି ।

 

ଚାହୁଁ ଚାହୁଁ ଦିନ ପନ୍ଦରଟା ଅତୀତ ହୋଇଗଲା । ପୁନିଅଁ ଆଉ ଦିନେ ଥାଏ । ରାତି ପାହିଲେ ବଉଳ ଚାଲିଯିବ । ଏଇତକ ଦିନ ମୁଁ ଦେବଭାଇଙ୍କ ଉପରେ ରାଗିଥିବାରୁ କଥା କହି ନାହିଁ-। ଦେବଭାଇ ମଧ୍ୟ ଡରି ମତେ କିଛି କହିପାରିନାହାନ୍ତି । ବଉଳଠାରେ ତାଙ୍କର ଏ ସାମୟିକ ଦୁର୍ବଳତା ଯେହେତୁ ଅତି ଉଲଗ୍ନ ଭାବରେ ମୋ ନିକଟରେ ଧରାପଡ଼ିଯାଇଛି, ତେଣୁ ସେ ସଦାବେଳେ ନିଜକୁ ଦୋଷୀ ଭାବି ମୋ’ଠାରୁ ଦୂରେଇ ରହୁଥାନ୍ତି । ମିଶିବାର ବା କଥାବାର୍ତ୍ତା ହେବାର ସୁବିଧା ବଉଳ ଆମକୁ ଦେଲାନି । ତା’ର କ୍ଷୁଧାର୍ତ୍ତ ଆତ୍ମା ମତେ ଗୋଡ଼େ ଗୋଡ଼େ ଜଗି ରହିଲା । ବୋଉ ସାଇପଡ଼ିଶା ବୁଲି ଗଲାବେଳେ ଅଥବା ତା’ର ଅନୁପସ୍ଥିତିରେ ସିନା ମୁଁ ଏବଂ ଦେବଭାଇ ଭାବ ବିନିମୟ ହେଉ । ସେହି ସମୟ ଭିତରେ ବଉଳ ଆସି ଖାଲି ବାଧା ଜନ୍ମାଏ-। ବେଳେ ବେଳେ ମୁଁ ତାକୁ ସୁବିଧା ଦିଏ । କିନ୍ତୁ ତୁ ତ ମୁତୁରି, ମୁଁ ତ ମୁତୁରି ହେଂସ କାହିଁ ପାଇଁ ଧୋଇବା ଉକ୍ତିର ବ୍ୟତିକ୍ରମ ଘଟିଲା । ବଉଳ ସିନା ମତେ ସନ୍ଦେହ କରୁଥିଲା; କିନ୍ତୁ ଦେବଭାଇ ଏବଂ ମୁଁ ଯେ ଏତେଦୂର ଆଗେଇ ଯାଇଛୁ ଏକଥା ସେ ଜାଣେନି । ମନ ଭିତରେ ସେ ଖାଲି ମୋ ଉପରେ ଚିଡ଼ି ଉଠୁଥିଲା । ଲାଜକଥାଗୁଡ଼ା କହିପାରୁନଥିଲା । ଭାବୁଥିଲା ମୁଁ ତାକୁ କାହିଁକି ସୁବିଧା ଦେଉନି ।

 

ମୁଁ ଏମିତି କେତେ କ’ଣ ଭାବି ଭାବି ବାଡ଼ି ପଟେ ପହଞ୍ଚିଲି । ସଞ୍ଜ ଗଡ଼ିଯାଇଛି । ଚତୁର୍ଦ୍ଦଶୀର କୈଶୋର ଜହ୍ନ ଆକାଶରେ ଉଇଁ ସାରିଥାଏ । କୂଅନନ୍ଦ ଉପରେ ବସି ମୁଁ ଭାବୁ ଥାଏ । ଏତେ ଦିନର ବିରହୀ ମନ ହଠାତ୍‌ ଦେବଭାଇଙ୍କୁ କ୍ଷମା ଦେଇ ବସିଲା । ମୁଁ ବୁଝିପାରିଲି ନାହିଁ–ନାରୀ ମନ ହଠାତ୍‌ ଆକାଂକ୍ଷିତ ପୁରୁଷ ପ୍ରତି ଏପରି ଦରଦ ହୁଏ କିପରି ? ଏମିତିକି ମଦ୍ୟପ, ଅସତ୍‍ଚରିତ୍ର ସ୍ୱାମୀର ସ୍ତ୍ରୀହୋଇ ମଧ୍ୟ ନାରୀ ସ୍ୱାମୀକୁ ଭକ୍ତି କରେ । ବଉଳ ସହିତ ଦେବଭାଇଙ୍କର ସେ ପନ୍ଦର ଦିନ ତଳର ଘଟଣା ମନେପଡ଼ି ମୋ ପ୍ରାଣ ତାଙ୍କ ସାନ୍ନିଧ୍ୟ ପାଇଁ ପାଗଳ ହୋଇଉଠିଲା । ବସନ୍ତର ଚତୁର୍ଦ୍ଦଶୀ ଜହ୍ନ ଅପ୍ରାପ୍ତ ବୟସ୍କା ଯୁବତୀ ଝିଅର ପ୍ରାକୃତିକ ସୌନ୍ଦର୍ଯ୍ୟ ନେଇ ଆକାଶରେ ଉଙ୍କିମାରିଛି । କୂଅମୂଳ ହେନା ଗଛରୁ ଭାସି ଆସୁଛି ମୃଦୁ ମଧୁର ଗନ୍ଧ । ପବନ ଖୁବ୍‌ ଆସ୍ତେ ଆସ୍ତେ ବହୁଥିଲା । ଶୀତ ସାମାନ୍ୟ ଥାଏ । ଚନ୍ଦ୍ରାଲୋକ ପାଇ ଫୁଲି ଉଠିଥିବା ଜୁଆରଭଳି ମୋ ଦେହର ମାଂସ ଫୁଲି ଉଠୁଥାଏ । ସେ ଚାହୁଁଥାଏ କାହା ହାତର ପରଶରେ ଲାଜକୁଳୀ ଲତାଭଳି ନଇଁପଡ଼ି ଅଞ୍ଚଳ ତଳେ ଲୋଟି ଯିବାକୁ । ମୋ ଆଗରେ ଖାଲି ଗୋଟିଏ ରୂପ ଭାସି ବୁଲୁଥାଏ–ସେ ହେଉଛନ୍ତି ଦେବଭାଇ । ଆଉ କେହି ମନେପଡ଼ୁନି । ମୁଁ ଉନ୍ମାଦିନୀ ହୋଇ ମୁହଁଟାକୁ ହାତ ପାପୁଲିରେ ଢାଙ୍କିଦେଇ କୂଅନନ୍ଦ ଉପରେ ନଇଁପଡ଼ିଲି । ହଠାତ୍‌ ମୋ ମୁଣ୍ଡଟା କୂଅ ଭିତରକୁ ଗଳି ପଡ଼ିଲା । ମୁଁ ପଡ଼ି ଯାଉଥିଲି ଅତି ଅସହାୟ ଭାବରେ । ହଠାତ୍‌ କାହାର ହାତ ଦି’ଟା ମତେ ଓଟାରି ଧରିଲା ଅଣ୍ଟା ପାଖରୁ । ଦେବଭାଇ । ଅତୀତକୁ ଭୁଲିଯାଇ ମୁଁ ବର୍ତ୍ତମାନରେ ଲାଜେଇ ଗଲି । ମୁହଁରେ ରକ୍ତ ଅବିରର ରଙ୍ଗ । ଦେବଭାଇଙ୍କ ଛାତିରେ ଝାଳୁଆ ମୁହଁଟି ଢାଳିଦେଇ କହିଲି–ତୁମେ ଯଦି ହଠାତ୍‌ ଆସି ଏଠି ପହଞ୍ଚି ନଥାନ୍ତ ତେବେ ଏତେବେଳକୁ ମୁଁ ଯାଇ ଅନ୍ୟ ରାଜ୍ୟରେ ଥାନ୍ତି । ମୋ ଆଖିର ଲୁହ କୁଞ୍ଚ କାନିରେ ସେ ପୋଛି ଦେଉ ଦେଉ କହିଲେ, ମତେ କ୍ଷମା କରିଛତ ମେଘ ? ପୁରୁଷ ହୋଇଥିଲେ ତୁମେ ବୁଝିପାରନ୍ତ ନାରୀର ଆମନ୍ତ୍ରଣ ଏଡ଼ିଦେବା କେଡ଼େ କଷ୍ଟଦାୟକ । ପର କାଲି ଶାଶୁଘର ଯାଉଚି ନାଁ ?

 

–ହଁ । ମୋ କଣ୍ଠ ଭାରି ହୋଇ ଉଠୁଥିଲା ।

 

–ତୁମେ କେଉଁଦିନ ଯିବ ?

 

ହସି ହସି ଦୁହେଁ ଏକାଠି ହୋଇଗଲାବେଳେ ମୁଁ କହିଲି, ତମେ ଯେବେ ଚାହିଁବ ?

 

ଦେବଭାଇ ମୋର ଜୁଡ଼ାରେ ଗୋଟିଏ ହେନାଡାଳ ଖୋସି ଦେଉ ଦେଉ କହିଲେ, ମୋର ଅର୍ଥ ନାହିଁ । ଅଳଙ୍କାର ଦେବାର କ୍ଷମତା ନାହିଁ । ସାମାନ୍ୟ ହେନା ଫୁଲ ଡାଳରେ ତୁମେ ଯେବେ ଖୁସି, ତେବେ ଚାଲ ।

 

ଭାବିଲି ଦେବଭାଇ ପୁଣି ସେହି ପୁରୁଣା ପ୍ରଶ୍ନର ପୁନରୁତ୍‌ଥାନ କରୁଛନ୍ତି । କାନ୍ଦି କାନ୍ଦି କହିଲି, ବାରମ୍ୱାର କ୍ଷମାମାଗିଲେ ମୁଁ କ’ଣ କ୍ଷମାପାଇବାର ପାତ୍ରୀ ନୁହେଁ ? ଗୋଟାଏ ଲହସରେ ସେଦିନ କ’ଣ କହିଦେଇଥିଲି ଯେ ତା’ର ଖାଲି ଖୁଣ୍ଟା ଦେଉଛ । ମୁଁ ଏଡ଼େ କୁତ୍ସିତ ଓ ନୀଚ ମନୋବୃତ୍ତିର ନୁହେଁ ଯେ ଅଳଙ୍କାର ପାଇଁ ତୁମ ନିକଟରେ ଗୁହାରି କରିଥାନ୍ତି । ମନର ମିଳନରେ ଦେହ ସାରା ଯେଉଁ ଅଳଙ୍କାର ଦିବାନିଶି ଲାଗିଯାଏ ତା’ଠୁ ବଳି କ’ଣ ଏ ସୁନା ରୂପାର ଅଳଙ୍କାର ? ଆଚ୍ଛା କହିଲ, ଆମେ ଜନ୍ମ ହେଲାବେଳେ କ’ଣ ଅଳଙ୍କାର ଲଗାଇ ଆସିଥିଲୁ ? ମଲାବେଳେ କ’ଣ ସାଙ୍ଗରେ ନେଇ ଯାଉ ? ତେଣୁ ଏସବୁ ଆମେ ଦାବି କରିବା ଯେପରି ଅପ୍ରାସଙ୍ଗିକ, ସେହିପରି ଘୃଣ୍ୟ । ମୋ ଦେହରେ ତ ଟିପେ ସୁନା କି ରୂପା ନାହିଁ ।

 

ଦେବଭାଇ ମୋର ଏଇ ଓଜସ୍ୱିନୀ ଭାଷଣରେ ହସିଲେ । ହଠାତ୍‌ ମୋ ଦେହରୁ ଲୁଗାଟା ଭିଡ଼ି ନେଇଗଲେ । କହିଲେ, ଜନ୍ମ ହେଲାବେଳେ ତମେ ଏଟା ଆଣିନଥିଲ ଏବଂ ଚାଲିଯିବାବେଳେ ସାଙ୍ଗରେ ନେଇଯିବ ନାହିଁ । ତେବେ ଏଇଟା ପାଇଁ ଏତେ ଲୋଭ କାହିଁକି ? ଏଇଟାର ଲୋଭ ସମ୍ଭାଳି ନ ପାରିଲେ ଜାଣିବି ତମେ ଧନସମ୍ପତ୍ତି, ଅଳଙ୍କାର ଇତ୍ୟାଦିର ଲୋଭ ଛାଡ଼ିପାରିନ ବୋଲି ।

 

ଅତି ଅଳ୍ପ ସମୟ ଭିତରେ ମୋର ଅବସ୍ଥା ଏପରି ହୋଇଯିବ ବୋଲି ଆଶା କରିନଥିଲି-

 

ଚନ୍ଦ୍ରକିରଣର ବିପୁଳ ମଉଛବ । ମୋ ଦେହରେ ଶାୟାଟି ଛଡ଼ା କିଛି ନଥାଏ । ହଠାତ୍‌ ଆସନ୍ନ ବିପଦର ସୂଚନା ପାଇ ଗେଣ୍ଡା ତା’ ଖୋଳ ଭିତରେ ପଶିଗଲାପରି ମୁଁ ଆଣ୍ଠୁ ସନ୍ଧିରେ ମୁହଁଟିକୁ ଜାକି ହାତ ଘୋରାଇ ଲୋଚା ଲୋଚି ହୋଇ ବସିଗଲି । ଏଭଳି ଅସହନୀୟ ଅବସ୍ଥାରେ ଥାଇ ଲୁଗାଟା ଫେରାଇ ଦେବାପାଇଁ କେତେ ମିନତି କଲି । ସେ ଲୁଗାଟା ଫେରାଇ ଦେଲେନିତ ବରଂ ହସି ହସି ମୋ ମୁହଁ ଚାରି ପାଖ କ’ଣ ଖୋଜି ବୁଲିଲେ । ମତେ ଲାଗୁଥାଏ ସତେ ଯେମିତି ତାଙ୍କ ଆଖି ଦୁଇଟିରୁ ଦୁଇଟି ତେଜସ୍ୱୀ ରଶ୍ମି-ସ୍ରୋତ ନିର୍ଗତହୋଇ ମୋ ଦେହସାରା ଘୋଡ଼ାଇ ରଖିଛି । ଚମଡ଼ା ଉପରେ ସେହି ଆଲୋକ ରଶ୍ମିର ତୀର୍ଯ୍ୟକ ରେଖା ଛୁଞ୍ଚିପରି ଫୋଡ଼ି ହୋଇଯାଉଛି-। ମୁଁ ନିଃସହାୟ ହୋଇ ଚାପାକଣ୍ଠରେ କାନ୍ଦିଉଠିଲି । ତଥାପି ସେ ଦେଲେନି ।

 

ରାଗି ଯାଇ ଠିଆ ହୋଇଗଲି । କହିଲି, ପ୍ରକୃତିକୁ ପାଦରେ ଦଳି ଦେବାର ଶକ୍ତି କାହାର ନାହିଁ । ସମସ୍ତଙ୍କୁ ନିଶ୍ଚୟ ଖୁବ୍‌ କମରେ ଜଣକ ନିକଟରେ ଉଲଗ୍ନ ହେବାକୁ ପଡ଼େ । ନଗ୍ନତାରେହିଁ ସୃଷ୍ଟିର ସମ୍ଭବ । ଆଉ ଆଜିକାଲି ସଭ୍ୟତାର ମାପକାଠି ନଗ୍ନତାର ପରିମାଣ ଉପରେ ଗଢ଼ି ଉଠୁଛି । ଆଉ ତୁମଭଳି ଉତ୍ସୃଙ୍ଖଳ ଯୁବକମାନେ ଏଭଳି ନଗ୍ନତା ଉପଭୋଗ ପାଇଁ ସିନେମା ଦେଖନ୍ତି । ପୌଢ଼ ତୃତୀୟ ୪ର୍ଥ ବିବାହ ପାଇଁ ପଛାଏ ନାହିଁ । ମଜୁରୀଆର ଦୈନିକ ଖାଇବା ନ ଥାଇ ଜାଣି ମଧ୍ୟ ସେ ବିବାହର ଜଞ୍ଜାଳ ବରି ନିଏ । ଆବଦ୍ଧ କୋଠରୀର ପରିସର ମଧ୍ୟରେ କାମନାପିପାସୁ ସ୍ୱାମୀ ଅନେକ ଜାଗାରେ ନଗ୍ନତାକୁ ଉପଭୋଗ କରିପାରେନି ବୋଲି ବାହାରର ନିରୋଳାକୁ ସହଧର୍ମିଣୀକୁ ନେଇ ଆସେ । ସେ ଭିତରୁ ତମେ ଜଣେ ନିଶ୍ଚୟ । ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟାଟି ଭଲ’ କାହାକୁ ଜଣା ନାହିଁ କହିଲ ? ହଉ ଛାଡ଼, ସନ୍ଧ୍ୟା ପହର, ଯଦି କିଏ ଦେଖେ-?

 

ଦେବଭାଇ ହଠାତ୍‌ ଲୁଗାଟିକୁ ମୋ ଛାତି ଉପରକୁ ଫୋପାଡ଼ି ଦେଲେ । ମୁଁ ମନାକଲି–ଯେପରି ଭିଡ଼ି ନେଇଥିଲ, ସେହିପରି ପିନ୍ଧାଇ ଦିଅ । ସେ ଆନନ୍ଦରେ ନିକଟେଇ ଆସି ପିନ୍ଧାଇ ଦେଉ ଦେଉ କାନ ପାଖରେ କହିଲେ, ଏଟା କ’ଣ କେହି ଦେଖି ପାରିବେନି ? ତାଙ୍କ ଅଧର ପରଶରେ ମୁଁ ମୂର୍ଚ୍ଛା ଗଲି । ଆଉ କିଛି ଜାଣିନି । ଖାଲି ନିହାତି ଅବାସ୍ତବ କଥାଗୁଡ଼େ ମୋର ଅଚେତନ ମନରେ ଖେଳି ବୁଲୁ ଥାଏ ।

 

କାନରେ ଗୋଟାଏ ଖସ୍‌ ଖସ୍‌ ଶବ୍ଦ ହେବାରୁ ମନର ମହକ ମରିଗଲା । ଆଖି ଖୋଲି ଯାହା ଦେଖିବାକୁ ଭାବିଥିଲି ତା’ ନୁହେଁ । ଦୁନିଆର ରୂପ ଏ ଭିତରେ ଯଥେଷ୍ଟ ବଦଳି ଯାଇଛି । ଦେବଭାଇ ନାହାନ୍ତି । କିନ୍ତୁ ଉପହାର ହେନାଡାଳଟିକୁ ବଉଳ ମୋ କାନ ନାକରେ ଗେଞ୍ଜି ଦେଉ ଦେଉ ମୋ ଦେହର ଲୁଗା ସଜାଡ଼ି ଦେଉଥିଲା । ଚନ୍ଦ୍ର ଆକାଶର ବେଜାଏ ଉପରକୁ ଉଠିଗଲେଣି । ଶୀତ ବେଶ୍‌ ଜମିଗଲାଣି ।

 

ମତେ ଉଠିବାର ଦେଖି ବଉଳ ଠିକ୍‌ ପିସ୍ତଲରୁ ଗୁଳି ଫୁଟିଲାପରି କହିବାକୁ ଆରମ୍ଭ କଲା ‘ଲୁଚିଛି ନା ଗୋଡ଼ ଦି’ଟି ଦିଶୁଛି’ । କେଡ଼େ ମୁହଁ ଟାଣରେ କହୁଥିଲା–‘ମୋର ଭାଇ । ତମେ ସବୁ ଏମିତି ପାପକଥାଗୁଡ଼ା ଭାବୁଛ କେମିତି ?’ ହେନା ଆଢ଼ୁଆଳରେ ରହି ସବୁ ଦେଖିଛି ଲୋ ଦେଖିଛି-। ଯୁ’ମାନେ କହିଛନ୍ତି ପୁରୁଷ ହୋଇ କେ ଯତି ନାହିଁ କି ସ୍ତ୍ରୀ ହୋଇ କେ ସତୀ ନାହିଁ, ସେମାନେ କ’ଣ ମିଛ କହିଛନ୍ତି ? ଭାଇ ଭାଇ ବୋଲି ଯୋଉ ମୁହଁରେ କହୁଥିଲୁ କାହିଁ ସେ ମୁହଁ ? ପୁରାଣରୁ ତ ଜାଣିଛୁ ଅଭିମନ୍ୟୁ ତାଙ୍କ ମାମୁଁ ବଳଦେବଙ୍କ ଝିଅ ଶଶୀରେଖାକୁ ବିବାହ କରିଥିଲେ । ଇତିହାସରୁତ ପଢ଼ିଛୁ ପୃଥ୍ୱୀରାଜ ତାଙ୍କ ବଡ଼ ଭାଇ ଜୟଚନ୍ଦ୍ରଙ୍କ ଝିଅ ସଂଯୁକ୍ତାକୁ ବିବାହ କରିଥିଲେ । ରକ୍ତର ଏତେ ନିକଟତମ ସମ୍ପର୍କ ଥାଇ ବିବାହ ଯେଉଁଠି ସମ୍ଭବ, ସେଠି ଦେବଭାଇ କ’ଣ ନା ଭାଇ ? ହଇଲୋ, ତୋ ମାଉସୀଙ୍କର ପୋଷିଆ ପୁଅ ରକ୍ତର ସମ୍ପର୍କ କେଉଁଠି ରହିଲା ଶୁଣେ ? ନିଆଁ ବାରୁଦ ଏକାଠି ରହିବାର ଉଦାହରଣ ଇତିହାସରେ ବିରଳ । ସେଥିପାଇଁ ସେଦିନ ମୁଁ ଯେତେପ୍ରକାର ଫିସାଦ କରି କହିଲି ଦେବଭାଇ ଶୁଣିଲେନି । କୁ’ଠି ଦେଖିଛୁ ବୟସ୍କା ଯୁବତୀର ନିମନ୍ତ୍ରଣ ଅବିବାହିତ ପୁରୁଷ ପ୍ରତ୍ୟାଖ୍ୟାନ କରିଛି ? ପେଟରେ ଭୋଖ ନଥିଲେ ପୁନରାୟ ଖାଇବାର ପ୍ରଶ୍ନ ଉଠେନି-

 

ଯାହାହେଉ, ମୋ ମନରେ ଯେଉଁ ଅବଶୋଷ ରହିଯାଇଥାନ୍ତା, ତା’ର ମୀମାଂସା ଆଖି ଆଗରେ ଦେଖି ମୁଁ ଶାନ୍ତି ପାଇଲି । ଯେଉଁ ଆଶା ଓ ଉତ୍ତେଜନା ନେଇ ଦେବଭାଇଙ୍କ ପାଖରୁ ମୁଁ ବିଦାୟ ନେଇ ଶାଶୁଘର ଫେରିଯିବାକୁ ବସିଥିଲି ତା’ର ଅବସାନ ଘଟିଛି । ମୁଁ ଖୁସି । କାରଣ ବଉଳ ମୋର ପ୍ରତିଦ୍ୱନ୍ଦ୍ୱିନୀ । ଆଗରୁ ଯଦି ତୁ ମତେ ଜଣାଇ ଦେଇଥାନ୍ତୁ ହୁଏତ ମୁଁ ପ୍ରତିଦ୍ୱନ୍ଦ୍ୱିତା ନ କରି ତୋ ପ୍ରଣୟ ପଥରେ ଗୋଟିଏ ଫୁଲ ହୋଇ ପଡ଼ିରହିଥାନ୍ତି । ସବୁପ୍ରକାର ସୁବିଧା କରାଇ ଦେବାପାଇଁ ଚେଷ୍ଟା କରିଥାନ୍ତି । ମୁଁ ଯାଉଛି ବଉଳ । ପିଲାଦିନୁ ଏପର୍ଯ୍ୟନ୍ତ କରିଆସିଥିବା ଭୁଲଗୁଡ଼ିକୁ ଧରିବୁନି ବୋଲି ବିଶ୍ୱାସ । ଦେବଭାଇଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ ଜଣାଇ ଦେବୁ । ମୋର ଉପସ୍ଥିତି ଯୋଗୁ ସେ ଖୁବ୍‌ ବିଚଳିତ ହୋଇପଡ଼ିଥିବାର ମୁଁ ଦେଖିଥିଲି । କେଉଁ ମୁହଁ ନେଇ ତାଙ୍କୁ ଦେଖା କରିବି ? ମୋ’ପାଇଁ ତାଙ୍କ ନିକଟରୁ କ୍ଷମା ମାଗି ନେବୁ ।

 

ବଉଳ ଆଉ କହିପାରିଲା ନାହିଁ । ଆଖିରେ ତା’ର ଧାରା ଶିରାବଣର ଲୋତକ ଧାରା । ମନରେ ଭୀଷଣ କଷ୍ଟ ଲାଗିଲା । ବଉଳକୁ ଗୋଟାଏ ଆଶା ଦେଖାଇ ମୁଁ ନିଶ୍ଚୟ ଭୁଲ କରିଛି । ଯଦି ସିଏ ପ୍ରଥମରୁ ଜାଣିପାରିଥାନ୍ତା ଦେବଭାଇ ଏବଂ ମୋ ଭିତରେ ମଧୁର ସମ୍ପର୍କ ଅଛି ତେବେ ଆଶାବାଦୀ ହୋଇ ଏଭଳି ନିର୍ଲଜ ଭାବରେ ଜଣେ ଅପରିଚିତ ପୁରୁଷ ଆଗରେ ନିଜ ଦେହକୁ ସେ ତୋଳିଧରି ନ ଥାନ୍ତା । ବିବାହିତା ଯୁବତୀ ସିଏ । ପ୍ରୌଢ଼ା ସ୍ୱାମୀ ତା’ର ଯଦି ଏ ଘଟଣାରୁ ବିନ୍ଦୁଏ ଜାଣିପାରେ ତା’ ଜୀବନରେ ଯେଉଁ ଝଡ଼ ଉଠିବ ସେଥିପାଇଁ କିଏ ଦାୟୀ ହେବ ? ମୁଁ ବଉଳକୁ କୁଣ୍ଢାଇ ଧରିଲି । ମନେହେଲା ବଉଳ ଯେମିତି ପିଲାଦିନର ସମସ୍ତ ମମତା ମୋ ନିକଟକରୁ ଜୋରକରି ଛଡ଼ାଇ ନେଉଛି । ସେ କାଲିଠାରୁ ପର ହୋଇଯିବ । ପ୍ରତ୍ୟେକ ଝିଅ ଏମିତି ପର ହୋଇ ଯାଆନ୍ତି । ବାଲ୍ୟସ୍ମୃତି ଉପରେ ସମାଧି ମନ୍ଦିର ତୋଳି ଝିଅ ନୂଆ ସଂସାର ଗଢ଼ିବାକୁ ଚାଲିଯାଏ । ବଉଳ କାଲି ଯିବ । ମୁଁ ପରଦିନ ଯାଇପାରେ ।

 

ଧରା ପଡ଼ି ଥିବାର ଭୟ ଶଙ୍କିତ ମନ ଏବଂ ବଉଳର ବିଦାୟ-ସ୍ପନ୍ଦିତ ହୃଦୟ ମତେ କର୍ତ୍ତବ୍ୟ-ବିରତ କରାଇଥାଏ । ଘର ଭିତରକୁ ପଶିଯାଇଁ ଦେଖିଲି ଦେବଭାଇ ସୁଟକେଶଟାକୁ ସଜାଡ଼ିବାରେ ବ୍ୟସ୍ତ । ବୋଉଠାରୁ ବୁଝିଲି ଯେ ସେ କାଲି ରାତିଥାଇ ଗାଡ଼ିରେ ଫେରି ଯାଉଛନ୍ତି । କାନ୍ଥରେ ଧକ୍‌କା ଖାଇଲାଭଳି ମୋ ମୁଣ୍ଡଟା ବୁଲାଇ ଦେଲା । ନିଷ୍‌ପ୍ରଭ ପ୍ରାଣଟା ହଠାତ୍‌ ବିରହ ଜ୍ୱାଳାରେ ବ୍ୟତିବ୍ୟସ୍ତ ହେବାକୁ ଲାଗିଲା । ବୋଉ ଆଗରେ କେଉଁ ମୁହଁରେ କହନ୍ତି ଦେବଭାଇ ଆଉ କେତେଦିନ ରହନ୍ତୁ । ପରୀକ୍ଷା ଦେଇ ଛୁଟିରେ ତ ଅଛନ୍ତି । ଫଳ ବାହାରୁ ଯିବେ ? କିନ୍ତୁ ବୋଉ ହଁ କରି ଦେଇଛି । ଦେବଭାଇ ଚାଲିଯିବେ । ମୁଁ ଆଦୌ ଭାବିପାରିଲି ନାହିଁ । ଏତେବଡ଼ ଆନନ୍ଦର ଏପରି ବ୍ୟର୍ଥ ପରିଣତିରେ ମୁଁ ଖୁବ୍‌ ମର୍ମାହତ ହୋଇପଡ଼ିଲି ।

 

ଦେବଭାଇ କେଡ଼େ ଶରଧାରେ ବୋଉର ଅନୁପସ୍ଥିତିରେ ମତେ ଦି’ଗୁଣ୍ଡା ଖୁଆଇ ଦେଲେ । ସେଗୁଡ଼ା ମୋର ମନେପଡ଼ୁଥାଏ । ବାଡ଼ି ଘର ସିମେଣ୍ଟ ଚଟାଣ ଉପରେ କାନିଟା ପାରିଦେଇ ଶୋଇଗଲି ।

 

ସତେ କ’ଣ ନିଦ ଲାଗନ୍ତା ? ଅଭିମାନ ଭରା ଛାତିରୁ ରହି ରହି ଦୀର୍ଘଶ୍ୱାସ ବାହାରୁଥାଏ-। ଧାରାଶିରାବଣପରି ଆଖିପତାରୁ ଗରମ ପାଣି ବୋହି ପକ୍‌କା ଚଟାଣ ତିନ୍ତାଇ ଚାଲିଲା । ଯାହାକୁ ଆମେ ଲୁହ କହୁ । ତା’ ରକ୍ତର ରୂପାନ୍ତର ମାତ୍ର । ଆଖି ପତାରେ ହାତ ଘଷି ଘଷି ତାହା ତାଳ ଖୋଳପାପରି ଟାଣ ହୋଇଗଲାଣି । କାହିଁକି କାନ୍ଦ ମାଡ଼ିଲା ମୁଁ ମୋଟେ ବୁଝି ପାରିଲିନି । ନାରୀ ଏମିତି ବୁଝି ନପାରି ସ୍ୱାମୀ ବିଦାୟ ବେଳରେ ଆଖିରୁ ଲୁହ ଝରାଏ । ଦେବଭାଇ ଆସିଥିଲେ ଆଷାଢ଼ର ବାଦଲ ପରି; ଅଶ୍ୱୀନର ନିର୍ମଳ ଆକାଶରେ ତାଙ୍କୁ ଖୋଜିଲେ କ’ଣ ମିଳିବେ-! ସେ ଆସିଛନ୍ତି । ନିଶ୍ଚୟ ଦିନେ ଯିବେ । ସେ ଦିନଟି କାଲି ହେଲେ କ୍ଷତି କ’ଣ-?

 

ଦେବଭାଇ ଧରାପଡ଼ିବାର ଅପମାନରେ ଆହତ ହୋଇ ଚାଲି ଯାଉଛନ୍ତି । କିନ୍ତୁ ସେ ଯଦି ମୋତେ ବାହା ହୋଇଥାନ୍ତେ ସେତେବେଳେ କ’ଣ କଥା ଲୁଚିଥାନ୍ତା ? ବଉଳତ ଦେଖିଲା । ଆଉ କ’ଣ କିଏ ହୋଇଛି । ତା’ ସାଙ୍ଗରେ କେତେ କଥାବାର୍ତ୍ତା ମୁଁ ନ ହୋଇଛି ! ସେ; କ’ଣ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥାନ୍ତା ।

 

ଅବୁଝା ମନଟା କିଛି ସମୟ ବୁଝିଗଲେ ପୁଣି ସେହିଲାଗେ ଅବୁଝା ହୋଇଉଠେ । ଏଇ ବୁଝା ଅବୁଝା ‘ହଁ ନାହିଁ’ ଭିତରେ ମୁଁ ଶୋଇ ଯାଇଛି ।

 

ରାତି ବୋଧେ ଘଡ଼ିଏ ଥାଏ । ଦେବଭାଇଙ୍କ ପରଶରେ ମୋର ବିରହ ବିଧୁରା ପ୍ରାଣ ଚେଇଁ ଉଠିଲା । ସେ ମୋର ବାଆଁ ହାତର ପାପୁଲିଟିକୁ ହାତରେ ସାଆଁଳଉ ଥିଲେ । ମେଘପରି ଘଞ୍ଚ ଇତସ୍ତତଃ କେଶଗୁଡ଼ିକ ଭିତରେ ହାତ ଖେଳାଉ ଖେଳାଉ ଦରଦୀ କଣ୍ଠରେ କହିଲେ ମତେ କ୍ଷମା କରିଛତ ରାଣୀ ?

 

ଦେବଭାଇଙ୍କ ଏ ନୂତନ ସମ୍ୱୋଧନରେ ମୁଁ ଦୁଇଗୁଣରେ ଶିହରି ଉଠିଲି । ଉନ୍ମାଦିନୀଭଳି ତାଙ୍କ ଖୋଲା ଛାତିରେ ଗୋଟିଏ ପାଖ ଗାଲ ମାଡ଼ିଦେଇ କହିଲି, ସ୍ୱାମୀକୁ କ’ଣ କ୍ଷମା ଦେବାର ଅଧିକାର ସ୍ତ୍ରୀର ଅଛି ? ସେତ ସଦାବେଳେ କ୍ଷମଣୀୟ ।

 

ତା’ପରେ.... । ତା’ପରେ ପରିଚିତ ଓଠର ପରଶ ମୁହଁସାରା ବୋଳିସାରି ଦେହସାରା ଖେଳି ବୁଲିଲା । ଏତେ ଟିକେ ବି ଜାଗା ବାଦ୍‌ ଗଲାନି । ଦୁର୍ବଳ ତନୁର ସମସ୍ତ ଶକ୍ତି ଏକାଠି କରି ମୋର କଅଁଳ ବାହୁ ବଲ୍ଲରୀ ଦେବଭାଇଙ୍କ ବେକ ଚାରିପଟ ଘେରେଇ ଧରିଲା । ଫୁଟୁଥିବା ପାଣିର ଉତ୍ତାପ ନେଇ ମୋର ମୃଦୁ ସ୍ପନ୍ଦିତ ଓଠ ଦିଓଟି ଦେବଭାଇଙ୍କ ମୁହଁରେ ନୀରବ ଜୀବନର ସମସ୍ତ ଉତ୍ତେଜନାକୁ ପ୍ରମାଣ କରି ଚୁମ୍ୱନଟିଏ ଆଙ୍କି ଦେଲା । ସେ ସ୍ୱାଗତ କଲେ । ପ୍ରତିରୋଧ କରି ପାରିଲେନି । କାରଣ ନିଜ ଶକ୍ତିର ବହୁ ଦୂରକୁ ସେ ଚାଲି ଯାଇଥିଲେ ।

 

କେତେବେଳେ ଫରଚା ହେଲା ମତେ ଜଣା ଗଲାନି । ମୁଁ ତର ତର ହୋଇ ଉଠିଲି । ଦେବଭାଇ କ’ଣ ଓପାସରେ ଆମ ଘରୁ ବିଦାୟ ନେବେ ? ବାଡ଼ି କୂଅରୁ ଦି’ଟା ପାଣି ଆଣି ଲୁଗା ହକାଳି ବସିଲି । ସେ ବଳକା ଜିନିଷ ସଜଡ଼ା ସଜଡ଼ିରେ ମନ ଦେଇଥାନ୍ତି । କେତେ ମିନିଟ୍‌ ପରେ କୌଣସି କାରଣ ନେଇ ଦେବଭାଇ ବାହାରକୁ ଆସିଲେ । ମତେ ଗାଧୋଉ ଥିବା ଦେଖି ଆଉ ଫେରିଲେନି । ପ୍ରସ୍ତର ମୂର୍ତ୍ତିପରି ନୀରବ ନିଶ୍ଚଳ ହୋଇ ମୋ’ଆଡ଼େ ଅନେଇ ରହିଲେ । ମୁଁ ଗାଧୋଇବି କିମିତି ? ଢାଳେ ପାଣି ଅଜାଡ଼ିଲା ବେଳକୁ ଦେହ ସାରା ଲୁଗା ଜଡ଼ି ଯାଉଛି । ମୋ ସୌନ୍ଦର୍ଯ୍ୟରେ ମୁଁ ମୁଗ୍‌ଧ ହେଲି । ଦେବଭାଇତ ପୁରୁଷ । ପୁଣି ପ୍ରିୟାର ନଗ୍ନ ଛବି । ସେ କ’ଣ ଏ ଲୋଭ ଛାଡ଼ି ଯାଇ ପାରନ୍ତେ ? ଅଧା ଗାଧୁଆ ହୋଇ ତର ତରରେ କାନିଟା ହକାଳି ଫେରିଲି । ଗୋଟାଏ ପାଖ ଲୁଗା ସଜାଡ଼ୁ ସଜାଡ଼ୁ ଆର ପାଖ ଦେହ ଫୁଟି ଦିଶୁଛି । ମୁଁ କ’ଣ କରନ୍ତି । କ’ଣ କହି ମନା କରନ୍ତି । ବିଗତ ରାତ୍ରିର କେଇ ଘଣ୍ଟା ତଳେ ନିବିଡ଼ ପରିଚୟ ଭିତରେ ପ୍ରାଣର ଅଦଳ ବଦଳ–ଧାର ଶୁଝା–‘ହଁ ଓ ନାହିଁ’ ଭିତରେ ଆତ୍ମତୃପ୍ତି । ନାହିଁ କରି ପାରିଲିନି ।

 

ସେ କିନ୍ତୁ ମୋ ପାଖ ଛାଡ଼ିଲେନି । ନୂଆ ବିବାହରେ ସ୍ତ୍ରୀକୁ ଯେମିତି ପ୍ରଥମେ ପ୍ରଥମେ ସ୍ୱାମୀ ଛାଡ଼ି ପାରେନି । ସେ ଯାହାହେଉ ଦିଅଁ ଘରେ ମଠାଟାକୁ ବଡ଼ କଷ୍ଟରେ ପାଲଟି ଆଖିରେ କଜଳ ଗାରେ ଦଉଛି ଦେବଭାଇ ଘର ଭିତରକୁ ଚାଲି ଆସିଲେ । ଗାଲ ଦି’ଟିକୁ ଦି’ଟିପରେ ଚିପିଦେଇ ମଥାରେ ମାରିଦେଲେ ସିନ୍ଦୁର ବିନ୍ଦୁଟିଏ । ଆଉ ସେଇ ସିନ୍ଦୁରର ଗାରଟେ ମୋର ସୁନ୍ଥାରେ । ମତେ ତାଙ୍କ ଆଡ଼କୁ ଘୁଞ୍ଚାଇ ଆଣୁ ଆଣୁ କହିଲେ, ଆଜି ବିଦାୟ ବେଳାରେ ମୁଁ ତମକୁ ଏତିକି ଦେଇ ଯାଉଛି ମେଘ ! ସମାଜ ଜାଣୁ ବା ନ ଜାଣୁ ଆଜି ଦିନର ଏଇ ବ୍ରାହ୍ମ ମୁହୂର୍ତ୍ତରେ ତମର ମୋର ସବୁକିଛି ହୋଇଗଲା ଚିରଦିନ ଲାଗି । ସତ୍ୟ କର ।

 

ମୁଁ ଥରିଲା କଣ୍ଠରେ କହିଲି–ଦେବତା, ଭୁଲି ଯିବନି ତ ?

 

ସେ ଅଶ୍ରୁଳ କଣ୍ଠରେ ବ୍ୟଥାର ଦରଦ ବୋଳି କହିଲେ-ରାଣ । ସତରେ ସାରା ଜୀବନ ପାଇଁ ମୁଁ ତମକୁ ପାଇବି ?

 

ଦୁଇଟି ଅତୃପ୍ତ ଆତ୍ମା ପୁନଃର୍ମିଳନର ଆଶାରେ ଦୁହିଁଙ୍କ ଦେହର ଉତ୍ତାପ ନିବିଡ଼ ଭାବରେ ଉପଭୋଗ କଲେ ।

 

ଦେବଭାଇ ସୀମା ଟପି ଯିବାକୁ ବସିଥିଲେ । ମୁଁ ଅତି କଷ୍ଟରେ ପ୍ରତିରୋଧ କଲି । ହଠାତ୍‌ ମନକୁ ଆସିଲା ବୋଉ ଯଦି ଉଠେ ? ସେ ଭାବିବ କ’ଣ ? ତାରି ସରଳତାର ସୁଯୋଗ ନେଇ ଆମେ ଦିହେଁ ଆଉ ବାକି ରଖିଛେ କ’ଣ ? ସେ ନିଶାକ୍ରାନ୍ତ ଅଣଆୟତ୍ତ ଲୋକଭଳି କହିଲେ, ମେଘ ତମେ କେଡ଼େ ସୁନ୍ଦର ? ତୁମରି ଏ ଉଠାପଡ଼ା ଶରୀର ଭିତରେ ନିଜକୁ ମୁଁ ଲୁଚାଇ ଦେବାକୁ କେତେ ବ୍ୟଗ୍ର, ତମେ ହୁଏତ ବୁଝିପାରିବନି । କିନ୍ତୁ ମତେ ତମେ ବାରମ୍ୱାର ଆଘାତ ଦେଇଛ । ମୁଁ ବିଶ୍ୱାସ କରିପାରୁନି ତମେ ସତରେ ଦିନେ ନିଜକୁ ମୋ ପାଖରେ ହଜାଇ ଦେବ ?

 

–ତମେ ତ ଆଘାତ ଦେବାପାଇଁ ମତେ ସେଦିନ କହିଥିଲ ।

 

–କିନ୍ତୁ ଆଜିପାଇଁ ନୁହେଁ । ପୁଣି ଏ ସମୟ ପାଇଁ ନୁହେଁ । କେତୋଟି ମିନିଟ ପରେ ମୁଁ ପରା ଚାଲି ଯିବି । ତମେ ଭାରି ଅନଭିଜ୍ଞା । ଅନ୍ଦାଜ କରି ଗୁଡ଼ାଏ କଥା କହିବାକୁ ହୁଏ । ସବୁ କହି ହୁଏନି । ଯେହେତୁ ମୁଁ ଚାଲି ଯାଉଛି ତେଣୁ ଇତିହାସ ପୁନରାବୃତ୍ତିର ସମ୍ଭାବନା ନାହିଁ । ସମାଜ ଠକି ଦେବାର ପ୍ରଶ୍ନ ଉଠୁନି । ବରଂ ସମାଜ ଆଖିରେ ଆମେ ଅନ୍ଧପୁଟୁଳି ବାନ୍ଧିଦେବାର ସମ୍ଭାବନା ଅଛି ।

 

ତାଙ୍କ କଥାରୁ ଯାହା ବୁଝିଲି ସେଥିରେ ଦେବଭାଇଙ୍କ ବୁଦ୍ଧିକୁ ତାରିଫ କରିବାକୁ ବାଧ୍ୟ ହେଲି । ସେତେବେଳକୁ ଲେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିଲା । ବୋଉ ଆର ଘରୁ ଡାକ ଛାଡ଼ୁଥିଲା–ମେଘ ! ଦେବକୁ ଉଠାଇ ଦେ, ମଟର ବେଳ ହେଲାଣି ।

 

ଦେବଭାଇ ଚାଲିଗଲେ–ତାଙ୍କ ଗୋଡ଼ ତଳେ ମୁଣ୍ଡ ରଖି ଆଉ ହସି ହସି–ବୋଉକୁ ପଛ କରି, ମୋ’ଆଡ଼େ ଚାହିଁ କାନ୍ଦି କାନ୍ଦି । ମୁଁ ସମ୍ଭାଳି ପାରିଲିନି । ଆଖିରେ ଚୁଲି ଧୂଆଁର ଦ୍ୱାହିଦେଇ ବେଶ୍‌ ଅସରାଏ କାନ୍ଦିଲି । ମୁହଁରେ କୃତ୍ରିମ ହସ ଫୁଟାଇ କହିଲି, ପୁଣି କେବେ ଆସିବ ? କିନ୍ତୁ କାନ୍ଦୁରା କଣ୍ଠ ଅଲଗା–ଗୁଡ଼ିଏ ସ୍ୱର ଏକାଠି ବାହାରି ଆସେ । ବୋଉ ବେଶ୍‌ ଠଉରେଇ ନେଲା ମୁଁ କାନ୍ଦୁଥିଲି ବୋଲି । ମୁଁ ତା’ଆଡ଼ିକି ଚାହିଁ ଯେତେ ହସୁଥିଲେ ମଧ୍ୟ କାନ୍ଦୁଥିବା ଲୋକର ଅଭିନୟ ସହଜେ ଧରାପଡ଼ିଯାଏ । ସେତିକିବେଳୁ ମୁଁ ଲକ୍ଷ୍ୟ କଲି ବୋଉର କାଳିମାହୀନ ପବିତ୍ର ମନଟା ସନ୍ଦେହ ବଉଦରେ ଦୋଳି ଖେଳୁଛି । ତା’ ମନରେ ଘୁଣ ଧରିଛି ।

 

ଗାଡ଼ିର ହର୍ଣ୍ଣ ଶୁଭିଲା । ଗାଡ଼ି ଛାଡ଼ିଲା । ଦେବଭାଇଙ୍କ ଡାହାଣ ହାତ ମଟର ଫାଙ୍କ ବାଟେ ବାହାରେ ଚାରି ପାଞ୍ଚ ଥର ହଲି ଉଠିଲା । ମୋ ହାତଟା କାନି ତଳୁ ଥରି ଥରି ଶୁଭବିଦାୟର ଉତ୍ତର ଦେଉଥିଲା । ବୋଉ କବାଟ ଦେଲା ।

 

ଚଳଚିତ୍ରର ଫିଲ୍ମ ଫୁଟ ଫୁଟ ହୋଇ ଘୂରିଚାଲିଲା ଭଳି ଦେବଭାଇ ଯିବାର ଦିନଦିନ ହୋଇ କେତେ ଦିନ ବିତିଗଲା । ତା’ର ହିସାବ ରଖିବା ପାଇଁ ବହୁତ ଚେଷ୍ଟା କରି ମୁଁ ପାରିଲି ନାହିଁ । ମାସକ ଭିତରେ ଯେଉଁ ଦୁଇ ଚାରିଦିନ ସହଳ ଗାଧୋଇବାକୁ ପଡ଼େ ସେ ଦିନତକ ଖାଲି ଆଖିରୁ ପାଣି ଝରେ । ମନେପଡ଼ିଯାଏ ସେ ଗଲା ଦିନର ପାହାନ୍ତି ଗାଧୁଆ କଥା । ଯାହା ଦିନେ ଭାବିଲେ ଲାଜରେ ମୁହଁ କଳା ପଡ଼ି ଯାଉଥିଲା ଆଜିକାଲି ତାହା ସବୁବେଳେ ମନେ ପକାଇବାକୁ ଇଚ୍ଛା ହୁଏ । ଏଭଳି ପରିବର୍ତ୍ତନର କାରଣ ମୁଁ ଖୋଜି କିଛି ପାଇଲି ନାହିଁ । ସେବର ଖାଇ ଶିଖିବାର ଅଦମ୍ୟ ଅଭିଳାଷ ଆଜି ଉତ୍କଟ କ୍ଷୁଧାରେ ପରିଣତ ହୋଇଛି । ଲାଜ ଲାଜ ହୋଇ ଅନ୍ତର ଭିତରୁ ଆମେ ଯାହାକୁ ପ୍ରତୀକ୍ଷା କରିବାରେ ସମୟ କଟୁ ଥିଲା, ଏବେ ତାକୁ ବଳପ୍ରୟୋଗ କରି ହାସଲ କରିବା ପାଇଁ ମନ ଦଉଡ଼ିଲାଣି ।

 

ମୁଁ ଆଉ ବର୍ଷା ଦିନରେ ମଝି ଘରକୁ ଯାଏନା । ଏଇଠି ଏମିତି ବର୍ଷଣ ମୁଖର ଦିନରେ ପ୍ରାଣର ଅଦଳ ବଦଳ ନେଇ ମନ ଏବଂ ବିବେକ ମଧ୍ୟରେ କେତେ ଯୁଦ୍ଧ ଲାଗିନଥିଲା । କେହି କାହା ପାଖରେ ଥରକ ଲାଗି ହାରି ଯାଇନଥିଲେ । କିନ୍ତୁ କ୍ଷୁଧିତ ଦୁଇଟି ପ୍ରାଣ ଅତି ନିର୍ମମ ଭାବରେ ପରସ୍ପରକୁ ଚିହ୍ନି ପାରିଥିଲେ ଯାହା ।

 

କ୍ଷୀଣ ଅତୀତର ସମସ୍ତ ଅଭୁଲା ସ୍ମୃତି ମତେ ବାରମ୍ୱାର କକ୍ଷଚ୍ୟୁତ କରି ବିପଥଗାମୀ ହେବାର ସାହାଯ୍ୟ କଲା । ସ୍ୱାଭାବିକ୍‌ । ମନର ସ୍ୱତଃ ପ୍ରସ୍ଫୁଟିତ ଇଚ୍ଛାକୁ ବଳପ୍ରୟୋଗ କରି ଦବାଇ ଦିଆଯାଇ ପାରେନା । ତରଳ ପଦାର୍ଥକୁ ବଳପ୍ରୟୋଗ କରି ଚିପି ଧରିଲେ–ସେ ଚିପି ହୁଏନି ବରଂ ସାମାନ୍ୟ ପଥ ପାଇଲେ ପିଚିକି ଉଠେ । ସମାନ ଚାପ ରଖିବା ଯେପରି ଜଡ଼ର ଧର୍ମ, ମଣିଷ ମନର ଧର୍ମ ହେଉଛି ତାହାର ସ୍ୱତଃ ଉଦ୍‌ଗତ ଭାବନାରାଜି ଆଉ ପ୍ରତିଭା ।

 

ତେଣୁ ମୁଁ ସେଦିନ ମୋର ଭୌତିକ ସ୍ଥିତି ଭୁଲିଗଲି । ଗାଁ ଝିଅ ପର ପୁରୁଷ ପାଖକୁ ଚିଠି ଲେଖିବା କିପରି ଦୋଷାବହ ତା’ବି ଭୁଲିଗଲି । ବୋଉ ପାଖ ଖଟରେ ଶୋଇଥାଏ । ଡିବି ଜାଳି ମୁଁ ଦେବଭାଇଙ୍କ ପାଖକୁ ଚିଠି ଖଣ୍ଡିଏ ଲେଖି ବସିଲି । ଯେଉଁଥିରେ ଥିଲା ମଉଳି ଯାଇଥିବା ପ୍ରାଣର ଅବଶିଷ୍ଟ ମହକ-ମିଳନପିପାସୁ ଅନ୍ତରର ନିବେଦନ–ଭଗ୍ନସ୍ୱାସ୍ଥ୍ୟର ଇତିବୃତ୍ତ । ଦେବଭାଇ ଉତ୍ତର ଦେଇଥିଲେ–

 

ଆଦରର ‘ମେଘ’ !

 

ସୁଦୂରରୁ ସ୍ନେହ ନେବ । ଚିଠିଟା ପାଇ ମୁଁ ମୋଟେ ବିଶ୍ୱାସ କରି ପାରିଲିନି ଯେ ତମେ ଚିଠି ଦେବ-ଏ ବିଶ୍ୱାସ ତ ମୋର ବର୍ଷେ ହେଲା ମରି ଯାଇଛି । ତମ ଘରୁ ଆସିଲା ଦିନୁ ଆଜି ଯାଏ ଖଣ୍ଡେ ହେଲେ ଚିଠି ଦେଇ ନଥିଲ । ମିଛ ଭାବିବ କେତେଥର ଯେ ସେ ଚିଠି ପଢ଼ିଛି ତା’ର ଇୟତ୍ତା ନାହିଁ । ପ୍ରତି ଥର ନୂଆ ଲାଗେ । ଚିଠି ପଢ଼ୁ ପଢ଼ୁ ତମ କଣ୍ଠସ୍ୱର କାନରେ ବାଜିଯାଏ । ଆଖି ଆଗରେ ମିଛ କାନ୍ଦ ମିଶା ହସିଲା ମୁହଁଟି ଦିଶିଯାଏ । କିନ୍ତୁ କାହାକୁ ପାଏନି ।

 

ତମେ ମୋର ଫଟ ମାଗିଛ । କେମିତି ଦେବି ? ଯୁ ବାଲୁରି ଝିଅ ନା, ଚାରିବର୍ଷ ଲୁଚାଇ ରଖିଲାଭଳି ବିଶ୍ୱାସ ହେଉନି । ଚାରିଦିନ ଯାଉ ନ ଯାଉଣୁ ଧରାପକେଇ ଦେବ । ଭଲ ଫଟ ନାହିଁ । ଉଠାଇ ପରେ ପଠାଉଛି ।

 

ତମେ ଭାବୁଥିବ ମୁଁ ତମ ଉପରେ ରାଗି ଚିଠି ଦେଲି ନାହିଁ ବୋଲି । ସତରେ ତୁମେ ମିଛ ନୁହଁ । ମୋଠୁ ଚଠି ପାଇଲେ ତମେ ଚିଠି ଦେବ । ତମଠୁ ଆଗ ପାଇବା ପାଇଁ ବହୁ କଷ୍ଟରେ ମନ ମାରି ନୀରବ ରହିଥିଲି । ସବୁବେଳେ ମନେପଡ଼େ-ତମ କଥା ଭାବେ । ତମେ ସେହି ମେଘ ଯେ ମୋର ଆର୍ଥିକ ଅନାଟନକୁ ଅତି ବିଦ୍ରୂପ ଭାବରେ ସମାଲୋଚନା କରି ମତେ ଅପଦାର୍ଥ ବୋଲି ଘୋଷଣା କରିଥିଲା ଏବଂ ଯିଏ ନିଜେ ନଇଁ ନଯାଇ ମତେ ତା’ର ପାଦ ତଳେ ନୁଆଇଁ ରଖିବାକୁ ଚେଷ୍ଟା କରୁଥିଲା । ମୋର କିନ୍ତୁ ସେ ସମ୍ପର୍କରେ ତମ ନିକଟରେ କୌଣସି ଅଭିମାନ ନାହିଁ । ଅଭିମାନ ଅଛି କେଉଁଥିରେ ଜାଣ ? ସତ କହିଲ ତମେ କିପରି ଏଡ଼େ ନିଷ୍ଠୁର ପାଲେଟି ମତେ ପଢ଼ାଇବାକୁ ପଠାଇ ପାରିଲ ? ତା’ ଅର୍ଥ ତମେ ପ୍ରେମ ସଙ୍ଗେ ସଙ୍ଗେ ସମାଜରେ ମଧ୍ୟ ଗୋଟାଏ ପ୍ରତିଷ୍ଠିତ ଆସନ ଚାହଁ । ମୁଁ ତମ ବୁଦ୍ଧିକୁ ତାରିଫ କରୁଛି । କିନ୍ତୁ ମନେରଖ ତମେ ଯଦି ମତେ ଆନ୍ତରିକ ଚାହଁ, ତେବେ ସମାଜରେ କେବେହେଲେ ବଡ଼ ଗାଦି ପାଇ ପାରିବନି ।

 

କାରଣଟା ନିହାତି ସ୍ପଷ୍ଟ । ତମ ଗାଁ ଛାଡ଼ି ଆସିଲା ବେଳୁ ମୋର ସବୁକିଛି ଓଲଟ ପାଲଟ ହୋଇଯାଇଛି, ଦୁର୍ଦ୍ଧର୍ଷ ନାଗସାପ କେଳାର ମନ୍ତ୍ରରେ ବଶ ହେଲାପରି । ବୋଉ (ତମର ବସନ୍ତ ମାଉସୀ) ମତେ ଦେଖି କହିଲା, ଯାହାହେଉ ମାଉସୀ ଘରକୁ ଯାଇ ପୁଅର ବୁଦ୍ଧି ହେଲା । ଗାଁ ସାଙ୍ଗମାନେ କହିଲେ, କିରେ କଥା କ’ଣ ? ଅରଣା ମଇଁଷିକୁ ବାନ୍ଧିଲା କିଏ ?

 

ଗାଁରେ ମାର ଧର, କଳି କଜିଆ ସବୁ କମିଗଲା । ତାଙ୍କ ଭିତରୁ କେତେ ଜଣ କହିଲେ, ଅବଶ୍ୟ ମୋ ପଛରେ ସେ ପ୍ରେମରେ ପଡ଼ିଛି ।

 

ଦିନ, ରାତି, ଖରା କାକରରେ ବୁଲିବା, ପାଣିରେ ପହଁରିବା, ଗଛ ଚଢ଼ିବା ଯାହାର ବ୍ୟବସାୟ ଥିଲା, ସେ କିପରି ଏତେ ସାଦାସିଧା ପାଲଟି ଗଲା !

 

ଆଉ ସେହି କଥାଗୁଡ଼ା ମୋର ସବୁବେଳେ ମନେପଡ଼ି ମତେ ବାରମ୍ବାର ବିବ୍ରତ କରୁଛି-। ପରୀକ୍ଷା ମାସେ ରହିଲା । ମୁଁ ଏଯାଏଁ କିଛି ପଢ଼ି ପାରିନି । ସୁତରାଂ ମୋର କୃତକାର୍ଯ୍ୟତା ଏଥିରୁ ସହଜେ ଅନୁମେୟ । ଫେଲ ହେଲେ ପଢ଼ିବାର ଆଉ ପ୍ରଶ୍ନ ଉଠୁନି । ଜୀବନରେ ପ୍ରଥମଥର ଲାଗି ଅକୃତକାର୍ଯ୍ୟ ହେବା ପୂର୍ବରୁ ମୁଁ ଚାହେଁ ତୁମ ବିକ୍ଷିପ୍ତ ଅଞ୍ଚଳ ତଳେ ହଜି ଯିବାକୁ । ଏହି ଅଭିମାନର ଆକ୍ରମଣ ଭିତରେ ମୁଁ ଫଟ ନପଠାଇ ପାରି ଦୁଃଖିତ । ଆଉ ମଧ୍ୟ ମୋର ଫଟଟାକୁ ତମ ନିକଟରେ ବନ୍ଧା ପକାଇବାକୁ ମୁଁ ଚାହେଁନା । ମୁଁ ଚାହେଁ ଚିରଦିନ ଲାଗି ତମ ଉଷୁମ ଛାତି ତଳେ ବନ୍ଦୀ ହୋଇ ଯିବାକୁ । ଧୂଳିରୁ ଗୋଟିଏ ଆଲୋଡ଼ା ଫୁଲ ଗୋଟାଇ ନେଇ ତମେ ଯତ୍ନରେ କାନିରେ ବାନ୍ଧି ଚିରଦିନ ପାଇଁ ରଖିପାରିବତ ?

 

ଅବହେଳିତ

‘ଦେବଭାଇ’

 

ଚିଠିଟା ଯେତେଥର ପଢ଼ିଲି ସେତିକି ନୂଆ ଲାଗିଲା । ସେଦିନ ତାଙ୍କ ମନରେ ଯେଉଁ କ୍ଷତ ସୃଷ୍ଟି କରିଥିଲି, ତା’ ଏଯାଏ ଦେବଭାଇ ଭୁଲିପାରିନାହାନ୍ତି । ମନେ ମନେ ନିଜକୁ ବହେ ଗାଳି ଦେଲି । କିନ୍ତୁ ଉପାୟ କିଛି ନ ଥିଲା । ସଜଳ ଆଖିରେ ତାଙ୍କରି ଅଭିମାନଗୁଡ଼ା ସହି ଯିବାକୁ ହେଲା-

 

ମୁଁ ଆଉ ଚିଠି ଦେଲି ନାହିଁ । କାହିଁକି ଲେଖି ତାଙ୍କ ମନରେ ଦୁଃଖ ଦେବି । ସତରେ ଯଦି ପରୀକ୍ଷାରେ ତାଙ୍କର କିଛି ହୋଇଯାଏ । ମନ ପାପ ମନରେ ମରିଯାଏ । ଯାହାର ଏତେ ବୁଦ୍ଧି ଯେ ଏତେ ସୁନ୍ଦର, ମନଦେଇ କଥା କହି ଜାଣନ୍ତି, ସେ କ’ଣ ସାମାନ୍ୟ ବହି ମୁଖସ୍ତ କରିନପାରି ହାରି ଯିବେ ? କଦାପି ନୁହଁ । ନିଜକୁ ନିଜେ ଯଥେଷ୍ଟ ଦମ୍ଭ ଦିଏ । ତଥାପି ଛାତି ଭିତରୁ ବାରଂବାର କିଏ ପାପ କଥାକୁ ସମର୍ଥନ କରୁଥିଲା । ମୁଁ ଦିନ ପରେ ଦିନ ସେହି କଥା ଭାବି କଳା ପଡ଼ି ଯାଉଥିଲି ।

 

ବୋଉ ମୋର ଏପରି ଅବସ୍ଥା ଦେଖି ଦିନେ କହିଲା, ଚାହୁଁ ଚାହୁଁ ବରଷ ପୂରିଲା । ଦେବର କ’ଣ ଏ ଯାଏଁ ପରୀକ୍ଷା ସରିନି ? ମୁଁ ତୋ ବାପାଙ୍କୁ ଯେତେ କହିଲେ ସୁଦ୍ଧା ସେ ଦେବ ପାଖକୁ ଚିଠିଟିଏ ଲେଖୁ ନାହାଁନ୍ତି । ତୁ ମା’ ଚିଠିରେ ଲେଖି ଦବୁଟି । ଦିନ କେତୋଟି ଏଠାରେ ରହି ତା’ ଗାଁକୁ ପଛେ ଯାଆନ୍ତା ।

 

ବୋଉ କଥାରେ ମୁଁ ଲାଜରେ ଝାଉଁଳି ଗଲି–ମୁଁ ଯେ ତା’ ଆଖିରେ ଆଉ ଲୁଚି ରହିପାରିନି–ସେ ସବୁ ଜଣେ–କ୍ଷତି କ’ଣ ? ଅପାତ୍ରରେ ତା’ ଝିଅ କେବେ ଭାସି ଯିବନି । ମାଆ ସିଏ । ଝିଅ ତା’ର ଅତୀତ ବୟସର ପ୍ରତିଛବି । ନାରୀ ସିଏ–ପୁରୁଷର ଲୁଣ୍ଠନରେ ସେ ଗୌରବାନ୍ୱିତା–ନିଜ କାୟାର ଭଗ୍ନାଂଶ ସୃଷ୍ଟିକରି ଯେ ସୃଷ୍ଟିକୁ ବଞ୍ଚାଇ ରଖେ–ଯୌବନକୁ ଆହୁତିଦେଇ ଆଉ କେତୋଟି ଯୌବନ ଗଢ଼ି ଦିଏ । ଯେ ଜୀବନର ପ୍ରତିଛନ୍ଦରେ ହଜି ଯାଇ ନୂଆ ରାଗରେ ଉଦ୍‌ଭାସିତ ହୁଏ ।

 

ବୋଉର ସମବେଦନା ପ୍ରତି ମଉନ ପ୍ରଣତି ଢାଳି ମୁଁ ହସି ହସି ଫେରିଲି । ପ୍ରାଣରେ ଏ କ୍ଷଣିକ ପରିବର୍ତ୍ତନ ବା ଭାବପ୍ରବଣତା ବହୁ ସମୟ ଧରି ତିଷ୍ଠି ରହିପାରିଲାନାହିଁ । ପରେ ପରେ ଅତୀତ ଜଳି ଉଠିଲା । କାନ୍ଦୁରା ମୁହଁଟା ତକିଆ ଉପରେ ମାଡ଼ିଦେଇ ମୁଁ ଆଖିବୁଜି ଯେପରି ଦେବଭାଇଙ୍କ ସାନ୍ନିଧ୍ୟ ଖୋଜୁଥିଲି ଅତି ଅସହାୟ ଭାବରେ ।

 

ସେ ନିଶ୍ଚୟ ଗୋଟାଏ ଅଶୁଭ ସକାଳ–ସଂଜ୍ଞା ଯାହାର ଭିତ୍ତିହୀନ । ସେ ଉଦୟ ସ୍ୱପନକୁ କୋଳରେ ଧରି ମଧ୍ୟ ଅପବିତ୍ର । ଯେ ଗୋଟିଏ ଅଖ୍ୟାତ କିଶୋରୀର ସବୁକିଛି ଲୁଟିନେଇ ମଧ୍ୟ ଗର୍ବିତ । ମୁଁ ଯେତେଥର ଖବର କାଗଜଟିକୁ ଓଲଟାଇ ଦେଖିଲି ଦେବଭାଇଙ୍କ ନାଁ ପାଇଲି ନାହିଁ । ଇଜିନିୟରିଂ ପଢ଼ାର ପ୍ରଥମ ବର୍ଷରେ ସେ ଅଟକି ଗଲେ । ସମସ୍ତ ପାସ୍‍ କରିବାକୁ ଆହୁରି ୪ବର୍ଷ ଲାଗିଯିବ । ଟଙ୍କା ? ମୁଁ କିଛି ଭାବିପାରିଲିନାହିଁ । ମୁଣ୍ଡ ଗୋଳମାଳ ହୋଇଗଲା । ଦୁଃଖରେ ହାତଗୁଡ଼ା ମୁଠା ମୁଠା ହୋଇଯାଉଥିଲା ଯାହା । ଠିକ୍‌ ପରାସ୍ତ ସୈନିକ ପୁନର୍ବାର ଖଡ଼୍‌ଗ ଉତ୍ତୋଳନ କରି ଦ୍ୱିଗୁଣ ଉତ୍ସାହରେ ଯୁଦ୍ଧକୁ ଆହ୍ୱାନ କଲାଭଳି ମୁଁ ଭାବୁଥିଲି ପୁଣି ଆଉଥରେ ଯଦି ପରୀକ୍ଷା ହୁଅନ୍ତା; ଦେଖନ୍ତେ ଦେବଭାଇଙ୍କୁ କିଏ ଫେଲ କରି ପାରନ୍ତା !

 

ପିଲା ଭାବନା–ଅପରିପକ୍ୱ ମସ୍ତିସ୍କରୁ ଉଦ୍ଭୂତ । ବୟସ ହେଲେ ମଧ୍ୟ ବାହାର ଜ୍ଞାନରେ ଆମେମାନେ ଭାରି ଦୁର୍ବଳ ।

 

ଭାବନାର ସୀମାହୀନ ରାସ୍ତା ଉପରେ ଦଉଡ଼ି ଦଉଡ଼ି ମନ ଥକି ଯାଏ–ନରମି ଯାଏ । ତା’ପରେ ଆଖିଆଗରେ ଭାସିଉଠେ ଠିକ୍‌ ତା’ର ଓଲଟା ଚିତ୍ର । ସବୁ ଅଭିସନ୍ଧିତ୍ସୁ ଦୃଷ୍ଟିକୋଣ ଘୁଞ୍ଚି ଯାଏ । ଭୀଷ୍ମପ୍ରତିଜ୍ଞାରେ କଳଙ୍କି ଲାଗେ । ମନ ଦଉଡ଼ିଯାଏ ସବୁ ସୁଖ, ସରାଗ, ଭବିଷ୍ୟତ ଆଶା ଓ ଉଚ୍ଚହୋଇ ଗଢ଼ି ଉଠିବାର କଳ୍ପନା ପ୍ରଭୃତିକୁ ପଛରେ ପକାଇ ଗୋଟିକ ପଛରେ, ଯାହାଲାଗି ସମସ୍ତ ଦୁଃଖ ସହିଯିବାର ପ୍ରେରଣା ଆସେ ।

 

ଖବର ଅଜଣା ରହିଲା ନାହିଁ । ବୋଉ ଜାଣିଲା । କେତେ ଦିନ ପରେ ଘରକୁ ଆସି ବାପାବି ଜାଣିଲେ ।

 

ବାପା ମତେ କିଛି ସେଦିନ ପଚାରିଲେ ନାହିଁ । ରାତିଟା ଯାକ ଏକୁଟିଆ ଖଟ ଉପରେ ଚିଙ୍ଗୁଡ଼ି ମାଛପରି ବଙ୍କାହୋଇପଡ଼ିଲେ ବି ଦିନ ହେଲାନି । ବାପାଙ୍କ ଶୋଇବା ଘରୁ ବାପା ବୋଉଙ୍କର କଣ୍ଠ ଶୁଣାଗଲା । ବୋଉ କହୁଥାଏ–

 

ତମେ ଗଲେ ଯାଅ, ମୁଁ କିନ୍ତୁ କାଲି ସକାଳେ ବସନ୍ତ ଅପା ପାଖକୁ ଯାଉଛି । ଏଣେ ଝିଅଟା କଳା କାଠ ପଡ଼ିଲାଣି । ଦିନ କେତୁଟାରେ ଲୁଣି ସୁଖୁଆପରି ଝଡ଼ି ପଡ଼ିଲାଣି । ସେ ଆସି ତା’ ବୋହୂକୁ ଦେଖି ଯାଉ ।

 

ବାପା କହୁଥିଲେ–ମେଘ କ’ଣ ଏକୁଟିଆ ରହିବ ?

 

–ଆଉ କଣ ସାଙ୍ଗରେ ଯିବ ? ଟିକିଏ ହେଲେ ବୁଦ୍ଧି ହେଲାନି । ଝିଅକୁ ନେଇ କ’ଣ ବୋହୂ ଦେଖା ହୁଏ । ବର ପକ୍ଷଆସି ବୋହୂ ଦେଖନ୍ତି ନା । ଦିନଟାକର କଥା । ଗୋଟାଏ ରାତି ଶାରୀଆ ଆଈକୁ କହି ଦେବା । ସେ ରାତିରେ ଆସି ଶୋଇବ ।

 

ଏତିକି ।

 

ଦେବଭାଇ ଯେଉଁ ପାହାନ୍ତିଆ ଗାଡ଼ିରେ ଯାଇଥିଲେ ବୋଉ ଏବଂ ବାପା ସେହି ଗାଡ଼ିରେ ଚାଲିଗଲେ । କହିଗଲେ ଆଜି ସଞ୍ଜରେ କିମ୍ୱା କାଲି ସକାଳେ ଫେରିବେ ବୋଲି । ଗାଧୁଆ ବେଳକୁ ଶାରୀଆ ଆଈ ଦାନ୍ତରେ ଗୁଡ଼ାଖୁ ଟିପେ ମାରି ପଚାରି ଦେଲା–କ’ଣ ଝୁଅ ଦରକାର ? ସଞ୍ଜ ଥାଉ ଥାଉ ସେ ଆସିବ । ଦିନରେ ଆସିବାର ଆବଶ୍ୟକତା ନାହିଁ । ପ୍ରଧାନ ଘରେ ଧାନ କୁଟିବାକୁ ସେ ଯାଏ । ମୁଁ ଯଦି ଦିନବେଳେ ତା’ର ସାହାଯ୍ୟ ଚାହେଁ ତେବେ ସେ ଆସିପାରେ । ମୁଁ କିନ୍ତୁ ମନା କଲି । ଦିନଟାରେ ଡରିବାର ପ୍ରଶ୍ନ ଉଠୁନି ।

 

ବାପା ବୋଉ ଯିବା ପରେ ଆନନ୍ଦରେ ମୋର ଗୋଡ଼ ତଳେ ଲାଗୁନଥାଏ । କାହିଁକି ? ନାରୀ କଅଁଳ–ସରଳ ପ୍ରାଣା–ସ୍ନେହ ଦେଇ ଜାଣେ–ଗ୍ରହଣ କରିବା ବାଟ ତାକୁ ଜଣାନାହିଁ । ସେ ଭଲପାଏ ପ୍ରାଣର ବଦଳରେ–ନିଜର ସମସ୍ତ ସୁଖ ଶାନ୍ତି ଜଣକ ପାଖରେ ଅଜାଡ଼ିଦିଏ । ସେ କିଏ-? ସେ ସ୍ୱାମୀ–ଭୌତିକ ଜୀବନର ଦେବତା– । ସେ ପ୍ରିୟ–ମନ କ୍ଷୁଧାର ସୁଷମ ଖାଦ୍ୟ, କ୍ଳାନ୍ତିରେ ମିଳନ-ମୂର୍ଚ୍ଛନା ଓ ଜୀବନ ବୀଣାର ତାର । ଯାହାର ଅନନ୍ତ କୋଳରେ ନାରୀ ଚିରଦିନ ହଜି ଯାଏ-। ଦୁନିଆର କୌଣସି ଶକ୍ତି ତାକୁ ପୃଥକ୍‌ କରି ପାରେନା ।

 

ସୂରୁଯ ଦେବତା ମଥାନ ଉପରେ ହେଲେ । ନିଜର ଛାଇଟା ନିହାତି ଛୋଟିଆ ଦିଶିଲା । ଦାଣ୍ଡ କବାଟ ଶିକୁଳିଦେଇ ମୁଁ ଫେରିଲି । ଘରଟା ଖାଲି ଖାଲି ଲାଗୁଥାଏ । ଜୁଆରିଆ ବୟସର ଏଭଳି ଉନ୍ମନ ମନ ନେଇ ମୁଁ ବୋଧେ ପ୍ରଥମଥର ଲାଗି ଘରେ ଏକୁଟିଆ ରହୁଛି । ଅବିଚଳିତ ମନର ବିସ୍ମୟକର ଗତି ଦେଖି ମୁଁ କାବାହୋଇଯାଉଥାଏ । ଏଭଳି ନିର୍ଜନ ବେଳାରେ ଆଦର୍ଶ କଥା ଭାବିହୁଏନି । ମନ ଦୌଡ଼ି ଯାଏ ସୃଷ୍ଟିର ପ୍ରଥମ ସୋପାନକୁ । କଳ୍ପନାର ସାଙ୍ଗ ଆଖି ଆଗରେ ନାଚି ଉଠେ । ଯୌବନମତ୍ତ ଶରୀରରେ ବେପଥୁ ଖେଳି ବୁଲେ । ବାହୁବେଷ୍ଟନୀ ଅଥୟ ହୁଏ । ଯାହାକୁ ଛାତିରେ ଚାପି ଧରେ, ସେ ନିର୍ଜୀବ । ସଜୀବ କାହିଁ ? ତଥାପି ଦେହର ଉତ୍ତାପ ବଢ଼ିଯାଏ ଆଉ କାହାର ଉତ୍ତାପ ଆଶାରେ । ପାଏନି । ନିଜ ତାତିରୁ କିଛି ହରାଇ ବସେ । ଅବିଚଳିତ ଭାବରେ ଶୋଉ ଶୋଉ ଚେତନ ସ୍ୱପ୍ନରେ ଦିଶିଯାଏ ମନର କାଳିମା । ତା’ପରେ...

 

…ତା’ପରେ ଦୁଆରେ ଠକ୍‌ ଠକ୍‌ । ସ୍ୱପ୍ନ କୁଆଡ଼େ ମିଳେଇ ଗଲା । ବିରକ୍ତହୋଇ ଦୁଆର ଫିଟାଇ ‘ଶୁଭ’ ଆସିଛି । ସେ ଗଣିତ ବୁଝିବ । ଶୁଭଙ୍କରୀ ଗଣିତ ବୁଝିବାକୁ ପ୍ରାୟ ମୋ ପାଖକୁ ଆସେ । ବୟସ ବେଶୀ ନୁହେଁ–ବାର । ସପ୍ତମ ଶ୍ରେଣୀକୁ ଏ ବର୍ଷ ଯାଇଛି । ‘‘ଶୁଭଙ୍କରୀ’’ । ତା’ ଔପନ୍ୟାସିକ ‘ନାଁ’ଟା ମତେ ଏତେ ଭଲଲାଗେ କହି ହେବନି । ଯିଏ ନାଁଟା ଦେଇଛି ତା’ପ୍ରତି ସ୍ୱତଃ ଶ୍ରଦ୍ଧା ଜାଗ୍ରତ ହୁଏ । ଏଇ ନାଁଟା ମତେ ଶୁଭ ସହିତ ପ୍ରଥମେ ପରିଚୟ କରାଇଥିଲା ।

 

ବୟସ ସିନା ବାର । ଶୁଭଙ୍କରୀ କିନ୍ତୁ ଆହୁରି ବୟସ୍କା ଦିଶେ । ଅମ୍ୱୁଭଳି ପିଲା କିନା । ସେ ଫ୍ରକ୍‌ଟିଏ ପନ୍ଧିଥାଏ । ଆଖିରେ ଆଗାମୀ ସ୍ନପ୍ନର ମାଦକତା ପୂରି ରହିଛି ।

 

ଶୁଭଙ୍କରୀ ପ୍ରତିଦିନ ଆସେ । ଆଜି ଆସିଛି । ଆଜି ଆସିବାରେ କିଛି ବିଶେଷତ୍ୱ ଥିଲାପରି ଲାଗିଲା । ନିର୍ଜନରେ ଅତୀତର ସେ ଉଭଟ କଳ୍ପନା ବାସ୍ତବ ପ୍ରତି ଆକୃଷ୍ଟ ହୋଇ ଗୋଟିଏ ବିକୃତି ରୂପ ଦେଲା । ପ୍ରତିବନ୍ଧକ ବିହୀନ ବାୟୁମଣ୍ଡଳ ଭିତରେ ବୟସର କୌତୂହଳକୁ ଦବାଇ ହୁଏନି । ମନୁଷ୍ୟ ପ୍ରକୃତିର ଏହା ଗୋଟିଏ ବୈଶିଷ୍ଟ୍ୟ । ଉକ୍ତୃଷ୍ଟ ଖାଦ୍ୟର ସ୍ୱପ୍ନ ଦେଖି ଖାଲି ବଞ୍ଚି ହୁଏନି । ବର୍ତ୍ତମାନ ବଞ୍ଚିରହିବା ପାଇଁ ଖାଦ୍ୟ ଲୋଡ଼ା–ଧୈର୍ଯ୍ୟଚ୍ୟୁତି ଘଟିଲେ ଅଖାଦ୍ୟ ଖାଇବାକୁ ହୋଇଥାଏ । ମଣିଷ ବଞ୍ଚିବତ ?

 

ଶୁଭକୁ ମୋ ହାତ ଦି’ଟା ଆଦରି ନେଲା । ସେ ଅବାଧ୍ୟ ହେବାକୁ ସନ୍ଦେହ କରିନି । ଯେହେତୁ ମୁଁ ପୁରୁଷ ନୁହେଁ । ଖାଲି ଥରି ଥରି କହିଲି, ମେଘ ଅପା ! ତମେ କାହିଁକି ଆଜି ଅଲଗା ଅଲଗା ଜଣା ଯାଉଛ ।

 

ମୁଁ ଏହି ପ୍ରଗ୍‌ଲଭା ଝିଅଟିର ଅନାବିଳ ରୂପରେ ଏବଂ ମନୋରମ ବ୍ୟବହାରରେ ଅଧୀରା ହୋଇ ତା’ର ଗଣ୍ଡ ଦେଶରେ ଅସୁମାରି ବୋକ ଦେଇ ଚାଲିଲି । ସେ ଲାଜ ପାଇଲା ବୋଧେ । ନିଜକୁ ମୋର କୋଳରୁ ମୁକ୍ତ କରି କହିଲା, ମୁଁ ଓପର ଓଳି ଆସିବି । ତମେ ଏଇ ଗଣିତ ଗୁରା କରିଥିବ । ବୋଉ କହୁଥିଲା ଖରାବେଳଟାରେ ଟିକିଏ ଶୋଇଯିବା ପାଇଁ । ମୁଁ ଯାଉଛି ଲୁଚି ଶୋଇପଡ଼ିବି । ବୋଉ ଜାଣିଲେ ରାଗିବ ।

 

ଏଣେ ମୋ ମନଟା ବିଳପି ଉଠୁଥିଲା ତୁ ଏଠି ଶୋଇ ଯାଆ ଶୁଭ । ଖରାଟାରେ ଯାଆନା କିନ୍ତୁ କିଛି କହିପାରିଲିନି–ଏ ଅପ୍ରପ୍ତ ବୟସ୍କା ଝିଅଟା ଆଗରେ ଅତି ଉଲଗ୍ନ ଭାବରେ ଧରାପଡ଼ିଯିବା ପାଇଁ ମନରେ ଦ୍ୱିଧା ଜାତ ହେଲା ।

 

ଶୁଭ ଚାଲିଗଲା ଦାଣ୍ଡ ଦୁଆର ଆଉଜେଇ ଦେଇ । ମୁଁ ନିହାତି ଦୁର୍ବଳ ହୋଇଯାଇଥିଲି । ଦୁଆରଟି ନ ଦେଇପାରି ବିପର୍ଯ୍ୟସ୍ତ ଶେଯ ଉପରେ ନିଜର ଶ୍ରାନ୍ତ କାୟାଟିକୁ ଲୋଟେଇ ଦେଲି । ଆକସ୍ମିକ ପ୍ରଣୟୋପଯୋଗୀ ବ୍ୟବହାରରେ ଦୁର୍ବଳ ପୁରୁଷ ମନର ପ୍ରଣୟ ବାସନା ପାଇ ହୁଏତ ଶୁଭଙ୍କରୀ ଚାଲିଗଲା ।

 

ଏଇ ବୟସରେ ମନ ଅନ୍ତରାଳରେ ଯେଉଁ ଲୁଚୁକାଳି ଖେଳ ଚାଲେ ତା’ର ରହସ୍ୟ ବୁଝିବାର ବୟସ ଶୁଭଙ୍କରୀର ହୋଇନି ।

 

ଶୁଭଙ୍କରୀ ଚାଲିଯିବା ପରେ ବିରହୀ ମନଟା ଆପେ ଆପେ ଦେବଭାଇଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳ ହୋଇ ଉଠିଲା, କିନ୍ତୁ କାହାନ୍ତି ସେ ନିଷ୍ଟୁର ପ୍ରେମିକ ? ଗୋଟିଏ ଯୁବତୀର ଚିତ୍ତ ଚୋରିକରି ଦିନ ଦିନ ମାସ ମାସ ସୁଦୂରରେ ବସି ରହିବା କ’ଣ ସମ୍ଭବ ? କିଏ ଏହାର ଉତ୍ତର ଦେବ । ଅସ୍ଵାଭାବିକ ଗରମ ଆଉ ଦୈହିକ ରୋମାଞ୍ଚର ମିଶ୍ରଣରେ ଦେହଟି ମୋର ଝାଳେଇ ଗଲା । ଦେହରୁ ଚାପା ବ୍ଲାଉସଟାକୁ କାଢ଼ିଦେଇ ଶୋଇଗଲି ଫୁଙ୍ଗୁଳା ଦେହରେ । ପାତଳା ଶାଢ଼ିଟା କେବଳ ଦେହର କେତେକ ଅଂଶ ଢାଙ୍କି ରଖିଥାଏ ।

 

ନିଦ ନିଶ୍ଚୟ ଭାଙ୍ଗିନି । ଜଣାଗଲା ମୋ ଶାଢ଼ିଟି ଆପେ ଆପେ ମୋ ଦେହ ଚାରିପାଖେ ଯେପରି ଗୁଡ଼େଇ ହୋଇ ଯାଉଛି ଆଉ ମୁଁ ତାକୁ ଗରମ ଆତିଶଯ୍ୟରେ ବାରମ୍ୱାର ଦେହରୁ କାଢ଼ି ଫୋପାଡ଼ି ଦେଉଛି । ବିରକ୍ତିକର ଅବସ୍ଥାରେ ଛାତିରୁ ଲୁଗାଟା କାଢ଼ି ଫୋପାଡ଼ି ଦେଉ ଦେଉ ହଠାତ୍‌ ମୋ ହାତଟା କାହା ହାତ ମୁଠା ଭିତରେ ବନ୍ଦୀ ହୋଇଗଲା । ଚାଉଁକିନା ନିଦ ଭାଙ୍ଗିଗଲା । ଆଖି ଖୋଲି ଦେଖେତ ଆଗରେ ଦେବଭାଇ ।

 

ମୁଁ ଏଡ଼େ ବଡ଼ ସତ୍ୟଟାକୁ ପ୍ରଥମେ ବିଶ୍ୱାସ କରିପାରିଲି ନାହିଁ । ଶୋଇବା ଅବସ୍ଥାରେ ଥିବାରୁ ସ୍ୱପ୍ନ ଦେଖିଛି ବୋଲି ମୋର ପ୍ରଥମେ ସନ୍ଦେହ ହେଲା ।

 

ଦେବଭାଇ କହିଲେ, କ୍ଷମା କରିବ ମେଘ, ତମ ନିଦରେ ବ୍ୟାଘାତ ଜନ୍ମାଇ ମୁଁ ଭୁଲ କରିଛି । କିନ୍ତୁ ଘରେ କେହି ନ ଥିବା ଅବସ୍ଥାରେ ଦାଣ୍ଡ ଦୁଆର ମେଲାଇ ଏଭଳି ଶୋଇବା କ’ଣ ଉଚିତ ?

 

ସବୁ ଗୋଟି ଗୋଟି ହୋଇ ମନେପଡ଼ିଗଲା । ଶୁଭ ଚାଲିଗଲା ପରେ ମୁଁ ଦାଣ୍ଡ କବାଟ ଦେବାକୁ ଏକବାରେ ଭୁଲିଯାଇଛି ।

 

ହଠାତ୍‌ ନିଜ ଦେହ ପ୍ରତି ଦୃଷ୍ଟି ଫେରାଇ ବିଶେଷ ଲଜ୍ଜିତ ହେଲି । ପାତଳା ଲୁଗାଟାର ଶକ୍ତି କେତେ ? କେତୋଟି ଅଂଶରେ ପୁଣି ସେତକ ନଥିଲା । ଶାୟା, ବ୍ଲାଉଜ ଖଟ ତଳେ । ଆଗରେ ଦେବଭାଇ, ଯେ ସ୍ୱାମୀ ନୁହେଁ–ପ୍ରିୟ । ଯେ ଦେବତା ନୁହେଁ, ଆରାଧ୍ୟ । ଯେ ବିଗତ ମୁହୂର୍ତ୍ତଗୁଡ଼ିକର ସ୍ୱପ୍ନରେ ସାଥି ଥିଲେ । ମୁଁ ତାଙ୍କ ଗୋଡ଼ ତଳେ ମୁଣ୍ଡ ଲଗାଇଲି । ସେ ମୋର ହାତ ଦି’ଟିକୁ ଧରି ଉଠାଇ ଦେଉ ଦେଉ ଛାତିରେ ଭିଡ଼ିଧରିଲେ । ଉଭୟଙ୍କ ଆଖିରେ ଅଶ୍ରୁର ଜୁଆର । ଉଭୟେ ନିର୍ବାକ ।

 

ନିଜକୁ ଲୋଭନୀୟ ବାହୁବେଷ୍ଟନୀ ଭିତରୁ ମୁକ୍ତ କରି ଶାୟା; ବ୍ଲାଉଜ ପିନ୍ଧିବା ଉଦ୍ଦେଶ୍ୟରେ ବାରଣ୍ଡାକୁ ଆସିଲି । ପଛରୁ ଦେବଭାଇ ହସି ହସି କହୁଥିଲେ, ତମେ କିଛି ଅଦେଖା ରଖି ପାରିଛ ବୋଲି ମନେ ହୁଏନି । ସବୁର ଉତ୍ସର୍ଗ ପରେ ଆଉ କ’ଣ ସଜାଡ଼ିବାକୁ ଯାଉଛ ମେଘ-?

 

ମୁଁ ଲାଜରେ ଲାଲ ପଡ଼ିଯାଇଥାଏ । ଦେବଭାଇ କେତେବେଳୁ ନିଶ୍ଚୟ ଆସିଲେଣି । ମତେ ଏମିତି ବେଶରେ ବହୁ ସମୟ ଧରି ନିରୀକ୍ଷଣ କରିଛନ୍ତି ହୁଏତ । ମାତ୍ର କାହିଁକି ମୋର ଅଜ୍ଞାତରେ ପୂର୍ଣ୍ଣ ପାତ୍ରକୁ ନିଃଶେଷ ନ କରି ଛାଡ଼ିଦେଲେ ? ମୁଁ ହୁଏତ ନିଃଶେଷ ହେବାକୁ ଚାହେଁ ।

 

ଉଭୟେ ଖଟ ଉପରେ ବସି କଥାବାର୍ତ୍ତା ହେଲୁ । ଦେବଭାଇ ଯେତେବେଳେ ମୋ ବିବାହ ପ୍ରସ୍ତାବ ନେଇ ବାପା, ବୋଉ ତାଙ୍କ ମାଆଙ୍କ ନିକଟକୁ ଯାଇଛନ୍ତି ବୋଲି ଶୁଣିଲେ, ସେତିକିବେଳୁ ତାଙ୍କ ମନ ଭଲ ରହିଲା ନାହିଁ । ବହୁତ ଉପାୟରେ କାରଣ ଜାଣିବାକୁ ଚେଷ୍ଟା କଲି । ପାରିଲି ନାହିଁ । ତାଙ୍କୁ ବିଶେଷ କରି ବିରକ୍ତ ନକରି ମୁଁ ନୀରବ ରହିଲି ।

 

ସତରେ କ’ଣ ଏପରି ସମୟରେ ତୁନି ରହି ହୁଏ ? ଅଳ୍ପ ସମୟ ଯାଉ ନଯାଉଣୁ କାନ୍ଦ କନ୍ଦ ହୋଇ ପଚାରିଲି, ମତେ ଭୁଲିଗଲ ଦେବଭାଇ ?

 

–ଭୁଲିବାକୁ ଆପ୍ରାଣ ଚେଷ୍ଟା କରି, ପାରିନି । ମୁଁ ମଣିଷ । ପ୍ରାଣର ପ୍ରଭଞ୍ଜନକୁ ଜୋର କରି ଦାବି ଦେବାର ଶକ୍ତି ମୋର ନାହିଁ । ଏଇ ଘର–ଏଇ ଖଟ ଆଉ ତମେ । ସବୁଗୁଡ଼ିକ ଏକାଠି ହୋଇ ସ୍ମୃତିର ଅତୁଟ ଉପାଦାନରେ ପରିଣତ ହୋଇଛନ୍ତି । ମୁଁ ଭୁଲି ପାରିନି । ପାଗଳ ହୋଇ ତମ ପାଖକୁ ପଳାଇ ଆସି ଦେଖିଲି କ’ଣ । ତମ ପ୍ରତିଭା ବା ସୌନ୍ଦର୍ଯ୍ୟ ଆଗରେ ମୁଁ ନଗଣ୍ୟ । ମୁଁ ଚାହେଁନା ତମ ଭବିଷ୍ୟତକୁ ପାଦରେ ଦଳି ମୋ ସ୍ୱାର୍ଥ ହାସଲ କରିବାକୁ । ମୋର ସନ୍ଦେହ ହୁଏ ପ୍ରକୃତରେ ତମେ ମତେ ଭଲପାଅ ? କାହିଁକି ? ମୁଁ ଚଳଚିତ୍ରର ଅଭିନେତା ନୁହେଁ ଯେ ଏକାଧାରାରେ ଗୁଡ଼ିଏ ଚରିତ୍ରର ମୌଳିକତା ଫୁଟାଇ ତମ ମନ ପ୍ରାଣକୁ ବାନ୍ଧି ରଖିବି । ମୁଁ ବି ସେମିତି କୃତିଛାତ୍ର ନୁହେଁ କି ସାମାଜିକ ପ୍ରତିଷ୍ଠା ବି ସେତେ ନାହିଁ । ଆହୁରି ମଧ୍ୟ ତମପରି ଯୁବତୀର ମନ ଆକୃଷ୍ଟ କଲାଭଳି ଚେହେରା ମୋର ନାହିଁ ।

 

ମୁଁ ଦେବଭାଇଙ୍କ ପାଟିରେ ହାତ ଦେଇ ଦେଲି ।

 

–ତୁମେ କ’ଣ ଏସବୁ କହୁଛ ଦେବଭାଇ ? ସେଗୁଡ଼ିକ ମୋର ଗୋଟିଏ ଗୋଟିଏ ଗର୍ବ-। ତାକୁ ତମେ ମୋ ଆଗରେ ବିଶ୍ଳେଷଣ କରି ସମାଲୋଚନା କରିବାର ଅଧିକାର ପାଇନା-। ସାମାନ୍ୟ ଅକୃତକାର୍ଯ୍ୟ ତମ ପ୍ରାଣରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଛି, ସେଥିଲାଗି ନିଜ ପ୍ରତି ତମେ ବୀତସ୍ପୃହ ହୋଇପଡ଼ିଛ । ସାମାନ୍ୟ ଝଡ଼ରେ ଝଡ଼ି ପଡ଼ିଲେ ଦୁନିଆଁରେ ବଞ୍ଚିରହିବା ଅସମ୍ଭବ ହୋଇଉଠେ । ସେଦିନ କହିଥିଲ ନା ମତେ ‘ଲାଇଫ୍‌ ଇଜ୍‌ ଏ ଲଙ୍ଗ ପ୍ରସେସ୍‌ ଅଫ ଟ୍ରାୟାଲ ଅଣ୍ଡ ଏରର ।’’ ଜୀବନକୁ ଚିହ୍ନି ଶିଖିବାରେ ତମର କ’ଣ ଏଇଟି ଦୁନିଆ ଭିତରକୁ ପ୍ରଥମ ପଦକ୍ଷେପ ନୁହେଁ ?

 

ଦେବଭାଇ ମୋତେ କୋଳକୁ ଭିଡ଼ିନେଲେ । ମୁଁ ଠିଆ ହୋଇଗଲି ଅସମ୍ମତିର ସୂଚନା ଦେଇ । ନାରୀର ଏଭଳି ଅସମ୍ମତି ସମ୍ମତିରହିଁ ପ୍ରଥମ ରୂପ । ପୁରୁଷ ବୁଝିପାରେନା–ଡରିଯାଏ । ‘ନାହିଁ’ର ତୀବ୍ରତା ଭିତରେ ‘ହଁ’ର ଘନିଷ୍ଠତା ଯେ ସେତିକି ପରିମାଣରେ ଲୁଚି ରହିଥାଏ ସେ ଜାଣେନା । ଯୁ’ମାନେ ଜାଣନ୍ତି ସାମାନଙ୍କ ଭିତରୁ ଅନେକଙ୍କଠାରେ ସାହସର ଅଭାବ ଥାଏ । ଯାହାର ସେ ସାହସ ଥାଏ, ଅନେକ କ୍ଷେତ୍ରରେ ସେମାନେ ଉତ୍ସୃଙ୍ଖଳ ହୋଇ ପଡ଼ନ୍ତି । ନାରୀ ତାକୁ ଘୃଣା କରେ । ପୁରୁଷକୁ ଡରାଇ ରଖିବାରେ ନାରୀ ସବୁବେଳେ ପାଏ ଅସୀମ ଆନନ୍ଦ । ଏଇଥିପାଇଁ ଦୁର୍ବଳତାର ଚରମ ମୁହୂର୍ତ୍ତରେ ମଧ୍ୟ ସେ ପୁରୁଷ ନିକଟରେ ନିଜକୁ ତୋଳି ଧରିବାକୁ ଦ୍ୱିଧା ପ୍ରକାଶ କରେ ।

 

ଦେବଭାଇ ବି ଠିଆ ହୋଇଗଲେ । ଦେହର ବିପର୍ଯ୍ୟସ୍ତ ଲୁଗାଟିକୁ ଛାତିରେ ସଜାଡ଼ି ଦେଉଥିଲେ ଆଗ୍ରହରେ । ସେଥିରେ ତ ସେ ଅଭ୍ୟସ୍ତ ନୁହଁନ୍ତି । ତେଣୁ ନାରୀର ଏଭଳି ଆକର୍ଷଣୀୟ ରୂପ ଦୀର୍ଘ ସମୟ ଧରି ଖୁବ୍‌ ନିକଟରେ ଠିଆହୋଇ ଦେଖିବାର ଧୈର୍ଯ୍ୟ ଓ ସାହସ ତାଙ୍କର ନଥିଲା-। ଆପଣା ଲାଜରେ ନିଜେ ଅନ୍ଧ ହୋଇ ଯାଉଥିଲେ । ପୁରୁଷର ଏ ଲାଜ ମତେ ଖୁବ୍‍ ଭଲ ଲାଗେ-

 

ଦେବଭାଇଙ୍କ ଛାତିରେ ମୁହଁ ରଖି ତାଙ୍କ ଆଖିର ପତା ଦି’ଟା ଉହୁଁକି ଟେକି ଦେଲା ସମୟରେ ହଠାତ୍‌ ଘର ଭିତରକୁ ପଶି ଆସିଲା ଶୁଭ । ହାତରେ ଗଣିତ ବହି ଓ ଖାତା– । ଆଗରେ ଦେବଭାଇ ଏବଂ ମତେ ଏପରି ଗୋଟାଏ ଅପ୍ରୀତିକର ଅବସ୍ଥାରେ ଦେଖି ସେ ହଠାତ୍‌ ଶଙ୍କି ଗଲା । ଦେବଭାଇ ତାକୁ କୋଳକୁ ଟାଣିନେଇ ବୋକ ଦେଲେ । ଏ ଅଚିହ୍ନା ଯୁବକଙ୍କ ଚୁମ୍ୱନରେ ସେ ଶିହରି ଉଠୁଥିଲା । ଏ ଶିହରଣ ମାନସିକ ନୁହେଁ । ଭୌତିକ । ବଢ଼ି ଉଠୁଥିବା ବୟସର ଦୋଷ । ସେ ଛାଟି ପିଟି ହେଉଥିଲା ଦେବଭାଇଙ୍କ ବଳିଷ୍ଠ ବାହୁପାଶରୁ ମୁକ୍ତି ପାଇବା ଲାଗି । ଏଣେ କିନ୍ତୁ ମୋ ଛାତିରେ ଲୁହା କଣ୍ଟା ଫୋଡ଼ି ଯିବାର ଯନ୍ତ୍ରଣା ମୁଁ ଅନୁଭବ କରୁଥାଏ । କାରଣ ମୁଁ ନାରୀ । ସମ୍ମୁଖରେ ଦୟିତର ପରକୀୟା ସେ ସହିପାରେନା । ହେଉ ପଛକେ ତାହା ଅଭିନୟ, ସନ୍ଦେହରୁ ଖଲାସ ପାଇବାର ଗୋଟାଏ ଉପାୟ । କହିଲି, ଶୁଭକୁ ଛାଡ଼ି ଦିଅ ଦେବଭାଇ, ସେ ଘରକୁ ଯାଉ । କାଲି ମୁଁ ଗଣିତ ବୁଝାଇ ଦେବି ଶୁଭ ! ଆଜି ପରା ଆମ ଘରେ କୁଳୁଆଁ ପୁଣି ବାପା ବୋଉ ନାହାନ୍ତି-

 

ଶୁଭ କଥା ମାନିଲା ।

 

ଦେବଭାଇ ଖାଇଲେ ନାହିଁ । ତାଙ୍କ ମନ ମରିଗଲାପରି ଜଣାଗଲା । ଶୁଭ ଯିବା ପରେ ପରେ ସେ କହିଲେ, ମୁଁ ଚାଲିଯାଉଛି ମେଘ । ମାଉସୀ ଓ ମଉସା ଫେରିବା ପୂର୍ବରୁ ମତେ ଏଠୁ ଚାଲିଯିବାକୁ ହେବ । ତମେ ତଥାପି ଶୁଭ ପ୍ରତି ଟିକିଏ ସଜାଗ ରହିବ । ପିଲାଟା ଯଦିଓ, ତେବେ ବି ସବୁ ଜିନିଷ ସନ୍ଦେହ କରିବାର ବୟସ ତା’ର ଆସିଲାଣି । କାଳେ ଯଦି କିଛି କୁଉଠି କହି ଦିଏ ।

 

ଆଚ୍ଛା ମୁଁ, ଆସୁଛି । ଦେବଭାଇ ଝଡ଼ପରି ଫେରିଗଲେ । ମୁଁ ନାହିଁ କି ହଁ କିଛି କହିପାରିଲି ନାହିଁ । ତାଙ୍କ ପାଦ ଧୂଳି ନେବାକୁ ମଧ୍ୟ ଭୁଲିଗଲି । ରହିଯାଅ ବୋଲି କେମିତି ବା କହିଥାନ୍ତି । ପୁରାତନ ଯୁଗର ମୁଁ ମାଲୁଣି ନୁହେଁ ଯେ ଫୁଲ ସୁଙ୍ଘାଇ ତାଙ୍କୁ ମାଛି କରି ଦେଇଥାନ୍ତି ।

 

ଦେବଭାଇ ଚାଲି ଗଲେ ମନର ସମସ୍ତ ସରାଗ ଚୋରି କରି । ଆଖିରେ ଲୁହ ନଥିଲା ଆଉ କାନ୍ଦିବା ପାଇଁ । କାନ୍ଦିବାର ମୂଲ୍ୟ କିଛି ନାହିଁ । ନାରୀ ଯେ କାହିଁକି କାନ୍ଦେ ସେ ଜାଣେ । କାନ୍ଦି କାନ୍ଦି କ’ଣ ପରିସ୍ଥିତିକୁ ସେ ଲଘୁ କରିଦିଏ ? ଅସମ୍ଭବ ।

 

ରାତି ଘଡ଼ିକ ପରେ ବାପା ବୋଉ ଆସିଲେ । ଉଭୟଙ୍କ ମନ ବିଷାଦଭରା । ମାଉସୀ ଆସି ନାହାନ୍ତି । ଘଟଣା ନିଶ୍ଚୟ ସଙ୍ଗିନ୍‌ । ମୁଁ ଡରି ପ୍ରଥମେ କିଛି ପଚାରିଲିନି । ବାପା ଆଖି ନାଲ୍‌ ନାଲ୍‌ କରି ପଚାରିଲେ, କିଲୋ, ଦେବ ଏଠିକି ଆସିଥିଲା ?

 

ସତେ କାହାଠୁ ଜାଣିଲା ଭଳି ଦମ୍ଭ ତାଙ୍କ କଣ୍ଠରେ । ବାପା ଏମିତି କେବେ ରାଗିବାର ମୁଁ ଆଗରୁ ଦେଖି ନଥିଲି । ଏ ଧରଣର ଭୁଲରେ ତେବେ ନିଶ୍ଚୟ ପ୍ରତ୍ୟକ ବାପା ରାଗୁ ଥିବେ । ଆମେ ଜାଣି ନ ପାରି ବୃଥାରେ ଦୋଷ ଦେଉ । ସବୁ ବାପା ମାଆମାନେ ଦିନେ ଆମପରି ଥିଲେ । ଆମେ ବି ଦିନେ ତାଙ୍କପରି ହେବା । ସେତେବେଳେ ବୁଝିହେବ ନିଜ ରକ୍ତରେ ତିଆରି ସଜୀବ ମୂର୍ତ୍ତିର ସ୍ୱାଧୀନତା କେତେ କଷ୍ଟଦାୟକ ।

 

ନାହିଁ କରିପାରିଲିନି । ଏତେ ବଡ଼ ନିରାଟ ସତ କଥା ଲୁଚି ରହନ୍ତା ? ମିଛ କହିଲାବେଳେ ପାଟି ଖନି ମାରନ୍ତା ନାହିଁ ? ଖାଲି କାବା ହୋଇ ଭାବୁଥିଲି ବାପା ଜାଣିଲେ କିପରି-?

 

ବାପା ମତେ ବେଶୀ ଭାବିବାକୁ ସମୟ ନଦେଇ ଦେବଭାଇଙ୍କୁ ଯାହା ପାରି ତାହା ଗାଳି ଦେବାକୁ ଆରମ୍ଭ କଲେ । ମୁଁ କିଛି ବୁଝି ନପାରି ରୋଷେଇ ଘରେ ବୋଉକୁ ପଚାରିଲି ।

 

–ତୁ ଯାହା କହ ମେଘ, ଦେବଟା ମୋଟେ ଭଲ ପିଲା ନୁହେଁ । ଖାଲି ଚିକ୍‌କଣ କରି କଥା କହି ଜାଣେ । ଶେଷକୁ ଚୋରି କଲା । ପୁଅ ପରୀକ୍ଷାରେ ଫେଲ୍‌ ହୋଇ ଆଉ ଥରେ ପଢ଼ିବା ପାଇଁ ଜିଦ୍‌ କଲେ । ତୋ ମାଉସୀ ଆଉ ରାଜି ହେଲାନି । ଆମେ କ’ଣ ରାଜି ହୁଏନ୍ତେ କହିଲୁ ? ମୁଠା ମୁଠା ଟଙ୍କା ସାରିବାକୁ କିଏ ଭଲପାଏ ? ତା’ର ପୁଣି ନିଜର ଗୋଟିଏ ପୁଅ ହେଲାଣି । ଏ ପୋଷିଆଁ ପୁଅକୁ କାହିଁକିବା ସେ ପଚାରିବ ? ତେଣୁ ଗୁଣବନ୍ତ ଦେବ କଲେ କ’ଣ ନା ଟଙ୍କା ଦୁଇ ଶହ ଚୋରି କରି ରତାରାତି ଛୁ । ଏ ହେଲା ନା ? ଏତେ ପଢ଼ାଇ ଏଇଆ ଲାଭ ।

 

ବୋଉ ଆଗରେ କାନ୍ଦିପାରିଲିନି । ସବୁକଥା ଶୁଣି ମୂକ ପାଲଟି ଗଲି । ପାଣି କଖାରୁ କୋରିଲାଭଳି ମୋ ପେଟ ଭିତର କୋରି ହୋଇଯାଉଥାଏ । ଦେବଭାଇଙ୍କୁ ନେଇ ପୁଣି ଏୟା ଶେଷରେ ଶୁଣିବାକୁ ଥିଲା ?

 

ମରୁଭୂମିରେ ଘର କରି ରହିବାର ଯେଉଁ କଳ୍ପନା ଥିଲା ତାହା ଆକସ୍ମିକ ବାଲିଝଡ଼ରେ ଭାଙ୍ଗିରୁଜି ମିଳେଇ ଗଲା । ମୁଁ କଥାଟା ସତବୋଲି ଧରିନେଲି । କାରଣ ଦେବଭାଇ ଯେତେବେଳେ ଶୁଣିଲେ ବାପା ବୋଉ ବିବାହ ପ୍ରସଙ୍ଗ ନେଇ ତାଙ୍କ ଘରକୁ ଯାଇଛନ୍ତି । ସେତିକିବେଳୁ ସେ ଅନ୍ୟମନସ୍କ ହେଲାଭଳି ଦେଖା ଗଲେ । ହସିଲା ମୁହଁରେ ତାଙ୍କର ବିଷାଦ ରାଗିଣୀ ଖେଳି ବୁଲିଲା । ମୁଁ ସେତେବେଳେ ବୁଝିପାରିନଥିଲି ।

 

ମାତ୍ର ବିବେକ ଏଣେ ଏଭଳି ସମର୍ଥନରେ ରାଜି ହେଉନଥାଏ । ମଣିଷ ଚୋରି କରେ କାହିଁକି ? ଅଭାବରେ ? ଖୁସିରେ ? ନା ଅଭ୍ୟାସରେ ? ଚୋରି କରିବା ଦୋଷାବହ ବୋଲି ଆମେ ଯଦି ଜାଣୁ ଦେବଭାଇ ତେବେ ନିଶ୍ଚୟ ଜାଣନ୍ତି । ସେ ଚୋରି କରିବା ପଛରେ ନିଶ୍ଚୟ କିଛି ଇତିହାସ ଲୁଚି ରହିଛି । ମୁଁ କିଛି ଜାଣିପାରିଲିନି । ତେବେବି ମୋ ମନ କେବେହେଲେ ତାଙ୍କୁ ଦୋଷୀ କରାଇ ପାରିଲାନି ।

 

ସମୟ ଗଡ଼ି ଚାଲିଲା ।

 

ଦେବଭାଇଙ୍କ ଉପରେ ସମସ୍ତ ଆସ୍ଥା ହରେଇ ବାପା ମୋ ବିବାହ ନେଇ ତତ୍ପର ହୋଇପଡ଼ିଲେ । କେଇଦିନ ଭିତରେ ଗୁଡ଼ାଏ ପ୍ରସ୍ତାବ ଆସିଲା ।

 

କେଉଁଠି ବୋଉ ରାଜି ତ, ବାପାଙ୍କ ମନକୁ ପାଏନି । କେଉଁଠି ବାପା ରାଜି ହେଲେ ବୋଉ ମନାକରି ଦିଏ । ମୁଁ ସବୁ ନଜାଣିଲାଭଳି ଶୁଣେ । କିଛି କହେନି । ଆଜିକାଲି ଯୁଗରେ ଝିଅ ପାଇଁ ଯୋଗ୍ୟ ଜ୍ୱାଇଁଟିଏ ପାଇବା କାଠିକର ପାଠ । ବାପା ବୋଉ ବରଟିଏ ଖୋଜୁ ଖୋଜୁ ଦି’ ବରଷ ଚାଲିଗଲା । କୋଉଠି ଠିକ୍‍ ହୋଇ ପାରିଲାନି । ସମସ୍ତଙ୍କର ମୋ ଉପରେ ମୁହଁ ଏଡ଼େ । ହସକାନ୍ଦ ଦୁନିଆରେ ହସଟି ଆମ ଘରେ ସ୍ଥାୟୀ ହୋଇ ରହିଲାନି ।

 

ସେଦିନ ସଞ୍ଜକୁ ଶାରୀଆ ଆଈ ଗୋଟିଏ ପ୍ରସ୍ତାବ ନେଇ ଆସିଲା । ଜମିଦାର ଘର । ନଅତଳ ପ୍ରାସାଦ । ଧନ, ଜନ, ଗୋପ ଲକ୍ଷ୍ମୀ କେଉଁଥିରେ ଊଣା ନାହିଁ । ଜମିଦାରଙ୍କ ସ୍ତ୍ରୀ ସଉତୁଣୀ ହେବ ସିନା କିନ୍ତୁ ମାଆଠୁ ବଳି ଭଲପାଇବ । ସେ ପରା ଲଗାଇଛି ଜମିଦାରଙ୍କୁ ଦ୍ୱିତୀୟ ବିବାହ ପାଇଁ । ଏଡ଼େ ବଡ଼ ବଂଶ କ’ଣ ବୁଡ଼ିଯିବ ? ଜମିଦାରଙ୍କ ପୁଅପାତି କିଛି ନହେବାରୁ ସେ ସ୍ତ୍ରୀଙ୍କ ମତ ନେଇ ଦ୍ୱିତୀୟ ବିବାହ କରୁଛନ୍ତି । ବୟସ ଟିକିଏ ବେଶୀ । ହେବାକଥା । ଖୁବ୍‌ ହେଲେ ଚାଳେଶି ପାଖାପାଖି ।

 

ମୋ କାନରେ ଏ ସମ୍ୱାଦଟି ବାଜିବାକ୍ଷଣି ମୋର ସର୍ବାଙ୍ଗ ଥରି ଉଠିଲା । ଶେଷକୁ ମୋ ଭାଗ୍ୟରେ ,ଏପରି ବର ମିଳିବ ବୋଲି ଜାଣିଥିଲେ ଦେବଭାଇଙ୍କୁ କହିଥାନ୍ତି ସେ ଯିବାପୂର୍ବରୁ ମୋ ତଣ୍ଟି ଉପରେ ଗୋଡ଼ ଥୋଇ ଯିବାକୁ । ଜମିଦାର ବାହା ହେଉଛନ୍ତି ପୁତ୍ରଲାଭ ଆଶାରେ । ଏହାଦ୍ୱାରା ତାଙ୍କ ବଂଶ ରକ୍ଷା ହେବ । ନାରୀ ତେବେ ଶିଶୁ ନିର୍ମାଣର ଗୋଟିଏ ମେସିନ୍‌ । ମେସିନ୍‌ ଅସଜ ହେଲେ ଯେପରି ଅଚଳ, ସେହିପରି ଜମିଦାରଙ୍କ ସ୍ତ୍ରୀ ପୁତ୍ର ତିଆରିରେ ଅକର୍ମ୍ମଣ୍ୟ ହୋଇଛନ୍ତି-। ଧନ୍ୟରେ ସମାଜ ! ଏଭଳି ବଡ଼ ପଣ୍ଡାଙ୍କ ହାତରେ ତୁ ପୁତ୍ତଳିକାପରି ନାଚୁଛୁ ଯାହା-

 

ଶାରୀଆ ଆଈ କ’ଣ କୁଆଁରୀ ଝିଅ ହୋଇନଥିଲା ? ତା’ ପ୍ରାଣରେ ଯୁବକ ସ୍ୱାମୀ ପାଇଁ କେବେ କ’ଣ କମ୍ପନ ଆସିନି ? ରାଗରେ ମୋର ଦାନ୍ତ ଦୁଇ ଧାଡ଼ି ଚିପି ହୋଇଯାଉଥାଏ ।

 

ବାପା ତୁନି ହୋଇ ସବୁ ଶୁଣୁଥିଲେ । ଶେଷକୁ ଅସମ୍ଭାଳ ହୋଇ କହିଲେ, ବର ନମିଳିଲେ ପଛକେ ଝିଅ ମୋର ଅଭିଆଡ଼ି ରହିଯିବ ମୁଁ ସଉତୁଣୀ ହାତରେ ଝୁଅକୁ ଟେକି ଦେବିନି । ଅସମ୍ଭବ ।

 

ବୋଉର ଧନ ଯୋଗୁ ଟିକେ ମନ ଥିଲାପରି ଜଣାଯାଉଥିଲା । ସେ ବାପାଙ୍କ କଥା ଉପରେ କହିଲା, ତମେ କାହିଁକି ମିଛୁଟାରେ ଚିଡ଼ୁଛ କହିଲ ! ଝିଅ ଥିଲେ ହଜାରେ ପ୍ରସ୍ତାବ ପଡ଼େ । ତେଣିକି ବାପା ମାଆଙ୍କ ଇଚ୍ଛା । ସେମାନେ କରିପାରନ୍ତି, ନକରି ପାରନ୍ତି ।

 

ତିନିଦିନ ପରେ ବାପା ଘର, ବର, ସବୁ ଦେଖି ଫେରି ଆସିଲେ । ଶାରୀଆ ଅଈ ତୁଣ୍ଡରୁ ପଦେ ହଁ ଶୁଣିବ ବୋଲି ଚାତକପରି ଚାହିଁ ରହିଥାଏ । ବୋଉ ଖାଲି ପିଲା ଖାଇ ଡାହାଣୀପରି ଏପଟ ବୁଝୁ ବୁଝୁ ସେପଟ ପଚାରି ବସୁଥାଏ ।

 

ବାପା କହିଲେ ସବୁ । ଜମିଦାରଙ୍କ ସ୍ତ୍ରୀଟି ସୁନାଟିଏ । ଧନଦରବର ପ୍ରଶସ୍ତି ଗାଇବାକୁ ଲୋକ ଅଭାବ ହେବେ । ହେଲେ ଗୋଟିଏ କଥା–ମେଘ ମଙ୍ଗିବ ତ ?

 

ମୁହଁରୁ କଥା ଛଡ଼ାଇ ଶାରୀଆ ଆଈ କହିଲା, ବାକି କାମଟା ମତେ ଛାଡ଼ିଦିଅ । ମୁଁ ମଙ୍ଗେଇ ନେବି । ଏପରି ଘର, ବର, ଭାଗ୍ୟରେ ଥିଲେ ମିଳେ । ସାମାନ୍ୟ କଥାଟା ଯୋଗୁ ଏଡ଼େ ବଡ଼ ସୁଯୋଗ ହରେଇ ବସିବା ବୋକାମି ନୁହେଁ ?

 

ବିବାହରେ ଝିଅର ମନଟା ପୁଣି ସାମାନ୍ୟ । ଟଙ୍କା, ସୁନା ପୁଣି ବଡ଼ । ଆଶ୍ଚର୍ଯ୍ୟ ହେଲି । ଶାରୀଆ ଆଈ ନାନା କଥାର ଛଳ ଦେଖାଇ ମୋ ପାଖରେ ଫେରାଦ ହେଲା । ଖଟ ଉପରେ ମୁଁ ଗୋଟେ କଡ଼ ମାଡ଼ି ଶୋଇ ଥାଏ । ଶରୀଆ ଆଈ ତଳେ ବସି ମୋ ଗୁଣର ଖାଲି ଭୁରି ଭୁରି ପ୍ରଶଂସା କରୁଥାଏ । କେତେ କଥାବାର୍ତ୍ତା ପରେ ଆଈ ତା’ ଜବାନ ବେଳ କଥା ଆରମ୍ଭ କଲା ।

 

ସେ କୁଆଡ଼େ ଗୋପିଆକୁ ଆପ୍ରାଣ ଭଲ ପାଉଥିଲା । ବହୁ ଧନୀବ୍ୟକ୍ତି ତା’ର ପାଣିଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଗୋପିଆକୁ ବାହା ହେଲା । ପ୍ରେମର ଜୟ ହେଲା ସିନା, କିନ୍ତୁ ତା’ର ପରିଣତି ଆଜି ସେ ମର୍ମେ ମର୍ମେ ଅନୁଭବ କରୁଛି । ଅଧା ବୟସରେ ଗୋପିଆ ତାକୁ ଛାଡ଼ିଦେଇ ରେଙ୍ଗାମ ଭାଗେ । ତା’ପରେ ତାକୁ ବାର ଦୁଆର ସୁଣ୍ଢି ପିଣ୍ଡା ହୋଇ ବୁଲିବାକୁ ପଡ଼ିଲା । ପେଟ ପାଇଁ ସେ ଆଜି ବାସନ ମାଜୁଛି । ଧନୀଲୋକ ଦେଖି ବାହା ହୋଇଥିଲେ ତା’ ଘରେ ଆଜି ଚାକରାଣୀ ଖଟୁଥାନ୍ତେ । ତେଣୁ ଭବିଷ୍ୟତ ଆଡ଼କୁ ଭଲଭାବରେ ଚାହିଁ ଏସବୁ ବିଷୟ ଠିକ୍ କରାଯାଏ । ଜୀବନରେ ଧନହିଁ କୈଶିକ ଚେର । ଜମିଦାରଙ୍କ ପୁଅକୁ ବାହାହେଲେ ମୁଁ ହେବି ଅଖଣ୍ଡ ସମ୍ପତ୍ତିର ମାଲିକ । ବୟସ ଟିକେ ବେଶୀ ଯାହା, ସେଥିରେ ଯାଏ ଆସେ କ’ଣ । ଧନୀଘର ପରା । ଘିଅ ଖାଇ ଦୁଧ ଆଞ୍ଚୋଉ ଛନ୍ତି । ପାଚେଲା ଆମ୍ବଭଳି ଦେହ । ସେମାନଙ୍କର ଗୋଟେ ବୟସ କ’ଣ । ଆମେ ସିନା ମୂଲିଆ ମୁଣ୍ଡ । ଖାଇବା ବିନା ବିବାହର ବରଷ ଦି’ଟା ନଯାଉଣୁ ବୁଢ଼ା ହେଇ ଯାଉଛେ । ଆଲୁଅ ଥିବାଯାକେ ଟୋକା ବୁଢ଼ାର ପ୍ରଭେଦ । ଆଲୁଅ ଲିଭିଲେ ଟୋକା ବୁଢ଼ା ସବୁ ସମାନ । ବାକି ରହିଗଲା ମନଟା । ଯାହାର ସ୍ଥିତିରେ କିଛି ପରିବର୍ତ୍ତନ ହେବନି । ସେଇଟି ଯଦି ସର୍ବଦା ତରୁଣ ତେବେ ଅଭାବ ଆଉ କ’ଣ ?

 

ମୁଁ ନିର୍ଜୀବ ହୋଇ ଶୁଣୁଥିବା ସମୟରେ ଆଖିରୁ ଖାଲି ଲୁହ ଝରିପଡ଼ୁଥିଲା । ଶାରୀଆ ଆଈ ଚାଲି ଗଲାଣି । ମୁଁ ତା’ର ଅନୁପସ୍ଥିତ ଉପଲବ୍‌ଧି କରିପାରିଲି ନାହିଁ । ଶାରୀଆ ଆଈର ଜୀବନ ଦର୍ଶନ ଏବଂ ଏଭଳି ନିର୍ଭୁଲ ଯୁକ୍ତିଗୁଡ଼ିକର କବଳରେ ପଡ଼ି ମଣିଷ ମନ ବଦଳି ଯାଏ । ଏମିତି ସବୁ ଝିଅମାନଙ୍କ ମନ ବଦଳି ଯାଉଥିବ, ଯେଉଁମାନେ ଦୋ’ପକ୍ଷ ବିବାହ କରୁଥିବେ ।

 

ଶାରୀଆ ଆଈ ବି ନାରୀ । ସେ ମଧ୍ୟ ଦିନେ ଯୁବତୀ ଥିଲା । ଧମନୀରେ ତା’ର ରକ୍ତର ଗତି ଉତ୍ସୃଙ୍ଖଳ ହେଉଥିଲା । ତାରି ପ୍ରଭାବ ତାକୁ ଟାଣି ନେଇ ଥିଲା ଗୋପିଆର ପ୍ରଶସ୍ତ ଛାତି ଉପରକୁ । ଗୋପିଆର ବିରହରେ ସେ ଆଜି ମ୍ରିୟମାଣା । ସେଇଥିପାଇଁ ହୁଏତ ପୂର୍ବର ଉଦ୍ମାଦନା ପ୍ରତି ବୀତସ୍ପୃହ ହେଇପଡ଼ିଛି । ଭୁଲ କରିଛି ବୋଲି ଅନୁଶୋଚନା କରୁଛି କିନ୍ତୁ ସେ ଭୁଲି ଯାଇଛି । ଗୋପିଆକୁ ତା’ ଜୀବନ ପଥରୁ ଯଦି ଜୋର କରି ହଟାଇ ଦିଆ ଯାଇଥାନ୍ତା ତା’ ଛାତିରେ ଯେଉଁ ଅବଶୋଷ ବସା ବାନ୍ଧି ଥାନ୍ତା, ସେ ପରିସ୍ଥିତି ଆଜି ଆଉ ନାହିଁ । ସେ ଜଣକୁ ଅତି ନିବିଡ଼ ଭାବରେ ଭଲପାଇଛି । ଏକଥା ଭାବି ତା’ର ଗର୍ବ ଅନୁଭବ କରିବା ଉଚିତ୍ । ମଣିଷ ବୁଝିବାରେ ଏଇଠି ଭୁଲ ରହିଯାଏ । ଏଇ କଥା ବୁଝିପାରିଲେ ତା’ର ମାନସିକ ଶାନ୍ତିରେ ଯଥେଷ୍ଟ ଉନ୍ନତି ଘଟନ୍ତା ।

 

ଶାରୀଆ ଆଈ ଗଲା ଦିନରୁ ମୋ ମନ ମୋଟେ ଭଲ ରହିଲା ନାହିଁ । ଦେବଭାଇଙ୍କୁ ପାଇବାର ସମସ୍ତ ସ୍ୱପ୍ନ ମୋର ମରିଗଲା । ଦି’ବରଷ ହେବ ଗଲାଣି । ତାଙ୍କର ଦେଖା ନାହିଁ କି ଚିଠି ନାହିଁ । ମାଉସୀ କହୁଛନ୍ତି ମୁଁ ଜାଣେନା । ସେ ଆମ ଘରକୁ ଆଉ ଆସୁନି । କାହାକୁ ଆଶ୍ରା କରି କେତେ ଦିନ ବଞ୍ଚି ହେବ । ବର ସୁବିଧାରେ ମିଳୁନି ବୋଲି ସିନା ଅକୁହାରେ ଦି’ବରଷ ଚାଲିଗଲା, କିନ୍ତୁ ଏବେ କ’ଣ କରିବି ? ମନ ମୋର ଅବିଚଳିତ ଭାବରେ ଘୂରିଚାଲିଲା ଦେବଭାଇଙ୍କୁ କେନ୍ଦ୍ର କରି ।

 

ବାପାଙ୍କ ଆଗରେ ଏ ବିବାହ ପ୍ରସ୍ତାବ ବନ୍ଦ କରିବାକୁ ମୁହଁ ଖୋଲି କିଛି କହିପାରିଲିନି । ସହର ଝିଅ ହୋଇଥିଲେ ଅବା ହୋଇଥାଆନ୍ତା । ଅବଗୁଣ୍ଠନ ତଳେ ଯାହାର ଯୌବନ ଝଡ଼ି ଯାଉଥିଲା, ଯୁଗ ଯେତେ ବଦଳିଲେବି ସେ କ’ଣ ପାଟି ଫିଟାଇ ନିହାତି ଗୋଟିଏ ଅଶୋଭନୀୟ କଥା କହିପାରିବ ? ସେହି ଦିନଠାରୁ ମୁଁ ଅନୁଭବ କଲି ଯେ, ମୁଁ ଯାହା କରୁଛି, ତାହା ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଗୋଟିଏ କଥା ବାରମ୍ବାର ମୋର ମନେପଡ଼ି ଆଘାତ ଦେଉଥିଲା । ବଉଳର ବୟସ୍କା ସ୍ୱାମୀ ପ୍ରତି ମୋର କର୍ତ୍ତବ୍ୟ ଅବହେଳା ଯୋଗୁ ବଉଳର ଏ ନିଶ୍ଚୟ ଲୁପ୍ତ ଅଭିଶାପ ।

 

ଦିନେ କ’ଣ ହେଲା ମୁଁ ମୋଟେ ଜାଣେନା । ଗାଁର ସବୁ ମାଇପେ ମୋତେ ଘେରି ରହିଥାନ୍ତି । କିଏ ଦେହରେ ଲୁଗା ପିନ୍ଧାଇ ଦେଉଥାଏ ତ କିଏ ମୁହଁରେ ପାଣି ମାରି ଦେଉଥାଏ । ଚାରି ପାଞ୍ଚ ଜଣ ମତେ ଭିଡ଼ି ଧରିଥାନ୍ତି । ଆଗରେ ଡାକ୍ତର ବାବୁ କୌଣସି ଇଂଜେକ୍‌ସନ୍ ଦେଉଥିଲେ । ମୁଁ ମୋଟେ ଘଟଣା କିଛି ବୁଝିପାରିଲି ନାହିଁ । ମୁଁ ଭଲ ହୋଇ ଆସିବାର ଦେଖି ଲୋକମାନେ ଆସ୍ତେ ଆସ୍ତେ କମିଗଲେ । କେବଳ ବୋଉ ମତେ କୋଳରେ ଜାକି ଧରିଥାଏ । ତୋରାଣିପରି ତା’ ଆଖିରୁ ଲୁହ ନିଗିଡ଼ି ଆସୁଥାଏ । ଡାକ୍ତର ବାବୁ ଆର ଘରକୁ ଯାଇ ବାପାଙ୍କୁ ଆସ୍ତେ ଆସ୍ତେ କହିଲେ, ଆପଣ ମେଘର ଶୀଘ୍ର ବିବାହ ବ୍ୟବସ୍ଥା କରନ୍ତୁ । ରୋଗଟା ମୂର୍ଚ୍ଛା ରୋଗ । ଆପଣ ହିଷ୍ଟ୍ରିଆ ବୋଲି ଗୋଟେ ରୋଗ ନାଁ ଶୁଣିଥିବେ । ସ୍ୱାମୀ ପ୍ରତି ମନର ବିକାର ବା ଯୌନ ବିକାର ଘଟିଲେ ଏ ରୋଗ ସାଧାରଣତଃ ହୋଇଥାଏ । ଝିଅର ବାହାଘର କ’ଣ କୌଣସି ଉପଯୁକ୍ତ ପାତ୍ରରେ ହୋଇପାରିନି କି ?

 

ବାପା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୋର ଜଣେ ବୟସ୍କ ଜମିଦାରଙ୍କ ସହିତ ପଡ଼ିଥିବା ବିବାହ ପ୍ରସ୍ତାବ ଗୋଟି ଗୋଟି ହୋଇ କହିଲେ ‘ଡାକ୍ତର ବାବୁ ଦୁଃଖ ପ୍ରକାଶ କଲେ । କିଛି ସମୟ ଗଭୀର ଭାବରେ ଚିନ୍ତା କରି କହିଲେ, ଆପଣ ଯଦି କିଛି ନ ଭାବନ୍ତି ତେବେ ମୋ ଭାଇ ସହିତ ମୁଁ ପ୍ରସ୍ତାବ ଆଣି ପାରିବି କି ? ସେ ଏ ବର୍ଷ ଇଞ୍ଜିନିୟରିଂ ପାସ୍‍ କରି ସହକାରୀ ଇଞ୍ଜିନିୟର ପଦରେ ମାସେ ହେଲା ନିଯୁକ୍ତି ପାଇଛି । ବାପାଙ୍କ କଣ୍ଠ ଆନନ୍ଦରେ ଫାଟି ପଡ଼ୁଥାଏ । ସେ କହିଲେ, ଆପଣଙ୍କ ସହିତ ଆମର ବନ୍ଧୁତା ! ବାମନ ହୋଇ ମୁଁ କାହିଁକି ଅଯଥାରେ ଚନ୍ଦ୍ରକୁ ହାତ ବଢ଼ାଇବି । ନା ଧନ, ମାନ, ବିଦ୍ୟା, ବୁଦ୍ଧି କେଉଁଥିରେ ଆଜ୍ଞା ଆମେ ଆପଣଙ୍କ ସହ ସମାନ ?

 

ଡାକ୍ତର ବାବୁ କିନ୍ତୁ ନଛୋଡ଼ବନ୍ଧା । ବାହାଘର ଖୁବ୍ ଶୀଘ୍ର ହେବ, ଯେଉଁ ତିଥିରେ ମୋର ବାହାଘର ହୋଇ ଥାଆନ୍ତା । ଆଉ ହାତରେ ଅଛି ମାତ୍ର ତିନୋଟି ଦିନ । ଏଭଳି ଚଞ୍ଚଳ ବାହାଘର ହୋଇ ଯିବାରେ ଜ୍ୱାଇଁ ବା କନ୍ୟା ଦେଖା ପାଇଁ ସମୟ କାହିଁ । ଆଉ ମଧ୍ୟ ଏଠାରେ କାହାରି କିଛି ଦେଖିବାର ନାହିଁ । ଡାକ୍ତର ବାବୁ କେବଳ ସୁନ୍ଦର ବୋହୂଟିଏ ଗରିବ ଘରୁ ଚାହାଁନ୍ତି । ପାଠ ସେମିତି କିଛି ପଢ଼ିଥିବ । ମୁଁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କଲି । ବୟସ୍କ ଓ ବିଗତ ଯୌବନ ସ୍ୱାମୀ ସହ ସଂସାର ଗଢ଼ିବାର ଆଂଶକା ଆଉ ନାହିଁ । କିନ୍ତୁ ଦେବଭାଇ ? ଦେବଭାଇଙ୍କ ବିଷଣ୍ଣ ମୁହଁଟି ମନେପଡ଼ି ମତେ ବିବ୍ରତ କରିପକାଇଲା ।

 

ମୋର ସମ୍ପୂର୍ଣ୍ଣ ଅଜଣାରେ ବାହାଘର ହୋଇଗଲା । ବେଦୀରେ ବସିଲା ଦିନ ଯାହା ମୁଁ ଜାଣିଲି । ସେତେବେଳକୁ କ’ଣ କରି ପାରିଥାନ୍ତି ! ମୁଁ ଶେଷ ସମୟରେ ଦେବଭାଇଙ୍କ ପାଖକୁ ଚିଠି ଲେଖିଥିଲି । ପଠାଇ ପାରିଲି ନାହିଁ । ଠିକଣା ସେ ଦେଇ ନାହାନ୍ତି । ଏ ଘର ସେ ଘର ହୋଇ ପାଟିରେ ଚିଠିଟିକୁ ଚୋବାଇ କୁଳୁକୁଞ୍ଚା କରିଦେଇଛି । କେହି ନ ଜାଣନ୍ତୁ ଯେ ଅନ୍ୟ ଏକ ଯୁବକ ସହିତ ମୁଁ ପ୍ରଣୟଲିପ୍ତ ଥିଲି । ଦେବଭାଇଙ୍କ ଉପରେ ଭୀଷଣ ରାଗ ଲାଗୁଥାଏ ।

 

ଛାତି ଭିତରୁ ବିବେକ ଏ ବାହାଘର ବିରୁଦ୍ଧରେ ପ୍ରତିରୋଧ କରୁଥାଏ । କିନ୍ତୁ ମନ ତଳେ ସଙ୍ଗେ ସଙ୍ଗେ ଅଲଗା ଉତ୍ତରଟିଏ ଜନ୍ମ ଗ୍ରହଣ କରେ । ସବୁ ଯୁବକ କ୍ଷୁଧାର୍ତ୍ତ–କଳ୍ପନାର ପରିଧି ଭିତରେ ଯାହାର ନାୟିକା ଫୁଟି ଉଠେ । ସମସ୍ତେ ସ୍ନେହ କରି ଜାଣନ୍ତି । ପ୍ରେମ କରି ଜାଣନ୍ତି । ଈଶ୍ୱରଙ୍କ ସୃଷ୍ଟିର ଏୟାହିଁ ବିଶେଷତ୍ୱ–

 

ସେ ଆକାଂକ୍ଷିତ ରାତିଟି ଆସିଲା । ଯେଉଁଟିରେ କେତୋଟି ଘଣ୍ଟା ଚିରସ୍ମରଣୀୟ । ଦୁଇଟି ପ୍ରାଣ ଗୁଡ଼ିଏ ‘ହଁ’ ‘ନାହିଁ’ ଭିତରେ ଯେଉଁ ରାତିଟି ମୁଖରିତ ହୋଇଉଠେ । ଆଶ୍ଳେଷର ଘନ ପ୍ରଶ୍ୱାସ ଟପି ଫିସ୍‌ଫିସ୍‌ କଥାବାର୍ତ୍ତାର ମିନାର ଡେଇଁ ଯେଉଁ ରାତି ଦୁଇଟି ବିଭିନ୍ନ ଆରକ୍ତ ମୁଖ କମଳକୁ ଯୋଡ଼ି ଦିଏ । ରାତ୍ରିର କୃଷ୍ଣ ଅବଗୁଣ୍ଠନ ତଳେ ଯେଉଁ ଯୁଗଳ ମୂର୍ତ୍ତି ମନ ପ୍ରାଣର ବିନିମୟ ଘଟାନ୍ତି, ସେମାନେ ମଧ୍ୟ ରାମ ସୀତ, ରାଧାକୃଷ୍ଣଙ୍କ ପ୍ରେରଣା ପାଇ ସୃଷ୍ଟିଶୀଳ ହୋଇଉଠନ୍ତି । ଇତିହାସର ପୁନରାବୃତ୍ତି ହୁଏ ।

 

ସେ ଆସିଲେ, ବିଚଳିତ ମନ ଏବଂ ଅବିଚଳିତ ଗତି ନେଇ । ସେ .. ଏହି ସର୍ବନାମର କର୍ତ୍ତା କିଏ ମୁଁ ଜାଣେନା । ତଥାପି ସେ ମୋର ସ୍ୱାମୀ । ସାରା ଜୀବନ ପାଇଁ ଯେ ମୋର ଦାୟିତ୍ୱ-ଭାର କାନ୍ଧକୁ ନେଇଛନ୍ତି । ଲାଜକୁଳୀ ଲତାଟିପରି ଘରର ଗୋଟିଏ କଣରେ ମୁଁ ପଡ଼ିରହିଥାଏ । କେତେ ଆଦର କରି ସେ ମତେ ପଲଙ୍କ ଉପରକୁ ଉଠାଇ ନେଲେ । ମୁଁ ଆଖିବୁଜି ପଡ଼ିଥାଏ । ମନ ଡାକୁଥାଏ ତାଙ୍କ ଅଜଣାରେ ତାଙ୍କୁ ଥରେ ଦେଖି ନେବାକୁ । ମାତ୍ର ପାରିଲିନି । ସେ ବାରମ୍ବାର କହୁଥାନ୍ତି, ତମେ ଆଖି ଖୋଲନା ମେଘ । ମତେ କ’ଣ ଦେଖିବାକୁ ସ୍ପୃହା ନାହିଁ ତମର ?

 

ମୁଁ ହଁ କି ନା କିଛି କହିପାରିଲିନି । ଲାଜରେ ଆଖିପତା ଦି’ଟା କିଏ ସିଲେଇ କଲାଭଳି ଲାଗୁଥାଏ । ଅନୁଭବ କଲି ସେ ମୋତେ ଦୂରେଇ ରଖି ପଲଙ୍କରୁ ଓହ୍ଲାଇ ଗଲେ । ନିହାତି ଭାରୀ ଏବଂ ଦରଦୀ ଭାଷାରେ କହିଲେ–ବେଶ୍ ମତେ ଆଦୌ ଭୁଲ ବୁଝିବନି । ମୁଁ ଯାଉଛି ।

 

ଦୁଆର ଫିଟିବାର ଶବ୍ଦ ହେବାରୁ ମୁଁ ଅସମ୍ଭାଳ ହୋଇ ଦୌଡ଼ିଯାଇ ତାଙ୍କ ଗୋଡ଼ ଦି’ଟା ଯାବୁଡ଼ି ଧରିଲି । ଆଖିର ଲୁହ ଅବଗୁଣ୍ଠନର ପଣତକୁ ଯାହା କ୍ରମଶଃ ଓଦା କରି ଦେଉଥିଲା । ସେ ସନ୍ଦେହରେ କୋଳକୁ ତୋଳି ନେଲେ । କାନ ପାଖରେ ଚୁପି ଚୁପି କହିଲେ–ମୁଁ କବି ନୁହେଁ ମେଘ, ଯେ ଭାଷାର ଆଭରଣ ତଳେ ତମ ପ୍ରାଣ ବାନ୍ଧି ରଖି ପାରିବି । ମୁଁ ଜଣେ ସାମାନ୍ୟ ଇଞ୍ଜିନିୟର । ନିରାଟ ବାସ୍ତବବାଦୀ ।

 

ସେ ଆସ୍ତେ ଆସ୍ତେ ଆଙ୍ଗୁଠି ସାହାଯ୍ୟରେ ଆଖିପତା ଦୁଇଟି ମୋର ଖୋଲି ଦେଲେ । ମୁଁ ବେଶୀ ସମୟ ଆଉ ଅବାଧ୍ୟ ନହୋଇ ଆଖି ଖୋଲିଲି । ମାତ୍ର ଯାହା ଦେଖିଲି ସେଥିରେ ଆଶ୍ଚର୍ଯ୍ୟ ନହୋଇ ରହିପାରିଲି ନାହିଁ । ସେ ଯେ ଦେବଭାଇ ।

 

ତାଙ୍କ କାନକୁ ଧରି କହିଲି, କିଓ ମିଷ୍ଟର ! ଏତେ ଦହଗଞ୍ଜ କରି ମତେ ମାରିବାର କାରଣଟା ଜାଣିପାରେକି ? ତା’ପରେ କାନ୍ଦ । ଆଖିରେ ଡବ୍‌ଡବ୍ ହୋଇ ଲୁହ ଦେଖା ଦେଲା । କାନ୍ଦୁଲା କଣ୍ଠରେ କହିଲି, ତମେ କେଡ଼େ ନିର୍ଦ୍ଦୟ ଦେବଭାଇ । ମୁଁ ମରିଯିବାକୁ ଆଉ କେତେ ସମୟ ଥିଲା କହିଲ ଥଟ୍ଟା କ’ଣ ଏପରି କରାଯାଏ ? ଆଚ୍ଛା ସବୁ କଥା ଛାଡ଼ । କଣ୍ଠସ୍ୱର କିପରି ବଦଳାଇଲ-?

 

ସେ କିନ୍ତୁ ଏତେ କଥା ଶୁଣି ମୂକ ପାଲଟି ଯାଇଥାନ୍ତି । ମତେ କହିଲେ, ମୁଁ ଦେବ ନୁହେଁ, ପ୍ରଣବ । ଦେବ ତମେ କାହାକୁ କହୁଛ ? ତା’ ସହିତ ତମର ବାହାଘର ଠିକ୍ ହୋଇଥିଲା ? କେବେ ମୁଁ ତ ମୋଟେ ଜାଣିନି ? ତମେ କ’ଣ ନକଲ ମେଘ ? ଜାଣୁ ଜାଣୁ ତିନୋଟି ହୃଦୟକୁ ଜାଳି କରି ଭସ୍ମ କରିଦେଲ । ପ୍ରତିବାଦ କରିପାରିଲନି ? କଣ୍ଠରେ ତାଙ୍କର ଅସୀମ କରୁଣତାର ସ୍ପର୍ଶ ।

 

ବିଜୁଳି ବତୀ ସେ ଲଗାଇଲେ । ଦୀପର ଆଲୋକ ବିଜୁଳି ଆଲୁଅରେ ନିଜର ସତ୍ତା ହରାଇ ବସିଲା । ଦୀପ ରୁଖା ତଳେ ମୋ ହାତର ଅଞ୍ଜଳି ଚାଉଳ । ଉପରେ ଗୁଆ ଥୁଆ ହୋଇଛି । ମୁଁ ଭୟମିଶା ଚାହାଣିରେ ତାଙ୍କ ମୁହଁକୁ ଚାହିଁଲି ପ୍ରଣବ ବାବୁ ଗୋରା, ପତଳା, ଅଳ୍ପ ଉଚ୍ଚ । କିନ୍ତୁ ଦେଖିବାକୁ ଠିକ୍‍ ଦେବଭାଇଙ୍କ ପରି । ଦୀପାଳୀର ସ୍ତିମିତ ଆଲୋକ ଭିତରେ ଏଇ ସାମାନ୍ୟ ପ୍ରଭେଦ ଜାଣିବା କଷ୍ଟକର । ମୁଁ କାବା ହୋଇ ଚାହିଁଥାଏ । ଗୋଟାଏ ମୁହୂର୍ତ୍ତ ଦୁର୍ବଳତା ଯୋଗୁ ସବୁକିଛି ଓଲଟ ପାଲଟ ହୋଇଗଲା ।

 

ସେ କହିଲେ, ସତ ଦିନେ ନା ଦିନେ ଫୁଟି ଉଠି ଥାଆନ୍ତା । ଆଜି ତାହା ପ୍ରକାଶ କରି ଦେଇ ଖୁବ୍ ଭଲ କରିଛ । ବେଦୀରେ ବସି ତମକୁ ବାହା ହୋଇଥିଲେ ମଧ୍ୟ ତମେ ଆଜି ମୋର ସ୍ତ୍ରୀ ନୁହେଁ...ଭଉଣୀ । ଏଥିରେ ସମାଜର ସମର୍ଥନ ଆମକୁ ମିଳି ନ ପାରେ, ସେଥିରେ କିଛି ଯାଏ ଆସେ ନାହିଁ । ପୁରୁଷ ଯେଉଁ ସମ୍ବନ୍ଧକୁ ମନ ପ୍ରାଣରେ ଯେପର୍ଯ୍ୟନ୍ତ ସମର୍ଥନ କରିଛି, ସେପର୍ଯ୍ୟନ୍ତ ଉକ୍ତ ସମ୍ବନ୍ଧ ପ୍ରତିଷ୍ଠାକୁ ଶେଷ ସିଦ୍ଧାନ୍ତ ବୋଲି ମାନିନେବା ଅବିବେକିତାର ପରିଚାୟକ । ଆଉ ମଧ୍ୟ...ତମ ମନ ବେଦୀରେ ତମେ ଯୋଉ ଦେବଦୁର୍ଲଭ ଦେବଭାଇଙ୍କୁ ପ୍ରତିଷ୍ଠା କରିସାରିଛ, ଯଦି ପ୍ରକୃତରେ ସେଥିରେ ଭଲପାଇବାର ସତ୍ୟତା ଥାଏ । ତେବେ ସେ ନିଶ୍ଚୟ ଦିନେ ମିଳିବେ ଏବଂ ତମର ଏ ପରିବର୍ତ୍ତନ ସତ୍ତ୍ୱେ ତମକୁ କୋଳକୁ ଟାଣି ନେବେ ।

 

କୁହ ମେଘ, ମତେ ତମେ ସେ ଦିଗରେ ସାହାଯ୍ୟ କରିବ ନାଁ ?

 

ଏଭଳି ଏକ ପ୍ରେମ ମଧୁର ରାତି ବ୍ୟର୍ଥତାର ଶୀତଳ ଖୋଳ ଭିତରେ ଆତ୍ମଗୋପନ କଲା । ଆମ ଦୁହିଁଙ୍କ ମୁହଁ କଳାକାଠ ପଡ଼ିଯାଇଥାଏ । ଆଉ କିଛି କହି ନପାରି ନିର୍ବାକ ହୋଇ ପ୍ରଣବ ବାବୁଙ୍କ ମୁହଁକୁ ଅନେଇ ଥାଏ । ଏ କ’ଣ ମଣିଷ ?

 

କ’ଣ ଭାବୁଛ ମେଘ ? ତାଙ୍କ କଣ୍ଠରେ ଆଶ୍ୱାସନାର ପ୍ରଲେପ । କ’ଣ ମୋ କଥାରେ ବିଶ୍ୱାସ ଆସୁନି !

 

ମୁଁ କିଛି ନକହି ପୁଣି ଥରେ ମିନତି ଭରା ଚାହାଣିରେ ତାଙ୍କୁ ଥରେ ଚାହିଁଲି । ସେ ଦୃଷ୍ଟିରେ ମୋର ଜଡ଼ିରହିଥିଲା କେତେ ଯୁଗର ଭରସା କୂଳକିନାରା ନ ପାଇ ବୁଡ଼ି ଯାଉଥିବା ପ୍ରାଣୀର କାତରତା ।

 

ଆଚ୍ଛା ବେଶ୍ ! କାଲି ମତେ ଦେବବାବୁଙ୍କ ବିଷୟରେ ବିସ୍ତୃତ ବିବରଣୀ ଦେବ । ଆଜି ଶୋଇଯାଅ ।

 

ବିଧିର ବିଧାନ ବିଚିତ୍ର । ମନ୍ତ୍ରପୂତ ଅନୁଷ୍ଠାନ ସତ୍ତ୍ୱେ ଆମେ ସ୍ୱାମୀ-ସ୍ତ୍ରୀ ହୋଇ ପାରିଲୁନି-। କିନ୍ତୁ ସମାଜ ଆମକୁ ଥରେ ଯେଉଁ ସ୍ୱୀକୃତି ଦେଇ ଦେଇଛି ତାକୁ ରଦ୍ଦ କରିବା ତା’ ପକ୍ଷେ ସମ୍ଭବ ନୁହେଁ । ସେ ବିବାହ ପରେ ଆମର ପରିବର୍ତ୍ତନକୁ ସନ୍ଦେହ ଦୃଷ୍ଟିରେ ଦେଖିବାର ଅବକାଶ କାହାକୁ ମିଳେନି ।

 

କିନ୍ତୁ ଆମ ଭିତରେ ଯେଉଁ ନୂତନ ସମ୍ପର୍କ ପ୍ରତିଷ୍ଠିତ ହୋଇ ସାରିଛି, ତା’ର ବର୍ହିପ୍ରକାଶ ଦିନେ ନିଶ୍ଚୟ ଘଟିବ । ସେତେବେଳେ ଅନ୍ୟ ଦୃଷ୍ଟିକୁ ଆମେ ଫାଙ୍କି ଦେଇ ପାରିବୁନି । ଏଣୁ ସବୁଦୃଷ୍ଟିରୁ ବିଚାର କରି ପ୍ରଣବ ବାବୁ ହଠାତ୍ ଏକ ଆକସ୍ମିକ ଘଟଣାର ଆଳ କରି ନିଜ କର୍ମକ୍ଷେତ୍ରକୁ ଚାଲିଯିବାକୁ ପ୍ରସ୍ତାବ ଦେଲେ । ପରିବାର ଭିତରେ କେହି ଆପତ୍ତି ମଧ୍ୟ କଲେନି ।

 

+ + +

 

ନୂଆ ଚାକିରି ହେତୁ ସରକାରୀ ଘର ମିଳିନଥାଏ । ଗୋଟିଏ ଭଡ଼ା ଘରେ ଆମେ ଥାଉ-। ଆମ ଦୁହିଁଙ୍କ ଛଡ଼ା ଗୋଟିଏ ଚାକର । ମୁଁ ଘର ଧନ୍ଦା ସବୁ କରେ । ଚାକର ଟୋକାଟି ବାହାର କାମ ତୁଲାଏ । ପ୍ରଣବବାବୁ ଖାଇ ପିଇ ଦଶଟାରେ ଅଫିସକୁ ବାହାରି ଯାଆନ୍ତି । ଆସନ୍ତି ପାଞ୍ଚଟାକୁ-। ବେଳେବେଳେ ଡେରି ମଧ୍ୟ ହୁଏ । ମୋର କୌଣସିପ୍ରକାର କିଛି ଅସୁବିଧା ହେଉନଥାଏ । ଚାକର ଟୋକା ମନରେ ବି ଆମର ସମ୍ପର୍କ ନେଇ କୌଣସି ରେଖାପାତର ସୁଯୋଗ ଆମେ ଦେଉନା-

 

ରାତ୍ରି ଆସେ । ଭୟରେ ମୋ ଦେହ ଥରି ଉଠେ । ଗୋଟିଏ ଘରେ ଆମେ ଶୋଇବୁ । ଅଲଗା ଘରେ ଶୋଇଲେ ବାହାର ଦୁନିଆ କ’ଣ କହିବ ? କେହି ନ ଜାଣିଲେ ମଧ୍ୟ ଚାକର ଟୋକା ତ ସନ୍ଦେହ କରିବ । ସବୁଦିନ ଶୋଇବା ଖଟରୁ ମୁଁ ଗୋଟିଏ ମାଣ୍ଡି ଏବଂ ଗୋଟିଏ ଚଦର ନେଇ ତଳେ ଶୋଇଯାଏ । ପ୍ରଣବ ବାବୁ ଖଟ ଉପରେ ଶୁଅନ୍ତି । ମନେ ମନେ ଭାବେ ସମାଜ ଯାହାକୁ ମତେ ସ୍ୱାମୀ ଭାବରେ ଅର୍ପଣ କରିଛି ତାକୁ ସ୍ପର୍ଶ କରିବା ମୋ ପକ୍ଷେ ପାପ ସଙ୍ଗେ ସମାନ । ଅଦ୍ଭୁତ ଏ ଦୁନିଆ । ଏହାର ଦୁଇଟା ରୂପ । ଭିତର ରୂପର ସତ୍ୟଟା ଯଦି ବାହାର ରୂପରେ ଅନୁମୋଦିତ ହୋଇନି ତେବେ ଧରାପଡ଼ିଲେ ‘ପାପ’ର ଆଖ୍ୟା ଦିଆଯାଏ ତାକୁ; ମାତ୍ର ଭିତର ରୂପଟା ଧରା ନ ପଡ଼ିଲେ ପୁଣ୍ୟ ବିବେଚିତ ହୁଏ । ନାନା ମାନସିକ ଦୁଶ୍ଚିନ୍ତାରେ ମୁଁ ରାତିଟା ଆଦୌ ଶୋଇପାରେନା-। ଏକ ଅଜଣା ଆଶଙ୍କାରେ ମନର ଭାରସାମ୍ୟ ଚହଲି ଉଠେ । ଯେତେହେଲେ ସେ ପୁରୁଷ । ନିଭୃତ କକ୍ଷ । ପୁଣି ସମାଜାନୁମୋଦିତ ତାଙ୍କର ସ୍ତ୍ରୀ । ଆଦର୍ଶକୁ ଦାବି ଦେଇ ମନର ପିଶାଚ ଚେଇଁ ଉଠେ । ଏହା କିଛି ଅସ୍ୱାଭାବିକ ନୁହେଁ । ସେ ଯଦି ସେଇ ପିଶାଚ କବଳରେ ପଡ଼ି କିଛି କରି ବସନ୍ତି-

 

ମୁଁ ଆକାଶ ପାତାଳ ଅନେକ ଅନେକ କିଛି ଭାବି ଚାଲେ । ମୋ ଭାବନାର ବିନ୍ଦୁବିସର୍ଗ ସେ ନିଜ ଚିନ୍ତାରେ ସ୍ଥାନ ଦିଅନ୍ତି ନାହିଁ । ମନ ଭିତରେ ଅସୀମ ଦ୍ୱନ୍ଦ୍ୱ ହେଉଥିଲେବି ସେ ଥାନ୍ତି ନିର୍ବିକାର । ଚେଷ୍ଟା କରିବା ତ ଦୂର କଥା । ଧୈର୍ଯ୍ୟର ବନ୍ଧ ଭୁଷୁଡ଼ି ଗଲେ ସେ ମଝିରେ ମଝିରେ ଏତିକି କହନ୍ତି, ମେଘ, ତମେ ଗାଁକୁ କିଛିଦିନ ପାଇଁ ଯାଅ । କିନ୍ତୁ ମୁଁ ଇଚ୍ଛାପ୍ରକାଶ କରେନା । ଗାଁକୁ ଗଲେ ହୁଏତ ସତ୍ୟର ଅବଗୁଣ୍ଠନ ଖୋଲିଯିବ । ସତ୍ୟ ଧରାପଡ଼ିଯିବ । ମୋ ଅନିଚ୍ଛାରେ ସେ ଆଉ ପ୍ରତିବାଦ କରନ୍ତିନି ।

 

ପ୍ରାୟ ଅଧିକାଂଶ ଦିନ ସେ ଅଫିସରୁ ଫେରି ନିରାଶା ପ୍ରକାଶ କରନ୍ତି । ତାହାହିଁ ଯଥେଷ୍ଟ ପ୍ରମାଣ ଦିଏ ଯେ ଦେବଭାଇଙ୍କ ଖୋଜ ନେବାରେ ସେ ତ୍ରୁଟି କରନ୍ତିନି ବୋଲି । ନିଜେ ହତାଶ ହେଲେ ମଧ୍ୟ ମତେ ସାନ୍ତ୍ୱନା ଦିଅନ୍ତି–ନା, ମେଘ, ଆମେ ଚେଷ୍ଟାରୁ କେବେ ବିରତ ହେବାନି । ମୋର ଯଥେଷ୍ଟ ଧୈର୍ଯ୍ୟ ଅଛି ।

 

ମୁଁ ଉତ୍‌ଫୁଲ୍ଲ ହୋଇଉଠେ । ମନେ ମନେ ତାଙ୍କୁ ଧନ୍ୟବାଦ ଜଣାଏ ।

 

ସେଦିନ ରାତିରେ ସବୁଦିନ ଭଳି ମାଣ୍ଡି ଆଉ ଚଦରଟା ଟାଣି ଆଣିବା ସମୟରେ ତଳେ ଖଣ୍ଡେ ଚିଠି ଖସି ପଡ଼ିଲା । ଖୋଲି ପଢ଼ିଲି । ଦେଖିଲା ଭଳି ହସ୍ତାକ୍ଷର ମନେପଡ଼ିଲା । କାହିଁ କେତେ ବର୍ଷ ତଳର ଅକ୍ଷର । ମୁଁ ଠିକ୍ କରି ଧରି ପାରିଲିନି । ସଡ଼କରେ ଯାଉଥିବା ସମୟରେ ଚିହ୍ନା ମୁହଁକୁ ଦେଖି ବେଳେବେଳେ ନ ଚିହ୍ନି ପାରିଲା ଭଳି ଜଡ଼ତା ଅନୁଭବ କଲି । ଲେଖାଥିଲା–

 

ମାନନୀୟ ପ୍ରଣବ ଭାଇ,

 

ନମସ୍କାର ଗ୍ରହଣ କରିବେ । ଭାଇ ହୋଇ ତୁମ ଶୁଭ କାର୍ଯ୍ୟରେ ଯୋଗଦେଇ ନପାରି ଥିବାରୁ ବିଶେଷ ଦୁଃଖିତ । ଦୋଷ ଯଦିଓ ଅକ୍ଷମଣୀୟ, ତଥାପି ମୋ ଜାଗାରେ ତୁମେ ଥିଲେ ମଧ୍ୟ ସେଇଆ କରିଥାନ୍ତ । ମୁଁ ତ ପରିଷ୍କାର ଲେଖିଥିଲି O.A.S. ପରୀକ୍ଷା ସରିଲେ ଯାଇ ଯିବି । ତା’ ପୂର୍ବରୁ ନୁହେଁ । ହଁ ଶୁଣି ନିଶ୍ଚୟ ଖୁସି ହେବ ମୁଁ O.A.S. ପାଇଛି । ନିକଟ ଭବିଷ୍ୟତରେ ଟ୍ରେନିଂ ପାଇଁ ଯିବାକୁ ପଡ଼ିବ । ତେଣୁ ଏ ଭିତରେ ଘରକୁ ବୁଲି ଯିବାକୁ ବାହାରିଛି । ଜଣକୁ ଦେଖିବା ପାଇଁ-। ତମେ ନିଶ୍ଚୟ ଜାଣିପାରୁଥିବ । ନୂଆବୋଉ, କିଛି ଖେଳନାର ଯଦି ନିକଟ ଭବିଷ୍ୟତରେ ଦରକାର ପଡ଼େ ଲେଖିଲେ ନେବି । ନୂଆବୋଉଙ୍କୁ ମୋର ହାର୍ଦ୍ଦିକ ନମସ୍କାର ଜଣାଇ ଦେବ । ମୋ କଥା ସେ କ’ଣ ପଚାରନ୍ତି ନାହିଁ । ଇତି ।

 

ଆଜ୍ଞାଧୀନ ‘ପଲ୍ଲବ’

 

ତାଙ୍କୁ ପଚାରିଲି, ଏ ଚିଠି ମତେ ଦେଖାଇଲ ନାହିଁ କାହିଁକି ପଲ୍ଲବ ବାବୁ କିଏ ?

 

ସେ କହିଲେ, ମୁଁ ଭାରି ଡରି ଯାଇଛି ମେଘ ! କାହିଁକି ଜାଣ ? ପଲ୍ଲବ ଆଖିରେ ଆମେ ବେଶୀ ସମୟ ଧୂଳି ଦେଇ ଏପରି ବିଚ୍ଛିନ୍ନ ଭାବରେ ରହି ପାରିବାନି । ସେ ଭାରି ବୁଦ୍ଧିଆ । ନିହାତି ସତ କଥାଟି ଅତି ଶୀଘ୍ର ବାହାର କରିଦେବ । ଆମ ତିନି ଭାଇଙ୍କ ମଧ୍ୟରେ ସେ ବୁଦ୍ଧିଆ । ଚିଠିଟା ପାଇଲା ବେଳୁ ମୁଁ ଭାବନାରେ ପଡ଼ିଛି । ଶେଷକୁ ନିଷ୍ପତ୍ତି କଲି ପଲ୍ଲବକୁ ଯଦି ଘଟଣାଟା କୁହା ଯାଆନ୍ତା ତେବେ ସେ ନିଶ୍ଚୟ ଦେବ ବାବୁଙ୍କୁ ଖୋଜି କାଢ଼ି ଦିଅନ୍ତା । ତମର ମତ କ’ଣ ?

 

ମୁଁ କହିଲି, ପଲ୍ଲବ ବାବୁ ତମର ସାନ ଭାଇ । ଏତେ ଜିଦଖୋର । ବାହାଘର ୬ ମାସ ହେଲା ଆସି ହେଲାଣି, ଅଥଚ ଏଠାକୁ ଦିନକ ପାଇଁ ସେ ଆସିପାରିଲେ ନାହିଁ ।

 

ଦରଦୀ କଣ୍ଠରେ ପ୍ରଣବ ବାବୁ ଆରମ୍ଭ କଲେ–ତା’ର ସବୁ ଦୋଷ ନୁହେଁ । ତାଳି ଗୋଟେ ହାତରୁ ବାଜେନା, ହାଇସ୍କୁଲରେ ପଢ଼ିଲା ବେଳେ ବୋଉ ତାକୁ ପୁଅ କରି ପଠାଇ ଦେଲା-। ସେ ପୁଅ ହୋଇ ପର ଘରକୁ ଯିବା ପାଇଁ ଘୃଣା କରୁଥିଲା । କିନ୍ତୁ ବାପା ମାଆଙ୍କର କଥା ତ ଭାଙ୍ଗି ହେବନି । ସେ ଶେଷରେ ରାଜି ହୋଇ ପୁଅ ହୋଇଗଲା । କିନ୍ତୁ ପ୍ରତିଜ୍ଞା କରିଗଲା ଯୁ’ଘରୁ ତମେ ମତେ ତଡ଼ି ଦେଇଛ ସେ ଘରେ ମୋର ଗୋଡ଼ ଆଉ କେବେ ପଡ଼ିବନି । ପଲ୍ଲବ ଚାଲିଗଲା-। ଆମେ ଆଉ ତା’ ବିଷୟରେ କିଛି ଖବର ରଖି ପାରିଲୁନି । କାରଣ ଅଭିମାନରେ ସେ ଆମ ପାଖକୁ କେବେ ଚିଠି ଦିଏନି । କେବଳ ଏତିକି ଶୁଣୁଥିଲି ସେ କୁଆଡ଼େ କଲିକତାରେ ଇଞ୍ଜିନିୟରିଂ ପଢ଼ୁଥିଲା । କିନ୍ତୁ ୬ ମାସ ତଳେ ତା ନାଁ’ଟା କାଗଜରୁ ପାଇଲି ଯେ ସେ ବି.ଏ ପାଶ କରିଛି, ଅନର୍ସ ସହ । ତା’ ପାଖକୁ ଆମେ ଚିଠି ଲେଖିଥିଲୁ । କିନ୍ତୁ ସେ ଆସିଲା ନାହିଁ । ବାପା ବୋଉ ତ ଦି’ବରଷ ହେଲା ମଲେଣି । ବୋଉ ମଲାବେଳେ ତାକୁ ବହୁତ ଖୋଜିଲା । ପାଇଲା ନାହିଁ-। ଅଭିମାନ କରି ଧାଡ଼ିଏ ଚିଠିରେ ଲେଖିଥିଲା–ବୋଉ । ମୁଁ ତୋର ପୁଅ ନୁହେଁ ବୋଲି ତୁ ଅସ୍ୱୀକାର କରି ମତେ ଅନ୍ୟ ଜଣକୁ ପୁଅ କରି ପଠାଇଦେଲୁ । ଏଣୁ ପର ପୁଅକୁ ଦେଖି ତୁ କ’ଣ ପ୍ରକୃତରେ ଶାନ୍ତି ପାଇବୁ ? ତୋର ତ ଆହୁରି ଯୋଗ୍ୟ ଦୁଇଟି ପୁଅ ଅଛନ୍ତି । ଅଯୋଗ୍ୟ ପ୍ରତି ତୋର ସ୍ନେହ ଦେଖି ମୁଁ ଏଇଠି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ତୁ ଦୀର୍ଘଜୀବୀ ହୁଅ । କିନ୍ତୁ ଚିଠିଟିର ପଢ଼ା ନ ସରୁଣୁ ବୋଉର ପ୍ରାଣ ବାୟୁ ଉଡ଼ିଗଲା । ଦୁନିଆ ଭିତରେ ତାଙ୍କରି ରକ୍ତର ଗଢ଼ା ପ୍ରସନ୍ନ, ପ୍ରଣବ, ପଲ୍ଲବ–ତିନୋଟି ମୂର୍ତ୍ତି ରହିଗଲେ ଯାହା । ଆଜି ଜଣେ ଡାକ୍ତର, ଜଣେ ଇଞ୍ଜିନିୟର ଆଉ ଜଣେ ହେବ ଡେପୁଟି । ତିନି ପୁଅଙ୍କ ଏ ଭବିଷ୍ୟତ ଦେଖିବା ପାଇଁ କେହି ରହି ପାରିଲେନି-

 

ଏତିକିରେ ତାଙ୍କ ଆଖିରେ ବିନ୍ଦୁ ବିନ୍ଦୁ ଲୁହ ଜମିଗଲା । ପରମୁହୂର୍ତ୍ତରେ ସେଗୁଡ଼ିକ ମୁକ୍ତାପରି ସିମେଣ୍ଟ ଚଟାଣ ଉପରେ ଖସିପଡ଼ିଲା ।

 

ମନେ ମନେ ତାଙ୍କ ପ୍ରତି ଦରଦୀ ହୋଇପଡ଼ିଲି, କିନ୍ତୁ ସମବେଦନାରେ ପଦେ କଥା ମୋ ପାଟିରୁ ବାହାରି ପାରିଲାନି । ମୋ ମାନସ ପଟରେ ଦେବଭାଇଙ୍କ ଛବିଟି ନାଚି ଉଠିଲା । ସେ ମଧ୍ୟ ପୋଷ୍ୟପୁତ୍ର ଥିଲେ । ମାଉସୀଙ୍କର ଯେତେବେଳେ ପୁଅଟିଏ ହେଲା, ସେ ଦେବଭାଇଙ୍କୁ ମାତୃ ସ୍ନେହରୁ ବଞ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ ଭବିଷ୍ୟତ ଗଢ଼ିବାରେ ମା’ର କର୍ତ୍ତବ୍ୟ ମଧ୍ୟ କଲେନି । ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ଦିନେ ଦୁନିଆ ହାଟରେ ମିଶିଗଲେ । ସେଇଦିନୁ ଯେ ଗଲେ ତାଙ୍କର ଆଉ କୌଣସି ପତ୍ତା ମିଳିଲାନି କି କୌଣସି ଠିକଣା ମଧ୍ୟ ଦେଲେନି ।

 

ପ୍ରଣବ ବାବୁଙ୍କ ଚେହେରା ସହିତ ଦେବଭାଇର ଚେହେରାରେ ଅନେକ ସାମଞ୍ଜସ୍ୟ ଦେଖି ଚଉଠି ରାତିରେ ତାଙ୍କୁ ଦେବଭାଇ ଭାବି ଭୁଲ କରିଥିଲି । ଏବେ ଦେଖୁଛି ପ୍ରଣବ ବାବୁଙ୍କ ଘଟଣା ସହିତ ଦେବଭାଇଙ୍କ ଆତ୍ମଚରିତର ଢେର ସାମଞ୍ଜସ୍ୟ ଅଛି ।

 

ଏଣେ ପ୍ରଣବ ବାବୁଙ୍କ ମନର ଅବସ୍ଥା ଦେଖି ସେନେଇ ବିଶେଷ କିଛି ପଚାରିଲିନି । ପଲ୍ଲବ ଆସିବେ । ଆସିବା ସମ୍ବାଦରେ ପ୍ରଣବ ବାବୁ ଯେତିକି ଶଙ୍କିତ ହେଉଥିଲେ ମୁଁ ତାଙ୍କୁ ଚାହିଁ ଅଧିକ ଭୟତୁରା ହୋଇପଡ଼ିଲି । ନୂଆ ମଣିଷ । ସହଜେ ଥଟ୍ଟା ପରିହାସ ସମ୍ବନ୍ଧ । ପ୍ରଣବ ବାବୁ ଦୁନିଆ ଆଖିରେ ଧୂଳି ଦେଇ ଯେଉଁ ଆଦର୍ଶର ପାଲ ଟାଣି ମଝି ଦରିଆରେ ହେଲେଣି, ଠିକ୍ ସେଇ ସ୍ଥାନରେ ଡୁବି ଯିବନି ତ !

 

ଏକ ଅଜଣା ଆଶଙ୍କାରେ ମୋ ଶରୀରର ସମସ୍ତ ରୋମମୂଳ ଶିହରି ଉଠିଲା । ମନ ଶଙ୍କିଗଲା ।

 

ଅଫିସ ଯିବାବେଳ ହୋଇ ଆସିଲାଣି । ମୁଁ ରୋଷେଇ ଘରେ ଥାଏ । ଭଜା ଟିକେ ଲାଗି ଯାଇଥିବାରୁ ତରବରରେ କଡ଼େଇଟା ଓହ୍ଲେଇ ଆଣିବା ବେଳକୁ ମୋ ଆଖିକି କିଏ ବୁଜି ଧରିଲା ପଛପଟୁ । ମୋ ଦେହରେ ଏକ ଶିହରଣ ଖେଳିଗଲା ଏ ହାତର ସ୍ପର୍ଶରେ–କିଏ ସେ ? ମନ ଭିତରେ ପ୍ରଶ୍ନ ଧ୍ୱନିତ ହୋଇ ମନଭିତରେହିଁ ମିଳେଇ ଗଲା । ପରମୁହୂର୍ତ୍ତରେ ମନରେ ଭୟ ଜାତ ହେଲା । ପ୍ରଣବ ବାବୁ ତ କେବେ ନୁହେଁ ? ସେ ଏ ପ୍ରକାର ବ୍ୟବହାର କେବେ ଦେଖାଇ ନାହାନ୍ତି ! ତେବେ... ତେବେ....

 

ହାତ ମଧ୍ୟ ଖୋଲୁ ନ ଥାଏ । ଏତିକିବେଳେ ପ୍ରଣବ ବାବୁଙ୍କ ସ୍ୱର ଶୁଭିଲା–କିରେ ପଲ୍ଲବ-! ମନକୁ ପାଉଛିଟି ? କିନ୍ତୁ ନୂଆବୋଉଙ୍କୁ ପଚାରିଲୁ ସେ ଆସିବା ଦିନୁ କାହାପାଇଁ ମନମାରି ବସିଚନ୍ତି ?

 

ପଲ୍ଲବ ଆସିଛନ୍ତି । ଲାଜରେ ହାତ ଖସାଇ ମୁଣ୍ଡରେ ଓଢ଼ଣା ଦେଲି । ମୁହଁ ବୁଲାଇ ଦେଖିଲି–ଏଁ, ଏ ଯେ ଦେବଭାଇ । ସେଇ ମୁହୂର୍ତ୍ତରେ ମୋ ପାଟିରୁ ଥରି ଥରି ଚାରିଟି ଅକ୍ଷର ବାହାରି ପଡ଼ିଲା, ଦେ-ବ-ଭା-ଇ– !!

 

ଦେବଭାଇ ମଧ୍ୟ ମୁହ୍ୟମାନ ହୋଇପଡ଼ିଲେ । ତାଙ୍କ ପାଟିରୁ କଥା ବାହାରି ପାରିଲା ନାହିଁ । ଅସ୍ପଷ୍ଟ ସ୍ୱରରେ ତାଙ୍କ ପାଟିରୁ କେବଳ ଏତିକି ଉଚ୍ଚାରିତ ହେଲା–ମେଘ, ଏତେଶୀଘ୍ର ତମେ ଅଜାଡ଼ି ହୋଇ ପଡ଼ିଲ ? ଗୋଟିଏ ବର୍ଷ ଅପେକ୍ଷା କରିପାରିଲନି ?

 

ପ୍ରଣବ ବାବୁ ପାଖକୁ ଚାଲି ଆସିଥିଲେ ।

 

ମେଘ ପ୍ରକୃତରେ ଅପେକ୍ଷା କରିଛି ପଲ୍ଲବ ! ଅବଶ୍ୟ ସମାଜ ଆମ ଦୁହିଁକୁ ଗୋଟିଏ ଅନଭିପ୍ରେତ ରଜ୍ଜୁରେ ବାନ୍ଧି ଦେଇଛି; କିନ୍ତୁ ପ୍ରକୃତରେ ମେଘ ମୋର ସ୍ତ୍ରୀ ନୁହଁ–ଭଉଣୀ ସ୍ଥାନୀୟା ! ମେଘର ମନକଥା ଜାଣିପାରି ତାକୁ ମୁଁ ଭରସା ଦେଇଥିଲି ଦିନେହେଲେ ତା’ ଦେବଭାଇକୁ ଫେରାଇ ଆଣିବାକୁ । କିନ୍ତୁ ପଲ୍ଲବ ! ତୁ ଯଦି ବିବାହ ଉତ୍ସବରେ ଉପସ୍ଥିତ ଥାନ୍ତୁ ଏ ବିଭ୍ରାଟ ଘଟି ନ ଥାନ୍ତା କି ଲଜ୍ଜାରେ ଆଜି ତୋ ପାଖରେ ମୋ ମୁଣ୍ଡ ଭାଙ୍ଗିପଡ଼ି ନଥାନ୍ତା ।

 

ଆଚ୍ଛା ମେଘ ! ପଲ୍ଲବକୁ ଖାଇବାକୁ ଦିଅ–ମୁଁ ଅଫିସ ଯାଏ, ଖୁବ୍ ଡେରି ହେଲାଣି । ସେ କିଛି ନ ଖାଇ ମଧ୍ୟ ଅଫିସ ଚାଲିଗଲେ । ବାସ୍ତବରେ ଲଜ୍ଜାରେ ତାଙ୍କର ଉନ୍ନତ ଶିର ତଳକୁ ନଇଁଯିବାର ଅବସ୍ଥା ମୁଁ ମର୍ମେ ମର୍ମେ ଅନୁଭବ କଲି ।

 

ଦେବଭାଇ ଅବାକ୍ ହୋଇ ସେଇ ରୋଷେଇ ଘରେ ମୁଣ୍ଡରେ ହାତ ଦେଇ ବସି ଯାଇଛନ୍ତି ।

 

ସେଇଦିନ ଖରାବେଳ ।

 

ଦେବଭାଇ ଯିବା ଦିନଠାରୁ ଏପର୍ଯ୍ୟନ୍ତ ଯାହାସବୁ ଘଟିଛି ଦେବଭାଇ ଆଗରେ ଗୋଟିଗୋଟି କହିସାରି ଶେଷରେ ପଚାରିଲି, ତମ ନାଁ ପଲ୍ଲବ କିପରି ହେଲା ?

 

ଆମ ଘରେ ମୋ ନାଁ ପଲ୍ଲବ । ପୁଅ ହୋଇ ଯିବାପରେ ସେ ମୋ ନାଁ ରଖିଲେ ଦେବବ୍ରତ । ଯାହାହେଉ ତମ ଦେବଭାଇଙ୍କୁ ଖୋଜିବା ଲାଗି ପ୍ରଣବ ଭାଇଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼ିଲା ନାହିଁ ।

 

–କିନ୍ତୁ ପ୍ରଣବ ଭାଇ ମତେ କଥା ଦେଇଥିଲେ, ପଲ୍ଲବ ଆସୁ, ସେହିଁ ଦେବଭାଇଙ୍କୁ ଖୋଜି ଆଣିବ–କିନ୍ତୁ ଆମର ପ୍ରକୃତ ରୂପ ତା’ ଆଗରେ ଖୋଲି ଦେବାକୁ ହେବ କହିବାରୁ ମୁଁ ଆତଙ୍କିତ ହୋଇ ପଡ଼ିଥିଲି ଯାହା....

 

ଏବେ ସେ ଆତଙ୍କ ଅଛି ନା ନାହିଁ ! ଦେବଭାଇ ପଲଙ୍କ ଉପରେ ଢଳି ପଡ଼ି କହିଲେ ।

 

ନିଶ୍ଚୟ ! ଯେ ପର୍ଯ୍ୟନ୍ତ ପଲ୍ଲବ ବାବୁଙ୍କ ଅଧିକାର ସାବ୍ୟସ୍ତ ନହୋଇଛି, ସେ ପର୍ଯ୍ୟନ୍ତ ମନରୁ ଭୟ ଯିବନି....ସେ ପର୍ଯ୍ୟନ୍ତ ତୁମେ ମୋର ଦେବଭାଇ ହିଁ ରହିବ ?

 

ସତେ....ସେ ଲୋଭାତୁର ଦୃଷ୍ଟିରେ ଉଠି ଆସୁଥିବାବେଳେ ମୁଁ ବୁଢ଼ା ଆଙ୍ଗୁଠି ଦେଖାଇ ଖତେଇ ହେଇ ବାରଣ୍ଡାକୁ ପଳେଇ ଆସିଲି ।

 

ଦେବଭାଇ ମଧ୍ୟ ଉଠି ଆସି ଦଉଡ଼ିବେ କ’ଣ ଦୁଆର ମୁହଁ ଉପରେ ସେ ଜିଭ କାମୁଡ଼ି ଛିଡ଼ା ହୋଇଗଲେ ।

 

ଆଗରେ ପ୍ରଣବ ବାବୁ ।

 

ମୁଁ ମୁଣ୍ଡରେ ଓଢ଼ଣା ଦେଲି ।

 

 

Unknown

ପ୍ରତାରିଣୀର ପ୍ରେମ

 

ସନ୍ଧ୍ୟା ଘନି ଆସିଲାଣି–ମଳୟାଳର ପଶ୍ଚିମ ଦିଗ୍‌ବଳୟରୁ ଅସ୍ତଗାମୀ ସୂର୍ଯ୍ୟର ଶେଷ ରଶ୍ମୀ ଲିଭି ଆସୁଥାଏ । ଦୀର୍ଘ ପଥ ଅତିକ୍ରମ କରି ମଳୟାଳର ଛବିଳ ହ୍ରଦମୟ ପ୍ରଦେଶର ଦୂରଦୂରାନ୍ତର ନିଶବ୍ଦ ପଲ୍ଲୀକୁ ମୁଖରିତ କରି ରେଳଗାଡ଼ିଟି କୋଜିକୋଡ଼ (କ୍ୟାଲିକଟ) ଷ୍ଟେଷନରେ ଆସି ପହୁଞ୍ଚିଲାବେଳକୁ ସନ୍ଧ୍ୟା ସାଢ଼େ ଆଠ ।

 

ଷ୍ଟେଷନର ବହୁଜନ ଏକତ୍ରିତ କୋଳାହଳ ଆସ୍ତେ ଆସ୍ତେ କମିଲାଣି । ଶିବରାମନର ସନ୍ଧାନରେ ଏଣେତେଣେ ବୁଲି ହତାଶ ହେଲି । ଭାବିଲି ବୋଧେ ମୋ ଚିଠି ପାଇନି । କି ଦୁର୍ଯୋଗରେ ଆସି ପଡ଼ିଲି ! ଅଚିହ୍ନା ଦେଶ ଭାଷା ମଧ୍ୟ ଭଲ ଜାଣେନି–ଯିବି କୁଆଡ଼କୁ ?

 

+ + +

 

ଶିବରାମନ ସଙ୍ଗେ ମୋର ପ୍ରଥମ ପରିଚୟ ହୁଏ, ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଆହୂତ ୟୁଥ ଲୀଗ ସମାବେଶରେ–କେରଳ ବିଶ୍ୱବିଦ୍ୟାଳୟର ୟୁଥ୍ ଡେଲିଗେଟ୍ ହୋଇ ଆସିଥାଏ ଶିବରାମନ–କ୍ୟାମ୍ପରେ ଆମ ଉଭୟଙ୍କ ଘନିଷ୍ଠତା ବଢ଼ିଯାଏ । କେରଳ ଥରେ ଆସିବା ପାଇଁ ମୋତେ ବାରମ୍ବାର ଅନୁରୋଧ ଜଣାଏ ଶିବରାମନ୍ । ମୋର ବି ଭାରି ଇଚ୍ଛାଥାଏ ସେହି Problemetic Stateଟିକୁ ଦେଖିବାଲାଗି । ହଠାତ୍ ଗୋଟିଏ ଖିଆଲରେ ଶିବରାମନ୍‌କୁ ମୋର ଆସିବା ସମାଚାର ଜଣାଇ କଟକରୁ ବାହାରିଲି ସୁଦୂର ମାଲାବାର ଉଦ୍ଦେଶ୍ୟରେ–

 

ଏଣେ ମଳୟାଳୀ ପୋର୍ଟର ‘‘ସାମୀ ! ହିନ୍ତେ ପଚଟୁନାଳୀ ଆହୁ, ଆହୁ !! (ବାବୁ ! ଶୀଘ୍ର ଚାଲନ୍ତୁ–ଦେରି ହୋଇ ଆସୁଛି) ଚିତ୍କାରରେ ବ୍ୟସ୍ତ ହୋଇ ଗାଡ଼ି ଷ୍ଟାଣ୍ଡକୁ ଚାଲିଲି । ଗାଡ଼ିବାଲାକୁ ପଚାରିବାରୁ ସେ କହିଲା ‘‘ମାଙ୍ଗାଓ ଚାରି ମାଇଲରୁ ବେଶୀ ହେବ ସାମୀ’’ । ଗାଡ଼ିବାଲାମାନେ ଯେତେବେଳେ ଦେଖିଲେ ମୁଁ ନୂଆଲୋକ, ପ୍ରାୟ ସମସ୍ତେ ଏକସ୍ୱରରେ କହି ଉଠିଲେ–‘‘ଭଡ଼ା ପାଞ୍ଚ ଟଙ୍କାରୁ କମ୍‍ ହବନି ସାମୀ !’’

 

ପରିଶେଷରେ ଗୋଟିଏ ସାଇକେଲ ରିକ୍‌ସାବାଲାକୁ ଦୁଇଟଙ୍କା ଛିଣ୍ଡାଇ ମୋର ବିଛଣା ଓ ଛୋଟ କ୍ୟାରିଅଲଟି ଥୋଇ ଚାଲିଲି ଅଜଣା ମାଙ୍ଗାଓ ଉଦ୍ଦେଶ୍ୟରେ ।

 

ରୋଡ଼ ପରେ ରୋଡ଼, ଛକ ପରେ ଛକ ଡେଇଁ ଡେଇଁକା ରିକ୍‌ସା ଛୁଟି ଚାଲିଛି ସହର ସୀମା ପାରି ହୋଇ । ଆକାଶରେ କେତେ ବେଳୁ ଛୋଟ ବାଦଲଟି ବଢ଼ି ବଢ଼ି ସମଗ୍ର ଆକାଶକୁ ଗ୍ରାସିଲାଣି–ବଡ଼ ବଡ଼ ଟୋପାରେ ହେଲା ବର୍ଷାର ଆରମ୍ଭ । ବିଚିତ୍ର ଅବହାଓ୍ୟା କୋଜିକୋଡ଼ର । କେଉଁ ମୁହୂର୍ତ୍ତରେ ପାଗ ବଦଳିବ ବାତାବରଣ ବିଶେଷଜ୍ଞମାନଙ୍କୁ ବି ଅଗୋଚର ।

 

ଅନ୍ଦାଜ ପ୍ରତି ମାଇଲରେ ଥରେ ମୁଁ ରିକ୍‌ସାବାଲାକୁ ପଚାରି ଦେଉଥାଏ ‘‘ଆଉ କେତେ ଦୂର ?’’

 

ପ୍ରତି ସମୟରେ ‘‘ଇନୁମ୍ କୁରାଚୈ ଭଲ୍ଲାଦୁ !’’ ମାନେ ଆଉ ଅଳ୍ପ ଦୂର ଅଛି–ସହର ଛାଡ଼ି ଅନେକ ଦୂର ଆସିବା ପରେ ବି ରାସ୍ତାର ଶେଷ ନାହିଁ ।

 

ଏଣେ ମୂଷଳ ଧାରାରେ ବର୍ଷା ହେଉଛି । ରିକ୍‌ସାର ହୁଡ଼ରୁ ପାଣି ଉତୁରି ମୋ ପୋଷାକ ବିଛଣା ଜଳମୟ । ହଠାତ୍ କାହାର କର୍କଶ ଆଦେଶରେ ରିକ୍‌ସା ଠିଆ ହେଲା । ଗୋଟିଏ ବଳିଷ୍ଠ, ରୁକ୍ଷମୁଠା ମୋର ବାହୁକୁ ଏପରି ଜୋରରେ ଝିଙ୍କିଲା ଯେ ମୁଁ ସେଇ ବରଷାରେ କଚାଡ଼ି ହୋଇ ତଳେ ପଡ଼ିଲି । ଗୋଟିଏ ହାତରେ ମୋତେ ଉଠାଇ ମୋ ପକେଟରେ ଥିବା ମନିପର୍ଶଟି କାଢ଼ି ନେଇ ରିକ୍‌ସାବାଲାକୁ କି ଅବୁଝା ଚିତ୍କାର କରିବାରୁ ରିକ୍‌ସାବାଲା ମୋର ବିଛଣା ପତ୍ର ଫୋପାଡ଼ି ଅନ୍ତର୍ଦ୍ଧାନ ହୋଇଗଲା ଆଖି ପିଛୁଳାକେ । ଏହି ସମସ୍ତ ଘଟଣା କେଇ ସେକେଣ୍ଡରେ ଘଟିଥିଲା । ମୁଣ୍ଡରେ ହାତଦେଇ ବସି ପଡ଼ିଲି–ବଡ଼ ମନ୍ଦ କପାଳ । ଅଚିହ୍ନା ବିଦେଶ ଜାଗାରେ ମଣିଷର ଏକମାତ୍ର ସମ୍ବଳ ଟଙ୍କା–ତାହା ବି ଚାଲିଗଲା–ମୋର ମଳୟାଳ ଯାତ୍ରାର ଶେଷ ସମ୍ବଳ ଦୁଇଶହ ଟଙ୍କା ମୋ ପର୍ଶରେ ଥିଲା ।

 

ଉଠିବାକୁ ଚେଷ୍ଟା କରି ତୀବ୍ର ଯନ୍ତ୍ରଣା ଅନୁଭବ କଲି । ଦେଖିଲି ମୋର ଗୋଡ଼ ଜଖମ ହୋଇଯାଇଛି । ବହୁ କଷ୍ଟରେ ଛୋଟେଇ ଛୋଟେଇ ରାସ୍ତା ଅନୁସରଣ କରି ଯାଉଥାଏ । ଏଣେ ସମସ୍ତ ପ୍ରକୃତି ଏକାକାର–ଅବିରାମ ବାରିପାତ ଯୋଗୁଁ ଦିଗ୍‌ଭ୍ରମ ହୋଇ ଚାଲୁ ଚାଲୁ ଅନତି ଦୂରରେ ଗୋଟିଏ ଆଲୁଅ ଦେଖାଗଲା–କିଛି ସମୟ ପରେ କୁକୁରମାନଙ୍କ ଚିର ପରିଚିତ ଚିତ୍‌କାର ମନରେ ଦମ୍ଭ ଆଣିଦେଲା ।

 

ହଠାତ୍ ଆଖି ଆଗରେ ଗୋଟିଏ ଦୁଆର–ହାତମାରି ଡାକିଲି । ଘର ଭିତରୁ ନାରୀ କଣ୍ଠରୁ ସ୍ୱର ଶୁଭିଲା ‘‘କିଏ ବାହାରେ ?’’

 

ମୋର ସେତବେଳକୁ ବ୍ୟଥାରେ ହୋଶ୍ ନ ଥାଏ । ଭଙ୍ଗା ତାମିଲ ମିଶା ମଳୟାଳୀ ଭାଷାରେ କହିଲି ‘‘ମୁଁ–ମୁଁ–ଦରଜା ଖୋଲ !’’

 

ଦରଜା ଖୋଲିବା ମାତ୍ରେ ମୁଁ ଧଡ଼ାସ୍‌କିନି ବେହୋସ ହୋଇ ପଡ଼ିଗଲି ।

 

+ + +

 

ଭୀଷଣ ଜ୍ୱର । ତାତିରେ ଖଇ ଫୁଟୁଛି । ବ୍ୟଥାରେ ମୁଣ୍ଡ ଫାଟି ପଡ଼ୁଛି । ହୋଶ ହେଲାରୁ ଗୋଟିଏ ଚାରପୟ୍ ଉପରେ ଶୋଇଥିବା ଦେଖିଲି ।

 

କାହାର ଶୀତଳ କୋମଳ କରପଲ୍ଲବ ମୋର ବେଦନାଗ୍ରସ୍ତ କପାଳରେ ଅନୁଭବ କଲି । ଶେଯ ପାଖରେ ବସି ଗୋଟିଏ ମଳୟାଳୀ ତରୁଣୀ ମୋ ସେବାରେ ବ୍ୟସ୍ତ । ବିହ୍ୱଳ ଆଖିରେ ଚାହିଁଲି ତା’ର ମୁଖ ମଣ୍ଡଳକୁ–ସଦ୍ୟସ୍ନାତ ପଦ୍ମଫୁଲପରି ମୁହଁଟି–ଚକ୍ଷୁରେ ତା’ର ଅପୂର୍ବ ଦୀପ୍ତି–ତା’ର ଅର୍ଦ୍ଧ ନଗ୍ନ ଦେହ ବଲ୍ଲୀ ଖଣ୍ଡିଏ ଛୋଟ ରଙ୍ଗିନ ଚଦରଦ୍ୱାରା ଆବୃତ୍ତ ।

 

ମଳୟାଳୀ ତରୁଣୀର ଅକୃତ୍ରିମ ଶୁଶ୍ରୂଷା ଫଳରେ ପ୍ରାୟ ସପ୍ତାହକ ପରେ ମୁଁ କିଞ୍ଚିତ ସୁସ୍ଥ-। ଦିନେ ହେଲା ତା’ର ଭାଇର ଆବିର୍ଭାବ । ଓଃ ! କି କର୍କଶ-ରୁକ୍ଷ-ଚେହେରା ବେଲାୟୁଧନ୍‌ର-ଶରୀରରେ ଦୃପ୍ତ ରାକ୍ଷସର ବଳ–ମୁହଁରେ କୁତ୍ସିତ ସ୍ମଶ୍ରୁ ଓ ଆରକ୍ତିମ ନୟନ–ମୋ’ଆଡ଼େ ବାରମ୍ବାର କ୍ଷୁଧିତ ଦୃଷ୍ଟିପାତ କରୁଥାଏ ବେଲାୟୁଧନ୍‌–ତା’ର ଅର୍ଥହୀନ ତୀକ୍ଷ୍ଣ ଦୃଷ୍ଟି ମୋ ମନରେ ଭୟର ସଞ୍ଚାର କରୁଥାଏ । ମନର କେଉଁ ନିଭୃତ ପ୍ରଦେଶରେ ମୋର ଭାବନା ଜାଗ୍ରତ ହେଲା କେଉଁଠି ଯେପରି ଶୁଣିଛି–ଏହି ରୁକ୍ଷ କଣ୍ଠସ୍ୱର–ଅପାଙ୍ଗର ବିକୃତ ଭ୍ରୂକୁଟି...

 

ଏ ମଧ୍ୟରେ ସୁଦର୍ଶନା ବେଲାର ମାଦକ ସାନ୍ନିଧ୍ୟ ମୋ ମନରେ ଆଣିଦିଏ ନୂତନ ଉନ୍ମାଦନା–ତା’ର ଚିର ଚଞ୍ଚଳ ଚକ୍ଷୁର ଚପଳତା ଓ ଲଜ୍ଜା ଲେଶ ହୀନ ସ୍ପର୍ଶରେ ମୁଁ ଭୁଲିଯାଏ ନିଜକୁ-। ସରଳା ବେଲା ଯେତେବେଳେ ହସି ହସି ମୋ ଛାତି ଉପରକୁ ଢଳିପଡ଼େ ମୁଁ ଆତ୍ମହରା ହୋଇପଡ଼େ ଆଉ ମୋର ରକ୍ତ ପ୍ରବାହ ହୋଇଉଠେ ଅତ୍ୟନ୍ତ ଚଞ୍ଚଳ । ଦିନେ ବେଲା ମୋ ମୁଣ୍ଡର ବାଳରେ ହାତ ବୁଲାଉ ବୁଲାଉ ପଚାରିଲା, ‘‘ଆଚ୍ଛା ବାବୁ ! ତୁମେ କ’ଣ ବାହା ହୋଇ ନାହିଁ-?’’

 

ମୁଁ ଚମକିପଡ଼ି ପଚାରିଲି–ଏ ପ୍ରଶ୍ନ କରିବା ଉଦ୍ଦେଶ୍ୟ ବେଲା ?

 

ସେ ମନ ଭୁଲାଣିଆ ହସଟିଏ ମୁହଁରେ ଆଣି କହିଲା, ଏମିତି... !

 

‘‘ସତେ ! କ’ଣ ଏମିତି ବେଲା ?’’

 

ନିମିଷେ ତା’ର ଆୟତ୍ତ ଚକ୍ଷୁ ଦୁଇଟି ଲୁହରେ ଭରି ଉଠିଲା–ସେ ସ୍ୱପ୍ନାବିଷ୍ଟପରି କହିଲା, ‘‘ନା, ନା, ତା’ କିଛି ନୁହଁ–ମୁଁ ନିତାନ୍ତ ଭୁଲ କରୁଛି–କାହିଁ ତୁମେ ? ...ଆଉ କାହିଁ ମୁଁ ? ...ସେ ଆଉ କିଛି ନକହି ଦୌଡ଼ି ଚାଲିଗଲା । ମୁଁ ପଛରୁ ଡାକିଲି–‘‘ବେଲା ! ବେଲା !!’’

 

ବେଲା ନିରୁତ୍ତର !!!

 

+ + +

 

ଦିନକର ଘଟଣା । ମୁଁ ସାନ୍ଧ୍ୟ ଭ୍ରମଣରୁ ଫେରୁଥାଏ–ବାଟରେ ହଠାତ୍ ଦେଖାହେଲା ବେଲାୟୁଧନ୍ ସଙ୍ଗେ । ସାମନାରେ ଭୂତଟିଏ ଦେଖିଲେ ମଣିଷ ମନରେ ଯେଉଁ ଭାବ ଜାଗ୍ରତ ହୁଏ ସେଇଆ ହେଲା ମୋର । ହଠାତ୍ ତା’ର ବଜ୍ର ମୁଠାରେ ମୋର ବାହୁକୁ ଚାପିଧରି ପଚାରିଲା–

 

‘‘ବାବୁ ! ଆଉ କେତେ ଦିନ ଏଠାରେ ଅବସ୍ଥାନ କରୁଚ ?’’

 

‘‘ଖୁବ୍ ସଉକିନି ତ ଚାଲିଛି । ଦେଖ, ତୁମଭଳି ଆମେ ଅମୀର ତ ନୋହୁଁ...ଦିନେ ତୁମଭଳି ଶିକ୍ଷିତ ଯୁବକ ଲାଗି ମୋର ଅନ୍ୟତମ ଭଉଣୀ ମାଲା ତା’ର ଜୀବନ ସାଙ୍ଗ କରିଛି....’’

 

କହୁଁ କହୁଁ ତା’ର ସ୍ୱର ଆବେଗରେ ଥରି ଉଠିଲା.... ମୁଁ ନିର୍ବାକ୍‍ ବିସ୍ମୟରେ ଶୁଣିଯାଉଥାଏ ମାଲାର ବିଷାଦଭରା ପ୍ରଣୟ କାହାଣୀ

 

ବେଲାୟୁଧନ୍‍ର ହାତ ଦୁଇଟି ଧରି ସଂଯତ ସ୍ୱରରେ କହିଲି–

 

‘‘ମୋତେ ଭୁଲ ବୁଝୁନା ବେଲାୟୁଧନ୍–ବେଲାକୁ ମୁଁ ଭଲପାଏ ଓ ବିବାହ କରିବାକୁ ପ୍ରସ୍ତୁତ, ଯଦି....’’

 

ମୋ ବାକ୍ୟ ଶେଷ ହେବା ପୂର୍ବରୁ ଗୋଟିଏ ଝଟକାରେ ମୋର ହାତ ଛିଞ୍ଚାଡ଼ି ଦେଇ ଜଳିଉଠିଲା ବେଲାୟୁଧନ୍–

 

‘‘ଚୁପ୍‌କର ଶୟତାନ । ଆଉ ଅଧିକ କହିବା ଦରକାର ହେବନି, ତୋ’ଭଳି ଜଣେ ଖାମଖିଆଲି ଯୁବକ ହାତରେ ମୋ ଭଉଣୀଟିକୁ ଟେକି ଦେବା ଅପେକ୍ଷା, ତାକୁ ସମୁଦ୍ରରେ ଠେଲି ଦେବା ଶ୍ରେୟ ।’’

 

ଗରିବ ଆମେ, ତଥାପି କାହାରି କରୁଣାର ପାତ୍ର ହେବା ଅପେକ୍ଷା ମରିଯିବା ଶ୍ରେୟ ମନେ କରୁ ।’’

 

ମୁଁ କିଛି କହିବା ପୂର୍ବରୁ ବେଲାୟୁଧନ୍ ଚାଲିଗଲା ଉତ୍ତେଜିତ ପଦକ୍ଷେପ ତୋଳି....

 

+ + +

 

ତା’ ପରଦିନ କଥା–ଡାକପିଅନ ଆସି ମୋର ମନିଅର୍ଡ଼ର ଦେଇଗଲା–ଭାବିଲି ଆଉ କୌଣସି ଆଳ ଦେଖାଇ ବେଲା ସହିତ ରହିବା ସୁଯୋଗ ମିଳିବ ନାହିଁ । କାଲି କୌଣସି ମତେ ମୋତେ କୋଜିକୋଡ଼୍ ଛାଡ଼ି ଚାଲିଯିବାକୁ ପଡ଼ିବ । ଏଣେ ବେଲାର ବିରହରେ ମୋର ମନ ବନ୍‌ଶୀ-ବିଦ୍ଧ ମୀନଭଳି ଛଟ୍‌ପଟ୍ କରୁଥାଏ ।

 

ସଂଧ୍ୟାବେଳେ ଅନତିଦୂରସ୍ଥ ନଡ଼ିଆ ବଗିଚାରେ ଲକ୍ଷ୍ୟହୀନଭାବେ ଘୂରିବୁଲୁଥାଏ, ଭାରାକ୍ରାନ୍ତ ମନଟି ନେଇ । ହଠାତ୍‍ କାହାରି ଛାୟା ମୂର୍ତ୍ତିଟିଏ ନଡ଼ିଆ ଗଛ ଆଢ଼ୁଆଳରୁ ଦେଖାଗଲା, ମୋର ଅଳସ ପାଦ ଦିଓଟିକୁ ସେ ଦିଗକୁ ବଢ଼ାଇ ଦେଖିଲି–ବେଲା ନିଜ ଦେହକଲ୍ଲୀ ଗୋଟିଏ ଗଛ ଉପରକୁ ଆଉଜାଇ ନିର୍ନିମେଷ ନୟନରେ ଚାହିଁ ରହିଛି ସମୁଦ୍ର ଆଡ଼କୁ....

 

‘‘ବେଲା ! ଏତେବେଳେ ଏଠି ଏକୁଟିଆଟା କ’ଣ କରୁଛ ?’’

 

ମଳୟାଳର ସାଗର ପରି ହାଉଆ ତା’ର କୁଞ୍ଚିତ କେଶଦାମକୁ ଇତସ୍ଥିତ କରୁଥାଏ । ଚନ୍ଦ୍ରର ରଜତ ରଶ୍ମୀ ନାରିକେଳ ପତ୍ର ନେଇ ସେହି ଜନମାନବହୀନ ବଗିଚାଟିରେ ବିଚିତ୍ର ଆଲୋକଛାୟାର ସୃଷ୍ଟି କରୁଥାଏ ।

 

ପୁନରାୟ ଡାକିଲି, ‘‘ବେଲା’’ ! ତା’ର ଚିବୁକକୁ ସସ୍ନେହରେ ଟିକିଏ ଉଠାଇ ନେଇ । ମୋର ଛାତି ଉପରକୁ ଢଳି ପଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ବେଲା ।

 

‘‘ବେଲା ! ଅବୁଝା ହୁଅନି–ଆମ ଜୀବନର ଶେଷ ଏଇ କେତୋଟି ମଧୁମୟ ମୁହୂର୍ତ୍ତକୁ ବିଷାଦମୟ କରନି !’’

 

ତା’ର ଆବେଗ କମ୍ପିତ ଅଧରରେ ମିଶିଗଲା ଗୋଟିଏ ଉଦ୍ଦାମ ଯୁବକର ଅସୀମ ପିପାସା ଜଡ଼ିତ ଅଧରଦ୍ୱୟ....ସୃଜନର ଦୁର୍ଦ୍ଦମନୀୟ ଚିରନ୍ତନ ଆକର୍ଷଣରେ...

 

ଦୂର ଗଗନର ମେଘ ପଛପଟେ ଲୁଚିଗଲା ନିଶାନାଥ ପରଦାର ଅନ୍ତରାଳରେ ! ମୁକସାକ୍ଷୀପରି ସେଦିନ ଉଭୟପଟୁ ଚାହିଁ ରହିଥିଲା–ଗଛ ଦିଓଟି ଚିରନ୍ତନ ମିଳନର, ଏହି ଉଦ୍ଦାମ ଛନ୍ଦୋଦୟ ମୁହୂର୍ତ୍ତ କେଇଟିକୁ ।

 

+ + +

 

କୋଜିକୋଡ଼ ରେଲଷ୍ଟେଷନ–ଜନମୁଖରିତ ସନ୍ଧ୍ୟାର ଏକ ଅନିଭନବ ପରିବେଶ । ଅତ୍ୟନ୍ତ ମର୍ମନ୍ତୁଦ, ଭାରାକ୍ରାନ୍ତ ମନଟି ନେଇ ବସିଥାଏ ପ୍ଲାଟଫର୍ମ ବେଞ୍ଚ ଉପରେ–ଏକାକୀ–

 

ରତ୍ନାକର ଓ ମହୋଦଧିର ତୁମୂଳ ତରଙ୍ଗାଘାତରେ ମନ ପୋତଟି ଡୁବନୋନ୍ମୁଖ ! ସାମନାରେ କର୍ତ୍ତବ୍ୟର ଗୁରୁ ଆହ୍ୱାନ ଓ ପଛପଟୁ ପ୍ରଣୟର ଅପ୍ରତିହତ ଆକର୍ଷଣ । ରେଳ ଘଣ୍ଟି ବାଜିବା ସଙ୍ଗେ ସଙ୍ଗେ ଜୀବନର ଗୋଟିଏ ଅଧ୍ୟାୟର ପୂର୍ଣ୍ଣଛେଦ ପଡ଼ିଲା ।

 

‘‘ହେ ବାବୁ ! ମୋର ଜଣେ ଲୋକଙ୍କ ସଙ୍ଗେ ଦେଖା କରିବାକୁ ଅଛି, ମୋତେ ଛାଡ଼ !’’ ମିନତିଭରା କାର ପରିଚିତ କଣ୍ଠସ୍ୱର ମୋ ମନରେ ଜାଗ୍ରତ କଲା ଏକ ଉନ୍ମାଦନ, ଗାଡ଼ି ହୁଇସିଲ ଦେଇ ଛାଡ଼ିଲା ବେଳକୁ ମୋତେ ହଠାତ୍‌ ଦେଖିପାରି, ମୋ କାମରା ପାଖକୁ ଦଉଡ଼ି ଆସିଲା ବେଲା-। ହାତରେ ତା’ର ଗୋଟିଏ ପୋଟଳି, ଝରକା ଦେଇ ପୋଟଳିଟି ମୋ ହାତକୁ ବଢ଼ାଇଦେଇ ଅଶ୍ରୁପୂର୍ଣ୍ଣ ଆଖିରେ ନିର୍ବାକ୍‍ଭାବେ ଚାହିଁ ରହିଲା ମୋତେ । ଆବେଗଭରା ହୃଦୟ ଦିଓଟିରୁ ଭାବ ଭାଷା ମାଧ୍ୟମରେ ପ୍ରକାଶ ପାଇଲାନି ସତ ! କିନ୍ତୁ...

 

ଗାଡ଼ିର ଘର୍ଘର ଶବ୍ଦରେ କେବଳ ତା’ର ଓଠ ଦିଓଟି ଥରି ଉଠିବା ଦେଖି ପାରିଲି–ଚିତ୍କାର କରି କହିଲି–

 

‘‘ବିଦାୟ ! ଜୀବନରେ ଥିଲେ ପୁଣି କେବେ ଦେଖା !’’

 

ପୋଟଳି ଫିଟାଇ ଦେଖେ, ତା’ ଭିତରେ ରହିଛି ମୋର ଚୋରିଯାଇଥିବା ମନିପର୍ଶ ଆଉ କିଛି ମଳୟାଳୀ ମିଠାଇ !

 

ନିର୍ବାକ୍‍ ବିସ୍ମୟରେ ଚାହିଁଲି ! ଦୂରରୁ ଦୂରାୟମାନ ରହସ୍ୟମୟୀ ସେହି ବାଳିକାର ସ୍ପଷ୍ଟ ପ୍ରତିମୂର୍ତ୍ତିକୁ । ଜୀବନର ସବୁ ମାୟା ବନ୍ଧନ ଛିଣ୍ଡାଇ ଦ୍ରୁତଗତିରେ ଦୌଡ଼ି ଚାଲିଥାଏ ରେଳଗାଡ଼ିଟି କେଉଁ ଅଜଣା ପ୍ରଦେଶକୁ ।

 

ଅସ୍ତରାଗର ହିରଣ୍ୟ ଛଟା ନିର୍ବାପିତହୋଇ ଆସୁଥାଏ । ଗଭୀର ସାୟାହ୍ନର ଆଗମନ ସଙ୍ଗେ ଟିମ୍‌ ଟିମ୍‌ ହୋଇ ଜଳିଉଠିଲା ସ୍ତିମିତ ଆଲୋକମାଳା । କେରଳୀୟ ପଲ୍ଲୀର ତରୁଲତାନ୍ତରାଳରୁ ଭାସିଆସୁଥାଏ କଥକାଲୀ ନର୍ତ୍ତନର ବିଷାଦ ରାଗିଣୀ ।

Image

 

ଅନ୍ତଃପୁରରୁ...

 

ନାରୀର ସମସ୍ୟା

 

ସ୍ତ୍ରୀ-ପୁରୁଷର ଏଇ ସମାନ ସ୍ୱାଧୀନତା ଯୁଗରେ କେବଳ ସ୍ତ୍ରୀମାନଙ୍କ ସମସ୍ୟା ବୋଲି କୌଣସି ସମସ୍ୟାକୁ ଚିହ୍ନିତ କରି ହେବନି । ତେବେ କେତେକ ସମସ୍ୟାର ପୁରୁଷ କ୍ଷେତ୍ରରେ ଯେପରି ହୋଇଥାଏ, ନାରୀ କ୍ଷେତ୍ରରେ ଠିକ ସେଇପରି ଭାବରେ ସମାଧାନ କରାଯାଏ ନାହିଁ । ସେଗୁଡ଼ିକୁ ହିଁ ନାରୀ ସମସ୍ୟା କୁହାଯାଇ ପାରେ ।

 

ମାସିକ ତଥା ସାପ୍ତାହିକ ପତ୍ର ପତ୍ରିକାରେ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ଅଛି । ସେଥିରେ ନାରୀ ସମାଜର ଆଶା, ଆକାଂକ୍ଷା, ଦାବୀ, ପ୍ରତିବାଦର ସ୍ୱର ସ୍ପଷ୍ଟ ହୋଇ ଉଠିଥାଏ, କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ସେଗୁଡ଼ିକ ନାରୀ-ପୁରୁଷ ଉଭୟର ଏକ ସାଧାରଣ ସମସ୍ୟା । ନାରୀମାନେ ସେସବୁ ପ୍ରତି ଅଧିକ ଉତ୍ସାହ ପ୍ରକାଶ କରୁଥିବା ହେତୁ ସେଗୁଡ଼ିକ ‘ନାରୀ-ମହଲ’ର ଅନ୍ତର୍ଗତ କରାଯାଇଥାଏ ।

 

ଛୁଆ-ପିଲାଙ୍କୁ ମଣିଷ କରି ଗଢ଼ିବାଠାରୁ ଆରମ୍ଭ କରି ସିଲାଇ, ରନ୍ଧାବଢ଼ା, ବେଶ ପରିପାଟୀର ଶୈଳୀ, ଆହାର-ବିହାର ଆଦି ବିଷୟମାନ ଉକ୍ତ ବିଭାଗମାନଙ୍କରେ ଥାଏ । ଏହା ଦ୍ୱାରା ନାରୀ-ପୁରୁଷର ପ୍ରଭେଦଗୁଡ଼ିକୁ ସ୍ପଷ୍ଟିକରଣ କରା ହୋଇଥାଏ । କିନ୍ତୁ ଏଗୁଡ଼ିକ ବାସ୍ତବରେ କୌଣସି ସମସ୍ୟା ନୁହଁ ।

 

ଏଣୁ, ଏ ଯୁଗରେ କୌଣସି ସମସ୍ୟାକୁ ‘ନାରୀ ସମସ୍ୟା’ କହି ପୃଥକୀକରଣ କରି ହବନି । ଜୀବନ ସ୍ରୋତର ତରଙ୍ଗାଘାତ ସଙ୍ଗେ ସଙ୍ଗେ ନାନା ଅସାମଞ୍ଜସ୍ୟ, ସାମାଜିକ ଭ୍ରାନ୍ତି ସୃଷ୍ଟି ହେଉଛି । ସମାଜ ସହିତ ବ୍ୟକ୍ତିର, ପରିବେଶ ସହିତ ରୁଚିର, ପ୍ରୟୋଜନ ସହିତ ଆଦର୍ଶର ସଙ୍ଘାତ ଆମକୁ ସମସ୍ୟା ଭିତରକୁ ଠେଲି ଦେଉଛି । ଏଣୁ ଏ ଯୁଗରେ ନାରୀ ଜୀବନରେ ସବୁଠୁ ବିପର୍ଯ୍ୟୟ ଆଣି ଦେଇଛି ଘର ସହିତ ବାହାରର ଅସାମଞ୍ଜସ୍ୟ ସମ୍ପର୍କ ।

 

ଏଠାରେ ପୁରୁଷ ଯେପରି ଭାବରେ ସମସ୍ୟାର ସମ୍ମୁଖୀନ ହୋଇପାରେ, ନାରୀ ପାରେନି । ବିଭେଦଟା ଏଠି ଖୁବ୍‌ ସ୍ପଷ୍ଟ ।

 

ଧରନ୍ତୁ, ଯୁବତୀ ଝିଏଟିଏ ରୋଜଗାର କରୁଛି । ତା’ର ରାତି ଡିଉଟି ପଡ଼େ, ପୁଣି ରନ୍ଧାବଢ଼ା କାମ ମଧ୍ୟ କରିବାକୁ ହୁଏ । ବିବାହିତ ଜୀବନରେ ସ୍ୱାମୀର ପରିଚର୍ଯ୍ୟା, ପୁଣି ସନ୍ତାନର ମା’ ହେଲେ ସନ୍ତାନ ପାଳନର ସମସ୍ତ ଦାୟିତ୍ୱ ତା’ ଉପରେ– ଦେଖନ୍ତୁ ମଧ୍ୟବିତ୍ତ ଶ୍ରେଣୀର ଏ ଝିଅଟି ପାଇଁ କି ପ୍ରକାର ସମସ୍ୟା ଉଦ୍ଭବ ହେଉଛି ?

 

ଅବଶ୍ୟ ବିଦେଶରେ ଅନେକ ସୁବିଧା ଥିବା ହେତୁ ସଂସାର ପରିଚାଳନା ସମ୍ପର୍କୀୟ ବିଭ୍ରାଟ ସୃଷ୍ଟି ହୁଏନା । ସାଂସାରିକ ଜଞ୍ଜାଳ ନଥାଏ । କିନ୍ତୁ ଆମ ଦେଶରେ ଉପରୋକ୍ତ ଝିଅଟି ରାତି ଡିଉଟି କରି କ୍ଳାନ୍ତ ଶ୍ରାନ୍ତ ହୋଇ ଘରକୁ ଫେରିବ । ସ୍ୱାମୀର ସେବା, ସନ୍ତାନର ଦାୟିତ୍ୱ ତୁଲେଇବା ତା’ ପକ୍ଷେ ସମ୍ଭବ ହୁଏନା– କିନ୍ତୁ ସ୍ୱାମୀ ହିସାବରେ ସ୍ତ୍ରୀଠାରୁ ସେ ଅନେକ କିଛି ଆଶା କରେ । ତା’ର ବ୍ୟତିକ୍ରମରେ ସ୍ତ୍ରୀ ପୁରୁଷ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଏ ।

 

ସଂସାର ଚଳେଇବା ପାଇଁ ପୁରୁଷର ଆୟ ଯଥେଷ୍ଟ ନଥିବା ହେତୁ ସ୍ତ୍ରୀ ଚାକିରି କରେ । କିନ୍ତୁ ସାମାଜିକ ଜୀବନର ବିଚିତ୍ରତାଠାରୁ ଏମାନେ ଦୂରେଇ ଯାଆନ୍ତି । ଏଇଟି ନାରୀ ପକ୍ଷରେ ଏକ ଆଧୁନିକ ସମସ୍ୟା । ଯେ ପର୍ଯ୍ୟନ୍ତ ଆମ ଦେଶରେ ଗୃହ ଦାୟିତ୍ୱ ଓ ସନ୍ତାନ ଲାଳନ ପାଳନ ପାଇଁ ଶିକ୍ଷାପ୍ରାପ୍ତ ପରିଚାରିକା ସୃଷ୍ଟି ନ ହୋଇଛନ୍ତି, ଏ ସମସ୍ୟାଟିର ସମାଧାନ ସମ୍ଭବ ନୁହେଁ ।

 

ଆଦର୍ଶ ନାଁରେ ଅନେକ କଥା ସମାଜରେ ଉଠେ । କିନ୍ତୁ ଆଜିକାର ସମାଜ ବ୍ୟବସ୍ଥାରେ ନାରୀର ସ୍ୱତନ୍ତ୍ର ଆଦର୍ଶ କିଛି ନାହିଁ । ସେ ସବୁ ବୈଦିକ ଯୁଗ କଥା । ସେତେବେଳେ ପୁରୁଷ ସହିତ ସଂପୃକ୍ତ ରହିହିଁ ତା’ର ଆଦର୍ଶ ଗଠିତ ହେଉଥିଲା । କନ୍ୟା, ଭଗିନୀ, ଭାର୍ଯ୍ୟା ଓ ଜନନୀ ଆଦର୍ଶର ଦୃଷ୍ଟାନ୍ତ ଆମ କାବ୍ୟ ପୁରାଣରେ ପୂରି ରହିଛି ।

 

ଏ ପର୍ଯ୍ୟନ୍ତ ମଧ୍ୟ ଆମ ସମାଜରେ ତା’ର ମହାତ୍ମ୍ୟ ଅନୁମୋଦିତ ହେଉଛି । କିନ୍ତୁ ସର୍ବୋପରି ଆଜି ନାରୀ ମାନବୀ ରୂପେ ତା’ର ଆତ୍ମବିକାଶ କରିବାକୁ ଚାହେଁ । ଆତ୍ମପ୍ରତିଷ୍ଠା ତା’ର ଆଜି ଏକମାତ୍ର ଅଭିଳାଷ ନୁହ । ସଂସାରର ସବୁ ପ୍ରକାର ଜଟିଳତା ଭିତରେ ହିଁ ତାକୁ ଆଜି ଉନ୍ନତି ପଥରେ ଗତି କରିବାକୁ ହେଉଛି । ତା’ର ମୂଲ୍ୟବୋଧର ନବରୁପାୟନ ସଙ୍ଗେ ସଙ୍ଗେ ଆଦର୍ଶର ବି ପିରବର୍ତ୍ତନ ହେଉଛି । ସର୍ବାଙ୍ଗୀନ ବିକାଶର ଆଦର୍ଶ ହିଁ ଆଜି ତା’ର ଆଦର୍ଶ– ଗତିପଥରେ ସମସ୍ତ ପ୍ରତିବନ୍ଧକ ହିଁ ତା’ର ସମସ୍ୟା ।

 

ଏଇ ସବୁ ସମସ୍ୟାର ସେ ସମ୍ମୁଖୀନ ହେବ ନାରୀ ରୂପେ ନା ମାନବୀ ରୂପେ ? ତା’ର ଉତ୍ତର ହେଉଛି– ଆତ୍ମବିକାଶର ସର୍ବାଙ୍ଗୀନ ଉନ୍ନତି ହିଁ ତା’ର କାମ୍ୟ ।

 

– ପ୍ରେମଶୀଳା ଦେବୀ

 

ଏ ଯୁଗର ଦ୍ରୌପଦୀ

 

କାନପୁରର ଏକ ସମ୍ୱାଦରୁ ପ୍ରକାଶ ଯେ ଜଣେ ଲୋକ ଜୁଆଖେଳରେ ତା’ର ସମସ୍ତ ପାର୍ଥିବ ଜିନିଷ ହରାଇବା ପରେ ନିଜ ସ୍ତ୍ରୀ କି ବାଜି ରଖି ଖେଳି ବସିଲା । ଏଥରକ ମଧ୍ୟ ସେ ହାରିଗଲା । ଅପର ଜୁଆଡ଼ିଟି ବିଜୟ ଗର୍ବରେ ଆଧୁନିକ ଯୁଧିଷ୍ଠିରଙ୍କୁ ସାଙ୍ଗରେ ଧରି ତା’ର ସ୍ତ୍ରୀ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚାଲିଲେ । କିନ୍ତୁ ଏ ଯୁଗର ଦ୍ରୌପଦୀ କାକୁସ୍ଥ ହେଇ ପଡ଼ୋଶୀ କୃଷ୍ଣମାନଙ୍କ ସାହାଯ୍ୟ ଭିକ୍ଷା କରିବା ଦୂରେ ଥାଉ, ତା’ର ଯୁଧିଷ୍ଠିର ସ୍ୱାମୀ ଓ ବିଜୟୀ ଦୁର୍ଯ୍ୟୋଧନଙ୍କୁ ଜୋତାରେ ପିଟି ପିଟି ଘରୁ ନିକାଲି ଦେଲେ ।

 

କେଶର ସୌନ୍ଦର୍ଯ୍ୟ ଆଉ ସୁଗନ୍ଧି ପାଇଁ

 

‘ସାଧନା’

ଅମଳା

ମହୋପକାରୀ ଭେଷଜ କେଶତୈଳ

 

ସାଧନା ଔଷଧାଳୟ–ଢାକା

ପୃଥିବୀର ସର୍ବଶ୍ରେଷ୍ଠ ଆୟୁର୍ବେଦ ପ୍ରତିଷ୍ଠାନ

 

ଅଧ୍ୟକ୍ଷ ଡା: ଯୋଗେଶଚନ୍ଦ୍ର ଘୋଷ, ଏମ୍‌, ଏ, ଆୟୁର୍ବେଦ ଶାସ୍ତ୍ରୀ, ଏଫ,ସି,ଏସ୍‌, (ଲଣ୍ଡନ) ଏମ, ସି, ଏସ୍‌ (ଆମେରିକା), ଭାଗଲପୁର କଲେଜର ରସାୟନ ଶାସ୍ତ୍ରର ଭୂତପୂର୍ବ ଅଧ୍ୟାପକ ।

 

କଲିକତା କେନ୍ଦ୍ର–

 

ଡା: ନରେଶ ଚନ୍ଦ୍ର ଘୋଷ, ଏମ୍‌, ବି, ବି, ଏସ୍‌, ଆୟୁର୍ବେଦ ଆଚାର୍ଯ୍ୟ, ୩୬-ଗୋୟାଲପଡ଼ା ରୋଡ଼, କଲିକତା– ୩୭

 

Unknown

‘ମା’

ଅଧ୍ୟାପିକା ବୀଣାପାଣି ମହାନ୍ତି

 

ରାଧାମାଧବଙ୍କ ଆଳତି ସରି ଯାଇଛି କେତେବେଳୁ– ଶେଷ ଆଳତିର ଧୂମ୍ର କୁଣ୍ଡଳୀର ଶେଷାଂଶ ଏବେବି ରୁଦ୍ଧ କକ୍ଷରେ କୁଣ୍ଡଳୀ ଆକାର ଧରି ବୁଲୁଛି । ନିଶ୍ୱାସରେ ଅଗୁରୁ ଚଳନର ଭୁରୁ ଭୁରୁ ଗନ୍ଧ ରହି ରହି ବାଜୁଛି । ଦୀପଶିଖାର ମ୍ଳାନ ସଳିତା ମ୍ଳାନତର ହୋଇ ଆସୁଛି । ଆଖି ବୁଜି ରାଧାରାଣୀ ନତଜାନୁ ଅବସ୍ଥାରେ ପ୍ରାର୍ଥନାରତ । ମୁଦ୍ରିତ ଆଖିକୋଣରୁ ବହି ଚାଲିଛି ଝର ଝର ଲୁହ-। ମନେହେଉଛି ରାଧାମାଧବଙ୍କ ଚରଣ ତଳେ ମଥା ପିଟି ରକ୍ତ ଢାଳି ଦିଅନ୍ତେ ! ବଡ଼ପାଟି କରି ଦୁନିଆକୁ ଶୁଣାଇ ଦିଅନ୍ତେ ସୃଷ୍ଟିର ଅବିଚାର । କହନ୍ତେ, ଏ କ’ଣ କଲେ ପ୍ରଭୁ ! କାହିଁକି ଦେଲ-? ଦାନ କରି ପୁଣି ଫେରାଇ ନବ ବୋଲି କାହିଁକି ଭୟାକୁଳ କରି ରଖୁଛ ମତେ ? ଏଇ କ’ଣ ତୁମ ଦାନର ମାହାତ୍ମ୍ୟ ?’’ ଚିନ୍ତାସ୍ରୋତ ହଠାତ୍‌ ଅଟକି ଗଲା–ମଥାରେ କାହାର ଧୀର ଅଙ୍ଗୁଳି ସ୍ପର୍ଶ । ଚମକିପଡ଼ି ଆଖି ଖୋଲିଲେ ସେ । ସାମ୍ନାରେ ସ୍ୱାମୀ ଲୋକନାଥ ଛିଡ଼ା ହୋଇ ଚାହିଁ ରହିଛନ୍ତି କରୁଣ ଭାବରେ ତାଙ୍କରି ଆଡ଼କୁ ।

 

‘‘କାହିଁକି ଦିନରାତି ତମେ ଏମିତି ଅଧୀର ହେଉଛ ? ଯେଉଁ ରାଧାମାଧବ ତୁମ ଗର୍ଭରେ ଦେଇଛନ୍ତି ସେହି ନିର୍ମମ ପୁଣି ତାକୁ ନେଇଯିବେ । ତାଙ୍କର ସମସ୍ତ ଇଚ୍ଛା ଆମର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ତୁମର ବୟସ ତ କିଛି ହୋଇନି ରାଧା ଯେ ତୁମର ଆଉ ସନ୍ତାନ ହେବନି ବୋଲି ତୁମେ ଏତେ ଅଧିର ହୋଇ ପଡ଼ୁଛ ? ଗର୍ଭସ୍ଥ ସନ୍ତାନ ଉପରେ ଲୋଭ ବଢ଼ାଇ ଅଯଥା ତୁମେ କଷ୍ଟ ବଢ଼ାଉଛ କାହିଁକି ? ପୃଥିବୀର କୌଣସି ଶକ୍ତି ତାକୁ ବଞ୍ଚେଇ ପାରିବେନି । ତୁମକୁ ତା’ର ଅସ୍ତିତ୍ୱ ଭୁଲି ଯିବାକୁ ହେବ ।’’

 

‘‘ଥାଉ, ଥାଉ ବନ୍ଦ କର । ତୁମେ ପୁରୁଷ– ପିତା, ମୁଁ ନାରୀ– ମୁଁ ଯେ ମା’– ତୁମେ କାହୁଁ ବୁଝିବ ମୋର ଦୁଃଖ ? ଜୀବନର ପ୍ରଥମ ସନ୍ତାନ ଥରେ ମାତ୍ର ଆସେ ସକଳ ଆଶା ଭରସାରେ ସ୍ୱପ୍ନ ଜଡ଼ାଇ– ଅଥଚ ସମସ୍ତେ କହୁଛ ସେ ଆସୁଛି ପଥ ବିଷାକ୍ତ କରି– ସାରା ଜୀବନରେ ଅସୀମ ଅବସାଦ ଜଡ଼ାଇ ! ନା, ନା, ମୁଁ ଏକଥା ସହି ପାରିବିନି ଆଦୌ । କେହି କେହି ମୋ ଛୁଆକୁ ନେଇ ପାରିବେନି– ସ୍ୱୟଂ ରାଧାମାଧବ ଆସିଲେ ବି ମୁଁ ତା’କୁ ଛାଡ଼ିଦେବି ନାହିଁ ।’’ କହୁ କହୁ କଇଁ କଇଁ କାନ୍ଦି ଉଠିଲେ ରାଧାରାଣୀ । ସତେ ଯେପରି ଆଉ ତା’ର ଶେଷ ନାହିଁ ।

 

ବିଛଣା ତଳେ କାଳସର୍ପ ପରି ଥୁଆ ହୋଇଛି ଆଗାମୀ ଶିଶୁର ଭବିଷ୍ୟତ ଗଣନା ପତ୍ର-। ବହୁ ବିଖ୍ୟାତ ପଣ୍ଡିତ ଗଣନା କରି ପଠାଇଛନ୍ତି ପ୍ରଥମ ସନ୍ତାନର ମୃତ୍ୟୁ ମାତୃଗର୍ଭରେ କିମ୍ୱା ଜନ୍ମର ମାତ୍ର କେତୋଟି ଘଣ୍ଟା ପରେ ସୁନିଶ୍ଚିତ । କେହି ତାକୁ ରକ୍ଷାକରି ପାରିବେ ନାହିଁ । ଚମକି ପଡ଼ିଲେ ରାଧାରାଣୀ । ଗର୍ଭ ବେଦନାରେ ତାଙ୍କର ସାରା ଅଙ୍ଗ ବିଷାକ୍ତ ହୋଇ ଉଠୁଛି । ପୃଥିବୀ ଦିଶୁଛି ଅନ୍ଧାର । କହିଲା କଥା କାନରେ ବାଜୁନି– ଛାତିରେ ଯିମିତି କିଏ ମୃଦ୍‌ଗର ପିଟୁଛି । ହେ ଭଗବାନ ! ମୃତ୍ୟୁ ତା’ ଅପେକ୍ଷା ସହସ୍ର ଗୁଣେ ଭଲ । ମୃତ୍ୟୁର କଳାଛାଇ ଆଖିରେ ତାଙ୍କର ଭରି ଦେଇଛି ଅଜସ୍ର କାଳିମା । ଅଠର ବର୍ଷର କଅଁଳ ମନରେ ଜଳି ଉଠିଛି ସାରା ଜୀବନର ମଧୁର ସ୍ୱପ୍ନ-। ନା, ନା ମୃତ-ଶିଶୁ ଜନ୍ମକରି ସେ କି ଗୌରବରେ ଆଉ ବଞ୍ଚିବେ । ଅସହ୍ୟ ଯନ୍ତ୍ରଣାରେ କ୍ରମଶଃ ତାଙ୍କର ସତ୍ତା ଲୋପ ହୋଇ ଆସୁଥିଲା । ହଠାତ୍‌ ଦରହସିଲା ଚେତନାରେ କାହାର କଅଁଳ କୁଆଁ କୁଆଁ ଶବ୍ଦରେ ଚମକି ପଡ଼ି ମୂର୍ଚ୍ଛା ହୋଇଗଲେ ରାଧାରାଣୀ । ଆକାଶର କଳା ମେଘରୁ ଟୋପା ଟୋପା ପାଣି ଝରି ପଡ଼ୁଥିଲା ରହି ରହି ।

 

‘‘ସର ! କଥାଟିଏ କହିବି ରଖିବ ?’’

 

‘‘କଣ କହୁନ, କୁହ ଭାଉଜ ?’’

 

‘‘ପୁଅକୁ ଟିକେ ମୋ କୋଳକୁ ଦେବ ସର ? କେହି ନାହାନ୍ତି, ଦିଅ’’ ।

 

‘‘ଭାଉଜ, ତୁମର ତ ପୁଅ– ଆଉ ତ କାହାର ନୁହେଁ । ଜ୍ୟୋତିଷ ପରା ମନା କରିଛନ୍ତି ସାତଦିନ ନ ଗଲେ ତୁମେ ଛୁଆ ମୁହଁ ଦେଖିବନି ! କେମିତି ଦେବି କହିଲ ! ଭାଇ ମନା କରିଛନ୍ତି– ଛୁଆ ପ୍ରତି ତୁମେ ଲୋଭ ବଢ଼ାଅନି । କହିଥିଲ ପରା ମତେ ଦେବ ବୋଲି ? ଏଣିକି ସେ ସେ ମୋର ପୁଅ– ତୁମେ ତା’ ପ୍ରତି ଆଉ ଲୋଭ ବଢ଼ାଅନି ଭାଉଜ ।’’ ଅଲିଅଳୀ ନଣନ୍ଦର ଅଳି ନୁହେ; ଦାବୀ, ଅଧିକାର ସବୁ ସାବ୍ୟସ୍ତ କରୁଥିଲା ସର । ଖିଆଲରେ ଦିନେ କହି ଦେଇଥିଲେ ରାଧାରାଣୀ ପୁଅକୁ ଦେଇଦେବେ ତାକୁ ବୋଲି– ସେଇ କଥାକୁ ଆଜି ଦାବୀ କରୁଛି ସର । କିନ୍ତ ନା ନା, ଯିଏ ବଞ୍ଚିବନି ବୋଲି ତାଙ୍କର ଏତେ ଚିନ୍ତା ଏତେ ମର୍ମପୀଡ଼ା ସେ ତ ବଞ୍ଚିଛି– ଯେଉଁଠି ହେଲେ ରହୁ– ତାଙ୍କରି ବୁକୁର ଧନ ତ ? ଦିନେ ତ ବୁଝିବ ତାରି ପ୍ରକୃତ ମା’ କିଏ ବୋଲି । ସ୍ୱର ଖନି ବାଜିଯାଉଛି ତାଙ୍କର– ‘‘କିନ୍ତୁ ସର ବଡ଼ ପୁଅକୁ ମୋର ନେଇଛି, ତମ ହାତରେ ଅଣହେଳା କରିବନି ତ ? କାନ୍ଦି ଉଠିଲେ ରାଧାରାଣୀ ସନ୍ତାନର ମା’ ହୋଇ ମଧ୍ୟ ସେ ମା’ ନୁହନ୍ତି । ବୁକୁଚିରି ଏତେ ଅଶାନ୍ତିରେ ଯେଉଁ ଶାନ୍ତିର କମଳ ଫୁଟାଇଲେ– ସେ କ’ଣ ତାଙ୍କୁ ଗନ୍ଧରେ ଆମୋଦିତ କରିବ ନାହିଁ ? ଅସାର ପ୍ରାଣହୀନ ମାତୃତ୍ୱ ମଥା ପିଟୁଛି ଗୁମୁରି ଗୁମୁରି । ଖାଲି କୋଷ୍ଠୀ, ଭାଗ୍ୟ ଗଣନା– ସବୁ ମିଥ୍ୟା । ବାପ ହୋଇ କେମିତି ଲୋକନାଥ ମୂର୍ଚ୍ଚି ପାରୁଛନ୍ତି ? ପାଷାଣ– ସୃଷ୍ଟି ସାରା ସମସ୍ତେ ନିର୍ଜୀବ, ଜଡ଼-

 

ଶ୍ରଦ୍ଧାରେ ହେଉ କି ଭୟରେ ହେଉ, ଲୋକନାଥ ନାଁ ଦେଲେ ଗୌତମ । ଘର ସଂସାର ଛାଡ଼ି ଯଦି ବାବାଜୀ ହୋଇଯାଏ ବଞ୍ଚି ଜୀଇ ରହିବ ତ ? ସେଇ ତ ଭରସା । ରାଧାରାଣୀ ଆଖି ଖୋଲି ଭଲକରି ଚାହିଁ ପାରନ୍ତିନି– କାଳେ ଲୋଭ ବଢ଼ିବ । ମାତ୍ର ମାସକ ପରେ ଅଶାନ୍ତିର ଝଡ଼ ବୁହାଇ ଚାଲିଗଲା । ଚାଲିଗଲା ଗୌତମ ସର ସଙ୍ଗରେ ।

 

ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡ଼ିଯିବାକୁ ଲାଗିଲା । ଗୌତମ ବଡ଼ ହୋଇ ଉଠୁଛି-। ନାକ, କାନ, ଆଖି ସମସ୍ତ ଯେପରି ଛଡ଼େଇ ନେଇଛି ଲୋକନାଥଙ୍କଠୁ । ମଝିରେ ମଝିରେ ସର ସାଥିରେ ବୁଲିଆସି ପୁଣି ଚାଲି ଯାଉଛି । ରାଧାରାଣୀଙ୍କୁ ଡାକୁଛି ମାଇଁ, ଡାକୁଛି ଲୋକନାଥଙ୍କୁ ମାମୁଁ-। କିଏ ତାକୁ ଶିଖାଇଲା ? ଚମକି ପଡ଼ିଲେ ରାଧାରାଣୀ । ନିଜର ରକ୍ତଗଢ଼ା ସନ୍ତାନ– ମା’ ନ ଡାକି ଡାକୁଛି ମାଇଁ ? ପ୍ରଥମେ ଯେଉଁଦିନ ମାଇଁ ଡାକ ଶୁଣିଲେ, ସେଦିନ ଲୋକନାଥଙ୍କୁ ଧରି ଭୋ ଭୋ କାନ୍ଦି ଉଠିଲେ ସେ ନିର୍ଜନରେ । ‘‘ନା, ନା, ମୁଁ ଏକଥା ସହି ପାରିବିନି– ସରକୁ ତ ମୁଁ ପୁଅ ଦେଇ ଦେଇନି । ରିଷ୍ଟ କଟିଗଲେ ଛୁଆ ମୋର ମୋ କତିକି ଫେରି ଆସିବ । କହ ତେବେ ମୋତେ ମା’ ନ ଡାକି ମାଇଁ କାହିଁକି ଡାକିବ ?’’

 

ବୁଝେଇଥିଲେ ଲୋକନାଥ, ‘‘ଗଉକୁ ଲୋଭ କରନା ରାଧା । ଭାଗ୍ୟ ଜୋର ବୋଲି ସେ ବଞ୍ଚିଛି । ଆଉ ଯୋଡ଼ିଏ ପୁଅ ତମର ଅଛନ୍ତି । ଭଗବାନ ଚାହିଁଲେ ଆଉରି ଆସିବେ । ଗୌତମକୁ ଭୁଲିଯାଅ– ସେ ତୁମର ପୁଅ ନୁହେଁ ସରର ।’’

 

ନିଜନ କକ୍ଷର ଅନ୍ଧକାର ଭିତରେ ଶିହରି ଉଠିଲେ ରାଧାରାଣୀ । କି ଅପରାଧ ତାଙ୍କର-? ତାଙ୍କର ସ୍ପର୍ଶରେ ଗୌତମର ଅନିଷ୍ଟ ଯଦି ସ୍ୱତସିଦ୍ଧ ତେବେ ଥାଉ ସେ ବଞ୍ଚି । ଆଡ଼ ଆଖିରେ ବି ସେ ତାକୁ ଅନେଇବେ । ଆହୁରି ଦିନ ଗଡ଼ି ଯାଏ । ସେଦିନର ରାଧାରାଣୀ ଆଜି ପ୍ରୌଢ଼ା । ମୁଣ୍ଡରେ କେରି କେରି ବାଳ ଧଳା ହୋଇଆସେ । ପାଂଚ ପୁଅର ମା’ ଡାକରେ ସାଂସାରିକ ଜୀବନ ମହଳ ପକାଏ ପୁରୁଣା କଥାରେ– କିନ୍ତୁ ମନର ଦାଗ ଏବେ ବି ଅକ୍ଷତ । ସୁବିଧା ପାଇଲେ ବିଳପି ଉଠେ ରାଧାରାଣୀଙ୍କ ଅବୁଝା ହୃଦୟ ଗୌତମ ପାଇଁ । ବାଇଶି ବର୍ଷର ଯୁବକ ପୁତ୍ର– ମନେ ହୁଏ ସତେ ଯେପରି ସେଇ ପହିଲି ଦିନର କ୍ରନ୍ଦନରତ ନରମ ଶିଶୁ । ପାଂଚ ପୁଅର ମା’ ଡାକ ସତେ ଯେପରି ଅପୂର୍ଣ୍ଣ– ଅସାର ।

 

‘‘ଶୁଣୁଛ ?’’ ଲୋକନାଥଙ୍କର ସୋହାଗପୂର୍ଣ୍ଣ ଗଳା ।’’

 

‘‘କ’ଣ ?’’ ଉଦାସୀନ ଭାବରେ ଉତ୍ତର ଦେଲେ ରାଧାରାଣୀ, ପରିବା କାଟୁ କାଟୁ ।’’

 

‘‘ପରୀକ୍ଷା ଫଳ ବାହାରିଛି– ଗୌତମ ଏମ୍‌.ଏ. ପାଶ କଲା । ଏକଦମ୍‌ ଫାଷ୍ଟକ୍ଲାସ ଫାଷ୍ଟ-। ଖବର କାଗଜରେ ତା’ର କି ପ୍ରଶଂସା– ଦେଖ, କିମିତି ତା’ର ଫଟୋ ବାହାରିଛି !’’ ଆଗ୍ରହରେ କାଗଜଟା ବଢ଼ାଇ ଦେଲେ ଲୋକନାଥ ।

 

‘‘କିନ୍ତୁ ପର ପୁଅଠାରେ ଆମର ଆଶାକରି ଲାଭ କ’ଣ ? ସେ ତ ମୋ ପୁଅ ନୁହେଁ ଯେ ଛାତି ମୋର ପୁରି ଉଠିବ ଆନନ୍ଦରେ !–’’ ଜାଣି ଜାଣି ଆଘାତ ଦେଲେ ରାଧାରାଣୀ ଏ ଶୁଭ ବେଳାରେ ।

 

‘‘କିନ୍ତୁ ମତେ କାହିଁକି ଦୋଷ ଦେଉଛ ? ତୁମରି କୋଷ୍ଠିରେ ତ ଥିଲା ପ୍ରଥମ ସନ୍ତାନ ବଞ୍ଚିବ ନାହିଁ ବୋଲି !’’ ନରମ ଗଳାରେ କ୍ଷତ ଘା’ରେ ଚୂନ ଲେପିଲେ ଲୋକନାଥ ।

 

ପରିବା କାଟୁ କାଟୁ ଅଜାଣତରେ ଆଙ୍ଗୁଠିରୁ ଚେନାଏ କାଟି ପକାଇଲେ ରାଧାରାଣୀ । ମା’ ହୋଇ ସେ ହେଲେ ଡାଆଣୀ ? ନିଜର ଛୁଆକୁ ତା’ ହେଲେ ସେ ନିଜେଇ ଖାଇଯିବେ– ପିଇଯିବେ ତା’ର ରକ୍ତ ? ହେ ଭଗବାନ– କାହିଁକି ଏ ଅପବାଦ ଏ ଆତ୍ମଜ୍ୱାଳା ହେଲା ? ତା’ ଅପେକ୍ଷା ମୃତ୍ୟୁ ଶହେପଣ ଭଲ । ବିଛଣା ଉପରେ ଛୋଟ ଶିଶୁଟି ପରି ଲୋଟି ପଡ଼ିଲେ ରାଧାରାଣୀ । ପୃଥିବୀ ଲାଗୁଛି ଅନ୍ଧାର ।

 

ଲୋକନାଥ କହିଚାଲିଛନ୍ତି ‘‘ଶୁଣ ଆହୁରି ଭଲ ଖବର– ଗଉର ବିଭାଘର ଆଗାମୀ ପନ୍ଦର ତାରିଖରେ– ସର ଠିକ୍‌ କରି ଚିଠି ଦେଇଛି । ଯିବାକୁ ତ ହେବ– ବୋହୁକୁ କ’ଣ ଦେବ ତମେ କହିଲ ?’’

 

ଚିହିକି ଉଠିଲେ ରାଧାରାଣୀ ‘‘–ସର କିଏ ? ସେ କିଏ ମୋ ପୁଅର ବିଭାଘର ଠିକ୍‌ କରିବାକୁ ? ଛୁଆ ମୋର– ମୁଁ ଅବି ଯାଇଁ ତାକୁ ଘେନି ଆସିବି । ନାଁ, ନାଁ ମୁଁ କାହା ମନା ମାନିବିନି-। ମୁଁ ଯିବି– ଏଇକ୍ଷଣି ଯିବି ।’’ ବିଛଣା ଉପରେ ଉଠି ବସିଲେ ସେ– ଆଖିରୁ ବହି ଚାଲିଛି ଲୁହ ଧାର– ଅଲରା ବାଳ ବିଛାଡ଼ି ହୋଇ ପଡ଼ିଛି ମୁହଁସାରା ।

 

‘‘କିନ୍ତୁ...’’ ଅଟକି ଗଲେ ଲୋକନାଥ ।’’

 

‘‘ନା, ନା, ଆଉ କିଛି କଥା ମୁଁ ଶୁଣିବିନି କାହାର । ସ୍ୱାମୀ ହୋଇ ତମେ ଟିକିଏ ବୁଝିଲ ନାହିଁ ? ମା କ’ଣ କେବେ ଛୁଆର ଅନିଷ୍ଟ କାମନା କରେ ?’’

 

ହଠାତ୍‌ ଦ୍ୱାର ବନ୍ଧରେ କାହାର ଚିରପରିଚିତ ଗଳା ଶୁଭିଲା–‘‘ମାଇଁ, ମାଇଁ ।’’

 

ଚମକି ଉଠିଲେ ରାଧାରାଣୀ– ‘‘ଇଲୋ, ମାଲୋ ମୋର ପୁଅ ଆଇଲାଣି ଲୋ’’– ଚିତ୍କାର କରି ଧାଇଁ ଗଲେ ହାତ ବଢ଼ାଇ ରାଧାରାଣୀ ଦ୍ୱାର ବନ୍ଧ ଆଡ଼କୁ ।

 

‘‘ନାଇଁ ମୁଁ ରାମ ନୁହେଁ, ମୁଁ ଗଉ ଆସିଛି ମାଇଁ !’’ ହସି ହସି ନିର୍ବିକାରେ ଉତ୍ତର ଦେଉଛି ଗୌତମ । ରାଧାରାଣୀଙ୍କ ପ୍ରସାରିତ ହସ୍ତ ସଙ୍କୁଚିତ ହୋଇ ଉଠିଲା ଅଜାଣତରେ । ଆବେଗ ଉଚ୍ଛ୍ୱାସ କମିଗଲା ଯେପରି ଏକ ପ୍ରଚଣ୍ଡ ଆଘାତରେ– ମନକୁ ମନ କହି ଉଠିଲେ ସେ, ‘‘ତୁ ମୋର ପୁଅ ନୋହୁଁ ? କହି ପାରିଲୁ ତୁ ? କେତେ ଆଦରର କେତେ ସପନର ଧନ ତୁ ଗଉ ? ମା ବୋଲି ଦିନେ ଡାକିଲା ନାହିଁରେ ? ପାଞ୍ଚ ପୁଅର ମା ଡାକରେ କାନ ମୋର କାଲା ବଧିର ହୋଇଯାଇଛି– ତୋରି ଡାକ ବାଜିଲେ ପରା ନିବୁଜ କବାଟ ଖୋଲନ୍ତାରେ ? ପାଞ୍ଚ ପୁଅକୁ କୋଳରେ ପୂରାଇ କୋଳ ମୋର ଖାଲି ପଡ଼ିଛି ତୋରି ପାଇଁ ସିନା ? ଏଡ଼ିକି ଅବୁଝା ହେଲୁରେ ତୁ ? ରାଗ କରିଛୁ କି ବାପ– ପିଲାଟିଦିନୁ ସର ହାତରେ ଟେକି ଦେଇଥିଲି ବୋଲି ?’’

 

ଭାବନାର ସୀମା କୁଳ ଲଙ୍ଘି ଧାଇଁ ଚାଲିଛି । ଯେପରି ତା’ର ଇତି ନାହିଁ ଗଉର ବାହାଘର– କେତେ ଖୁସି ତାଙ୍କର ହବାର କଥା– କିନ୍ତୁ ମନେ ହେଲା ସମସ୍ତ ସୌଭାଗ୍ୟ ଯେପରି ତାଙ୍କୁ ଉପହାସ କରୁଛି । ତଥାପି ସେ ଯିବେ ଗୌତମର ବରଆଞ୍ଜୁଳି ବାନ୍ଧି ଆଣିବେ କାନିରେ– କାହାରି କଥା ଶୁଣିବେ ନାହିଁ ।

 

+ + +

 

ଗୌତମ ସୁନ୍ଦର ଦିଶୁଛି ସତେ । ମନେ ପଡ଼ୁଛି ଝାପ୍‌ସା, ଝାପ୍‌ସା । ଏମିତି, ଠିକ୍‌ ଏମିତି ଲୋକନାଥ ଦିଶୁଥିଲେ ବର ବେଶରେ । ଲୋଭ ହେଲା ତାଙ୍କରି ନିଜ ପୁଅ ପ୍ରତି । କିନ୍ତୁ– କିନ୍ତୁ କେହି ତ କହୁନି ତାକୁ ଗଉର ମା ବୋଲି । ସର ଯେମିତି ଛୁଆଟାକୁ ଆବୁରି ଧରିଛି ।

 

ବର ବେଶ ସରିଛି । କାର ସଜ ହୋଇ ସାରିଲାଣି । ଖାଲି ଆଞ୍ଜୁଳି ଟେକି ଦେଇ ଘରୁ ଗୋଡ଼ କାଢ଼ିବା କଥା । ଆଞ୍ଜୁଳି ଟେକି ଦେବ ଗୌତମ କାହା ହାତରେ ? ଯୋଡ଼ିଏ ପଣତ ତା’ର ହାତ ପାଖକୁ ପ୍ରସାରିତ । ଜଣେ ଜନ୍ମ କଲା ମା, ଜଣେ ମା ଠୁ ଆହୁରି ବଡ଼ । ଦୁନିଆ ଲୋକେ ଘେରି ରହିଛନ୍ତି । ଏ ଯେ ବିଷମ ସମସ୍ୟାର । ଲୋକନାଥ ତୁଣ୍ଡ ଶୁଣେଇଲେ ‘‘ଗଉ, ସର କୋଳରେ ଦେ– ସେଇ ତୋର ମା’ ।’’ ରାଧାରାଣୀଙ୍କର ଚିତ୍କାର କରି ପାଟି କରି ପ୍ରତିରୋଧ କରିବାକୁ ମନ ହେଲା– କିନ୍ତୁ କି ଆଶ୍ଚର୍ଯ୍ୟ, ପାଟି ଯେ ଖୋଲୁନି– ମୁଦି ଦେଇଛି କି କିଏ ଆଉ ? କେ କୁଆଡ଼େ ଚାଲିଗଲେଣି । ଘର ଭିତରର ନିର୍ଜନ ଅନ୍ଧକାର ଭିତରେ ବ୍ୟଥିତ ମାତୃତ୍ୱର ଝଡ଼ ଅଶାନ୍ତ ଗତିରେ ଆଖି ବାଟ ଦେଇ ବହି ଚାଲିଲା ।

 

ରାଧାରାଣୀଙ୍କ ଅଭିମାନୀ ମନ ଅଭିମାନରେ ଫାଟି ଝରି ଯାଉଛି ଅଲକ୍ଷ୍ୟରେ । କିଏ ବୁଝିବ ? ନିଜର ରକ୍ତ ତ ନିଜକୁ ଲୋଡ଼ୁନି । ଶୋଇଲା ବେଳେ, ଖାଇଲା ବେଳେ, ବୁଲାଚଲା କଲା ବେଳେ ଗଉକୁ ଅନେଇ ରହନ୍ତି ସେ– ବ୍ୟସ୍ତ ହୋଇ କହନ୍ତି, ‘‘ହାତଟା ଟିକିଏ ଧଇଲୁ ମୋର, ଏଇଟା ତୋ ଗୋଡ଼ରେ କ’ଣ ହୋଇଛି କିରେ ଗଉ ? ଦେଖିଲୁ ବାପା, ମୋ ଆଖିରେ ଏମିତି କଳା ଚିହ୍ନ କ’ଣ ହୋଇଛି ?’’ ଯାବତୀୟ ପ୍ରଶ୍ନ କରନ୍ତି ସେ ଗଉକୁ– କାଳେ ସ୍ପର୍ଶରେ ରକ୍ତକୁ ରକ୍ତ ଛୁଇଁବ– ହଜିଲା ରାଗିଣୀ ସୁର ଯୋଡ଼ିବ । କିନ୍ତୁ ଗଉ ଯେ ଅଚଳ, ନିର୍ବୋଧ, ଜଡ଼ ପାଷାଣ, ହାହାକାର କାରୁଣ୍ୟରେ ସାରା ରାତି ତକିଆ ଓଦା ହୋଇଯାଏ ରାଧାରାଣୀଙ୍କର, ତଥାପି ରକ୍ତକୁ ରକ୍ତ ଲୋଡ଼ି ଯାଏନା ।

 

ଫେରି ଆସିଲେ ରାଧାରାଣୀ ନିଜ ସଂସାରକୁ । ଗଉର ପିଲା ହେଲା ବେଳକୁ ଯାଇଁ ଯିବେ । ଶୁଖିଲା ମୁହ ଦେଖି ସେ ବୁଝିନେଲେ ସବୁ । ଅତୀତର କେଉଁ ଏକ ଗଣନାର ବିଭ୍ରାନ୍ତି ଯୋଗୁ ଆଜି ସବୁ ହୋଇ ଉଠିଛି ବିଷାକ୍ତ– କାଳିମା ପୂର୍ଣ୍ଣ । ଲୋକନାଥ ଭାବୁଥିଲେ ଅନ୍ୟ ଏକ ପୁଅ ବାହା ଦେଇ ବୋହୂ ଘରକୁ ଆଣିଲେ ହୁଏତ ରାଧାରାଣୀ ଅତୀତର ଦୁଃଖ ଭୁଲିଯିବେ ।

 

ଗୌତମର ପୁଅ ହୋଇଛି । ରାଧାରାଣୀ ସଳଖି ବସିଲେ । ଏଇଥର ଗଉ ବୁଝିବ । ପୁଅ ବଡ଼ ହେବ– ତାକୁ ଡାକି ଆସିବ– ତେବେ ଯାଇଁ ସେ ଯିବେ ? କିନ୍ତୁ ଏଇକ୍ଷଣି ନ ଗଲେ ଲୋକେ ତାଙ୍କୁ କ’ଣ କହିବେ ?

 

ଗଉର ପୁଅକୁ କୋଳରେ ଧରି ଉଷୁମ ଟାଣିଲେ ରାଧାରାଣୀ । ଗଉ ଏଣିକି ବୁଝିବ ପରା ମା ବାପର ମନ । ଗଉ ଯେତେବେଳେ ପୁଅକୁ ଧରେ– ସେତେବେଳେ ମନହୁଏ ତାଙ୍କର ଦୌଡ଼ିଯାଇ କହିବାକୁ ‘‘ଗଉରେ, ଠିକ୍‌, ଠିକ୍‌ ତୋ ପୁଅକୁ ଧଇଲେ ତତେ ଯେମିତି ଲାଗୁଛି, ମତେ ସେମିତି ଲାଗୁଛି ତୁ– ମାର ମନ ଏତେଦିନ ବୁଝିଲୁରେ ? ମୋର ଧନମାନ କିଛି ଲୋଡ଼ା ନାହିଁ– ଟିକିଏ ଆଦର, ଟିକିଏ ସେନେହ କରି ମତେ ରଖିବୁନି– ଡାକିବୁନି କ’ଣ ମା ବୋଲି ଥରେ ? ମନର କୋହ ମନରେ ମରେ । ଲେଉଟିଲା ପାଣି ଆଉ ଫେରେନା । ଲୁଗା କାନିରେ ମୁହଁ ପୋଛି ମୁହଁ ପୋଡ଼େ– କାନି ଛିଡ଼େ ।

 

ପୁଣି ଆସିଲା ଲୋକନାଥଙ୍କଠୁ ଖବର । ରାଧାରାଣୀ ନାତିକୁ କୋଳରୁ ଥୋଇ ବିଦାୟ ନେଲେ । ଭଗବାନ ତାଙ୍କ କର୍ମରେ ସୁଖ ଲେଖି ନାହାନ୍ତି– କିଏ ତାଙ୍କୁ ଦେବ ?

 

ରାଧାରାଣୀଙ୍କୁ ଦେଖିବା ମାତ୍ରେ ଲୋକନାଥ ଜାବୁଡ଼ି ଧରି ପକାଇଲେ– ‘‘ରାଧା, ପୁଣି ସର୍ବନାଶ । ଗଉର ଭାଗ୍ୟରେ ପୁଣି ବିପର୍ଯ୍ୟୟ, ସୁନିଶ୍ଚିତ । କେହି ଆଉ ତାକୁ ରକ୍ଷା କରି ପାରିବେନି ।’’ କଣ୍ଠ ତାଙ୍କର ବାଷ୍ପାରୁଦ୍ଧ– ଆଖିରେ ଲୁହ ଥଳ କୂଳ ମାନୁନି ।

 

ରାଧାରାଣୀ ଚିତ୍କାର କରି ଉଠିଲେ, ‘ଛାଡ଼, ଛାଡ଼ ତା’ହେଲେ ମତେ । ଏଥର ତମେ ଛାଡ଼ିଦିଅ । ମତେ ଭୁଲେଇ ଆରଥର ତମେ ପୁଅକୁ ଦେଇ ଦେଇଥିଲ ଅନ୍ୟ ହାତରେ ଏମିତି ନାରଖାର କରି ! ଏଥର ମୁଁ କାହାକଥା ମାନିବିନି– ମୁଇଁ ନିଜେ ଯିବି । ନିଜେ ହିଁ ଜଗି ବସିବି ତାକୁ– ଦେଖିବି କେଉଁ ଯମ ଛୁଇଁବ ? ମା କେବେ ଡାଆଣୀ ହୋଇ ପାରେନା– କାହିଁକି ବାପ ହୋଇ ଏ ମିଛ ଅପବାଦ ତମେ ମୋ ଉପରେ ଲଦି ଦେଉଛ ଶୁଣେ ? ଭଗବାନ ଜାଣନ୍ତି ମୋର ସୁକୃତ ବଳଥିଲେ ଗଉ ମୋର ବଞ୍ଚି ରହିବ– କେତେ ବଡ଼ ଲୋକ ହେବ ! ମୁଁ ତ କାହାରି ଅନିଷ୍ଟ ଚିନ୍ତା କରିନି, ମୋ ଛୁଆର କିଛି ହେବ ନାହିଁ ।

 

‘‘କିନ୍ତୁ, କିନ୍ତୁ ତୁମ ରାଶିରେ ତ....’’ ତୁଣ୍ଡର କଥା ଅଟକିଗଲା ।

 

‘‘କହ, କହ କ’ଣ ମୋ ରାଶିରେ ଶୀଘ୍ର କହ ?’’ ହଲାଇଦେଲେ ରାଧାରାଣୀ ।

 

‘‘ତୁମ ରାଶିରେ ପ୍ରଥମ ସନ୍ତାନ ହାନି ଯୋଗୁ ସୁସ୍ପଷ୍ଟ । ତୁମ ରାଶି ଏତେ ବଳିଷ୍ଠ ଯେ ତହା ଗଉର ଦୁର୍ବଳ ରାଶିକୁ ଗ୍ରାସ କରିବାକୁ ଉଦ୍ୟତ । ତେଣୁ ତୁମେ ସେଠାକୁ ଯାଅନି ରାଧା । ଆହୁରି ତୁମର ପାଞ୍ଚ ପୁଅ ଅଛନ୍ତି– ହସିଲା ସଂସାର । ଗତ କଥା ଭୁଲିଯାଅ ତମେ !’’ ଅନୁନୟ କରୁଛନ୍ତି ଲୋକନାଥ ।

 

ସେଦିନର ସାରା ରାତି ରାଧାମାଧବଙ୍କ ମଣ୍ଡପତଳେ କଟିଗଲା ରାଧାରାଣୀଙ୍କର । ତଥାପି ରାଧାମାଧବ ଶୁଣିଲେ ନାହିଁ । ମଣିଷର ବିଚାର ବା ସୁବିଚାରର ଉତ୍ତର ଦେଲେନି ନିଷ୍ଠୁର ଦେବତା । ଲୋତକ ଧାରରେ ମନ୍ଦିରର ଟାଙ୍ଗରା ଭୂଇଁ ଶିହରି ଉଠିଲା ନିଶବ୍ଦ ରାତ୍ରିରେ– ବ୍ୟର୍ଥ ହୃଦୟର କରୁଣ କାକଳ ଝରି ପଡ଼ିଲା ନିଶବ୍ଦ ରାତ୍ରିର ନିର୍ଜନ ବୁକୁ ।

 

ପ୍ରତି ପ୍ରଭାତରେ ମନେହୁଏ ତାଙ୍କର କିଛି ନା କିଛି ଖବର ପାଇବେ ସେ । ଦିନଟା ଯେ ଭଲରେ କଟିବ ଏ ଧାରଣା କ୍ରମଶଃ ବଦଳିଗଲା ତାଙ୍କର । ଏକ ଅଶୁଭ ମୁହୂର୍ତ୍ତର ଇଙ୍ଗିତକୁ ଯେପରି ତାଙ୍କ କର୍ଣ୍ଣ ଉଦ୍‌ଗ୍ରୀବ । ଖଟ୍‍କିନା ହେଲେ ଚମକି ପଡ଼ନ୍ତି । କାରୁଣ୍ୟର କାଳିମାରେ ଅନ୍ଧାର ହେଲା ସୁଦୂର ଭବିଷ୍ୟତ ।

 

+ + +

 

ନିଶବ୍ଦ ରାତ୍ର ରହି ରହି କାନ୍ଦି ଉଠୁଛି ଏକ ନାମହୀନ ପକ୍ଷୀର କରୁଣ କାକଳିରେ । ବାରମ୍ବାର ଚେଷ୍ଟା କରି ବି ରାଧାରାଣୀଙ୍କ ଆଖିକୁ ଆସୁ ନଥିଲା ନିଦ ।

 

ତିନିଥର ଆବାଜ ହେଲା ଦ୍ୱାର ଦେଶରେ । ଚମକି ପଡ଼ିଲେ ଉଭୟେ ।

 

‘‘ବାବୁ ଟେଲିଗ୍ରାମ’’– ପିଅନର ଚିର ପରିଚିତ ଗଳା । ଉଠିଗଲେ ଲୋକନାଥ ବାହାରକୁ-। ଟିକକ ପରେ ଫେରି ଆସିଲେ ସେ । ‘‘ଗଉର ଦେହ ଭଲ ନାହିଁ– ସର ଟେଲିଗ୍ରାମ କରିଛି– ତମେ କ’ଣ ଯିବ ? ଉଠି ବସିଲେ ବିଛଣା ଉପରେ ରାଧାରାଣୀ । ଆଖି ସାମ୍ନାରେ ସତେ ଯେପରି ସମଗ୍ର ପୃଥିବୀ ଘରୁଛି– ‘‘ମା’ଲୋ’’ ବୋଲି ଚିତ୍କାର କରି ତଳେ ପଡ଼ିଗଲେ ଖଟ ଉପରୁ ସେ-

 

ଲୋକନାଥ ଗଲେ ଏକାକୀ । ଅସୁସ୍ଥତା ଯୋଗୁ ଯାଇ ପାରିଲେନି ରାଧାରାଣୀ କିନ୍ତୁ ଯାଇ ଦେଖିଲେ ଗୌତମକୁ ସାମାନ୍ୟ ଜ୍ୱର ଓ ଥଣ୍ଡା ମାତ୍ର । ଅତି ମାତ୍ରାରେ ଡରି ଯାଇ ସର ଟେଲିଗ୍ରାମ କରି ଦେଇଥିଲା । କିନ୍ତୁ ପହଞ୍ଚିବା ଦିନ ହିଁ ଘରୁ ଟେଲିଗ୍ରାମ ପାଇଲେ ‘‘ମା’ ଭୀଷଣ ଅସୁସ୍ଥ– ଗଉ ଭାଇଙ୍କୁ ନେଇ ଆସ’’ ।

 

ଜୀର୍ଣ୍ଣ ହୃଦୟର ଏକମାତ୍ର ଭରସା ଦୁଇଟୋପା ଅଶ୍ରୁ ନେଇ ପଡ଼ିଛନ୍ତି ବିଛଣାରେ ରାଧାରାଣୀ । ଚିହ୍ନି ପାରୁନାହାନ୍ତି କାହାକୁ । ଗୌତମକୁ କି ଲୋକନାଥ କାହାକୁ ସେ ଚିହ୍ନି ପାରିଲେନି । କ’ଣ ହେଲା ତାଙ୍କର– କଥା ଯେ ମୋଟେ ବୁଝୁନାହାନ୍ତି ! ଡାକିଲେ ଜବାବ ଦେଉ ନାହାନ୍ତି । କିଛି ପଚାରିଲେ ସବୁରି ଉତ୍ତର ଖାଲି ପଦିଏ କଥା ‘‘ନା, ନା ପ୍ରଭୁ ମତେ ନିଅ, ତାକୁ ମତେ ଦେଇ ଦିଅ । ଏ ଦୟା କର ପ୍ରଭୁ !’’ ପ୍ରଳାପ କଲେ ମଧ୍ୟ ଆଉ ଦ୍ୱିତୀୟ ଶବ୍ଦ ନାହିଁ । ଦିନ ପରେ ଦିନ ଗଡ଼ିଗଲା । ଅବସ୍ଥା ଖରାପ ଆଡ଼କୁ ଗତି କଲା । ବିଶେଷଜ୍ଞମାନେ ମତ ଦେଲେ ମସ୍ତିଷ୍କ ବିକୃତି– ପରିବର୍ତ୍ତନ ଆବଶ୍ୟକ ।

 

ସେଦିନ ଟିକିଏ ଭଲ ଥିଲାପରି ଲାଗୁଥିଲେ ରାଧାରାଣୀ । ଦିନ ଦିନ ଧରି ଦୀର୍ଘ ଏକମାସ କାଳ ପ୍ରାୟ ଅନିଦ୍ରାରେ କଟାଇଛନ୍ତି ଲୋକନାଥ ଆଉ ଗୌତମ । ପାଳିକରି ପିତା ପୁତ୍ର ଜଗନ୍ତି । ଆଉ କାହାକୁ ପାଖ ପୂରାଇ ଦିଅନ୍ତିନି ରାଧାରାଣୀ । ସେ ଦିନ ସର ଜଗି ଶୋଇଗଲା– ରାଧାରାଣୀ ଆଜି ସୁସ୍ଥ ଅଛନ୍ତି– ଭୟର କାରଣ ଘୁଞ୍ଚି ଯାଉଛି । ନିଶ୍ଚିନ୍ତ ମନରେ ନିଦ୍ରାଗଲେ ଲୋକନାଥ ଓ ଗୌତମ ତଳମହଲାରେ ।

 

ନିସ୍ତବ୍‌ଧ ରାତ୍ରିରେ ମନେହେଲା ଯେପରି ଗୋଡ଼ ପାଖରେ କିଏ ହଲେଇ ଦେଇ ଡାକୁଛି ‘‘ଶୁଣୁଛ, ଶୁଣୁଛ’’ । ଚିରପରିଚିତ ହାତର କଅଁଳ ସ୍ପର୍ଶ । ତନ୍ଦ୍ରା ବିଜଡ଼ିତ ଆଖି ଚେଷ୍ଟା କରିବି ଖୋଲି ପାରୁନାହାନ୍ତି ଲୋକନାଥ । ରାଧାରାଣୀ ଏତେ ବାଟ ଆସିଲେ କେମିତି ? ସେମିତି ଶୋଇଲା ଅବସ୍ଥାରେ ସେ ବ୍ୟସ୍ତ ହୋଇ ଉତ୍ତର ଦେଲେ ‘‘ଆରେ ତମେ ଏତେ ବାଟ ଆସିଲ କାହିଁକି ? ଡାକ୍ତର ପରା ମନା କରିଛନ୍ତି । ତୁମର ପୂରା ବିଶ୍ରାମ ଦରକାର । ଚାଲ, ଚାଲ ମୁଁ ଛାଡ଼ି ଦେଇ ଆସିବି !’’ ହାତ ବଢ଼ାଇଲେ ନିଦ ବାଉଳାରେ ଲୋକନାଥ ।

 

‘‘ନାଁ, ନାଁ ଶୁଣ– ମୁଁ ଯାଉ ଯାଉ ଫେରି ଆସିଲି ତମ ପାଖକୁ । ଗଉକୁ କହିବ ମୁଁ ଗଲାପରେ ମୋ ବିଛଣାରେ ହାତ ବୁଲାଇ ଥରେ ମା’ ବୋଲି ଡାକିବ । ଶୁଣ ମତେ କଥା ଦେଲେ ମୁଁ ଯିବି ଯେ ।’’

 

‘‘ଆହା, ତୁମେ ସେସବୁ ଭାବୁଛ କାହିଁକି କହିଲ ? ଦେଖୁନ– ଗଉ ପରା ଆଜିକାଲି ତମକୁ ସବୁବେଳେ ମା’ ଡାକୁଛି ! ଚାଲ ଉଠ, ଏଇକ୍ଷଣି ମୁଁ ଗଉକୁ ଡାକୁଛି’’ । କହୁ କହୁ ହଠାତ୍‌ ‘ଗଉ,ଗଉ’ ବୋଲି ଚିତ୍କାର କରି ଉଠିଲେ ଲୋକନାଥ ନିଶବ୍ଦ ରାତ୍ରିର ବୁକୁ ଫଟାଇ । ନିଦ ଭାଙ୍ଗିଗଲା ଆପଣାର ବିକଟାଳ ଶବ୍ଦରେ । ଉଠି ବସିଲେ ବିଛଣା ଉପରେ ନିଜେ । ଏ କ’ଣ ? ସ୍ୱପ୍ନ ନା ସତ୍ୟ ।

 

ଦେହ ସାରା ଝାଳ କଣ୍ଟି ଆସିଛି– ତଣ୍ଟି ଅଠା ଅଠା ଲାଗୁଛି । ମୁଣ୍ଡ ଭିତର ଝାଁ ଝାଁ ଲାଗୁଛି । ମିଛ ସବୁ ମିଛ-ମନର ବିକାର । ଏଇ ଘଣ୍ଟାକ ତଳେ ତ ଦେଖି ଆସିଥିଲେ ରାଧାରାଣୀଙ୍କୁ-। ନିଶ୍ଚିନ୍ତ ନିଦ୍ରା ଯାଇଥିଲେ ସେ । ଦୁଇ ଦିନ ହେଲା ବେଶ୍‌ ଭଲ ଅଛନ୍ତି । ଇଏ ମନର ବିକାର ଛଡ଼ା ଆଉ କ’ଣ ହୋଇପାରେ ! ଲଣ୍ଠନର ସୀମିତ ଆଲୋକ ହଠାତ୍‌ ଦମକାଏ ପବନରେ ଲିଭିଗଲା-। ଚମକି ପଡ଼ିଲେ ଲୋକନାଥ ନିଜର ଅଜାଣତରେ ।

 

ସବୁଦିନ ପରି ସୁନ୍ଦର ସୂର୍ଯ୍ୟର ସକାଳ ହସି ହସି ଆସିଲା– ଫୁଲ ଫୁଟିଲା– କାଉ ରାବିଲା । ଘରେ ଘରେ ଅଜସ୍ର କୋଳାହଳର ଢେଉ । କିନ୍ତୁ ଉଠିଲେ ନାହିଁ ରାଧାରାଣୀ ଆଉ । ଦୁଇଧାର ଲୁହ ଦୁଇ ଗଣ୍ଡଦେଇ ବହିଯାଇ ଶୁଖିଲା ଚିହ୍ନି ରଖି ଯାଇଛି । ପାଟି ବାଟେ ରକ୍ତର ଦାଗ ଲାଗି ରହିଛି ।

 

ଦ୍ୱାର ବନ୍ଧ ଡେଇଁ ଭିତରକୁ ପଶି ପାରିଲେନି ଲୋକନାଥ । ଦ୍ୱାର ବନ୍ଧକୁ ଧରି ସତେ ଯେପରି ସେ ବାଟ ଉଗାଳି ଧରିଛନ୍ତି ରାଧାରାଣୀଙ୍କୁ । ଗତ ରାତ୍ରର ଅଧା ଛାଇ ଅଧା ଆଲୁଅରେ ସେଇ ଘଟଣା ତେବେ ସ୍ୱପ୍ନ ନୁହେଁ ନିରାଟ ସତ୍ୟ । କେତେ ବେଳ ବିତି ଯାଇଛି ତାଙ୍କର ଖିଆଲ ନାହିଁ । ହଠାତ୍‌ ଗୋଟାଏ ଚିତ୍କାରରେ ତନ୍ଦ୍ରା କଟିଗଲା– ସେ ଚମକି ଚାହିଁଲେ– ତାଙ୍କର ବତ୍ରିଶ ବର୍ଷର ତରୁଣ ପୁତ୍ର ଗୌତମ ରାଧାରାଣୀଙ୍କ ଶବ ଉପରେ ଲୋଟି ପଡ଼ି ‘ମା’, ମା’ ବୋଲି ଖୁବ ଜୋରରେ ଛୋଟ ପିଲାଟି ପରି କାନ୍ଦୁଛି । ଘରର ଅନ୍ୟ ସମସ୍ତେ ସ୍ତମ୍ଭୀତ । କାହାରି ପାଟିରେ କଥା ନାହିଁ– ଆଖିରେ ଲୁହ ନାହିଁ । ଗୌତମର ମା’ ଡାକରେ ଲୋକନାଥଙ୍କ ଆଖିରେ ହଠାତ୍‌ ମାଡ଼ି ଆସିଲା ଅଶ୍ରୁର ବନ୍ୟା– ଅନ୍ତରରେ ପ୍ଳାବନ ଛୁଟାଇ । ଲୋକନାଥ କାନ୍ଦି ଉଠିଲେ ଜୋରରେ– ରାଧାରାଣୀଙ୍କ ବିଚ୍ଛେଦରେ ନୁହେଁ-ଗୌତମର ମା’ ଡାକରେ ଏତେ ପ୍ରାଣ ପ୍ରାଚୁର୍ଯ୍ୟ ଭରି ରହିଛି ବୋଲି– ଏତେ ଐଶ୍ୱର୍ଯ୍ୟ, ଏତେ ମାଦକତା ଅଛି ବୋଲି ! ପିତା ପୁତ୍ରଙ୍କର ମିଳିତ ଅଶ୍ରୁରେ ରାଧାରାଣୀଙ୍କର ଶୀର୍ଣ୍ଣ ମୁଖ ସତେକି ଉଛୁଳି ଉଠୁଥିଲା ।

Image

 

ଫିଲ୍ମ-ଡାୟେରୀ

ବାଣୀଦୂତ

ସାର୍ଥକ ଶିଳ୍ପର ପ୍ରଭାବ

 

ଆଜିକାଲି ବୈଜ୍ଞାନିକ ଯୁଗରେ ଏକ ଦେଶ ସହିତ ଅନ୍ୟ ଦେଶର ବାଣିଜ୍ୟ ସଂପର୍କ ପ୍ରତିଷ୍ଠାର ଅନ୍ୟତମ ଶ୍ରେଷ୍ଠ ଉପାୟ ହେଉଛି ଚଳଚ୍ଚିତ୍ରର ବିନିମୟ । ଚଳଚ୍ଚିତ୍ରରେ ଜାତିର ମାନସିକତା, ଆଶା ଓ ସଂସ୍କୃତିର ସ୍ୱଚ୍ଛ ପ୍ରତିବିମ୍ୱ ଯେପରି ବ୍ୟାପକ ଭାବେ ପରିସ୍ଫୁଟିତ ହୋଇ ଉଠେ, ଅନ୍ୟ କୌଣସି ଶିଳ୍ପ ମାଧ୍ୟମରେ ତାହା ସମ୍ଭବ ହୋଇପାରେନା । ସେଥିଯୋଗୁଁ ବିଭିନ୍ନ ଦେଶ ଚଳଚ୍ଚିତ୍ର ମାଧ୍ୟମରେ ସେମାନଙ୍କର ଭବିଷ୍ୟତ ଆଶା ଓ ସଂସ୍କୃତିର ପ୍ରଚାର ଓ ପରିଚୟ କରାଇଥାନ୍ତି । ବ୍ୟବସାୟିକ ଦିଗ ମଧ୍ୟ ଏ ଉଦ୍ୟମରେ ଅକ୍ଷୁଣ୍ଣ ରୁହେ ।

 

ଆମ୍ଭେମାନେ ଚିତ୍ର ଦେଖୁ, ସମାଲୋଚନା ମଧ୍ୟ କରୁ । ଶିଳ୍ପର ସାର୍ଥକ ତଥା ଅସାର୍ଥକ ଦିଗ ନେଇ ଯେଉଁମାନେ ସମାଲୋଚନା କରନ୍ତି, ସେମାନଙ୍କ ସମ୍ମୁଖରେ ହଠାତ୍‌ ଯଦି ଖଣ୍ଡିଏ ଉତ୍କୃଷ୍ଟ ଶିଳ୍ପ ଭାବାପୂର୍ଣ୍ଣ ଛାୟାଚିତ୍ର ପ୍ରଦର୍ଶିତ ହୁଏ, ତା’ର ପ୍ରଶଂସା ବିଦ୍ୟୁତ ବେଗରେ ଚାରିଆଡ଼େ ବ୍ୟାପିଯାଏ । କଲିକତାରେ ଅନୁଷ୍ଠିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ସପ୍ତାହ ଉପଲକ୍ଷେ ଏହିପରି ଗୋଟିଏ ଶିଳ୍ପସମ୍ପଦ ପ୍ରଦର୍ଶିତ ହୋଇଥିଲା । ଅପୂର୍ବ, ଅବିସ୍ମରଣୀୟ ଜାପାନୀ ଚିତ୍ର–" Happyness of us alone" । ଚିତ୍ରଟିକୁ ଦେଖି ସମାଲୋଚକମାନେ ମୁଗ୍‌ଧ ଓ ଅଭିଭୂତ ହୋଇଛନ୍ତି ।

 

ଚିତ୍ରକାହାଣୀରେ ଥିବା ଦୁଇଟି ମୁଖ୍ୟ ଚରିତ୍ରରେ ଜଣେ ମୂକ ଓ ବଧୀର, ଅନ୍ୟ ଜଣକ କେବଳ ବଧୀର । ସେମାନେ ସ୍ୱାମୀ-ସ୍ତ୍ରୀ । ସୁଖୀ ଦମ୍ପତି । ଏହି ସୁଖ ଓ ସନ୍ତୋଷ କେବଳ ସୀମାବଦ୍ଧ ଥାଏ ସେମାନଙ୍କ ମଧ୍ୟରେ– ବାହାର ଜଗତର କୋଳାହଳ ସେମାନଙ୍କ ପାଖରେ ପହଞ୍ଚେ ନାହିଁ । ପରସ୍ପର ସହିତ ନିଶବ୍ଦରେ ଅନ୍ତରେ ଅନ୍ତରେ କଥାବାର୍ତ୍ତା କରନ୍ତି ଆଖିର ମିନତିରେ, ଆଙ୍ଗୁଳିର ସଙ୍କେତରେ ।

 

ନିଶବ୍ଦ ଜଗତର ଏହି ଦୁଇଟି ହୃଦୟ କଥା ଓ ବ୍ୟଥା, ଅଭିଳାଷ ଓ ଅଭିମାନ, ଆଶା ଓ ଆକାଂକ୍ଷା, ଆନନ୍ଦ ଓ କାକୁତି ଭାଷାର ସୀମା ଲଙ୍ଘନ କରି ଅପୂର୍ବ ଭାବେ ଚିତ୍ରଟିରେ ଅର୍ଥମୟ ହୋଇ ଉଠିଛି ।

 

ମୂକ-ବଧୀର ସ୍ୱାମୀ ସ୍ତ୍ରୀର ଜୀବନର ଅଶ୍ରୁବିନ୍ଦୁ ଓ ଆନନ୍ଦ ଉଚ୍ଛ୍ୱାସ ମଧ୍ୟରେ କଥା ଓ ଶ୍ରବଣ ଶକ୍ତିରହିତ ବିଶ୍ୱର ହତଭାଗ୍ୟମାନଙ୍କର ଅଜସ୍ର ସାନ୍ତ୍ୱନା ଠୁଳ ହୋଇଛି । ମୋଟ ଉପରେ ଏହି ଚିତ୍ରଟି ସାର୍ଥକ ଶିଳ୍ପ ସୃଷ୍ଟିର ଏକ ଉଜ୍ଜ୍ୱଳ ସ୍ୱାକ୍ଷର କହିଲେ ଅତ୍ୟୁକ୍ତି ହେବ ନାହିଁ ।

Image

 

ଚିତ୍ର ଓ ଚିତ୍ରତାରକା

ପୋଲାଣ୍ଡରେ ଭାରତୀୟ ଚିତ୍ରର ପ୍ରଦର୍ଶନ

 

ଅନ୍ତର୍ରାଷ୍ଟ୍ରୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବାକୁ ଆସିଥିବା ପୋଲାଣ୍ଡର ଚଳଚ୍ଚିତ୍ର ପ୍ରତିନିଧିମାନଙ୍କଠାରୁ ପ୍ରକାଶ ପାଇଛି ଯେ ଏ ପର୍ଯ୍ୟନ୍ତ ପୋଲାଣ୍ଡରେ ନଅଟି ଚିତ୍ର ପ୍ରଦର୍ଶିତ ହୋଇ ସାରିଛି । ପୋଲିସ ପ୍ରତିନିଧି ଶ୍ରୀ ଦୁଦା ଏଠାରେ ପ୍ରକାଶ କରିଛନ୍ତି ଯେ ତାଙ୍କ ଦେଶରେ ବାବଲା, ଦୋ ବିଘା ଜମିନ, ରାହୀ, ପଥେର ପାଞ୍ଚାଲି, ମୁନ୍ନା, ବୁଟ୍‌ ପାଲିସ, ଆଓ୍ୟାରା, ଶ୍ରୀ ୪୨୦ ଓ ଜାଗ୍‌ତେ ରହୋ ଚିତ୍ର ପ୍ରଦର୍ଶିତ ହୋଇ ସାରିଛି । ପ୍ରତିନିଧିମଣ୍ଡଳର ଆଉ ଜଣେ ସଭ୍ୟଙ୍କଠାରୁ ପ୍ରକାଶ ଯେ ତାଙ୍କ ଦେଶରେ ପ୍ରତି ବର୍ଷ ୨୮ଟି ଚିତ୍ର ନିର୍ମିତ ହୁଏ । ମାତ୍ର ଏହାଛଡ଼ା ବିଦେଶରୁ ପ୍ରାୟ ୨୦୦ଟି ଚିତ୍ର ଆସେ । ପୋଲାଣ୍ଡରେ ୧୦୦୦ ପ୍ରଦର୍ଶନୀ ଗୃହ ଅଛି । ସେ ଦେଶର ଅଧିକାଂଶ ଚଳଚ୍ଚିତ୍ର ଅଭିନେତା ରଙ୍ଗମଞ୍ଚରେ ମଧ୍ୟ ଅଭିନୟ କରନ୍ତି ।

 

ବିଖ୍ୟାତ ଚିତ୍ରତାରକା ବାର୍ଦୋ ଅବସର ନେବେ

 

ଖ୍ୟାତନାମ୍ନୀ ଅଭିନେତ୍ରୀ ବ୍ରିଜିତ ବାର୍ଦୋ ଚିତ୍ରଲୋକରୁ ଅବସର ନେବାର ସିଦ୍ଧାନ୍ତ ନେଇଛନ୍ତି । ପ୍ରଚୁର ଖ୍ୟାତି, ଐଶ୍ୱର୍ଯ୍ୟ ତଥା ଚିତ୍ରମୋଦୀମାନଙ୍କ ପୂଜା ଉପଚାର ସତ୍ତ୍ୱେ ମନ ତାଙ୍କର ବିଷେଇ ଉଠିଲାଣି । ସ୍ୱାଧୀନ ଇଚ୍ଛାର ପରିଧି ଭିତରେ ଜୀବନକୁ ଉପଭୋଗ କରିବାର ବାସନା ପ୍ରବଳ ହୋଇ ଉଠିଛି ତାଙ୍କ ଭିତରେ ।

 

ବାସ୍ତବରେ ଚିତ୍ରତାରକା ହେବାର ବାସନା ତାଙ୍କର କେବେ ନଥିଲା । କିନ୍ତୁ ନର୍ତ୍ତକୀ ହେବାର ଏକ ସୂକ୍ଷ୍ମ ଆକାଂକ୍ଷା ତାଙ୍କ ମନ ଭିତରେ ଆତ୍ମଗୋପନ କରିଥିଲା । ଘଟଣା କ୍ରମେ ସେ ହେଲେ ଚିତ୍ରାଭିନେତ୍ରୀ । ତାରକାଙ୍କ ରାଣୀ । ପ୍ରଭୂତ ସଫଳତା ପରେ ମଧ୍ୟ ଚଳଚ୍ଚିତ୍ରରେ ଅଂଶଗ୍ରହଣ କାର୍ଯ୍ୟକୁ ସେ ଆଜି ଘୃଣା ଦୃଷ୍ଟିରେ ଦେଖୁଛନ୍ତି । ଷ୍ଟୁଡିଓ, ତା’ର ପରିବେଶ, ସାଙ୍ଗସାଥୀ, ଷ୍ଟୁଡିଓର କର୍ମପ୍ରଣାଳୀ ସବୁଗୁଡ଼ିକ ଆଜି ବିରକ୍ତିକର ମନେ ହେଉଛି ।

 

ଷ୍ଟୁଡିଓ ବାହାରେ ମଧ୍ୟ ନିସ୍ତାର ମିଳେ ନାହିଁ । ଗତ ଦଶବର୍ଷ ଭିତରେ ଗୋଟିଏ ଦିନ ହେଲେ ସେ ନିଜର କରି ପାଇ ନାହାନ୍ତି । ପାରିର ନିର୍ଜନ ପ୍ରାସାଦରେ ମଧ୍ୟ ଏକାକୀତ୍ୱର ସୁଖ ତାଙ୍କ ଭାଗ୍ୟରେ ଜୁଟିନି । ପ୍ରତିଦିନ ସାମ୍ୱାଦିକ, ଚିତ୍ର ଦୁନିଆର ଲୋକବାକ, ଫଟୋଗ୍ରାଫର, ଅସଂଖ୍ୟ ଚାଟୁକାର ଭକ୍ତ ଆସି ଭିଡ଼ ଜମାନ୍ତି । ଘରୁ ପଦାକୁ ଗୋଡ଼ କାଢ଼ିଲେ ହିଁ ଗୋଲାକାର ଜନତା ଭିତରେ ବନ୍ଦିନୀ ହେଇ ପଡ଼ନ୍ତି । ତା’ପରେ ପ୍ରଶଂସାର ଜୁଆର– ଅଶ୍ରାବ୍ୟ ମନ୍ତବ୍ୟର ଛିଟା । ନିତିଦିନିଆ ଘଟଣାର ପୁନରାବୃତ୍ତି ।

 

ଏମ୍‌. ଜି. ଏମ୍‌ଙ୍କ ‘‘ଏ ଭେରୀ ପ୍ରାଇଭେଟ୍‌ ଏଫାୟର୍ସ’’ରେ ସେ ଅଭିନୟ କରୁଛନ୍ତି । ହୁଏତ ଏଇଟି ତାଙ୍କର ଶେଷ ଚିତ୍ର । ଅନେକଙ୍କ ମନରେ ପ୍ରଶ୍ନ– ଅବସର ଭିତରେ ରହିବେ କିପରି ବାର୍ଦୋ ? କିନ୍ତୁ ବଞ୍ଚିବା ପାଇଁ ତାଙ୍କୁ ତ ଆଉ ରୋଜଗାର କରିବାକୁ ପଡ଼ିବନି ? ଫ୍ରାନ୍‌ସରେ ସେ ବର୍ତ୍ତମାନ ଅନ୍ୟତମା ଧନୀ ମହିଳା । ତାଙ୍କ ନିଜ ଟଙ୍କାର ହିସାବ ହୁଏତ ସେ ନିଜେ ଜାଣନ୍ତିନି । ଜୀବନସାରା ଅପରର ଚିତ୍ତରେ ନିଜକୁ ପ୍ରତିଫଳିତ କରିଛନ୍ତି– ଆନନ୍ଦ ଦେଇଛନ୍ତି– ଆନନ୍ଦ ପାଇଛନ୍ତି । ଏଣିକି ନିଜ ଭିତରକୁ ସେ ଫେରି ଆସିବାକୁ ଖୁବ୍‌ ଆଗ୍ରହ ।

 

କିନ୍ତୁ ତାଙ୍କର ଅବସର ଗ୍ରହଣ ସମ୍ୱାଦରେ ଚିତ୍ରଜଗତରେ ଯେଉଁ ଆଲୋଡ଼ନ ସୃଷ୍ଟି ହେଇଛି, ତା’ର ଶେଷ କେଉଁଠି ?

 

ମଧୁବାଲା–କିଶୋର କୁମାର ବିଚ୍ଛେଦ ?

 

ସୁନ୍ଦରୀ ଅଭିନେତା ମଧୁବାଲାଙ୍କ ସ୍ୱାସ୍ଥ୍ୟର ଅନେକ ଉନ୍ନତି ଘଟିଛି ବୋଲି ଜଣାଯାଇଛି-। ସେ ଏବେ ସକାଳେ ସନ୍ଧ୍ୟାରେ ନିଜ ଗାଡ଼ିରେ ବୁଲିବା ଆରମ୍ଭ କଲେଣି । ବେଳେବେଳେ ସାଙ୍ଗରେ ତାଙ୍କର ଭଉଣୀ, କେତେବେଳେ ତାଙ୍କ ସ୍ୱାମୀ କିଶୋର କୁମାରଙ୍କୁ ମଧ୍ୟ ମୋଟରରେ ଦେଖାଯାଏ । ଯେତେଦୂର ସମ୍ଭବ ଜାନୁୟାରୀ ପୂର୍ବରୁ ସେ ଚିତ୍ରରେ ଅଂଶଗ୍ରହଣ କରି ପାରିବେନି । ଏବେ ସେ ଅଧିକ ସମୟ କୋରାନ ପାଠରେ ମନ ଦେଉଛନ୍ତି । ହଜାର ହଜାର ଟଙ୍କା ଓ ଲୁଗାପଟା ଗରିବଙ୍କୁ ଦାନ କରିଛନ୍ତି ଆଶୀର୍ବାଦ ପାଇବା ଆଶାରେ ।

 

ବମ୍ୱେର ଫିଲ୍ମ-ମହଲରେ ଯେଉଁ ସମ୍ୱାଦଟି ଚାଞ୍ଚଲ୍ୟ ସୃଷ୍ଟି ‘ହମ୍‌ଦୋନୋ’ର ଏକ ଦୃଶ୍ୟରେ କରିଛି । ତାହା ହେଉଛି ମଧୁବାଲା ଦେବାନନ୍ଦ ଓ ନନ୍ଦା’ ଓ କିଶୋର କୁମାର ଭିତରେ ଅନେକ କ୍ଷେତ୍ରରେ ମତ ପ୍ରଭେଦ ଘଟିବା । ଏଣୁ ନିକଟ ଭବିଷ୍ୟତରେ ଦୁହିଙ୍କ ସମ୍ୱନ୍ଧ ଯେ ବିଚ୍ଛେଦ ହୋଇପାରେ ଏଥିରେ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ ।

 

କିଶୋର କୁମାରଙ୍କର ବହୁମୁଖୀ ପ୍ରତିଭା

 

ଦୁଇ ବର୍ଷତଳେ କିଶୋର କୁମାର ‘ଚଲ୍‌ତି କେ ନାମ ଗାଡ଼ି’ ଚିତ୍ରଟି ତିଆରି କରି ନାଁ କମେଇ ଥିଲେ । ଚିତ୍ରଟି ସୁବର୍ଣ୍ଣ ଜୟନ୍ତୀ ପାଳନରେ ସକ୍ଷମ ନ ହେଲେ ମଧ୍ୟ ଆଶାତୀତ ସଫଳତା ଲାଭ କରିଛି । ଏହାପରେ ସେ ଅନେକ ଗୁଡ଼ିଏ ଚିତ୍ରର ନାଁ ଘୋଷଣା କରିଛନ୍ତି, ଯଥା– ଝୂମ୍‌ରୁ, ସୁହାନା ଗୀତ, ବ୍ୟାଣ୍ଡ ମାଷ୍ଟର, ଚିକ୍‌ ଚିକ୍‌ ବୁମ୍‌ ଓ ନୀଲ୍‌ ଗଗନ୍‌ କି ଛାଓଁ ମେ ସେଥିମଧ୍ୟରେ ପ୍ରଧାନ-। ଏବେ ‘ମନ୍ଦିର’ ନାମକ ଏକ ଚିତ୍ରର ନାଁ ଘୋଷଣା କରିଛନ୍ତି । ଏଇଟି ସମ୍ପୂର୍ଣ୍ଣ ଇଷ୍ଟମ୍ୟାନ କଲରରେ ତିଆରି ହେବ ।

 

କିଶୋର କୁମାର ଅଭିନେତା ଓ ନିର୍ମାତା ଭାବରେ ଖ୍ୟାତି ଲାଭ କରି ସାରିଛନ୍ତି । ‘ଝୁମ୍‌ରୁ’ର ସଙ୍ଗୀତ ଓ କାହାଣୀ ସେ ନିଜେ ଲେଖିଛନ୍ତି । ‘ନୀଲ୍‌ ଗଗନ୍‌କି ଛାଓଁ ମେ’ର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି । ଏହାଛଡ଼ା ତାଙ୍କର ନବତମ ଚିତ୍ର ‘ମନ୍ଦିର’ର କଥା ଓ ସଙ୍ଗୀତ ମଧ୍ୟ ନିଜର ସୃଷ୍ଟି ।

 

‘ନୀଲ୍‌ ଗଗନ୍‌ କି ଛାଓଁ ମେ’ରେ ତାଙ୍କୁ ପ୍ରଯୋଜକ, ସୁରକାର, ପରିଚାଳକ, ଗାୟକ ଓ ପ୍ରଧାନ ଅଭିନେତା ରୂପେ ଦେଖିବାକୁ ମିଳିବ । ନାୟିକା ଭୂମିକାରେ ବଙ୍ଗଳାର ଯଶସ୍ୱିନୀ ନାୟିକା ସୁପ୍ରିୟା ଚୌଧୁରୀ ଅଭିନୟ କରୁଛନ୍ତି ।

 

ଦିଲୀପ–ବୈଜୟନ୍ତୀ ବିବାହ କରିବେ ?

 

ସାରା ଦେଶରେ ‘ଗଙ୍ଗା-ଯମୁନା’ ପ୍ରଦର୍ଶିତ ହେଉଛି । ବର୍ତ୍ତମାନ ଦିଲୀପ କୁମାର ଯେ ସର୍ବାଧିକ ଲୋକପ୍ରିୟ ଅଭିନେତା ଏଥିରେ ଦ୍ୱିମତର ଅବକାଶ ନାହିଁ । ତାଙ୍କ ବୟସ ବର୍ତ୍ତମାନ ୩୭-। କିନ୍ତୁ ତେବେ ବି ସେ ଏ ପର୍ଯ୍ୟନ୍ତ କାହିଙ୍କି ବିବାହ କରି ନାହାନ୍ତି ଓ କଲେ କାହାକୁ ହେବେ–ଏ ପ୍ରଶ୍ନ ଅନେକଙ୍କ ମନରେ କୌତୂହଳ ସୃଷ୍ଟି କରିଛି ।

 

ଆଗରୁ ତାଙ୍କ ବିବାହ ନେଇ କାମିନୀ କୋଶଲ, ନରଗିସ, ମଧୁବାଲା, ମିନାକୁମାରୀ ପ୍ରଭୃତି ଅଭିନେତ୍ରୀଙ୍କ ନାଁ ଶୁଣାଯାଇଛି । ଏବେ କିଛି ଦିନ ହେବ ବୈଜୟନ୍ତୀମାଳାଙ୍କ ନାଁ ଶୁଣିବାକୁ ମିଳୁଛି ।

 

‘ଗଙ୍ଗା-ଯମୁନା’ ରିଲିଜ୍‌ ପୂର୍ବରୁ ତାଙ୍କ ବିବାହ କଥା ଠିକ୍‌ ହୋଇଥିଲା । କିନ୍ତୁ ‘ଗଙ୍ଗା-ଯମୁନା’ ଚିତ୍ର ରିଲିଜ୍‌ହେବା ପୂର୍ବରୁ ବିବାହ ସମ୍ପନ୍ନ ହେଲେ ଦର୍ଶକଙ୍କ ଚିତ୍ତ ଆକୃଷ୍ଟ କରିବାରେ ଅନ୍ତରାୟ ହେବା ଆଶଙ୍କାରେ ବିବାହ ପ୍ରସ୍ତାବ ସ୍ଥଗିତ ରହିଥିଲା ।

 

ଆଉ ମଧ୍ୟ ଗଙ୍ଗା-ଯମୁନା ରିଲିଜ୍‌ ପରେ ବିବାହ ହେବ ବୋଲି ବୈଜୟନ୍ତୀମାଳାଙ୍କଠାରୁ ଦିଲୀପକୁମାର ପ୍ରତିଶ୍ରୁତି ନେଇଛନ୍ତି । ଏଣୁ ବାସ୍ତବରେ ‘ଗଙ୍ଗା-ଯମୁନା’ ଧନ୍ନୋ ସହିତ ଯମୁନାର ଏ ବିବାହ ବୋଲି କେତେକ ମତ ପୋଷଣ କରୁଛନ୍ତି ।

 

ତାଜମହଲ ଓ ମହାଭାରତ

 

ନିର୍ମାତା-ନିର୍ଦ୍ଦେଶକ କେ.ଅଫିସ୍‌ଙ୍କ ଏକ ଘୋଷଣାରୁ ପ୍ରକାଶ ପାଇଛି ଯେ ରଙ୍ଗୀନ ଓ ସିନେମାସ୍କୋପ ଚିତ୍ର ‘ତାଜମହଲ’ର କାମ ଆରମ୍ଭ ହୋଇଛି । ଏହା ପଛକୁ ‘ମହାଭାରତ’ କାମ ମଧ୍ୟ ଆରମ୍ଭ ହେବ । ଏହି ବିରାଟ ପୌରାଣିକ ଚିତ୍ରଟିକୁ ନିର୍ଦ୍ଦେଶ ଦେବେ ବାବୁଭାଇ ମିସ୍ତ୍ରୀ । ଏଇଟି ମଧ୍ୟ ରଙ୍ଗୀନ ହେବ । ଏଥିରେ ଅଭିନୟ କରିବା ପାଇଁ ଅଶୋକ କୁମାର, ରାଜେନ୍ଦ୍ର କୁମାର, ସୁନିଲ ଦତ୍ତ ତଥା ଶଶିକପୁରଙ୍କ ନାମ ବିଚାରଧୀନ ଅଛି ।

 

ଆଉ ଏକ ସମ୍ୱାଦରୁ ପ୍ରକାଶ ପାଇଛି ନିର୍ଦ୍ଦେଶକ ମେହବୁବ୍‌ ମଧ୍ୟ ତାଙ୍କର ବହୁ ଦିନର ସ୍ୱପ୍ନ ‘ତାଜମହଲ’କୁ ରୂପାୟିତ କରିବାରେ ବଦ୍ଧ ପରିକର । ଗୋଟିଏ ଚିତ୍ରକୁ କେନ୍ଦ୍ରକରି ଦୁଇ ନାମଜାଦା ନିର୍ଦ୍ଦେଶକଙ୍କ ପ୍ରତିଯୋଗିତା ଇତିହାସରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ସମସ୍ତେ ବିଶ୍ୱାସ କରୁଛନ୍ତି ।

 

ସ୍ୱାମୀ–ସ୍ତ୍ରୀ ମଧ୍ୟରେ ବୁଝାମଣା

 

ଗତ କେତେ ମାସ ଧରି ଚଳଚ୍ଚିତ୍ର ଜଗତରେ ନିର୍ମାତା-ନିର୍ଦ୍ଦେଶକ ଗୁରୁଦତ୍ତ ଓ ତାଙ୍କ ସ୍ତ୍ରୀ ପାର୍ଶ୍ୱଗାୟିକା ଗୀତାଦତ୍ତଙ୍କ ମନୋମାଳିନ୍ୟ ତଥା ଗୁରୁଦତ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ସମ୍ୱାଦ ଆଲୋଚିତ ହୋଇ ଆସୁଥିଲା । କିନ୍ତୁ ଏବେ ଜଣାଯାଇଛି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ହୋଇ ପୂର୍ବର ରିକ୍ତ ସମ୍ୱନ୍ଧ ମଧୁର ହୋଇ ଆସିଛି । ବେଳେବେଳେ ସେମାନଙ୍କୁ ଏକାଠି ବୁଲିବାର ମଧ୍ୟ ଦେଖା ଗଲାଣି ।

Image

 

ଦିଲ୍ଲୀ-ଡାୟେରୀ (୨)

ଅବଦୁଲ ହମିଦ ନାଶାତ୍‌

ରାଷ୍ଟ୍ରପତିଙ୍କ ଆତିଥ୍ୟ

 

ପରଦିନ ସକାଳ । ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ପାଇ ପୂରାଦମରେ ଆମେ ଆମ କଣ୍ଟିଜେଣ୍ଟର ଗୋଟାଏ ଲିଷ୍ଟ ତିଆରି କରି ପଇଠ କରିଦେଲୁ । ଯଥା ସମୟରେ ନିମନ୍ତ୍ରଣ ପତ୍ର ସବୁ ଆସି ପହଞ୍ଚିଗଲା । ସମସ୍ତ ଜିନିଷ ଯୋଗାଡ଼ କରିସାରି ସନ୍ଧ୍ୟା ଠିକ୍‌ ଛଅଟା ବେଳେ ଆମ୍ଭେମାନେ ରାଷ୍ଟ୍ରପତି ଭବନରେ ପହଞ୍ଚି ଦେଖୁତ ଚାରିଆଡ଼ ବେଶ୍‌ ସଫା ସୁତୁରା । ଧୀର ପବନରେ ଶାନ୍ତ ବାତାବରଣ ଅଧିକ ଶାନ୍ତ ମୂର୍ତ୍ତି ଧାରଣ କରିଛି । ବିରାଟ ରାଷ୍ଟ୍ରପତି ଭବନର ଦ୍ଵାର ଦେଶରେ ପହଞ୍ଚି ଦେଖୁ ତ ଆଗରେ ଗୋଟାଏ ପାଓଁପୋଛ ପଡ଼ିଛି । ସତେ ଅବା ଗୋଟାଏ ବିଚ୍ଛିନ୍ନ ପର୍ବତ ଶୃଙ୍ଗ ଦ୍ୱାରସ୍ଥ ହୋଇଛି ଟିକିଏ କରୁଣା ପାଇଁ । ଶୃଙ୍ଗ ଉପରେ ପାଦ ଯୋଡ଼ାକ ଘଷି ପୁଣି ତାହା ଆଗକୁ ବଢ଼ାଇ ଦେଖେ ତ ଘର ଭିତରେ ପଡ଼ିଥିବା ବହଳିଆ କାର୍ପେଟ ଗୋଟାକ ବାହାର ପର୍ଯ୍ୟନ୍ତ ଲମ୍ୱି ଆସିଛି । ବହୁ ନିମନ୍ତ୍ରିତ ବ୍ୟକ୍ତିଙ୍କ ଗହଣରେ ମୁଁ ମଧ୍ୟ ପରମୁହୂର୍ତ୍ତରେ ଘର ଭିତରେ ଦାଖଲ ହୋଇଗଲି ।

 

ଚହଟ ଚିକ୍‌କଣ ବିରାଟ ଏକ ହଲ୍‍ । ତାରି ଭିତରେ ନିମନ୍ତ୍ରିତ ବ୍ୟକ୍ତିମାନେ ଦଳ ଦଳ ହୋଇ ବାକ୍ୟାଳାପରେ ରତ । ହଠାତ୍‌ ଚିତ୍ରତାରକା ତ୍ରିଲୋକ କପୁର ସହିତ ଅମର ଭେଟ ହୋଇଗଲା । ଭାରତୀୟ ଚିତ୍ର ଜଗତରେ ମାଇଥୋଲଜିକାଲ ହିରୋ ଅର୍ଥାତ୍‌ ପୌରାଣିକ ଚିତ୍ରର ନାୟକ ହିସାବରେ ସେ ସୁପରିଚିତ । ସେ ପ୍ରାୟ ଦୁଇଶତ ଚିତ୍ରରେ ଅଂଶଗ୍ରହଣ କରି ସାରିଛନ୍ତି । ତ୍ରିଲୋକ କପୁର ଜଣେ ବେଶ ମେଳାପି ଲୋକ । କ୍ଷଣକ ଭିତରେ ତାଙ୍କ ସହିତ ଅମର ବେଶ୍‌ ଆଳାପଟାଏ ଜମିଗଲା । ଆଳାପ ଭିତରେ ଭାରତରେ ଥିବା ଭିନ୍ନ ଭିନ୍ନ ଜାତି ଓ ଭାଷା ଉପରେ ଆଲୋଚନା ହେଲା । ତାଙ୍କ ସହିତ କଥାବାର୍ତ୍ତାରୁ ମୁଁ ଠଉରେଇ ନେଲି ଯେ ସମାଜଗତ, ଜାତିଗତ କିମ୍ୱା ଧର୍ମଗତ ବୈଷମ୍ୟ ଆଉ ତାରି ଉପରେ ପ୍ରତିଷ୍ଠିତ ଉଚ୍ଚ ନିଚ୍ଚ ଆସନ ଅଥବା ପଦବୀରେ ସେ ଘୋର ବିରୋଧୀ । ବାସ୍ତବିକ୍‌ ଏପରି ଏକ ଉଚ୍ଚ ଧାରଣା ତାଙ୍କ ପାଖରେ ଦେଖି ମୁଁ ଅତିଶୟ ପ୍ରୀତ ହେଲି । ପରେ ପରେ ସେ ଏକ ନୂଆ ଚିତ୍ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଶୁଣି ଖୁସି ହେଲି ।

 

ଏହି ସମୟରେ ରାଷ୍ଟ୍ରପତିଙ୍କ ମୋହର ମରା ଓ ଗୋଟିଏ ଚପରାସି ଧୂମକେତୁ ରୂପେ ଆବିର୍ଭାବ ହେଲା । ହାତରେ ତା’ର ଥାଏ ସବୁ ସଳିତା ଲାଗିଥିବା ଗୋଟାଏ ଡିବିରି ଓ ଗୋଟାଏ ରୂପାର ବାକ୍‌ସ । ଚପରାସିକୁ ଦେଖି ଆମ ଭିତରେ ଆଲୋଚନା ହେଲା– ବୋଧହୁଏ ରାଷ୍ଟ୍ରପତି ବିଜେ ହେବାର ଏଇଟି ଆଗୁଆ ସଙ୍କେତ, କିନ୍ତୁ ଚପରାସି ବିଚାରାର ଗତିବିଧି ଥିଲା ଭିନ୍ନ ଧରଣର-। ଜଣକ ପରେ ଜଣକୁ ଡେଇଁ ଯାଉଥାଏ ସେ, କିନ୍ତୁ ଚପରାସି ହାତରେ ଥିବା ଅଲିମ୍ପିକ୍‌ ମଶାଲର କ୍ଷୁଦ୍ର ନମୁନା ଅର୍ଥାତ୍‌ ସରୁ ସଳିତା ସମ୍ପନ୍ନ ଡିବିରିର ତାତ୍ପର୍ଯ୍ୟ ଗୋଟାକ କେହି ବୁଝି ପାରୁନାହାନ୍ତି-। ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ ପରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ଭିତରୁ ଜଣେ ରୂପା ବାକ୍‌ସଟିକୁ ଫିଟାଇ ସେଥିରୁ ଗୋଟାଏ ସିଗାରେଟ୍‌ ବାହାର କରି ଡିବିରି ଆଲୋକ ଦ୍ୱାରା ସେଥିରେ ଗୋଟାଏ ଅଗ୍ନି ସଂଯୋଗ କଲେ । ଫଳରେ ଦୀର୍ଘ ସମୟ ଧରି ଆଲୋଚିତ ଚପରାଶି ରହସ୍ୟଟା ଆପେ ଆପେ ସମାଧାନ ହୋଇଗଲା । ପରେ ପରେ ରାଷ୍ଟ୍ରପତିଙ୍କ ମୋହର ମରା ସୁମଧୁର ଧଳା ପିକା ଚୁମ୍ୱନ କଲା ଆମ୍ଭମାନଙ୍କର ସଙ୍କୁଚିତ ଓଠଗୁଡ଼ାକୁ ।

 

ତା’ପରେ ଆମ୍ଭେମାନେ ବଢ଼ିଚାଲିଲୁ ଆଗକୁ । ଦୁଇଟା ବିରାଟ ହଲରେ ପୂରାପୁରି ସାହେବୀ ଢାଞ୍ଚାରେ ଲମ୍ୱା ଟେବୁଲ ଉପରେ ମାଳ ମାଳ ଡିସ୍‌ରେ ବିଭିନ୍ନ ରକମର ଖାଦ୍ୟପଦାର୍ଥ ସଜା ହୋଇଚି । ହଲ ଦୁଇଟାର କାନ୍ଥକୁ ଲାଗି ଦୁଇପାଖରେ ଚପରାସିଗୁଡ଼ାକ ଆଟେନ୍‌ସନ୍‌ ଭଙ୍ଗୀରେ ଛିଡ଼ା ହୋଇଛନ୍ତି । ଟେବୁଲ ଚାରିପାଖରେ ବୁଲି ବୁଲି ଆମ୍ଭେମାନେ ନିଜ ନିଜ ଇଚ୍ଛା ଅନୁସାରେ ଖାଇବାକୁ ଲାଗିଗଲୁ । ସତେ ଯେପରି ଗୋଟାଏ ହରିଲୁଟ ଚାଲିଛି ।

 

ହଠାତ୍‌ ଆମ୍ଭମାନଙ୍କ ଭେଟ ହେଲା ଚିତ୍ରତାରକା ଜୟରାଜଙ୍କ ସହିତ । ସେ ଖୁବ୍‌ ମେଳାପୀ ଓ ଶାନ୍ତ ଶିଷ୍ଟ ପ୍ରକୃତିର । ଆମର ଷ୍ଟାଫ୍‌ ଫଟୋଗ୍ରାଫରଙ୍କ ଦ୍ୱାରା ତାଙ୍କ ସହିତ ଆମର ଗୋଟିଏ ସ୍ନାପ୍‍ ନେଉ ନେଉ ଦେଖା ହେଲା ନାମଜାଦା ଚିତ୍ର ପ୍ରଯୋଜକ କେ.ଆସିଫ୍‌ ଓ ସୁପ୍ରସିଦ୍ଧ ବୟୋଜ୍ୟଷ୍ଠ ଚିତ୍ରତାରକା ପୃଥ୍ୱୀରାଜ କପୁରଙ୍କ ସହିତ ।

 

ଅଳ୍ପ ସମୟ ପରେ ‘ଜିସ୍‌ ଦେଶ୍‌ ମେ ଗଙ୍ଗା ବହତି ହୈ’ର ନାୟକ ଓ ପ୍ରୟୋଜକ ରାଜକପୁରଙ୍କ ସହିତ ଭେଟ ହେଲା । ତାଙ୍କର ଉଚ୍ଛ୍ୱସିତ ମୁବାରକ ଅଭିବାଦନରେ ଆମ୍ଭେମାନେ ଆଶାତୀତ ଆନନ୍ଦ ଉପଲବ୍‌ଧି କଲୁ । କିଛି ସମୟ ପରେ ନବୋଦିତ ଚିତ୍ରଶିଳ୍ପୀ ରାଜେନ୍ଦ୍ର କୁମାରଙ୍କ ସହିତ ମଧ୍ୟ ସାକ୍ଷାତ ହେଲା ଏବଂ ମନଖୋଲା କଥାବର୍ତ୍ତା ହେବା ପରେ ଆମର ଗୋଟିଏ ଫଟୋ ମଧ୍ୟ ତୋଳାଗଲା ।

 

ସମୟ ଗଡ଼ି ଚାଲିଥାଏ । ପରିଶେଷରେ ଉପରାଷ୍ଟ୍ରପତି ଆମ୍ଭମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଲେ । ତା’ପରେ ଆମ୍ଭେମାନେ ବିଦାୟ ନେଇ ଫେରିଲୁ । ବାହାରେ ଆସି ଦେଖିଲୁ ମାଇକ ସହ ପୁଲିସ ମୁତୟନ ଅଛନ୍ତି । କଥାଟା କିଛି ବୁଝା ପଡ଼ୁ ନଥାଏ । ପରେ ଆମ୍ଭମାନଙ୍କୁ ନିଜର ମଟର ନମ୍ୱର ପୋଲିସ ତରଫରୁ ପଚରା ଗଲା । ମାଇକ୍‌ରେ ଆମ ନମ୍ବରକୁ ଡାକିବା ମାତ୍ରେ ଆମ ‘ବୁଲଡଗ୍‌’ ଆସି ଛିଡ଼ା ହୋଇଗଲା । ତା’ପରେ ରାଷ୍ଟ୍ରପତି ଭବନକୁ ଗୋଟାଏ ସାଲ୍ୟୁଟ୍‌ (ହର୍ଣ୍ଣ) ପକାଇ ବୁଲଡଗ୍‌ ଆମ୍ଭମାନଙ୍କୁ ଧରି ଛୁଟି ଚାଲିଲା ବସା ଅଭିମୁଖେ ।

 

ତା’ ପରଦିନ ରୌପ୍ୟ ପଦକକୁ କାଖରେ ଜାକି ଆମ୍ଭେମାନେ ଆରମ୍ଭ କରିଦେଲୁ ବାହୁଡ଼ା ଯାତ୍ରା ।

 

ଘରମୂହାଁ ବୁଲଡଗ୍‌

 

ଯଥା ସମୟରେ ବୁଲଡଗ୍‌ ଭୀମ ଗର୍ଜନ କରି ଦିଲ୍ଲୀ ସୀମା ପାର ହେଲା । ତା’ପରେ ସିଧା ବୃନ୍ଦାବନ ଓ ମଥୁରାର ଗୋରସ ଚାଖିବା ପାଇଁ ସେ ଧାଇଁଲା ଲାଲକିଲ୍ଲା ପଛରେ ପକାଇ । ବୃନ୍ଦାବନରେ ପହଞ୍ଚି ଆମ୍ଭେମାନେ ଚାରିଆଡ଼କୁ ଚାହିଁଲୁ । ଚାରିଆଡ଼େ ମାଳ ମାଳ କଣ୍ଟା ଗଛ । ମଧୁବନ, ନା କଦମ୍ୱ, କିଛିର ଦର୍ଶନଇ ନାହିଁ । କଳିଯୁଗ ହେତୁ ବୋଧହୁଏ ଦ୍ୱାପରର ନିକୁଞ୍ଜ କାନନ ଗୋଟାକ କଣ୍ଟା କାନନ ପାଲଟି ଯାଇଛି । ଆଉ ତା’ ସଙ୍ଗେ ସଙ୍ଗେ ଲଳିତା, ବିଶାଖା, ମାଳତୀ ସବୁ ଚିକ୍‌କଣ ଚାକଣ ପଥର ହୋଇ ଯମୁନାର ଢେଉ ସହିତ ରାସଲୀଳା କରୁଛନ୍ତି । ବାସ୍ତବିକ୍‌ କବିବର ରାଧାନାଥଙ୍କ ଉକ୍ତିଟା ସତ । ଆମ ଓଡ଼ିଶାର ଭାଷା ଗରିବ । ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶାର ସୁମଧୁର ରୂପ ଆଜିସୁଦ୍ଧା ଭାଷାରେ ଆତ୍ମପ୍ରକାଶ କରି କରିନି । ମନଟା ମୋର ଫିକା ପଡ଼ିଗଲା । ଯାହାହେଉ ତଣ୍ଟି ପର୍ଯ୍ୟନ୍ତ ମଥୁରାରେ ପେଡ଼ା ଚୁଣ୍ଟି ଆମ୍ଭେମାନେ ବାହାରି ପଡ଼ିଲୁ ଆଗ୍ରା ଅଭିମୁଖେ ପ୍ରେମିକ ସମ୍ରାଟ୍‌ ଶାହଜାନଙ୍କ ପ୍ରେମମନ୍ଦିର ତାଜମହଲ ଦେଖିବା ପାଇଁ । ଗାଡ଼ିରୁ ଓହ୍ଲାଇ ପଡ଼ି ଆମ୍ଭେମାନେ ତାଜର ରୂପ ଚାଖିବାରେ ମନୋନିବେଶ କରିଛୁ; ହଠାତ୍‌ ଏକ ଦୀର୍ଘକାୟ ପୁରୁଷ ଅଣ୍ଟାରେ ଲେଙ୍ଗୁଟି ମାରି ଆମରି ଆଡ଼କୁ ଭୀମ ବେଗରେ ଧାଇଁ ଆସିଲା । ଭୟରେ ମୋ ଦେହରୁ ଦୁଇ ଛଟାଙ୍କି ଯାଏ ରକ୍ତ ପାଣି ଫାଟିଗଲା । କିନ୍ତୁ ବୀରବର ଲେଙ୍ଗୁଟି ଦାସେ କାହାକୁ କିଛି ନକହି ସିଧା ଯମୁନା କୂଳରେ ଦଣ୍ଡ ମାରିବାରେ ଲାଗିପଡ଼ିଲେ । ଆଶ୍ୱସ୍ତ ହେଇ ମୁଁ ପୁଣି ତାଜ ଆଡ଼କୁ ଚାହିଁଲି । ଅପୂର୍ବ କଳାଲିପିର ଜ୍ୱଳନ୍ତ ନିଦର୍ଶନ । ପାଟିରୁ ମୋର କଥା ବାହାରି ପାରିଲା ନାହିଁ । ହଠାତ୍‌ ଆଖି ବୁଲାଇ ଦେଖେ ତ ଅଦୂରରେ ଅଖ୍ୟାତନାମା ଏକ ତରୁଣୀ ଠିକ୍‌ ସିଙ୍ଗାପୁର ପିକ୍‌ଚରର ହିରୋଇନ ମେରିଆ ମେନାଡ଼ୋଙ୍କ ଢାଞ୍ଚାରେ ମେକ୍‌ଅପ୍‌ ହୋଇ ତାଜର ଗଭୀର ପ୍ରେମରସ ପିଇଯାଉଛି । ଆଖି ଦୁଇଟା ମୋର ଆପେ ଆପେ ଫାଡ଼ି ହୋଇଗଲା । ପରମୁହୂର୍ତ୍ତରେ ପଛକୁ ଚାହିଁ ଦେଖେ ତ ବରାବର ଲେଙ୍ଗୁଟି ଦାସେ ନଦୀ କୂଳରେ ପଡ଼ ଉଠ ହେବାରେ ବ୍ୟସ୍ତ । ଦୁଇଟା ଯାକ ଦୃଶ୍ୟର ସାମଞ୍ଜସ୍ୟ ତାଜର ମୁକ ଇଙ୍ଗୀତରୁ ବୁଝିପାରିଲି । ସେଇ ମୁଗ୍‌ଧା ତରୁଣୀକୁ ହାତେଇବା ପାଇଁ ବୋଧହୁଏ ସୁସ୍ଥ ଶରୀର ଆବଶ୍ୟକ; ଅର୍ଥାତ୍‌ ଲେଙ୍ଗୁଟି ଆବଶ୍ୟକ ଆଉ ତା’ ସଙ୍ଗେ ସଙ୍ଗେ ପଡ଼ ଉଠ ପଦ୍ଧତି । ମନେ ମନେ ତାଜକୁ ଗୋଟିଏ କୁର୍ଣ୍ଣିସ୍‌ ପକାଇ ଦେଲି ବିନା ଦ୍ୱିଧାରେ ।

 

ତାଜ ଦେଖି ସାରିବା ପରେ ବୁଲ୍‌ଡଗ୍‌ ମାଡ଼ି ଚାଲିଲା କାନପୁର ଆଡ଼କୁ, କିନ୍ତୁ ବାଟରେ ବୁଲଡଗ୍‌ ହଠାତ୍‌ ଶେରଶାହାଙ୍କ ନିର୍ମିତ ଗ୍ରାଣ୍ଡଟ୍ରଙ୍କ ଧାରରେ ଅବସ୍ଥିତ ଏକ କୂପ ପାଖରେ ଛିଡ଼ା ହୋଇଗଲା । ପାଖରେ ଶବରପଲ୍ଲୀପରି ଗୋଟାଏ ବସ୍ତି । କୌଣସି ପ୍ରକାର ସାହାଯ୍ୟ ସେଠି ଆଶା କରିବା ବିଡ଼ମ୍ୱନା । ଫଳରେ ବୁଲଡଗ୍‌ଙ୍କୁ ଚାହିଁ ଚାହିଁ ସେହି କୂପର ଚଉରା ଉପରେ ରାତିଟା କାଟି ଦେବାକୁ ପଡ଼ିଲା । ମଝିରେ ମଝିରେ ପାର୍ଶ୍ୱସ୍ଥ ନିମ୍ୱ ଗଛର ହାଓ୍ୟାଟ ମଧ୍ୟ ବେଶ୍‌ ଆରାମଦାୟକ ଜଣା ପଡ଼ୁଥାଏ । ପରଦିନ ସକାଳେ ଏକ ଅଜ୍ଞାତ ଗାଡ଼ିର ସାହାଯ୍ୟ ଲାଭ କରି ବୁଲଡଗ୍‌ ପୁଣି ଧାଇଁ ଚାଲିଲା ଏଲାହାବାଦ ଆଡ଼କୁ । ତା’ପରେ ବନାରସ୍‌ ହେଲା । ତା’ପରେ ଗ୍ରେଟ୍‌ ବୁଲଡ଼ଗ୍‌ ବୀର ଦର୍ପରେ ଆଗେଇ ଚାଲିଲେ ବନାରସରେ ପାନଖାଇ ପାଟି ଆମର ଲାଲ ହୋଇଗଲା । କିନ୍ତୁ ସେଠାକାର ଦେକାନୀମାନେ ଗ୍ରାହକମାନଙ୍କୁ ଡାକି ଡାକି ଜବରଦସ୍ତି ଦୋକାନରେ ଖୁଆଇ ଥିବା ଦୃଶ୍ୟ ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟ ନହୋଇ ରହିପାରଲୁନି ।

 

ଯଥା ସମୟରେ ଆମ୍ଭେମାନେ କାଶୀ ବିଶ୍ୱନାଥଙ୍କୁ ଦଣ୍ଡବତ ପକାଇ ଉତ୍ତର ପ୍ରଦେଶ ସୀମା ପାର ହେଲୁ । ଗୟାବାଟ ଦେଇ ଆସିଲା ବେଳେ ସେଠିକାର ରୁଗ୍‌ଣ ବାତାବରଣର ମଜା ବି ଚାଖିଲୁ । କିନ୍ତୁ ବୁଲଡ଼ଗ୍‌ ଆଉ ଆମକୁ ଅଧିକ ସମୟ ଦେଲା ନାହିଁ । ଏକ ନିଶ୍ୱାସରେ ଧାଇଁ ଧାଇଁ ଆସି ଧାନବାଦରେ ସେ ଦମ ନେଲା । ବୀର ଦର୍ପରେ ଆମ୍ଭେମାନେ ବମ୍ୱେ ହୋଟେଲରେ ଉପସ୍ଥିତ ହେଲୁ । କିନ୍ତୁ ହୋଟେଲଟାରେ ମଣିଷ ବୋଲି ଜଣେ ବି ନଥାନ୍ତି । ଏ ରହସ୍ୟ କିଛି ବୁଝା ପଡ଼ିଲା ନାହିଁ । ପରେ ଅଖ୍ୟାତନାମା ଏକ ବ୍ୟକ୍ତିର ଦୟାରୁ ଗଣ୍ଡାଏ ଚାଉଳ ହାଣ୍ଡିରେ ପଡ଼ିଲା ଆଉ ଆମେ ସମସ୍ତେ କୌଣସିମତେ ରାତିଟା କଟାଇ ଦେଲୁ । ଶୁଣିଲୁ ଧାନବାଦର ଅଧିକାଂଶ ହୋଟେଲର ଅବସ୍ଥା ଏଇଆ । ଦେଶକେ ଫାଙ୍କ୍ ନଇକେ ବାଙ୍କ୍ ଉକ୍ତିର ମର୍ମାର୍ଥ ବୁଝି ନେଇ ଚୁପ ରହିଲୁ । ତା’ପରେ ଟାଟାନଗରରେ ପଶି ଆମ୍ଭେମାନେ କେନ୍ଦୁଝର ଡାକ ବଙ୍ଗଳାରେ ଆସି ପହଞ୍ଚିଲୁ । ଅଳ୍ପ ସମୟ ପାଇଁ ସେଠାରେ ବିଶ୍ରାମ ନେଇ ରାତାରାତି ଯାତ୍ରା ଆରମ୍ଭ କଲୁ କଟକ ଅଭିମୁଖେ । କଟକରେ ଦେଖିଲି ମଥୁରା, ବୃନ୍ଦାବନର ପେଡ଼ାଯାକ ପିଣ୍ଡୁଳାକୃତି ଧାରଣ କରିଛି । କିଏ କେମିତି ସେଇଥିରୁ ଟିକେ ଟିକେ ପାଟିରେ ପକାଇ ନିଜକୁ କୃତାର୍ଥ ମନେ କରୁଥାନ୍ତି । କିନ୍ତୁ ମୋ ଦୃଷ୍ଟି ପଥରେ ସେଇ ଲେଙ୍ଗୁଟି ଦାସେ ଓ ମେକ୍‌ଅପ୍‌ ସୁଦର୍ଶନା ତରୁଣୀର ପ୍ରତିଛବି ଭାସି ଉଠୁଥାଏ ବାରମ୍ୱାର ବାରମ୍ୱାର । ସେ ଦୃଶ୍ୟ କେବେ ଭୁଲିବାର ନୁହେଁ ।

Image

 

ଆପଣଙ୍କର ଭବିଷ୍ୟତ ପାଇଁ ଗୋଟିଏ ନିୟମିତ ଆୟ

 

ଆପଣ ନିଜେ ହିଁ ନିଜକୁ ଗୋଟିଏ ଉପହାର ଦିଅନ୍ତୁ ଏବଂ ଭବିଷ୍ୟତ ସମ୍ବନ୍ଧରେ ନିଶ୍ଚିନ୍ତ ହୁଅନ୍ତି । ବର୍ତ୍ତମାନ ଗୋଟିଏ ‘ଏନ୍ୟୁୟିଟି’ ପଲିସି କିଣିଲେ ଆପଣଙ୍କର ଭବିଷ୍ୟତ ଜୀବନ ପାଇଁ ଗୋଟିଏ ନିୟମିତ ଆୟର ବ୍ୟବସ୍ଥା ପକ୍‌କା ହେବ । କେତେ ବୟସ ଠାରୁ ଆପଣଙ୍କର ଆୟ ଆରମ୍ଭ ହେବା ଦରକାର ଆପଣ ଠିକ୍‌ କରି ନିଅନ୍ତୁ, ଆଉ ମାସିକ, ତ୍ରୈମାସିକ ବା ଷାଣ୍ମାସିକ– କି ଭାବରେ ପ୍ରିମିୟମ ଦେଲେ ଆପଣଙ୍କର ସୁବିଧା ହେବ ତାହା ମଧ୍ୟ ଠିକ୍‍ କରି ପକାନ୍ତୁ । ତା’ପରେ ଆପଣଙ୍କ ଜୀବନ ବୀମାର ଏଜେଣ୍ଟଙ୍କ ନିକଟରୁ ବିସ୍ତାରିତ ସମସ୍ତ ଖବର ଜାଣି ନିଅନ୍ତୁ । ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ରହିଛନ୍ତି । ଆପଣଙ୍କର ଆୟ ଯାହା ହେଉ, ଆପଣଙ୍କ ଉପଯୋଗୀ ପଲିସି ପାଇବେ ।

 

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଉପଲକ୍ଷେ–

 

ଭାରତର ଚଳଚ୍ଚିତ୍ର

 

୧ । ଭାରତରେ ପ୍ରଥମଥର ପାଇଁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ୧୮୯୬ ମସିହାରେ-। ସେ ବର୍ଷ ଜୁଲାଇ ୭ ତାରିଖରେ ବମ୍ବେର ଏସ୍‌ପ୍ଳାନେଡ୍ ଭବନରେ ଗୋଟିଏ କୋଠରୀରେ ଲୁମିଏର୍‌ ବ୍ରଦର୍ସ ତରଫରୁ ଏଇ ସିନେମା ପ୍ରଦର୍ଶିତ ହୋଇଥିଲା ।

 

୨ । ଭାରତରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ରର ନାମ ହେଉଛି ‘‘ରାଜା ହରିଶ୍ଚନ୍ଦ୍ର’’ । ଦାଦା ସାହେବ ଫାଲ୍‌କେଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା । ବମ୍ବେର କରୋନେସନ୍‌ ଥିଏଟରରେ ୧୯୧୩ ମସିହା ମେ ୧୨ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।

 

୩ । କଲିକତାରେ ପ୍ରଥମେ ୧୯୧୨ ମସୀହାରେ ଜେ. ଏଫ୍‌. ମାଇଡ଼ନ୍‌ଙ୍କ ଦ୍ୱାରା ଏକ ଫିଲିମ୍‌ କମ୍ପାନୀ ଗଠିତ ହୋଇଥିଲା । ବଙ୍ଗ ପ୍ରଦେଶରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ନାମ ହେଉଛି ‘‘ନଳ ଦମୟନ୍ତୀ’’ ।

 

୪ । ଭାରତରେ ପ୍ରସ୍ତୁତ ପ୍ରଥମ ସବାକ ଚଳଚିତ୍ର ‘‘ଅଲାମ୍‌ ଆରା’’ ୧୯୩୧ ମସିହା ମାର୍ଚ୍ଚ ୧୪ ତାରିଖରେ ବମ୍ବେର ମ୍ୟାଜେଷ୍ଟିକ୍‌ ସିନେମାରେ ମୁକ୍ତିଲାଭ କରିଥିଲା । ଶ୍ରୀ ଏ. ଏମ୍‌. ଇରାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ।

 

୫ । ୧୯୩୨ ମସିହାରେ ଭାରତୀୟ ଚଳଚ୍ଚିତ୍ର ସୋସାଇଟି ସ୍ଥାପିତ ହୋଇଥିଲା । ୧୯୩୫ ମସିହା ଫେବୃୟାରୀ ୨୦ ତାରିଖରେ ଏହି ସୋସାଇଟି ଦ୍ୱାରା ପ୍ରଥମ ନିଖିଳ ଭାରତ ଚଳଚ୍ଚିତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

 

୬ । ୧୯୩୯ ମସୀହା ଏପ୍ରିଲ ଓ ମେ ମାସରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ରୌପ୍ୟ ଜୟନ୍ତୀ ପାଳିତ ହୋଇଥିଲା । ସେତେବେଳେ ଭାରତର ଅନ୍ୟାନ୍ୟ ଶିଳ୍ପ ମଧ୍ୟରେ ଚଳଚ୍ଚିତ୍ର ଶିଳ୍ପ ଅଷ୍ଟମ ସ୍ଥାନ ଅଧିକାର କରିଥିଲା ଏବଂ ପୃଥିବୀର ଚଳଚ୍ଚିତ୍ର ଶିଳ୍ପ କ୍ଷେତ୍ରରେ ଏହା ଚତୁର୍ଥ ସ୍ଥାନ ଅଧିକାର କରିଥିଲା ।

 

୭ । ଚଳଚ୍ଚିତ୍ର ଶିଳ୍ପ ବିକାଶ ପାଇଁ ଭାରତ ସରକାର ବିଶେଷ ବ୍ୟବସ୍ଥା ଅବଲମ୍ବନ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଏକି ଶିଶୁ ଚଳଚ୍ଚିତ୍ର ସମିତି; ଏକ ଚଳଚ୍ଚିତ୍ର ଅର୍ଥ କର୍ପୋରେସନ୍‌ ଏବଂ ଟେକ୍‌ନିସିଆନମାନଙ୍କ ତାଲିମ ପାଇଁ ଏକ ଚଳଚ୍ଚିତ୍ର ପ୍ରତିଷ୍ଠାନ (ଫିଲିମ୍‌ ଇନଷ୍ଟିଚ୍ୟୁଟ୍‌) ସ୍ଥାପିତ ହୋଇଛି । ଚଳଚ୍ଚିତ୍ର ପ୍ରତିଷ୍ଠାନଟି ସୁନାର ପ୍ରଭାତ ଷ୍ଟୁଡିଓରେ ଅବସ୍ଥିତ । ଉତ୍‌କୃଷ୍ଟ ଚଳଚ୍ଚିତ୍ର ଉତ୍ପାଦନରେ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୧୯୫୪ ମସିହାଠାରୁ ସରକାରୀ ପୁରସ୍କାର ଦେବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଏହି ବ୍ୟବସ୍ଥା ଅନୁସାରେ ଉତ୍କୃଷ୍ଟ ପୂର୍ଣ୍ଣାଙ୍ଗ ଚଳଚିତ୍ର ଓ ପ୍ରମାଣିତ ଚଳଚ୍ଚିତ୍ର ପାଇଁ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ଏବଂ ଉତ୍କୃଷ୍ଟ ଶିଶୁ ଚଳଚ୍ଚିତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଣ୍ଣପଦକ ପୁରସ୍କାର ଦିଆଯାଉଛି । ଏହାଛଡ଼ା ଏହି ତିନୋଟି ଶ୍ରେଣୀର ଚଳଚ୍ଚିତ୍ର ମଧ୍ୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ଯୋଗ୍ୟତା ସୂଚକ ସାର୍ଟିଫିକେଟ୍‌ ଦେବାର ବ୍ୟବସ୍ଥା ମଧ୍ୟ ରହିଛି ।

 

୮ । ଜନସାଧାରଣଙ୍କୁ ଜଣାଇବା ଏବଂ ସେମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସରକାରୀ ସମ୍ବାଦ ଚିତ୍ର ଓ ପ୍ରମାଣ ଚିତ୍ରମାନ ବଣ୍ଟନ କରାପାଏ । ଭାରତ ସରକାରଙ୍କ ଫିଲିମ୍‌ ଡିଭିଜନ୍‌ ଦ୍ୱାରା ଏହି ବଣ୍ଟନ କାର୍ଯ୍ୟ କରାଯାଏ । ୧୯୬୦ ମସିହା ମଧ୍ୟରେ ଫିଲିମ୍‌ ଡିଭିଜନ୍ ଦ୍ୱାରା ୮୨ଟି ପ୍ରମାଣ ଚିତ୍ର ନିର୍ମିତ ହୋଇଥିଲା । ଏଥିମଧ୍ୟରୁ ରଙ୍ଗୀନ ଚଳଚ୍ଚିତ୍ରର ସଂଖ୍ୟା ହେଉଛି ୧୨ । ସାଧାରଣତଃ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ସମ୍ବାଦ ଚିତ୍ର ପ୍ରସ୍ତୁତ ହୁଏ ଏବଂ ପ୍ରତି ଶୁକ୍ରବାର ଦିନ ଏହା ମୁକ୍ତଲାଭ କରେ । ୧୯୬୦ ମସିହା ଜାନୁୟାରୀ ୨୨ ତାରିଖଠାରୁ ଇଂରେଜୀ ଓ ୧୨ଟି ଭାରତୀୟ ଭାଷାରେ ସମ୍ବାଦଚିତ୍ରମାନ ପ୍ରସ୍ତୁତ ହେଉଛି ।

 

୯ । ଆଜି ପୃଥିବୀର ପ୍ରଧାନ ଚଳଚ୍ଚିତ୍ର ନିର୍ମାତା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଏ କ୍ଷେତ୍ରରେ ଜାପାନ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ଭାରତରେ ୨୬୦ଟି ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା, ୧,୧୮୦ ଟି ବଣ୍ଟନକାରୀ ସଂସ୍ଥା ଓ ୪,୩୦୦ଟି ସିନେମାଗୃହ ରହିଛି ବୋଲି ଅଟକଳ କରାଯାଇଛି ।

 

୧୦ । ଭାରତର ପ୍ରଧାନ ଚଳଚ୍ଚିତ୍ର ଉତ୍ପାଦନ କେନ୍ଦ୍ର ବମ୍ବେ, କଲିକତା ଓ ମାନ୍ଦ୍ରାଜରେ ମୋଟ ୬୮ଟି ଷ୍ଟୁଡିଓ ରହିଛି । ଏଥିମଧ୍ୟରୁ ବମ୍ବେରେ ୩୦ଟି, କଲିକତାରେ ୧୧ଟି ଏବଂ ମାନ୍ଦ୍ରାଜରେ ୨୭ଟି ଷ୍ଟୁଡିଓ ଅବସ୍ଥିତ ।

 

୧୧ । ୧୯୫୯ରେ ଭାରତରେ ମୋଟ ୩୦୬ ଟି ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏହି ବର୍ଷର ଏକ ବିଶିଷ୍ଟ ଘଟଣା ହେଉଛି ଏହି ଯେ ‘‘କାଗଜ୍‌-କେ-ଫୁଲ୍‌’’ ନାମକ ଏକ ଭାରତୀୟ ଚଳଚ୍ଚିତ୍ର ପ୍ରଥମଥର ପାଇଁ ସିନେମାସ୍କୋପ୍‌ରେ ନିର୍ମିତ ହୋଇଥିଲା । ଏବର୍ଷ ତିନୋଟି ରଙ୍ଗୀନ୍‌ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିଲା ।

 

୧୨ । ୧୯୬୦ରେ ଆହୁରି ଅଧିକ ଚଳଚ୍ଚିତ୍ର ନିର୍ମ୍ମିତ ହେଲେ । ଏବର୍ଷ ନିର୍ମ୍ମିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ମୋଟ ସଂଖ୍ୟା ହେଉଛି ୩୧୫ । ଏଥିମଧ୍ୟରୁ କେବଳ ହିନ୍ଦୀରେ ୧୧୫ଟି ଚଳଚ୍ଚିତ୍ର ନିର୍ମ୍ମିତ ହୋଇଥିଲା । ଏହାଛଡ଼ା ତାମିଲରେ ୬୨ଟି, ତେଲଗୁରେ ୫୪ଟି, ବଙ୍ଗଳାରେ ୩୬ଟି, ମରାଠିରେ ୧୫ଟି, କନ୍ନଡରେ ୧୨ଟି, ମାଲୟାଲମ୍‌ରେ ୬ଟି, ଓଡ଼ିଆରେ ୫ଟି, ପଞ୍ଜାବୀରେ ୪ଟି, ଉର୍ଦ୍ଦୁରେ ୩ଟି, ଗୁଜରାଟିରେ ୨ଟି ଏବଂ ସିନ୍ଧିରେ ଗୋଟିଏ ଚଳଚ୍ଚିତ୍ର ନିର୍ମ୍ମିତ ହୋଇଥିଲା ।

 

୧୩ । ଚଳଚ୍ଚିତ୍ର ରପ୍ତାନୀ ଦ୍ୱାରା ଅନେକ ପରିମାଣରେ ବୈଦେଶିକ ମୁଦ୍ରା ଉପାର୍ଜିତ ହୋଇଥାଏ । ୧୯୫୯ରେ ଭାରତରୁ ଚଳଚ୍ଚିତ୍ର ରପ୍ତାନୀ ବାବଦରେ ୧କୋଟି୫୩ ଲକ୍ଷ ଟଙ୍କା ଆୟ ହୋଇଛି । ଭାରତୀୟ ଚଳଚ୍ଚିତ୍ର ପ୍ରଧାନତଃ ନିମ୍ନ ଦେଶମାନଙ୍କୁ ରପ୍ତାନୀ କରାଯାଏ– ସିଂହଳ, ମାଳୟ, ବର୍ମା, ଇଣ୍ଡୋନେସିଆ, କାମ୍ବୋଡ଼ିଆ, ଥାଇଲାଣ୍ଡ, ଭିଏଟ୍‌ନାମ, ଆଡ଼େନ୍‌, ପାରସ୍ୟ ଉପସାଗର ବନ୍ଦର ସମୂହ, ଇରାନ୍‌, ଲେବାନନ, ବ୍ରିଟିଶ ପୂର୍ବ ଆଫ୍ରିକା, ବ୍ରିଟିଶ ପଶ୍ଚିମ ଆଫ୍ରିକା ଘାନା, ତାନ୍‍ଜିଏର୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟିଶ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ, ଫିଜି, ମରିସସ୍‌, ଡଚ୍‌ଗାଏନା, ବ୍ରିଟେନ୍‌ ଓ ହଂକଂ ।

 

୧୪ । ଚଳଚ୍ଚିତ୍ର ରପ୍ତାନୀ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୧୯୫୮ ମସିହା ଡିସେମ୍ବର ମାସରେ ରପ୍ତାନୀ ଉନ୍ନୟନ କମିଟି ସ୍ଥାପିତ ହୋଇଥିଲା । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାର୍ତ୍ତା ଓ ବେତାର ମନ୍ତ୍ରଣାଳୟ ଏବଂ ଚଳଚ୍ଚିତ୍ର ଶିଳ୍ପର ପ୍ରତିନିଧିଙ୍କୁ ନେଇ ଉକ୍ତ କମିଟି ଗଠନ କରାଯାଇଛି ।

 

ଆଫ୍ରିକାର ବିବାହ-ପଦ୍ଧତି

 

ରାଷ୍ଟ୍ରପୁଞ୍ଜର ସାମାଜିକ କମିଟିରେ ଆଫ୍ରିକାର ବିବାହ ପଦ୍ଧତି ନେଇ ଆଲୋଚନା ଚାଲିଥିଲା ବେଳେ ନାଇଜେରିଆର ବୈଦେଶିକ ମନ୍ତ୍ରୀ ଶ୍ରୀ ଜାଜା ଓୟାଚୁକୁ ପରିଷ୍କାର କରିଦେଲେ ଯେ ଆଫ୍ରିକାରେ ବିବାହ ସମ୍ପର୍କୀୟ ରୀତି ନୀତି ନେଇ ରାଷ୍ଟ୍ରପୁଞ୍ଜ ଯେପରି ମୁଣ୍ଡ ନ ଖେଳାଏ । ବିବାହରେ ସମ୍ମତି ଦାନ, ସବିନିମ୍ନ ବୟସ ଧାର୍ଯ୍ୟ ଏବଂ ବିବାହ ରେଜିଷ୍ଟ୍ରେସନ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକ ବାଦ ଦେବାକୁ ଜୋର ଦେଲେ । କିନ୍ତୁ ଶହେଟି ରାଷ୍ଟ୍ରର ସଭ୍ୟଥିବା ସାମାଜିକ କମିଟିର କେହି ଜଣେ ହେଲେ ତାଙ୍କ ପ୍ରସ୍ତାବକୁ ଅନୁମୋଦନ କଲେନି ।

 

ଶ୍ରୀ ଓୟାଚୁକୁ କହିଲେ ଯେ, ପୃଥିବୀରେ କେବଳ ପାଶ୍ଚାତ୍ୟ ବିବାହ ପଦ୍ଧତିକୁ ମାପ କାଠି ହିସାବରେ ଗ୍ରହଣ କରିବା ଅନୁଚିତ । ବହୁ ବିବାହ ରୀତି ଆଫ୍ରିକା ପାଇଁ ଫଳପ୍ରସୂ । ସେଠାରେ ସାମାଜିକ ଏବଂ ଅର୍ଥନୀତିକ ପରିସ୍ଥିତି ହିଁ ଏହାର ଉଦ୍ଭାବକ । ଅନେକ କ୍ଷେତ୍ରରେ ବହୁ ବିବାହ ବିବାହ-ପଦ୍ଧତିକୁ ଦୃଢ଼ତର ମଧ୍ୟ କରିଥାଏ । ଯୌତୁକ ପ୍ରଥାଟି ମଧ୍ୟ ଅପରିବର୍ତ୍ତିତ ରହିବା ଉଚିତ । ସେଠାରେ ଆନ୍ତର୍ଜାତିକ ଆଇନ କାନୁନ ପ୍ରବର୍ତ୍ତନ କଲେ ଆଫ୍ରିକାର ପୁରାତନ ରୀତି ନୀତି ଅବିରେ ଧ୍ୱଂସ ପାଇବ, ତା’ ଛଡା ସାମାଜିକ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି ହେବ ।

 

କମିଟିର ସଭାପତି ଏ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସଭ୍ୟମାନଙ୍କୁ କହିଲେ । କିନ୍ତୁ କେହି ହେଲେ ସପକ୍ଷରେ ମତ ଦେଲେନି ।

 

କେତେକ ମହିଳା ପ୍ରତିନିଧି ଆତଙ୍କରେ ଶିହରି ଉଠି ବହୁ ବିବାହ ଓ ସପତ୍ନୀ ସହିତ ଜୀବନ ଯାପନ କିପରି ଯନ୍ତ୍ରଣାଦାୟକ, ତାହା ବର୍ଣ୍ଣନା କରିଥିଲେ । କୌଣସି ସିଦ୍ଧାନ୍ତ ଗ୍ରହଣ କରା ନ ଯାଇ ସଭା ସ୍ଥଗିତ ରହିଲା ।

Image